Unknown

 

 

 

 

 

 

 

 

 

 

 

କବି ଓ ନର୍ତ୍ତକୀ

ସୁରେନ୍ଦ୍ର ମହାନ୍ତି

 

ଭୂମିକା

 

ଏଥିରେ ସନ୍ନିବିଷ୍ଟ ଐତିହାସିକ, ବୌଦ୍ଧଯୁଗୀୟ ଓ ପୌରାଣିକ ଗଳ୍ପଗୁଡ଼ିକ ବିଭିନ୍ନ ସମୟରେ ବିଭିନ୍ନ ପତ୍ରିକାରେ ପ୍ରକାଶିତ ହୋଇ, ସହୃଦୟ ପାଠକ ସମାଜର ଶ୍ରଦ୍ଧାଧନ୍ୟ ହୋଇଥିଲା । ଇତିମଧ୍ୟରେ ବହୁବର୍ଷ ଅତୀତ ହୋଇଥିଲେ ହେ, ଏଇ ଗଳ୍ପଗୁଡ଼ିକର ଆବେଦନ ତଥାପି ନିଷ୍ପ୍ରଭ ହୋଇନାହିଁ । ତାହାହିଁ ଏଗୁଡ଼ିକୁ ଗୋଟିଏ ସଙ୍କଳନରେ ଗ୍ରଥିତ କରିବାର ଏକମାତ୍ର ଯଥାର୍ଥତା । ଆଶାକରେ, ଏହି ସଞ୍ଚାୟନଟି କାଳ ଓ ରୁଚି ପରିବର୍ତ୍ତନର ଉର୍ଦ୍ଧ୍ୱରେ, ବିଦଗ୍ଧ ପାଠକ ମଣ୍ଡଳୀରେ ଆଦୃତ ହୋଇ ରହିବ ।

 

ଏକ ଗଳ୍ପଗୁଡ଼ିକରେ ପୃଷ୍ଠଭୂମି, ଇତିହାସର ଦିଗନ୍ତରେ ସୁଦୂର ବିସ୍ତୃତ । ଖ୍ରୀ: ପୂ: ୨୦୦୦ ଅବ୍ଦରେ, ମୋଜେସଙ୍କ ନେତୃତ୍ୱରେ, ଇଜିପସୀୟ ସାମ୍ରାଜ୍ୟବାଦ ବିରୁଦ୍ଧରେ ହୀବ୍ରୁମାନଙ୍କର ମୁକ୍ତିସଂଗ୍ରାମ (ଭଗ୍ନଦୂତ)ଠାରୁ ଆରମ୍ଭ କରି, କିର୍ତ୍ତୀକିରିଟୀନୀ ଓଡ଼ିଶା ଇତିହାସର ଉତ୍‌ଥାନ ପତନ, ସୌଭାଗ୍ୟ ଓ ବିପର୍ଯ୍ୟୟର କେତେକ ଅଧ୍ୟାୟ (କାବେରୀରୁ ଗଙ୍ଗା, ସନ୍ଧି ଓ ସର୍ତ୍ତ, ଦଳେଇ ବୁଢ଼ା) ପର୍ଯନ୍ତ ବହୁଦେଶ ଓ କାଳର ବହୁ ଐତିହାସିକ ଅଭିଜ୍ଞତା ଏଥିରେ କ୍ଷୁଦ୍ର ଗଳ୍ପର ଆଙ୍ଗିକରେ ବର୍ଣ୍ଣିତ ହୋଇଅଛି । ବସ୍ତୁତଃ ଏହି ଗଳ୍ପଗୁଡ଼ିକ ଓଡ଼ିଆ ସାହିତ୍ୟରେ ରୋମାନ୍ସଧର୍ମୀ ଐତିହାସିକ କ୍ଷୁଦ୍ରଗଳ୍ପ ରଚନାର ଆଦ୍ୟ ଉଦ୍ୟମ କହିଲେ ଅତ୍ୟୁକ୍ତି ହେବନାହିଁ ।

 

ଗଳ୍ପଗୁଡ଼ିକର କଥାବସ୍ତୁ ଇତିହାସାଶ୍ରିତ ହେଲେହେଁ, ସାମ୍ପ୍ରତିକ କାଳର ସଙ୍କଟ ଯନ୍ତ୍ରଣା ଓ ଜିଜ୍ଞାସା. ଏହି ଗଳ୍ପଗୁଡ଼ିକରେ ସୁସ୍ପଷ୍ଟ । ବସ୍ତୁତଃ ସାମ୍ପ୍ରତିକ କାଳର ଯନ୍ତ୍ରଣାଦଗ୍ଧ ଚେତନାରୁ ପଳାୟନ ପାଇଁ, ମୁଁ ଏଇ ଐତିହାସିକ ଗଳ୍ପଗୁଡ଼ିକ ଆଶ୍ରୟ କରିଥିଲେ ସୁଦ୍ଧା ସେଥିରୁ ମୁକ୍ତି ପାଇପାରି ନାହିଁ । ସେଥିପାଇଁ ସାମ୍ପ୍ରତିକ ଚେତନା ଓ ଦ୍ୱନ୍ଦ୍ୱର ସ୍ୱାକ୍ଷର ଏଇ ଗଳ୍ପ ଗୁଡ଼ିକରେ ଅସ୍ପଷ୍ଟ ରହିନାହିଁ । ‘‘କବି’’ ଗଳ୍ପରେ....‘‘ସଂସାରବିମୁକ୍ତ କବିର ଅନମନୀୟ କାବ୍ୟାଭିମାନ ମଧ୍ୟରେ ସମାଜପତି ଓ ରାଷ୍ଟ୍ରନିୟନ୍ତାମାନେ କାଳେ କାଳେ ଦେଖିଆସିଥାନ୍ତି ସେମାନଙ୍କ ପ୍ରତିଷ୍ଠା ପ୍ରତି ଦୁର୍ବିନୀତ ଆହ୍ୱାନର ଯେଉଁ ସଙ୍କେତ, ଦୀନକୃଷ୍ଣଙ୍କ ପରେ ତାହାର ସଙ୍କେତ ପାଇ, ମହନ୍ତମଠାଧୀଶଙ୍କଠାରୁ ମହାରାଜା ଦିବ୍ୟସିଂହଙ୍କ ପର୍ଯ୍ୟନ୍ତ ସମସ୍ତେ ବିଚଳିତ ହୋଇ ଉଠିଥିଲେ ସେଦିନ’’....କ’ଣ ଆଜିର ଅଭିଜ୍ଞତା ନୁହେଁ ? ତା’ ନହେଲେ ସୋଭିୟେତ ଲେଖକ ସୋଲଝିତ୍‌ସିନ ଆଜି ସ୍ୱ ଦେଶରୁ ନିର୍ବାସିତ ହୋଇଥାନ୍ତେ କାହିଁକି ? ଏ ଅଭିଜ୍ଞତା କ’ଣ ଆମର ମଧ୍ୟ ନୁହେଁ ? ‘‘ଚିତା–ତିଳକ ଚିହ୍ନିତ’’ ସମାଜ ବିରୁଦ୍ଧରେ କବି ଦୀନକୃଷ୍ଣଙ୍କ ଦୁର୍ବିନୀତ ଯୁଦ୍ଧ ଘୋଷଣା, ଏକ ସାର୍ବଜନୀନ, ସର୍ବକାଳୀନ ଅଭିଜ୍ଞତା ।

 

‘‘ଉଡ଼୍ର ରାମପୁତ୍ର’’ ‘ମଧୁମତ୍ତାର ରାତ୍ରି’’ ଓ ‘‘ମହାନିର୍ବାଣ’’ ପ୍ରଭୃତି ଗଳ୍ପରେ ମାଂସର ବ୍ୟାକୁଳତା ଓ ଆତ୍ମାର ଆହ୍ୱାନ ମଧ୍ୟରେ ଯେଉଁ ସଂଘର୍ଷ ପ୍ରତିଫଳିତ, ତାହା ମଧ୍ୟ ସର୍ବକାଳୀନ । ସେହିପରି, ବାବିଲନ୍‍ ଯାତ୍ରା ପଥରେ ବୃଦ୍ଧ ମୋଜେସ୍‌ଙ୍କ କଣ୍ଠରେ ସେଇ ଦୃପ୍ତ ଘୋଷଣା...‘‘ଜୀବନର ଉଦ୍ଦେଶ୍ୟ ଦାସତ୍ୱ ନୁହେଁ ସୋଲୋମନ୍‍ । ବଞ୍ଚିବାଠାରୁ ମୁକ୍ତି ବଡ଼ । ମୁଁ ସେଇ ମୁକ୍ତିର ଡାକ ଶୁଣିଛି’’....ଏକ ସାର୍ବଜନୀନ, ସର୍ବକାଳୀନ ଆହ୍ୱାନ ।

 

ବସ୍ତୁତଃ ସବୁ ଇତିହାସ ହେଉଛି ଶିଳୀଭୂତ ବର୍ତ୍ତମାନ । ତେଣୁ ସବୁ ସାର୍ଥକ ଐତିହାସିକ ଉପନ୍ୟାସ ଓ ଗଳ୍ପଗୁଡ଼ିକରେ ସାମ୍ପ୍ରତିକ ଚେତନା ଓ ଯନ୍ତ୍ରଣାର ସ୍ୱାକ୍ଷର ସ୍ପଷ୍ଟ ଲକ୍ଷ୍ୟ କରାଯାଇପାରେ-। ସେହି ଦୃଷ୍ଟିରୁ ଏଥିରେ ବର୍ଣ୍ଣିତ ଅଧିକାଂଶ ଗଳ୍ପ ସଙ୍କେତଧର୍ମୀ । ‘‘ଦଳେଇ ବୁଢ଼ା’’ କ’ଣ ସାମ୍ପ୍ରତିକ ଓଡ଼ିଶାର ପ୍ରତିବିମ୍ୱ ନୁହେଁ ?

 

ଐତିହାସିକ ଗଳ୍ପ ବା ଉପନ୍ୟାସ ରଚନାର ରସପୁଷ୍ଟି ପାଇଁ ପରିବେଶ ସୃଷ୍ଟି ସର୍ବାଦୌ ପ୍ରୟୋଜନ । ବର୍ଣ୍ଣିତ ଯୁଗର ଆଚାର, ଚଳଣି, ଭାଷା ଓ ଜୀବନାଦର୍ଶ ଯଥାର୍ଥ ଭାବରେ ରୂପାୟିତ ହୋଇ ନ ପାରିଲେ ଉପଯୁକ୍ତ ପରିବେଶ ସୃଷ୍ଟି ସମ୍ଭବ ହୁଏନାହିଁ । ଏଥିପାଇଁ ଯେଉଁ ଅଧ୍ୟୟନ ଓ ଅଧ୍ୟବସାୟ ଆବଶ୍ୟକ, ତାହା ସବୁବେଳେ ସମସ୍ତଙ୍କ ପକ୍ଷରେ ସମ୍ଭବ ହୋଇ ନ ଥାଏ । ସେଥିପାଇଁ ଆଉରି ଅନେକ ଐତିହାସିକ ପୌରାଣିକ ଓ ବୌଦ୍ଧଯୁଗୀୟ କ୍ଷୁଦ୍ର ଗଳ୍ପପାଇଁ କଥାବସ୍ତୁ ମୋଠାରେ ସଂଗୃହୀତ ହୋଇ ରହିଥିଲେ ସୁଦ୍ଧା, ଗଳ୍ପ ଆକାରରେ ସେସବୁ ମୁଁ ଲେଖିବାପାଇଁ ଆଉ ଅବକାଶ ପାଇ ନାହିଁ ।

 

ବହୁ ସହୃଦୟ ପାଠକ ଓ ବନ୍ଧୁ, ଏହି ଗଳ୍ପଗୁଡ଼ିକୁ ଏକତ୍ର ଏକ ସଞ୍ଚୟନରେ ସମ୍ପୂଟିତ କରିବା ପାଇଁ ମୋତେ ଅନୁପ୍ରେରିତ କରିଥିଲେ । ସେମାନଙ୍କ ଶୁଭେଚ୍ଛା ସ୍ମରଣ କରି ଆଜି ଏହି ସଙ୍କଳନଟି ପ୍ରିୟ ପାଠକ, ପାଠିକାମାନଙ୍କର ହସ୍ତରେ ନମ୍ରତାର ସହିତ ଅର୍ପଣ କରୁଅଛି ।

 

ଶିବାନୀ,

 

ମହାନବମୀ

ସୁରେନ୍ଦ୍ର ମହାନ୍ତି

ତା ୧୩.୧୦.୭୫

 

☆☆☆

 

ଗଳ୍ପ ସୂଚୀ

 

୧.

କବି

୨.

ଉଡ଼୍ର ରାମପୁତ୍ର

୩.

ସାରୀପୁତ୍ତ

୪.

ଅମ୍ୱାପଲ୍ଲୀ

୫.

ମଧୁମତ୍ତାର ରାତ୍ରି

୬.

ପିତା ଓ ପୁତ୍ର

୭.

ମହାନିର୍ବାଣ

୮.

ନର୍ତ୍ତକୀ

୯.

ଭଗ୍ନଦୂତ

୧୦.

ଯାଯାବର ଓ ଜାୟା

୧୧.

ଶ୍ରୀକୃଷ୍ଣଙ୍କ ଶେଷ ହସ

୧୨.

କାବେରୀରୁ ଗଙ୍ଗା

୧୩.

ସନ୍ଧି ଓ ସର୍ତ୍ତ

୧୪.

ଦଳେଇ ବୁଢ଼ା

☆☆☆

 

କବି

 

ମୁଠାଏ ଗଙ୍ଗଶିଉଳୀ ପରି, ଅଶିଣ ସକାଳ ବିଞ୍ଚି ହୋଇ ପଡ଼ିଥିଲା, କେବଳୀମଠର ଶିଶିରଭିଜା ଉଦ୍ୟାନପଥ ଉପରେ । ଦୀନକୃଷ୍ଣ ହାତରେ ଏକତାରାଟିଏ ଧରି ଛାୟାଢ଼ଙ୍କା ସେଇ ଅଙ୍କା ବଙ୍କା ଉଦ୍ୟାନପଥରେ ଚଞ୍ଚଳ ପାଦରେ ଫେରି ଆସୁଥିଲେ ଉଦ୍ୟାନର ନିଭୃତ କୋଣରେ ତାଙ୍କ କୁଟୀର ଭିତରକୁ । କପାଳ ଉପରେ ବାବୁରୀ ବାଳସବୁ ଅବିନ୍ୟସ୍ତ । ଆଖିତଳେ ବିନିଦ୍ର ରଜନୀର କ୍ଳାନ୍ତ–ବଳୟ । ମୁହଁରେ ଅତନ୍ଦ୍ର ଉଜାଗରର ବିବର୍ଣ୍ଣ ପାଣ୍ଡୁରତା ।

 

ମହନ୍ତ କେବଳ ଦାସ ସାଧନ ଗମ୍ଭୀରା ଭିତରୁ ବାହାରିବା ପାଇଁ ତଥାପି ବିଳମ୍ୱ ଅଛି । ସାଧନା ଦାସୀ ବ୍ରଜେଶ୍ୱରୀଙ୍କ କେବଳ ଭୟ ! ପୂଜା ଫୁଲ ତୋଳିବା ପାଇଁ ଦିନେ ଦିନେ ଅତି ସକାଳୁ ବ୍ରଜେଶ୍ୱରୀ ବଗିଚାକୁ ଆସିଥାନ୍ତି । ଦୀନକୃଷ୍ଣ ଅଧିକାଂଶ ଦିନ ରାତିରେ ମଠ ବାହାରକୁ ଗୋପନରେ ଯିବା ଆସିବା କରୁଥିବା, ବ୍ରଜେଶ୍ୱରୀ, ସନ୍ଦେହ କଲେଣି । କେବଳ ଦାସ ଗୋସେଇଁଙ୍କ ପାଖରେ ଅନେକ ଅଭିଯୋଗ ମଧ୍ୟ ସେ କରିଛନ୍ତି–କୃଷ୍ଣ ଦାସ ଚରିତ୍ରହୀନ, ଉଚ୍ଛୃଙ୍ଖଳ ! ବୈଷ୍ଣବ ହୋଇ ସେ ରାତି ରାତି ମାହାରୀ ସାହୀରେ ବୁଲେ ।

 

ମାହାରୀ–କନ୍ୟାମାନଙ୍କର ଦେହଟା ଅଶୁଦ୍ଧ ହୋଇପାରେ, ମାତ୍ର ଦେହର ଅଭ୍ୟନ୍ତରରେ, ମନର ନିଭୃତରେ ସେଇ ମାନମୟୀମାନେ....... ଏଇ ଚିତାଚନ୍ଦନ ଚିତ୍ରିତାମାନଙ୍କର ତୁଳନାରେ କ’ଣ ପୁଣ୍ୟମୟୀ ନୁହନ୍ତି ?

 

କଳାବତୀର ନାଁ’ଟା ବ୍ରଜେଶ୍ୱରୀ କିପରି କୁଆଡ଼ୁ ଜାଣିପାରିଲେ କେଜାଣି ? ନାରୀ ଈର୍ଷାପରାୟଣା ହେଲେ ତା’ର ଈର୍ଷାର ସହସ୍ର ଚକ୍ଷୁରୁ ପୁରୁଷର କେଉଁ କଥାଟା ବା ଗୋପନୀୟ ରହିପାରେ ? କେବଳ ଦାସ ମଧ୍ୟ କୃଷ୍ଣ ଦାସ ପ୍ରତି ବିଶେଷ ପ୍ରସନ୍ନ ନୁହନ୍ତି ! ତାଙ୍କର ସନ୍ଦେହ, ବୈଷ୍ଣବ କୃଷ୍ଣ ଦାସ ନିତ୍ୟ ରାସଲୀଳା ଅପେକ୍ଷା ବସନ୍ତ ରାସଲୀଳାରେ ଯେପରି ଅଧିକ ମଜିଛି ।

 

ସେ ଦିନ ବୈଷ୍ଣବ ମହାଜନ–ମଣ୍ଡଳୀରେ ରସ ବିଚାର ପଡ଼ିଥିଲାବେଳେ ଦୀନକୃଷ୍ଣଙ୍କ କେତେକ ପଦ ଘେନି କୌଣସି କୌଣସି ଗୁରୁସ୍ଥାନୀୟ ମହାଜନ, ବୈଷ୍ଣବ କାବ୍ୟରେ ଉଜ୍ଜ୍ୱଳ ବା ଶୃଙ୍ଗାର ରସର ପ୍ରାବଲ୍ୟ ପ୍ରତି ଆକ୍ଷେପ କରିଥିଲେ । ସେମାନଙ୍କ ଅଭିଯୋଗ ଉତ୍କଳୀୟ ବୈଷ୍ଣବ କାବ୍ୟ ପରମ୍ପରାରେ ତୀବ୍ର ଶୃଙ୍ଗାରର ଏପରି ପ୍ରାବଲ୍ୟ ଆଦୌ ସମର୍ପିତ ନ ଥିଲା । କେବଳ ଦାସଙ୍କ ମତାମତଟା ମଧ୍ୟ ପ୍ରାୟ ସେଇଆ । ମାତ୍ର ଦୀନକୃଷ୍ଣ ତାଙ୍କ କବିତା ପ୍ରତି ଏ ଆକ୍ଷେପରେ କ୍ଷୁବ୍ଧ ହୋଇ ସେହି ମହାଜନ ମଣ୍ଡଳୀରେ ବସି ପଦ ବୋଲିଥିଲେ–

 

‘‘କରନ୍ତି ଅଙ୍ଗେ ଅନେକ ଛାପ,କେହି ନ ଜାଣେ ଭିତର ପାପ,

ଚିତ୍ରକାରକ ପଟ ପରାଏ ପ୍ରତ୍ୟକ୍ଷେ ଦିଶେ ହେ ।’’

 

ଆନାସିକା–ହରି ମନ୍ଦିର–ତିଳକ ଚିତ୍ରିତ ଶୂନ୍ୟବାଦୀ କେବଳ ଦାସଙ୍କ ପ୍ରତି ଏହି ଆକ୍ଷେପଟା ଉଦ୍ଦିଷ୍ଟ ଥିଲା ବୋଲି ସେତେବେଳେ କେବଳ ଦାସଙ୍କର କୌଣସି ସନ୍ଦେହ ନ ଥିଲା । ଅନ୍ୟ ବୈଷ୍ଣବ ଗୋସ୍ୱାମୀ ଓ ମହାଜନମାନେ, ବୈଷ୍ଣବର ତୃଣାଦପି ସୂନୀଚେନ ବିନୟରେ ଦୀନକୃଷ୍ଣଙ୍କର ଏ ଔଦ୍ଧତ୍ୟକୁ ନୀରବରେ ସେଦିନ ଗଳାଧଃକରଣ କରି ଯାଇଥିଲେ ସିନା; ନୋହିଲେ ସେମାନେ ସେଦିନ ତାଙ୍କୁ ମନେ ମନେ ଆଦୌ କ୍ଷମା ଦେଇ ପାରି ନ ଥିଲେ ! ବ୍ରଜେଶ୍ୱରୀ ସେଦିନ ରାତିରେ, ଗୋସ୍ୱାମୀ କେବଳ ଦାସଙ୍କ ପଦସେବା କଲାବେଳେ ସେହି ଧୂମାୟିତ ବହ୍ନି ପ୍ରଜ୍ୱଳିତ କରାଇ କହିଥିଲେ–‘‘କୃଷ୍ଣ ଦାସ ସେଇ ଭିତର ପାପ ପଦଟା ଏତେ ମହାଜନଙ୍କ ମେଳରେ ବୋଲିଳାବେଳେ ମୋ ଦେହରେ କିଏ ଯେମତି ବିଷ ବୋଳି ଦେଉଥିଲା ପରା ! ଅଙ୍ଗଲାଗି ପାଇଁ ଗୋସେଇଁ ମତେ ବାଛି ଥିବାରୁ, ସେଇ କଥାଟା ଉପରେ ଯେମନ୍ତ ଲକ୍ଷ୍ମୀ ଛଡ଼ା କୃଷ୍ଣ ଦାସର ଆଖି !’’

 

ବ୍ରଜେଶ୍ୱରୀଙ୍କ ପଦ ସେବାରେ ପାଟଳୀ କୁସୁମ ସ୍ପର୍ଶର ମୃଦୁଳତା ସୁଦ୍ଧା ସେଦିନ ରାତିରେ କେବଳ ଦାସଙ୍କ ଆଖିରେ ସୁନିଦ୍ରା ଆଣି ପାରି ନ ଥିଲା । ଆକ୍ଷେପଟା ତ’ କେବଳ ଦାସ ଓ ବ୍ରଜେଶ୍ୱରୀଙ୍କ ସାଧନା ସମ୍ପର୍କ ପ୍ରତି ଉଦ୍ଦିଷ୍ଟ ।

 

କେବଳ ଦାସଙ୍କ ନିତ୍ୟ ଅଭିଯୋଗ କୃଷ୍ଣ ଦାସ ଭକ୍ତ ନୁହେଁ, ସେ ଗୋଟାଏ କବି । ତଥାପି ଆଶ୍ରିତ ଯେତେବେଳେ, କୃଷ୍ଣ ଦାସକୁ ଆଶ୍ରୟ–ବଞ୍ଚିତ କରିବା ପାଇଁ କେବଳ ଦାସ ଏ ପର୍ଯ୍ୟନ୍ତ ଅନ୍ତତଃ ଚିନ୍ତା କରି ନ ଥିଲେ । କିନ୍ତୁ ଏବେ ଦୀନକୃଷ୍ଣ ନିଶି ଶେଷର ନାଗର ପରି ଏପରି ଶିଥିଳ, ମଳିନ ବେଶବାସରେ ମଠ ଭିତରକୁ ଆସୁଥିବା ଯଦି ବ୍ରଜେଶ୍ୱରୀଙ୍କ ଶ୍ୟେନ ଦୃଷ୍ଟିରେ ପଡ଼ିଯାଏ ? ଦୀନକୃଷ୍ଣଙ୍କ ମନ୍ଥର ପାଦ ଦୁଇଟା ଶଙ୍କିତ ହୋଇ ଉଠିଲା–

 

ଦୀନକୃଷ୍ଣ ହଠାତ୍‍ ଅଟକି ରହିଗଲେ ।

 

ଉଦ୍ୟାନ–ସରୋବରରେ ନୀଳ କଇଁଟିଏ ଦୋଳୁଥିଲା–ମହାରୀ–କନ୍ୟାନର୍ତ୍ତକୀ କଳାବତୀ ପରି । ପ୍ରଭାତର ମନ୍ଦ ସମୀରଣରେ ନୀଳୋତ୍ପଳର ନିଦ୍ରାଭଙ୍ଗ ପରି ସବୁ ସଂଶୟ–ସଂକଟ ଭୁଲି ଦୀନକୃଷ୍ଣଙ୍କ ପାଣ୍ଡୁର ଓଠରେ ଗୋଟିଏ ପଦ ଗୁଞ୍ଜରି ଉଠିଲା–

 

‘‘କେଉଁ ଗୋପୀ ମୂର୍ତ୍ତି ଅନାଇଁ ବୋଲନ୍ତି, ତୋ’ ଅଙ୍ଗ କାମ ସରୋବର....’’

 

ସିକ୍ତ ବସନା ଶ୍ୟାମାବଧୁ ପଲ୍ଲୀପଥରେ କେଉଁ ଅଚିହ୍ନା ବନ୍ଧୁର ଦରହସିତ ଦୃଷ୍ଟିରେ ପଡ଼ି ବ୍ରୀଡ଼ା କମ୍ପିତା ହେବାପରି ଅଶିଣ ପ୍ରଭାରେ ଆଲୋକ ଛାୟାରେ ନୀଳ ଭଉଁରୀ ତଳେ, ଉଦ୍ୟାନ ସରୋବର ମୃଦୁ କମ୍ପିତ ହେଉଥିଲା ।

 

ଆଃ.... ଏ କି ଜ୍ୱାଳା ! ଏ କି ଅତୃପ୍ତି ! ଏ ପଦଟା ଯଦି ଯୋଡ଼ି ପୂର୍ଣ୍ଣ କରି ହୁଅନ୍ତା ! ତା’ ନହେଲେ ଏ ପଦଟା ମଧ୍ୟ ହଜିଯିବ, ଏହିପରି ଆଉ ଶତ ଶତ ଅସମାପ୍ତ ପଦର ଅତୃପ୍ତି ମଧ୍ୟରେ ।।

 

ହାତରେ ଅକ୍ଷର ଗଣି ଗଣି ଅନେକ ପଦ ଯୋଡ଼ିଛନ୍ତି କୃଷ୍ଣଦାସ, କେବଳ ଦାସଙ୍କ ଅନୁଶାସନ ମାନି–

 

‘‘ଅକ୍ଷର ଗଣିବ ହସ୍ତରେ      ତେବେ ସେ ଲେଖିବ ପତରେ ।।

ମନ ନୟନ ଏକ କରି      ଲେଖନ ମୂନେ ଦୃଷ୍ଠି ଭରି ।।’’

 

କିନ୍ତୁ ପୋଥି ଖେଦାର ସେହି ବିବର୍ଣ୍ଣ ଶଯ୍ୟାର ଊର୍ଦ୍ଧ୍ୱରେ କବିର ମୁଗ୍ଧ ଚେତନାରେ, ବିଚିତ୍ର–ବଣ୍ଣା ନଟୀର ଶ୍ଳଥ କବରୀରୁ ରାଶି ରାଶି ଯେଉଁ ଅଶୋକ ମଞ୍ଜରୀ ତଳେ ଝରିପଡ଼େ, କାହାର ମୁଗ୍ଧ ଦୃଷ୍ଟି ସେ ସବୁ ଚୟନ କରି ରଖିବ କାବ୍ୟ–ସମ୍ମୁଖରେ ? କିନ୍ତୁ କେବଳ ଦାସ ଗୋସେଇଁ କହନ୍ତି–ଏ ଅତୃପ୍ତ ଆଖି ଦୁଇଟା ତ’ ଆଖି ନୁହେଁ.....ତାହା ହେଲା ରବି ଆଉ ଶଶୀ !–ସୂର୍ଯ୍ୟ ଆଉ ଚନ୍ଦ୍ର !!

 

‘‘ଲୋଚନ ଦୁଇ ରବି ଶଶୀ ଠଳ ହୋଇଣ ଯେବେ ବସି ।’’

 

ଏହିପରି ରବି–ଶଶୀ ଠୁଳକରି କୃଷ୍ଣ ଦାସ ଯୋଡ଼ିଛନ୍ତି ସହସ୍ର ସହସ୍ର ପଦ । ରଚନା କରିଛନ୍ତି ଅଗଣନ୍ତା ପୋଥି, ଶାସ୍ତ୍ର, ପୁରାଣ, ଛାନ୍ଦ–ଅନେକ ! ମାତ୍ର ସେ ସବୁର ଛତ୍ରେ ଛତ୍ରେ ତାଙ୍କ ଅତୃପ୍ତ କବିତ୍ୱ ବାରମ୍ୱାର ଆର୍ତ୍ତନାଦ କରି ଉଠିଛି ଅନନ୍ତ ଯୁଗର କ୍ଷୁଧାରେ ! କବି–ଜୀବନର ସେହି ଦୁର୍ବିସହ ଜ୍ୱାଳା, ସେହି ଗ୍ଳାନି, ସେହି ବେଦନା, ସହସ୍ର ସହସ୍ର ପଦ ରଚନାର ପ୍ରଗଳ୍‌ଭତା ମଧ୍ୟରେ ସୁଦ୍ଧା ନିର୍ବାପିତ ହୋଇ ପାରିନାହିଁ । ତାଙ୍କ ଜୀବନରେ ଗୋଟିଏ ପଦ, ଗୋଟିଏ କାବ୍ୟ ତଥାପି ଯେପରି ଅସଂପୂର୍ଣ୍ଣ ରହି ଯାଇଅଛି । ଗୋଟିଏ ମୁହୂର୍ତ୍ତ, ଗୋଟିଏ ଆବେଗ, ଗୋଟିଏ ଆକୁଳତା ତଥାପି ଯେପରି ଅଧୁରା ରହି ଯାଇଅଛି–ଶେଷ ନିଶୀଥର ମୁଗ୍ଧ ସ୍ୱପ୍ନ ପରି ।

 

ଦୀନକୃଷ୍ଣ ପଦ ପୂରଣ ପାଇଁ ଅନ୍ୟମନସ୍କ ଭାବରେ ଏକତାରା ଉପରେ ଆଙ୍ଗୁଠି ବୁଲାଇ ଗୁଣୁ ଗୁଣୁ କରି ଉଠିଲେ–

 

‘‘କେଉଁ ଗୋପୀମୂର୍ତ୍ତି ଅନାଇଁ ବୋଲନ୍ତି ତୋ ଅଙ୍ଗ କାମ ସରୋବର ।’’

 

‘‘କୃଷ୍ଣ ଦାସ !’’

 

‘‘ଦୀନକୃଷ୍ଣ !’’

 

ମାଳତୀ କୁଞ୍ଜ ଉହାଡ଼ରୁ ବ୍ରଜେଶ୍ୱରୀ ଗୋଟିଏ ହାତରେ ଫୁଲ ଚାଙ୍ଗୁଡ଼ି ଓ ଅନ୍ୟ ହାତରେ ବାଉଁଶ ଲଗୀଟିଏ ଧରି କାବ୍ୟ–ବିମର୍ଦ୍ଦିନୀ ମୂର୍ତ୍ତିରେ ଉଦ୍ୟାନ ପଥରେ ହଠାତ୍‌ ଆବିର୍ଭୂତା ହୋଇଥିଲେ । ରାତିର ମଜା ପାନସିଠା ବୋଳା ଓଠରେ ବିଦ୍ରୂପର ଶାଣିତ କୁଟୀଳତା ! ....ହାୟ ସଖୀ, ଏ କି ବିରୋଧାଭାସ ! ଫୁଲ ଚାଙ୍ଗୁଡ଼ି ଆଉ ବଂଶ–ଦଣ୍ଡ ? ଫୁଲ ତୋଳିବା ପାଇଁ ନାରୀ କ’ଣ ଆଉ କୌଣସି କାବ୍ୟିକ ଆୟୁଧର ଉଦ୍ଭାବନ କରି ପାରି ନ ଥିଲା ?

 

ବ୍ରଜେଶ୍ୱରୀ କହିଲେ–‘‘ଏ କିଏ ଦୀନକୃଷ୍ଣ ନାଁ ?’’

 

କୃଷ୍ଣ ଦାସ ପ୍ରତି ବ୍ରଜେଶ୍ୱରୀ ଏତେ ଈର୍ଷାତୁରା କାହିଁକି ? ସେଇ ଯେପରି ବ୍ରଜେଶ୍ୱରୀଙ୍କ ଜୀବନ–ପଥର କଣ୍ଟକ ! ହଁ, ସେଇଆ ତ ! କିନ୍ତୁ ଏହାର ମର୍ମ ତୁମେ ବା କୁଆଡ଼ୁ ବୁଝିବ ବୈଷ୍ଣବ ?

 

କୃଷ୍ଣ ଦାସ ଏହାର କ’ଣ ଉତ୍ତର ଦେବେ ଭାବି ପାରିଲେ ନାହିଁ । ମିଥ୍ୟା କହିବାର ଉପାୟ ନ ଥିଲା ! କୃଷ୍ଣ ଦାସ କୁଟୀର ଆଡ଼େ ନୀରବରେ ଅଧୋମୁଖ ହୋଇ ଚାଲି ଯାଉଥିଲେ; ବ୍ରଜେଶ୍ୱରୀ କହିଲେ, ‘‘ଗୋସେଇଁ ତୁମକୁ ସ୍ମରଣ କରି ବସିଛନ୍ତି ଦୀନକୃଷ୍ଣ !’’–ତା’ହେଲେ କୃଷ୍ଣ ଦାସଙ୍କ ଅଭିସାରଟା କେବଳ ଦାସଙ୍କୁ ମଧ୍ୟ ଅଜଣା ରହିନାହିଁ ନିଶ୍ଚୟ !

 

କୁଟୀର ସାମ୍ନାରେ ବକୁଳ ତଳର ଚଉପାଢ଼ୀ ଉପରୁ ଦୀନକୃଷ୍ଣଙ୍କ ଭବଘୂରା ମୂର୍ତ୍ତି ଉପରେ ଦୃଷ୍ଟି ପଡ଼ିବା ମାତ୍ରେ କେବଳ ଦାସ ଗମ୍ଭୀର କଣ୍ଠରେ ଡାକିଲେ–

 

‘‘ଏଣେ ଆସ କୃଷ୍ଣ ଦାସ !’’

 

କୃଷ୍ଣ ଦାସ ଅଧୋମୁଖ ହୋଇ ପଥର ବେଦୀ ତଳେ ଠିଆ ହେବା ମାତ୍ରେ କେବଳ ଦାସ ଖଣ୍ଡେ ତାଳପତ୍ର ଖେଦା ଦେଖାଇ ପ୍ରଚଣ୍ଡ କ୍ରୋଧରେ ପଚାରିଲେ–‘‘ଏ ପଦ ତୁମେ ଯୋଡ଼ିଛ କୃଷ୍ଣ ଦାସ ?’’

 

କାଲି ରାତିରେ କୃଷ୍ଣ ଦାସ ସେହି ଅପୂର୍ଣ୍ଣ କାବ୍ୟର ଗୋଟିଏ ପଦ ଯୋଡ଼ୁ ଯୋଡ଼ୁ ହଠାତ୍‌ ଅଟକି ଯାଇଥିଲେ....

 

‘‘କୃଷ୍ଣ ମସୀ ବିନ୍ଦୁ/ଏତେବେଳେ ଇନ୍ଦୁ/ଅର୍ଦ୍ଧ ଚିବୁକକୁ ମଣ୍ଡିଛି/କପର୍ଦ୍ଧି ବଇରୀ/ଏହା ଘେନି କରି/କାହା ଧୈର୍ଯ୍ୟ ନ ଖଣ୍ଡିଛି ।’’/ କୁନ୍ତଳା, କଳାରେ ନ କରିବୁ ହେଳା/କଳାବତୀ ହୋଇ/କଳାବନ୍ତ ଠାଇଁ/ଅବଶ୍ୟ ବଳାଇବୁ ଲୀଳା ।।’’/

 

ସେତେବେଳେ କୃଷ୍ଣ ଦାସଙ୍କ ଉତ୍ତପ୍ତ ଦୃଷ୍ଟି ପଥରେ ଭାସି ଉଠିଥିଲା ମାହାରୀ କନ୍ୟା କଳାବତୀର ଚିବୁକର ସେଇ କୃଷ୍ଣ ତିଳ ଚିହ୍ନ......

 

କୃଷ୍ଣ ଦାସ ତାଳପତ୍ର ଖେଦା ଓ ଲେଖନୀ ସେଇଠାରେ ଫିଙ୍ଗି ଦେଇ ମଠ ଭିତରୁ ବାହାରି ଯାଇଥିଲେ ମାହାରୀ–କନ୍ୟା କଳାବତୀର କୁଟୀର ଅଭିମୁଖରେ ।

 

କିନ୍ତୁ କୃଷ୍ଣ ଦାସ କାହାକୁ କିପରି ବା ବୁଝାଇବେ ଏ ଅଭିସାର ଦେହର ନୁହେଁ ମନର–କବି ସହିତ କବିତାର, ହୃଦୟ ସହିତ ବେଦନାର, ପ୍ରାଣ ସହିତ ପ୍ରେରଣାର ! ଆଃ.....

 

.......କୃଷ୍ଣ ଦାସ କବିତାର ଜ୍ୱାଳା ଧରି ଜନ୍ମ ହୋଇଥିଲେ ଅଦୃଷ୍ଟର କେଉଁ ଅଭିଶାପରେ କାହିଁକି କେଜାଣି ?

 

କେବଳ ଦାସ ଦୁଇ ଆରକ୍ତ ଚକ୍ଷୁରୁ ଅଗ୍ନି ଝରାଇ ପଚାରିଲେ–‘‘ଏ କଳାବତୀଟି କିଏ କୃଷ୍ଣଦାସ ? ସେଇ ମାହାରୀ–ଦେବଦାସୀ ନିଶ୍ଚୟ ।’’

 

କ୍ରୋଧରେ ମହନ୍ତ କେବଳ ଦାସଙ୍କ କଣ୍ଠ ବାଷ୍ପରୁଦ୍ଧ ହୋଇଗଲା । ତାହା କିନ୍ତୁ କ୍ରୋଧରେ ଯେତେ ନୁହେଁ, ଈର୍ଷାରେ.... କଳାବତୀକୁ ନିଜ ମଠରେ ଦେବଦାସୀ କରିବା ପାଇଁ କେବଳ ଦାସଙ୍କଠାରୁ ଦୂତୀ ସମ୍ୱାଦର ତ ଅନ୍ତ ନ ଥିଲା !

 

କଳାବତୀଠାରୁ କେବଳ ଦାସ ଅନେକ ମାଗୁଣୀ କରିଥିଲେ–‘‘ହରି ମନ୍ଦିର ତିଳକ ତୁମ କପାଳକୁ ସୁନ୍ଦର ମାନିବ ସଖୀ !’’

 

କଳାବତୀ ସ୍ମିତ ହସି ଗାଲର ତିଳ ବିନ୍ଦୁ ଚାରିପଟେ ହସର ଗୋଟିଏ ଚଟଳ ଭଉଁରୀ ଖେଳାଇ ଉତ୍ତର ଦେଇଥିଲା–

 

‘‘ନାଇଁ ଗୋସେଇଁ ! ମୁଁ ପରା ମାହାରୀ–ଦେବଦାସୀ । ରସକଳୀ ଚିତା ଛାଡ଼ିବି କିପରି-?’’

 

ଏବେ ସେଇ କଳାବତୀ କୁଟୀରକୁ ଏହି କରୁଣାଶ୍ରିତ ବୈଷ୍ଣବ କୃଷ୍ଣ ଦାସର ଅଭିସାର....କେବଳ ଦାସ କ୍ଷମା ଦେଇ ପାରୁ ନ ଥିଲେ ।

 

ଚିତା–ଚିତ୍ରିତ ଚରିତ୍ରବାନମାନେ ତଥାକଥିତ ଚରିତ୍ରହୀନମାନଙ୍କ ଉପରେ ନୀତିର ଯେଉଁ ଅନୁଶାସନ ଦଣ୍ଡ ନିକ୍ଷେପ କରିଥାନ୍ତି ତାହା ତ’ କ୍ରୋଧର ନୁହେଁ; ଈର୍ଷାର ! ସେଦିନ ସେଠାରେ ତାହାର ଆଉ ଏକ ଦୃଶ୍ୟ ଅଭିନୀତି ହେଉଥିଲା !

 

ବୈଷ୍ଣବ ଲେଖନୀରେ ପୁଣି ଏପରି କାମାତୁର ଅଶ୍ଳୀଳତା ? ତୁଚ୍ଛ ଦେହର ଏପରି ବନ୍ଦନା ?

 

ମୁଠାଏ ଆବର୍ଜନା ପରି କେବଳ ଦାସ ତାଳପତ୍ର ଖେଦାଟାକୁ ଖଣ୍ଡ ଖଣ୍ଡ କରି ହାତରେ ଦଳି ତଳକୁ ଫିଙ୍ଗି ଦେଲେ ।

 

କୃଷ୍ଣ ଦାସ ତଳୁ ସେହି ଭଙ୍ଗା ତାଳପତ୍ର ଖଣ୍ଡଗଡ଼ିକୁ ଉତ୍ତରୀୟ କାନିରେ ସାଉଁଟି ରଖୁ ରଖୁ ବେଦନାବିଦ୍ଧ କଣ୍ଠରେ କହିଲେ–‘‘ଏ ପଦ ସବୁତ କୃଷ୍ଣ–ଗୋପୀ ସମ୍ୱାଦ ! ସେଥିରେ ମଳିନତା ଆସିବ କାହୁଁ ଗୋସାଇଁ ?’’

 

କେବଳ ଦାସ ଆତ୍ମଜ୍ଞାନରୁ ବୁଝନ୍ତି–ତୁଳସୀ ଚନ୍ଦନରୁ ଫୁଣ୍ଟାଏ ପକାଇ ଲାଗି କରି ଦେଲେ ସବୁ ଅପବିତ୍ର ପବିତ୍ର ହୋଇଯାଏ । କ୍ରୁଦ୍ଧ କଣ୍ଠରେ ସେ ଚିତ୍କାର କରି ଉଠିଲେ–‘‘ଚୁପକର ପାଷଣ୍ଡ ! ଶ୍ରୀକୃଷ୍ଣଙ୍କ ନାମ ଉଚ୍ଚାରଣ ପାଇଁ ସୁଦ୍ଧା ତୁମେ ଭାଜନ ନୁହଁ !’’

 

କୃଷ୍ଣ ଦାସଙ୍କର ମାନସ ଦୃଷ୍ଟିରେ ଭାସି ଉଠିଲା ଯାଯାବର ଜୀବନର ଲକ୍ଷ୍ୟହୀନ, ନିରୁଦ୍ଦିଷ୍ଟ ପଥରେ ସେଥର ବୃନ୍ଦାବନରୁ ଫେରିବା ବାଟରେ କୌଣସି ଏକ ନିଭୃତ ମଠରେ ଜଣେ ବୈଷ୍ଣବ–ସାଧକଙ୍କ କ୍ଷମା–ସୁନ୍ଦର ମୂର୍ତ୍ତି । ତାଙ୍କ ପାଦ ଉପରେ ସେଦିନ, ଆଖିରୁ ଅନେକ ଅଶ୍ରୁ ଢାଳି, କୃଷ୍ଣ ଦାସ କହିଥିଲେ–‘‘ମୋତେ କରୁଣା କରନ୍ତୁ ଗୋସାଇଁ ! ମୁଁ ପାଷଣ୍ଡ ! ଜୀବନରେ ଅନେକ ଅନାଚାର କରିଛି । କୃଷ୍ଣ ଭକ୍ତି ମୋ ଜୀବନରେ ମରୀଚିକା ସିନା !!

 

ଗୋସ୍ୱାମୀ ହସି ହସି ଗମ୍ଭୀରା ଭିତରୁ ସାଧନା–ସଙ୍ଗିନୀଙ୍କୁ ଡାକି କହିଥିଲେ–‘‘ଶୁଣୁଛ ଲଳିତେ ! ଏ ବୈଷ୍ଣବ କ’ଣ କହୁଛନ୍ତି ! ସାଧୁମାନଙ୍କ ଅପେକ୍ଷା ପାଷଣ୍ଡମାନଙ୍କର କୃଷ୍ଣ–ଭକ୍ତିରେ ସିନା ବେଶୀ ଅଧିକାର ।’’

 

କୃଷ୍ଣ ଦାସର ଇଚ୍ଛା ହେଉଥିଲା କେବଳ ଦାସଙ୍କ ମୁହେଁ ମୁହେଁ କହିଦେବା ପାଇଁ; ଯେଉଁ ତଥାକଥିତ ବୈଷ୍ଣବ–ଗୋସ୍ୱାମୀମାନେ ଚିତା–ଚିତ୍ରିତ ହୋଇ ରଜବୀର୍ଯ୍ୟର ମିଳନ ଓ ସାଧନାକୁ ଦୈହିକ ସମ୍ଭୋଗରେ ପରିଣତ କରିଅଛନ୍ତି, ସହଜିଆମାନେ ସେମାନଙ୍କ ତୁଳନାରେ ଅଧିକ ଶୁଦ୍ଧ, ଅଧିକ ଶୁଭ୍ର ! ସେମାନେ ସହଜ ! ସେମାନଙ୍କଠାରେ ଆତ୍ମଗୋପନର ଆବ୍ରୁ ନାହିଁ । ଦେହ ଭିତରେ ସେମାନେ ଦେହକୁ ଜୟ କରିଥାନ୍ତି । ମାତ୍ର ଶରତର ଏହି ଶାନ୍ତ, ସୁନ୍ଦର, କୋମଳ ସକାଳଟିକୁ ଆଉ ଲାଞ୍ଛିତ କରିବା ପାଇଁ କୃଷ୍ଣ ଦାସଙ୍କର ପ୍ରବୃତ୍ତି ନ ଥିଲା ।

 

କେବଳ ଦାସ କ୍ରୁଦ୍ଧ କଣ୍ଠରେ ପଚାରିଲେ–‘‘ତମେ ଏହାକୁ ଗୋପୀ–କୃଷ୍ଣ ସମ୍ୱାଦ ବୋଲି କହୁଛ ଯେ କୃଷ୍ଣ ଦାସ, କହି ପାରିବ, କୋଉ ଶାସ୍ତ୍ର, କାବ୍ୟ ପୁରାଣରେ ଅଛି ଏହାର ସମର୍ଥନ ? ଦେବ ଦୁର୍ଲଭ ଦାସ ଗୋସ୍ୱାମୀ ସୁଦ୍ଧା ଏପରି ପଦ କୃଷ୍ଣ–ଗୋପୀଙ୍କ ନାମରେ ଯୋଡ଼ିପାରି ନାହାନ୍ତି-!’’

 

କୃଷ୍ଣ ଦାସ ଏହାର ବା କି ଉତ୍ତର ଦେବେ ? ଏ ଅନୁଶାସନ ତ ଶାସ୍ତ୍ରର ନୁହେଁ । ଏହା ହୃଦୟ କାବ୍ୟର; ମରମର ସାଧନାରେ ଏହାର ସିଦ୍ଧି !

 

ବ୍ରଜେଶ୍ୱରୀ ଲଗୀ ଧରି ଗୋଟାଏ ଛୁରିଆନା ଗଛରୁ ଫୁଲ ତୋଳୁଥିଲେ । ବାଁ ଛାତି ଉପରୁ ଶାଢ଼ୀର ଅଞ୍ଚଳଟି ତଳକୁ ଖସି ପଡ଼ିଥିଲା । ବ୍ରଜେଶ୍ୱରୀ କହିଲେ–‘‘ସୁର୍‌ ସହିତ ସଙ୍ଗତ୍‌ ନ ଥିଲେ ଦୀନକୃଷ୍ଣ ପଦରୁ ଏ ବୋଲ୍‌ ସବୁ କୁଆଡ଼ୁ ଆସନ୍ତା ଗୋ ଗୋସାଇଁ ?’’

 

ସେ ନୀରବରେ ତଳକୁ ମୁଣ୍ଡ ନୁଆଇଁ ଠିଆ ହୋଇ ରହିଲେ ।

 

ସର୍ବନାଶ ! ପାଦରେ କଳାବତୀ ପାଦର ଅଳତା ଚିହ୍ନ କିପରି ଲାଗି ଯାଇଛି କେଜାଣି ? ମହନ୍ତଙ୍କ କ୍ରୁଦ୍ଧ ଦୃଷ୍ଟିରେ ତାହା ଅବଶ୍ୟ ପଡ଼ିଲା ନାହିଁ; କିନ୍ତୁ ବ୍ରଜେଶ୍ୱରୀଙ୍କ ଶ୍ୟେନ ଦୃଷ୍ଟିରେ ତାହା ବାଦ୍‌ ଯିବାର ତ ଉପାୟ ନ ଥିଲା । ବ୍ରଜେଶ୍ୱରୀ ବିଦ୍ରୂପ ଶାଣିତ କଣ୍ଠରେ କହିଲେ–‘‘ପାଦର ଅଳତା ଯେତେ ଲୁଚେଇଲେ ତା’ର ରଙ୍ଗ ଆଖିରେ ଧରା ପଡ଼ିଯାଏ ଗୋ !’’

 

କେବଳ ଦାସ ଅସହିଷ୍ଣୁ ଭାବରେ ହାତରେ ଧରିଥିବା ତାଳପତ୍ର ଖେଦାଗୁଡ଼ିକୁ ତଳକୁ ଫିଙ୍ଗି ଦେଇ କହିଲେ–‘‘ଏ ମଠରେ ଆଜିଠାରୁ ତୁମପାଇଁ ଆଉ ସ୍ଥାନ ନାହିଁ କୃଷ୍ଣ ଦାସ ।’’

 

କୃଷ୍ଣ ଦାସ ଏବେ ପ୍ରକୃତରେ ଦୀନକୃଷ୍ଣ । କେବଳ ଦାସ ମଠରୁ ବିତାଡ଼ିତ, ଶ୍ରୀକ୍ଷେତ୍ରର ସାଧୁ–ସନ୍ଥ ମଣ୍ଡଳୀରୁ ପଂକ୍ତି–ଚ୍ୟୁତ, ସମାଜ ଦୃଷ୍ଟିରେ ଚରିତ୍ରହୀନ, ଭ୍ରଷ୍ଟ ସହଜିଆ ରୂପେ ନିନ୍ଦିତ । ଏହା ପରେ ଦୀନକୃଷ୍ଣର ଏକମାତ୍ର ଆଶ୍ରୟ ଅବଲମ୍ୱନ ହୋଇ ପଡ଼ିଥିଲା ସେଇ କଳାବତୀ ।

 

କୃଷ୍ଣ ଦାସ ଥିଲେ କଳାବତୀର ନାଟ । ତାହାର କବି ଓ ରୂପକାର । କୃଷ୍ଣଦାସର ଶେଷ ସ୍ପର୍ଶ ନ ବାଜିଲେ ମାହାରୀ–କନ୍ୟା କଳାବତୀର ଅଙ୍ଗ ସଜ୍ଜା ସଂପୂର୍ଣ୍ଣ ହେଉ ନ ଥିଲା । ଦେବତା ସମ୍ମୁଖରେ ତାକୁ ଲାଗୁଥିଲା ନିତାନ୍ତ ସାଧାରଣୀ–ଘୋର ଉଲ୍ଲଙ୍ଗିନୀ ପରି । କୃଷ୍ଣ ଦାସର କବିତା କଳାବତୀକୁ କରିଥିଲା ସଙ୍ଗୀତମୟୀ–କୃଷ୍ଣ ଦାସର ଛନ୍ଦ କଳାବତୀକୁ କରିଥିଲା ନୃତ୍ୟମୟୀ ।

 

କୃଷ୍ଣଚୂଡ଼ାର ସ୍ତବକ ପରି ଦୀନକୃଷ୍ଣର ଚେତନାରେ କଳାବତୀ ଗୋଟିଏ ପ୍ରେମମୟ ଉଚ୍ଛ୍ୱାସ । ଅଶେଷ ନିର୍ଭର ଥିଲା, ସେଇ କଳାବତୀ ଉପରେ; ମାତ୍ର ସେ ତରଙ୍ଗିଣୀ ଶେଷକୁ ହେଲା ମୃଗତୃଷ୍ଣା ।

 

ସେ ଦିନ ଗୋଟିଏ ନିଭୃତ ଅପରାହ୍ନ........

 

କଳାବତୀ ଅଣ୍ଟାରେ କାଞ୍ଚିଦାମ ଭିଡ଼ୁ ଭିଡ଼ୁ କୃଷ୍ଣ ଦାସର ଆଙ୍ଗୁଠି ସବୁ ହଠାତ୍‌ ଆନମନା ହୋଇ ପଡ଼ିଥିଲା । କୃଷ୍ଣ ଦାସ ସେଇ ଅସମାପ୍ତ କାବ୍ୟର ଗୋଟାଏ ପଦ ମନେ ମନେ ଗୁଞ୍ଜରଣ କରି ଉଠୁଥିଲା.....

 

‘‘କାମ ଦିଗ ବିଜେ/ରଥ ପ୍ରାୟ ରାଜେ/ବନ୍ଧୁ ତୋହୋ କଳେ–ବର

କଳିତ ନିତମ୍ୱ/ଚକ୍ର ଅବଲମ୍ୱ/କରିଛି ଉତ୍ତର ଅମ୍ୱର ।’’

 

କଳାବତୀର ଦେହ ଓ ମନ ଏକ ଜ୍ୱଳାମୟ ଅସ୍ୱସ୍ତିରେ ହଠାତ୍‌ ଯେପରି ଦଗ୍ଧ ହୋଇ ଉଠିଥିଲା ।

 

କଳାବତୀ କୃଷ୍ଣ ଦାସ ଆଡ଼େ ଚାହିଁ କହିଲା–

 

‘‘କ’ଣ ଭାବୁଛ କୃଷ୍ଣ ଦାସ ?’’

 

କ’ଣ ଚାହେଁ ଏହି ବୈଷ୍ଣବ ? ଦେହ ତ ଚାହେଁ ନା ସେ ! ତଥାପି ଦେହ ପ୍ରତି ତା’ର ଲୁବ୍ଧତା କାହିଁକି ?

 

‘‘ତୁମର ଅଙ୍ଗେ ଅଙ୍ଗେ ଏତେ ସଙ୍ଗୀତ, ଏତେ ଛନ୍ଦ କେଉଁଠୁ ଆସେ କଳାବତୀ’’–କୃଷ୍ଣ ଦାସ ପଚାରିଲା ସ୍ୱପ୍ନ–ମୁଗ୍ଧ କଣ୍ଠରେ ।

 

‘‘ଛାଡ଼ ଛାଡ଼, ଦେଉଳକୁ ଯିବାପାଇଁ ଡେରି ହୋଇଗଲାଣି । ତୁମେ ପୁଣି ଏଠାକୁ ନିତି ଆସୁଚ ଜାଣିଲେ ପରିଛା କୋପ ହେବେ ।’’

 

କଳାବତୀ ପଦାଘାତ କରିବା ପରି ସେଠାରୁ ଉଠି ଚାଲି ଆସୁଥିଲା ।

 

କୃଷ୍ଣ ଦାସ ସମ୍ମୁଖରେ ଛାୟାହୀନ, ଅବଲମ୍ୱନହୀନ ନିଃସଙ୍ଗ, ଅନିର୍ଦ୍ଦିଷ୍ଟ ପଥ......ପାଥେୟ କେବଳ ଏକ ଅସମାପ୍ତ କାବ୍ୟର ଜ୍ୱାଳା ।

 

ଜୀବନର ବିଷ ପାତ୍ର ପୂର୍ଣ୍ଣ ହେବାପାଇଁ ଅବଶେଷରେ ବାକି ରହିଥିଲା କେବଳ ରାଜ ନିଗ୍ରହ । ତାହା ମଧ୍ୟ ଆସିଲା ଏଥର । ସଂସ୍କାର–ବିମୁକ୍ତ କବିର ଅନମନୀୟ କାବ୍ୟାଭିମାନ ମଧ୍ୟରେ ସମାଜପତି ଓ ରାଷ୍ଟ୍ରନିୟନ୍ତାମାନେ କାଳେ କାଳେ ଦେଖି ଆସିଥାନ୍ତି ସେମାନଙ୍କ ପ୍ରତିଷ୍ଠା ପ୍ରତି ଦୁର୍ବିନୀତି ଆହ୍ୱାନର ଯେଉଁ ସଙ୍କେତ, ଦୀନକୃଷ୍ଣଙ୍କଠାରେ ତାହାର ସନ୍ଧାନ ପାଇ, ମହନ୍ତ–ମଠାଧୀଶଙ୍କଠାରୁ ମହାରାଜା ଦିବ୍ୟସିଂହଙ୍କ ପର୍ଯ୍ୟନ୍ତ ସମସ୍ତେ ବିଚଳିତ ହୋଇ ଉଠିଥିଲେ ସେଦିନ-

 

ଚିତା–ତିଳକ ଚିତ୍ରିତ ସମାଜ ବିରୁଦ୍ଧରେ ଦୀନକୃଷ୍ଣଙ୍କର ଦୁର୍ବିନୀତି ଯୁଦ୍ଧ ଘୋଷଣା, ତାହାର ଶତ ପ୍ରତାରଣାର ବର୍ହିବାସ ଛିନ୍ନ କରିବାର ସଂକଳ୍ପ, ପୁଣି ଯେଉଁ ପ୍ରତାରଣାଧର୍ମୀ ନିଗ୍ରହ ଉପରେ ସମାଜର ଭିତ୍ତି, ସେହି ନିଗ୍ରହକୁ ଚୂର୍ଣ୍ଣକରି ପ୍ରବୃତ୍ତିକୁ ସହଜ ପ୍ରକୃତି ମଧ୍ୟରେ ମୁକ୍ତି ଦେବାର ଦୁଃସାହସ ସମାଜପତିମାନଙ୍କର ନ୍ୟସ୍ତସ୍ୱାର୍ଥ ଉପରେ ସେଦିନ ଯେପରି ଶତ କୁଠାରାଘାତ କରିଥିଲା-

 

ଦୀନକୃଷ୍ଣ ସହଜିଆ ପାଷଣ୍ଡ ହୋଇ ନ ଥିଲେ, ସନ୍ଥ, ମହନ୍ତ ମଠାଧୀଶମାନଙ୍କର ଚିତା–ଚିତ୍ରିତ କପାଳକୁ ଚିତ୍ରକାରର ଚିତ୍ରପଟ ସହତି ଉପମାକୁ ଯୋଡ଼ିବାକୁ ସେ କ’ଣ ଦୁଃସାହସ କରିଥାନ୍ତା କେବେ ?

 

କିଏ କହେ ଦୀନକୃଷ୍ଣ ନିରୀହ ବୈଷ୍ଣବ ? ନିରୁପଦ୍ରବ ଶୈବାଳାଚ୍ଛନ୍ନ, ମଧ୍ୟଯୁଗ ବିରୁଦ୍ଧରେ ସେ ଏକ ଅଶାନ୍ତ ବିଦ୍ରୋହ !

 

ରାଜାଦେଶରେ ମହାରାଜା ଦିବ୍ୟସିଂହଦେବଙ୍କ କଟୁଆଳମାନେ ଦୀନକୃଷ୍ଣଙ୍କୁ ଦିନେ ଧରି ଆଣିଥିଲେ, ରାଜଦରବାରରେ ବିଚାର ପାଇଁ ।

 

ଏଇ ସେ କୃଷ୍ଣ ଦାସ ? ଯାହାର ଛାନ୍ଦ, ସଂଙ୍ଗୀତର ମୂର୍ଚ୍ଛନାରେ ଶ୍ରୀକ୍ଷେତ୍ରର କୋଣ–ଅନୁକୋଣ ମୁଖରିତ ? ପୁଣି ମାହାରୀ–କନ୍ୟା କଳାବତୀ କଣ୍ଠରେ ଯାହାର ଉଦ୍ଭଟ କାମାତୁରତା ପ୍ରତ୍ୟହ ନିବେଦିତ ହେଉଛି ପୁଣ୍ୟ ଦେବାଳୟରେ ଭକ୍ତିର ସଙ୍ଗୀତ ରୂପେ ?

 

ଦିବ୍ୟସିଂହ ଦେବ ପଚାରିଲେ.....‘‘ତୁମେ କୃଷ୍ଣ ଦାସ ?’’ ଦୀନକୃଷ୍ଣ ଉତ୍ତର ଦେଲେ–‘‘ଥିଲି କୃଷ୍ଣ ଦାସ, ମାତ୍ର ଏବେ ଦୀନକୃଷ୍ଣ ।

 

ଦୀନକୃଷ୍ଣଙ୍କ ଆଡ଼େ କ୍ରୁଦ୍ଧ ଆରକ୍ତ ଦୃଷ୍ଟିରେ ଚାହିଁ ଦିବ୍ୟସିଂହଦେବ ପଚାରିଲେ–‘‘କିନ୍ତୁ ମହାବିଷ୍ଣୁରୂପୀ କୃଷ୍ଣଙ୍କୁ ତୁମେ କେଉଁ ଶାସ୍ତ୍ରର କେଉଁ ଅନୁଶାସନରେ ଲମ୍ପଟୀ, କାମାତୁର ‘ସହଜୀ ମହାରତା’ ରୂପେ ଚିତ୍ରଣ କରିଛ ?’’

 

ଦୀନକୃଷ୍ଣ ଉତ୍ତର ଦେଲେ–‘‘କୃଷ୍ଣ କାମୁକ ନୁହନ୍ତି ବା ଗୋପୀମାନେ କାମିନୀ ନୁହନ୍ତି ! ଗୋପୀ–କୃଷ୍ଣ ଏକ ଭାବର ଅଭିନ୍ନ, ଅଦ୍ୱୈତ ରସ–ଘନ ରୂପ । କେଉଁ ଶାସ୍ତ୍ରରେ ଏହା ସମର୍ଥିତ ଜାଣେନା ମୁଁ ! କିନ୍ତୁ ଏ ଅନୁଶାସନ ମନୁଷ୍ୟର ସହଜ ହୃଦୟର ।’’

 

ଦିବ୍ୟସିଂହଦେବ ଏ ସବୁ ପ୍ରହେଳିକାପୂର୍ଣ୍ଣ ଆଲୋଚନା ପାଇଁ ପ୍ରସ୍ତୁତ ନ ଥିଲେ । ସେ ପଚାରିଲେ–‘‘କିନ୍ତୁ ତମର ଛାନ୍ଦ ସବୁ କାବ୍ୟ ନାଁ କାବ୍ୟ ନାମରେ କାମ ଶାସ୍ତ୍ର ?’’

 

ଦୀନକୃଷ୍ଣ ସ୍ମିତ ହସି ଉତ୍ତର ଦେଲେ–କାମ କେଉଁଠି ନାହିଁ ?

 

‘‘କୀଟୁଁ ବ୍ରହ୍ମ ପରିଯନ୍ତେ ଯେତେକ/କାହିଁ ନାହିଁ କନ୍ଦର୍ପ କଉତୁକ ?

 

କାମ କାହାକୁ କରିନାହିଁ ବାହା/କହି ବସିବି କେତେ ଅବା ତାହା ।’’

 

କିନ୍ତୁ ଧର୍ମାଚାର ନାମରେ କନ୍ଦର୍ପ କୌତୁକର ଏ ସବୁ ବ୍ୟଭିଚାର; କେଉଁ ଶାସ୍ତ୍ରରେ ସମର୍ଥିତ ?’’ –ଦିବ୍ୟସିଂହଦେବ ତୀକ୍ଷ୍ନ କଣ୍ଠରେ ପଚାରିଲେ ।

 

ଦୀନକୃଷ୍ଣ ଉତ୍ତର ଦେଲେ–ଭ୍ରମର ସିନା ମହାମହୀରୁହ କାଟି ପକାଏ; କିନ୍ତୁ କୁସୁମ ପରି କୋମଳ ବସ୍ତୁରେ ସେ ଯେ ହୋଇଯାଏ ବନ୍ଦୀ । ଶୃଙ୍ଗାର ଭିତରେ ସେହିପରି ଶୃଙ୍ଗାରୀର ବିନାଶ–

 

‘‘କୀଟ ସିନା ଦେଖ ମଧୁଲିଟକୁ/କାଟି ପକାଏ ମହତ କାଠକୁ

କରେ କୁସୁମଠାରେ ଆସନ/କୋମଳରେ କୋମଳ ସନମାନ ।’’

 

ମହାରାଜା ଦିବ୍ୟସିଂହ ଓ ତାଙ୍କ ପରିଷଦ–ମଣ୍ତଳୀ ଦୀନକୃଷ୍ଣଙ୍କ ଅକାଟ୍ୟ ବିତର୍କରେ ନୀରବ !

 

କିନ୍ତୁ ଦୀନକୃଷ୍ଣଙ୍କର ତାଙ୍କର ଏ ସବୁ ଅନୁପମ ପଦାବଳୀ, ମହାରାଜା ଦିବ୍ୟସିଂହଙ୍କ ନାମରେ ଭଣିତା କରିବେ କି ? ତା’ହେଲେ ରାଜାନୁଗତ୍ୟର ସ୍ପର୍ଶରେ ଦୀନକୃଷ୍ଣଙ୍କ କବିତାରେ ଅନ୍ତତଃ ବିଦ୍ରୋହର ଧୂମାୟିତ ଉଷ୍ଣତା କେହି ଦେଖନ୍ତେ ନାହିଁ । ରାଜକୁମାର, ରାଜକନ୍ୟାଙ୍କ ଭାବ, ଅନୁଭାବ, ବିଭାବ ଘେନି ସେ ମଧ୍ୟ ରଚନା କରି ପାରନ୍ତେ ରସ କାବ୍ୟ–ପାରିଷଦମାନେ ଦୀନକୃଷ୍ଣଙ୍କୁ ପରାମର୍ଶ ଦେଲେ । ଦୀନକୃଷ୍ଣଙ୍କ ଜୀବନରେ ତା’ହେଲେ ଆଉ ରହନ୍ତା ନାହିଁ, ଭାଗ୍ୟ ବିଡ଼ମ୍ୱିତ ରିକ୍ତ ଜୀବନର ଗ୍ଳାନି ଓ ଦାରିଦ୍ର୍ୟ ।

 

ଦୀନକୃଷ୍ଣ ଏହାର ଉତ୍ତରରେ ପଦ ବୋଲିଲେ–

 

‘‘କବି ଯା କରେ ମୂର୍ଖକୁ ସ୍ତୁତି/ଏଥିରୁ ବଡ଼ ନାହିଁ ବିପତ୍ତି

ଏଥିକି ପ୍ରତି ଛାତିରେ କାତି ମାରିବା ଭଲ ହେ....’’

 

ଏହାର ପ୍ରଛନ୍ନ ଆକ୍ଷେପରେ କ୍ରୂଦ୍ଧ ହୋଇ ମହାରାଜା ଦିବ୍ୟସିଂହଙ୍କ ଆଦେଶରେ ଦୀନକୃଷ୍ଣ ଶ୍ରୀକ୍ଷେତ୍ରରୁ ବିତାଡ଼ିତ ହେଲେ । ଶ୍ରୀମନ୍ଦିର ସୁଦ୍ଧା ତାଙ୍କପାଇଁ ସେ ଦିନ ମନା ହୋଇଗଲା-। ସନ୍ଥ, ମହନ୍ତ ଓ ପାରିଷଦ ମଣ୍ଡଳୀ ସ୍ୱସ୍ତିର ଦୀର୍ଘଶ୍ୱାସ ପକାଇଲେ–ଗୋଟାଏ ବିପଦ ଗଲା । ତା’ ନହେଲେ ଚିତା–ତିଳକ ଚିତ୍ରିତ ଭେକ ଧର୍ମୀ ସମାଜର ଭେଳା ଏହି ଉଦ୍ଧତ କବିର ଆଘାତରେ ବୁଡ଼ି ଯାଇଥିଲା ଯେ !

 

ଏହାର କେତେ ଦିନ ପରେ

 

ଆଓରଙ୍ଗଜେବଙ୍କ ସେନାପତି ଏକରାମ୍‌ ଖାଁର ଆକ୍ରମଣରେ ଶ୍ରୀକ୍ଷେତ୍ର ଶ୍ମଶାନପରି ପରିତ୍ୟକ୍ତ ହୋଇଥିଲା । ଜଗନ୍ନାଥ ଶ୍ରୀମନ୍ଦିର ଛାଡ଼ି ଚିଲିକା ଗର୍ଭରେ ବାଣପୁର ଆଡ଼େ କୋକଲଗଡ଼ରେ ଆତ୍ମରକ୍ଷା କରିଥିଲେ । ମହାରାଜା ଦିବ୍ୟସିଂହ ଦେବ ମଧ୍ୟ ପୁରୀ ଛାଡ଼ି ଆତ୍ମଗୋପନ କରିଥିଲେ ଚନ୍ଦନପୁରଠାରେ । ଖୋର୍ଦ୍ଧା ବରୁଣାଇ ଗଡ଼ରେ କାଉ ଉଡ଼ୁଥିଲା । କଳାବତୀ ଅନ୍ୟମାନଙ୍କ ପରି ଶ୍ରୀକ୍ଷେତ୍ର ଛାଡ଼ି ଅନ୍ୟ ଆଡ଼େ ଚାଲି ଯାଇ ପାରି ନ ଥିଲା । ଦୀନକୃଷ୍ଣ ତା’ର ଜୀବନରୁ ବିଦାୟ ନେବା ଦିନୁ କଳାବତୀ ହଠାତ୍‌ ହୋଇ ପଡ଼ିଥିଲା ସ୍ପର୍ଶାତୁରତାହୀନା ପାଷାଣୀ ଅହଲ୍ୟା । ବିଦଗ୍ଧ ଅଙ୍ଗୁଳିର ସ୍ପର୍ଶ ନ ଥିଲେ ରାଗ ମୁଖର ବଂଶୀ ଯେପରି ହୋଇଉଠେ ପ୍ରାଣହୀନ ଖଣ୍ଡେ ବାଉଁଶକାଠି–ଦୀନକୃଷ୍ଣଙ୍କର ସ୍ପର୍ଶ ନ ପାଇ ରୂପ ଲାବଣ୍ୟମୟୀ କଳାବତୀ ସେହିପରି ବିବର୍ଣ୍ଣା ହୋଇ ପଡ଼ିଥିଲା । ମହାରାଜାଙ୍କ ଆଦେଶରେ ଶ୍ରୀମନ୍ଦିରରେ ପୁଣି ଦୀନକୃଷ୍ଣଙ୍କର ଛାନ୍ଦ ଓ ସଙ୍ଗୀତ ସବୁ ନିଷିଦ୍ଧ ହେବାଦିନୁଁ କଳାବତୀର ସଙ୍ଗୀତ ମୁଖର କଣ୍ଠ ଓ ଛନ୍ଦଚପଳ ପାଦ ମଧ୍ୟ ନୀରବ, ମୂର୍ଚ୍ଛିତ ହୋଇ ପଡ଼ିଥିଲା । କଳାବତୀର ମନ, ପ୍ରାଣ ଓ ହୃଦୟରେ ହଠାତ୍‍ ଓହ୍ଲାଇ ଆସିଥିଲା ପରିତ୍ୟକ୍ତ ଧୂସର ନିଃସଙ୍ଗତା ! କଳବତୀର ଜୀବନରୁ ଦୀନକୃଷ୍ଣ ବିଦାୟ ନେବା ପରେ କେବଳ ସେ ବୁଝିଥିଲା; କାବ୍ୟର କି ଐନ୍ଦ୍ରଜାଲିକ ସ୍ପର୍ଶରେ, ଦୀନକୃଷ୍ଣ ତାହାର ମାହାରୀ ଜୀବନକୁ ଐଶ୍ୱର୍ଯ୍ୟମୟ କରିଥିଲା । କଳାବତୀର ଜୀବନରେ ଏବେ କେବଳ ସ୍ତୁପୀକୃତ ଗ୍ଳାନି....ଅମାପ କୁଶ୍ରୀତା ।

 

ସେ ଦିନ ଏକ ବିବର୍ଣ୍ଣ ଅପରାହ୍ନର ଅକଳନ ବିଷର୍ଣ୍ଣତା, ପରିତ୍ୟକ୍ତ ଶ୍ରୀକ୍ଷେତ୍ର ଉପରେ ବିଞ୍ଚି ହୋଇ ପଡ଼ିଥିଲା ମୁଠା ମୁଠା ଶ୍ମଶାନ–ପାଉଁଶ ପରି । କଳାବତୀ ତା’ର କୁଟୀର ପିଣ୍ଡାରେ ପାହାଚ ଉପରକୁ ପାଦ ଲମ୍ୱାଇ ଶୂନ୍ୟ ଦୃଷ୍ଟିରେ ଦାଣ୍ଡକୁ ଚାହିଁ ଯେପରି କାହାର ପ୍ରତୀକ୍ଷାରେ ବସି ରହିଥିଲା । ଏବେ ପ୍ରାୟ ସବୁଦିନେ ସେ ବସିରହେ ସେହିପରି !

 

ସେହି ଶୂନ୍ୟ ଦାଣ୍ଡରେ କୁଆଡ଼ର ଜଣେ ବୈଷ୍ଣବ ଏକତାରାରେ ଗୋଟିଏ ପଦର ଆଳାପ କରି କରି କୁଆଡ଼ୁ ଆସୁଥିଲା କେଜାଣି ? ଜନଶୂନ୍ୟ ଶ୍ରୀକ୍ଷେତ୍ରର ତାହାର ସଙ୍ଗୀତର ମୂର୍ଚ୍ଛନା ଏକତାରାର ତାନ ସହିତ ମିଶି ଶୁଭୁଥିଲା ଅନନ୍ତ ଯୁଗର କେଉଁ ବିରହିଣୀର ବିଳାପ ପରି.....

 

‘‘କାଳିନ୍ଦୀଶୀତଳ କଲା କେ ଅନଳ/କହିବାକୁ ଆଚମ୍ୱିତ ଯେ–’’

 

କଳାବତୀ ଚମକି ଉଠିଲା ।

 

ବୈଷ୍ଣବର ସଙ୍ଗୀତରେ ଦୀନକୃଷ୍ଣର ସ୍ପର୍ଶ, ଏକ ଗଭୀର କ୍ଷତର ବେଦନା ପରି ଅନ୍ତରଙ୍ଗ ଲାଗୁଥିଲା । ବୈଷ୍ଣବ ଜଣକ କଳାବତୀର କୁଟୀର ଦାଣ୍ଡରେ ଚାଲିଯିବା ବେଳେ କଳାବତୀ ନିଜର ଉତ୍କଣ୍ଠା ଆଉ ଚାପି ରଖି ନ ପାରି, ଦାଣ୍ଡ ମଝିକୁ ଧାଇଁଆସି ଡାକିଲା–‘‘ଟିକିଏ ଅପେକ୍ଷା କର ବୈଷ୍ଣବ ।’’

 

କଳାବତୀ ଆଡ଼େ ବୈଷ୍ଣବ ଫେରି ଚାହିଁବା ମାତ୍ରେ କଳାବତୀ ନିରୁଦ୍ଧ ଆବେଗରେ ପଚାରିଲା–‘ଏ ପଦ ତୁମେ କେଉଁଠୁ ପାଇଲ ବୈଷ୍ଣବ ? କିଏ ଏହାର କବି ?’’

 

ବୈଷ୍ଣବ ବିସ୍ମିତ ଆଖିରେ କଳାବତୀ ଆଡ଼େ ଚାହିଁ ଉତ୍ତର ଦେଲା–‘‘ସେ ଜଣେ କୁଷ୍ଠୀ, ଅପାଙକ୍ତେୟ ! ଶ୍ରୀକ୍ଷେତ୍ର ବାହାରେ ଗୋଟାଏ କୁଡ଼ିଆରେ କୁଷ୍ଠ–ଜ୍ୱାଳାରେ ପଡ଼ିଛି । ସେ ମୋତେ ଯେଉଁ ପଦ ସବୁ ଡାକେ, ମୁଁ ତାକୁ ଲେଖେ–ଲେଖନ ଧରିବା ପାଇଁ ତା’ର ଆଙ୍ଗୁଳି ସବୁ ଛିଣ୍ଡି ପଡ଼ିଛି କି ନା ! ତା’ପରେ ସେଇ ପଦ ସବୁ ବୋଲି ମାଗେ ଭିକ୍ଷା....ଦୁଇଟା ଭିକ୍ଷା ଦିଅନ୍ତେ ନାଇଁ ?’’

 

କଳାବତୀ ଅଧୀର କଣ୍ଠରେ ପଚାରିଲା–‘‘ମୋତେ ତା’ ପାଖକୁ ନେଇ ପାରିବ ବୈଷ୍ଣବ-?’’

 

ବୈଷ୍ଣବ ଉତ୍ତର ଦେଲା–‘‘କେତେ ଦିନ ହେବ ସେ ଖୁବ୍‌ କଷ୍ଟ ଭୋଗୁଛି ମା ! ବ୍ୟାଧିର କଷ୍ଟକୁ ବଳି ପଡ଼ିଛି ତା’ ମନର ଜ୍ୱାଳା ! ଜୀବନରେ ଛାନ୍ଦଟା ଶେଷ କରି ପାରିଲା ନାହିଁ ଯେ ! ଛାନ୍ଦଟା ତା’ର ଅସମାପ୍ତ ରହିଗଲା ଅନନ୍ତ ବିରହର ଶେଷହୀନ ବିପ୍ରଲମ୍ଭ ମଧ୍ୟରେ ! କିନ୍ତୁ ବିରହ ତ’ ଜୀବନ–ଲୀଳାର ଶେଷ କଥା ନୁହେଁ ଗୋ !’’

 

କଳାବତୀ ପଚାରିଲା–‘ଛାନ୍ଦଟା କିନ୍ତୁ ଶେଷ ହୋଇ ପାରୁନାହିଁ କାହିଁକି ବୈଷ୍ଣବ ?

 

ବୈଷ୍ଣବ ଉତ୍ତର ଦେଲା–‘‘ଯେଉଁ କିଶୋରୀ ରତନ ରାଧାର ମିଳନ ପାଇଁ ତା’ର କବିତ୍ୱ ଦିନେ ଅନୁପ୍ରେରିତ ହୋଇଥିଲା, ସେ ରାଧା ତା’ର ମନରେ କୁଞ୍ଜବନରେ କେଉଁଆଡ଼େ ହଜି ଯାଇଛି-। ପ୍ରାଣରେ ତା’ର ଏବେ ଚିର ବିରହର, ଶେଷହୀନ ବେଦନାର ରାତ୍ରି ! ସେ ରାତ୍ରିର ପ୍ରହର ସବୁ ପୁଣି ନିଭି ନିଭି ଆସିଲାଣି ଶେଷ ରାତ୍ରିର ପ୍ରଦୀପ ପରି ।’’

 

କଳାବତୀ ଚମକିଲା ପରି କହିଲା–‘ଦଣ୍ଡେ ଅପେକ୍ଷା କର ବୈଷ୍ଣବ ! ଭିତରୁ ଆସୁଛି ମୁଁ–ତମ ସାଙ୍ଗରେ.... ଦୋହାଇ ତମକୁ ବୈଷ୍ଣବ, ମତେ ଥରେ ନେଇ ଯାଅ ତା’ ପାଖକୁ ।’’

 

ଦିଗହଜା ନିଛାଟିଆ, ଅପନ୍ତରା ସମଗରା ପାଟ ଭିତରେ ପାଦଚଲା ଅଙ୍କାବଙ୍କା ବାଟର ଯେପରି ଶେଷ ନ ଥିଲା ।

 

କଳାବତୀ କ୍ଳାନ୍ତ କଣ୍ଠରେ ପଚାରିଲା, ‘‘ଆଉ କେତେ ବାଟ ବୈଷ୍ଣବ ?’’

 

କ୍ରମେ ମଳିନ ପଡ଼ି ଆସୁଥିବା ଅପରାହ୍ନର ସ୍ତିମିତ ଆଲୋକ ଭିତରେ ବେଦନାର ଘନୀଭୂତ ସ୍ତୁପ ପରି ଦିଶୁଥିବା ଚେନାଏ ଅନ୍ଧାର ଆଡ଼େ ଆଙ୍ଗୁଠି ଦେଖା ବୈଷ୍ଣବ କହିଲା–‘‘ଆଗରେ ସେ ବଣ ଖଣ୍ଡିକ ଡେଇଁଗଲେ, ସେଇ କୁଡ଼ିଆଟା ପଡ଼ିବ ମା !’’

 

ଦୂରତ୍ୱଟା ଅବଶ୍ୟ ସାମାନ୍ୟ, ମାତ୍ର କଳାବତୀର ମନେ ହେଉଥିଲା, ସେ ଯେପରି ଚାଲିଥିଲା, ଯୁଗ ଯୁଗ ଧରି କେଉଁ ଶେଷ ହୀନ ପଥରେ !

 

ସନ୍ଧ୍ୟାପାଇଁ ଆଉ ଅଳ୍ପ ବିଳମ୍ୱ ଥିଲା ।

 

ନିର୍ବାସିତ କୁଷ୍ଠ ବ୍ୟାଧିଗ୍ରସ୍ତ ଦୀନକୃଷ୍ଣର କୁଡ଼ିଆଟା ଦିନାନ୍ତର ପୃଷ୍ଠଭୂମିରେ ଦିଶୁଥିଲା ଗୋଟିଏ ଗଭୀର କ୍ଷତର ବିବର ପରି !

 

କିନ୍ତୁ ସେଠାରେ ସେମାନେ ପହଞ୍ଚିଲାବେଳକୁ ସେଇ କୁଟୀର ଭିତରେ ଦୀନକୃଷ୍ଣର ବେଦନାକ୍ଳିଷ୍ଟ ମୃତ ଦେହ, ଗୋଟିଏ ଭଗ୍ନଧନୁ ପରି କୁଣ୍ଡଳୀ ମୋଡ଼ି ଚଟାଣ ଉପରେ ପଡ଼ି ରହିଥିଲା ଇତସ୍ତତଃ ବିକ୍ଷିପ୍ତ ସେଇ ଅସମାପ୍ତ ଛାନ୍ଦର ରାଶି ରାଶି ତାଳପତ୍ର ଖେଦା ଭିତରେ । ଡାହାଣ ହାତର ଆଙ୍ଗୁଠି ସବୁ କେବଠୁ ବ୍ୟାଧିରେ ଛିଣ୍ଡି ପଡ଼ିଥିଲା । ସେ’ହାତରେ ତେଣୁ ଲେଖନୀ ଧରିବାର ଉପାୟ ନ ଥିଲା । ବାଁ ହାତର ଯେଉଁ କେତେଗୋଟିଏ ଆଙ୍ଗୁଠି ଅକ୍ଷତ ରହିଥିଲା ଦୀନକୃଷ୍ଣ ସେଇଥିରେ ଅସମାପ୍ତ ଛାନ୍ଦର କେତୋଟି ପଦ ଯୋଡ଼ିବା ପାଇଁ ହୁଏତ ଲେଖନୀ ଧରିବା ପାଇଁ ଚେଷ୍ଟା କରିଥିଲା-। ମାତ୍ର ଦୀନକୃଷ୍ଣର ପୃଥିବୀରୁ ତା’ର ଅଲକ୍ଷିତରେ କେଉଁଦିନ ରସର ଭଣ୍ଡାର ନିଃଶେଷ ହୋଇଥିଲା, ତାହା ସେ ଜାଣି ନ ଥିଲା । ଏ ଶୁନ୍ୟତା ଓ ବ୍ୟର୍ଥତାର ଅତୃପ୍ତି, ବ୍ୟାଧିର ସବୁ ପୁଞ୍ଜୀଭୂତ ଜ୍ୱାଳାକୁ ବଳି ସେହି ନିଃସଙ୍ଗ ପରିତ୍ୟକ୍ତ ମୁହୂର୍ତ୍ତରେ ନିତାନ୍ତ ଅସହ୍ୟ ହୋଇ ଉଠିଥିଲା-

 

ଦୀନକୃଷ୍ଣର ଜୀବନ ହଠାତ୍‌ ପରିଣତ ହୋଇ ପଡ଼ିଥିଲା ମିଳନ–ସମ୍ଭାବନାହୀନ ଶେଷହୀନ ବିରହର ବେଦନା–ଜର୍ଜରିତ ରାତ୍ରିରେ । ସେଥିରୁ ପରିତ୍ରାଣ ପାଇଁ ଦୀନକୃଷ୍ଣ ଉନ୍ମାଦ ପରି ସେଇ ଲେଖନୀଟାକୁ କଣ୍ଠନଳୀରେ ଭୁଷି ଦେଇଥିଲା ।

 

କୁଟୀର ଭିତରୁ ଏକତାରାର ଅନ୍ୟମନସ୍କ ଆଳାପ ଶୁଭୁ ନ ଥିଲା । ବୈଷ୍ଣବ ମନକୁ ପାପ ଛୁଇଁଲା । ବୈଷ୍ଣବ ଡାକିଲା–‘‘ଦୀନକୃଷ୍ଣ ! କବି !’’

 

ଅନ୍ଧକାର କୁଟୀର ମୃତ୍ୟୁ ପରି ନୀରବ । ଦୀନକୃଷ୍ଣର ଯନ୍ତ୍ରଣାବଦ୍ଧ ପ୍ରାଣ ପକ୍ଷୀ ଉଡ଼ି ଯାଇଥିଲା ।

 

ବୈଷ୍ଣବର ପଛେ ପଛେ କଳାବତୀ କୁଟୀର ଭିତରକୁ ମୁଣ୍ଡ ନୁଆଇଁ ଆସୁଥିଲା–ଚମକିଲା ପରି ବୈଷ୍ଣବ ଫେରି ପଡ଼ି କହିଲା–‘‘ବହୁ ବିଳମ୍ୱରେ ଆସିଲ କିନ୍ତୁ !’’

 

ଦୀନକୃଷ୍ଣର ଦୁଇ କୋଟରଗତ ଆଖିରୁ ସେ ଦିନ ଯେଉଁ କେତେ ବିନ୍ଦୁ ଲୁହ ଝରି ଆସିଥିଲା, ତାହା ତଥାପି ଶୁଖି ନ ଥିଲା । ଦିନାନ୍ତର ବିବର୍ଣ୍ଣ ଆଲୋକରେ ତାହା ଝଲମଲ ହୋଇ ଉଠୁଥିଲା, ବିରହ ରଜନୀର ଅଶ୍ରୁ–ଶିଶିର ପରି !

☆☆☆

 

ଉଡ଼୍ର ରାମପୁତ୍ର

 

ନିରଞ୍ଜନା ତଟବର୍ତ୍ତୀ ଗନ୍ଧହସ୍ତୀ ଅରଣ୍ୟ !

 

ଅତୀତରେ ବୁଦ୍ଧ ଥରେ ଏହି ଅରଣ୍ୟରେ ହସ୍ତୀ ରୂପେ ଜନ୍ମଗ୍ରହଣ କରି କରୁଣା ଓ ଶୀଳସାଧନାରେ ମୋକ୍ଷ ଲାଭ କରିଥିଲେ । ବିବର୍ତ୍ତନ ରହସ୍ୟର ଏହା ପୁଣ୍ୟ ତପୋବନ....ଏହାର ପ୍ରତି ଧୂଳିକଣାରେ ସେଦିନ ଅତିମାନସର ଉତ୍ତରଣ ଅଙ୍କିତ ରହିଥିଲା । ପଶୁତ୍ୱର ନିର୍ମୋକ ତଳୁ ଏହାର ପୁଣ୍ୟ ଛାୟାରେ ସେଦିନ ଦେବତ୍ୱର ଅଭ୍ୟୁଦୟ ହୋଇଥିଲା ।

 

ବୌଦ୍ଧ ପରମ୍ପରାରେ ସେହିଦିନୁ ଏହା ଏକ ପବିତ୍ର ତୀର୍ଥଭୂମି ! ଅତୀତରେ ଆଉରି ଚାରିଜଣ ବୁଦ୍ଧ ଏଠାରେ ଆବିର୍ଭୂତ ହୋଇ ମୋକ୍ଷ ଲାଭ କରିଥିଲେ । କଳିଙ୍ଗର ଉଡ଼୍ର ରାମପୁତ୍ର ଯୋଗସାଧନା ପାଇଁ ଉପଯୁକ୍ତ ସ୍ଥାନ ଖୋଜି ଖୋଜି ଆସିଥିଲେ ଏହି ଗନ୍ଧହସ୍ତୀ ଅରଣ୍ୟକୁ ।

 

ସେଦିନୁ କିନ୍ତୁ ଗନ୍ଧହସ୍ତୀ ଅରଣ୍ୟର ସେ ଆଦିମ ସ୍ତବ୍‌ଧତା ଆଉ ନ ଥିଲା । ଭକ୍ତମାନଙ୍କ ଦ୍ୱାର ସେଠାରେ ନିର୍ମିତ ହୋଇ ସାରିଥିଲା ଏକ ସ୍ତୂପ ! ମୋକ୍ଷକାମୀ ଭିକ୍ଷୁ ଓ ପୁଣ୍ୟଲୋଭୀ ତୀର୍ଥଯାତ୍ରୀମାନଙ୍କର କୋଳାହଳରେ ଏହାର ଧ୍ୟାନମୌନ ଚଞ୍ଚଳତା ସେଦିନକୁ ତପୋଭ୍ରଷ୍ଟ ହୋଇସାରିଥିଲା । ମାତ୍ର ଉଡ଼୍ର ରାମପୁତ୍ର ସାଧନା ପାଇଁ ଅନ୍ୱେଷଣ କରୁଥିଲେ ଏପରି ଅପାପ ବିଦ୍ଧ ଭୂମି; ରୂପ, ବେଦନା ଓ ତୁଷାର ବିଷ ନିଃଶ୍ୱାସରେ ଯାହାର ନଭୋମଣ୍ଡଳ ତଥାପି କଳୁଷିତ ହୋଇ ନ ଥିଲା ।

 

କଳିଙ୍ଗର ମହାଯୋଗୀ ଉଡ଼୍ର ରାମପୁତ୍ର !

 

ଏକ ଦିଗରେ ସେ ଯେପରି ବ୍ରାହ୍ମଣ୍ୟ କ୍ରିୟାକାଣ୍ଡର ବିଦ୍ରୋହୀ; ଅପର ଦିଗରେ ସେହିପରି ବୁଦ୍ଧଙ୍କ ପରବର୍ତ୍ତୀ କାଳରେ ସହଜ ଭିକ୍ଷୁତ୍ୱର ସେ ମଧ୍ୟ ବିରୋଧୀ ! ତାଙ୍କର ସାଧନା ଅବଶ୍ୟ ନିର୍ବାଣ ପାଇଁ....ମାତ୍ର ତାହା ନିର୍ବାତ–ପ୍ରଦୀପର ନିର୍ବାଣ ନୁହେଁ !

 

ବସ୍ତୁତଃ ନିର୍ବାତ–ଦୀପର ନିର୍ବାଣରେ କି ପ୍ରୟୋଜନ ଅଛି ? ଜ୍ୱଳନ୍ତ ଶିଖାନଳ ମଧ୍ୟରେ ନିର୍ବାଣ ସମ୍ଭବ କି ? ସେଥିପାଇଁ ଏଇ ଦେହ ଓ ଜୀବନରେ ନିର୍ବାଣ ପାଇଁ ଉଡ଼୍ର ରାମପୁତ୍ରଙ୍କର ତପସ୍ୟା ! ନିର୍ମୋକ ପରି ଏଇ ଦେହରେ ସବୁ ଇନ୍ଦ୍ରୀୟଗ୍ରାହ୍ୟ, ଅନୁଭୂତି ପରିହାର କରି, ରୂପ, ତୃଷ୍ଣା ଓ ବେଦନାରେ ସବୁ ଚଞ୍ଚଳତା ଜୟ କରି, ସଂସାରର ମାଧ୍ୟାକର୍ଷଣର ସବୁ ଘୂର୍ଣ୍ଣାବର୍ତ୍ତ ଭେଦ କରି ନିସ୍ତରଙ୍ଗ ମହାଶୂନ୍ୟ ମଧ୍ୟରେ ସତ୍ତାହୀନ ସନ୍ତରଣ ପାଇଁ ଉଡ଼୍ର ରାମପୁତ୍ରଙ୍କର ଅଲୌକିକ ସାଧନା ।

 

ମାତ୍ର ସେଥିପାଇଁ ଗନ୍ଧହସ୍ତୀ ଅରଣ୍ୟ ଅନୁକୂଳ ନ ଥିଲା । ଅବଶେଷରେ ଉଡ଼୍ର ରାମପୁତ୍ର ସେଠାରୁ ଆସିଥିଲେ ମହାନଦୀ ତଟବର୍ତ୍ତୀ ଏକ ଆଦିମ ମହାକାନ୍ତାରକୁ !

 

ସେହିଦିନୁ କେତେ ଯୁଗ ସାଧନାରେ ଅତିବାହିତ ହୋଇ ଯାଇଅଛି । ସେହି ଅନାଗ୍ନି ଅରଣ୍ୟରେ ତାଙ୍କର ତପୋକ୍ଳିଷ୍ଟ ରୁଜୁ ତାମ୍ରବର୍ଣ୍ଣ ମୂର୍ତ୍ତି ଏକ ନିଷ୍କମ୍ପ ପ୍ରଦୀପ ଶିଖାର ଭ୍ରମ ସ୍ପଷ୍ଟ କରିଅଛି । ସାଧନାର ସ୍ତରେ ସ୍ତରେ ଉଡ଼୍ର ରାମପୁତ୍ର ମନର ସବୁ ବନ୍ଧନଗ୍ରନ୍ଥି ଛିନ୍ନ କରି ମହାଶୂନ୍ୟରେ ଉତ୍ତରଣ କରି ଅଛନ୍ତି । ଦେହ ପଡ଼ି ରହିଛି ବନସ୍ପତିର ମୌନଛାୟା ତଳେ ଜୀର୍ଣ୍ଣ ପରି ପତ୍ର ପରି; କିନ୍ତୁ ତାଙ୍କର ବିଦ୍ରୋହୀ ଆତ୍ମା କେତେବେଳେ ମିଶି ଯାଇଛି ଆକାଶରେ ନୀଳିମାରେ, କେତେବେଳେ ରଜତଶୁଭ୍ର ମେଘଖଣ୍ଡରେ ଆଉ କେତେବେଳେ ବା ନବମାଳିକା ସୁରଭିତ ସମୀରଣରେ ! ପ୍ରକୃତିର ସେହି ଆଦିମ ଶକ୍ତିରେ, ଉଡ଼୍ର ରାମପୁତ୍ର କ୍ରମେ ମହାନ୍‍ ଶକ୍ତିଧରରେ ପରିଣତ ହୋଇ ପଡ଼ିଛନ୍ତି !

 

ସାଧନା ତଥାପି କିନ୍ତୁ ଶେଷ ହୋଇ ନାହିଁ । ଉଡ଼୍ର ରାମପୁତ୍ର ସବୁ ଜୟ କରି ସାରିଛନ୍ତି । ତଥାପି କିନ୍ତୁ ସେ ଜୟ କରି ପାରି ନାହାଁନ୍ତି ଦୁର୍ବାର ଅହଂତ୍ୱର ଅଭିମାନ ! ବୁଦ୍ଧିକୁ ସେ ଜୟ କରି ପାରିଛନ୍ତି; କିନ୍ତୁ ଆଦିମ ମନକୁ ନୁହେଁ ।

 

ମହାଶୂନ୍ୟର ସାଧନା ମଧ୍ୟରେ ପୁଣି ଗୋଟାଏ ଯୁଗ ଅତିବାହିତ ହୋଇଯାଇଛି । ଶତସୂର୍ଯ୍ୟର ଦୀପ୍ତି ଆହରଣ କରି, ସେ କ୍ରମେ ହୋଇ ଉଠିଛନ୍ତି ଦୀପ୍ତିମାନ ! ଶତ ବଜ୍ରର ଶକ୍ତି ଧାରଣ କରି, ସେ ହୋଇ ଉଠିଛନ୍ତି ମହାଶକ୍ତିଧାର ! ମହାନଦୀ ତଟବର୍ତ୍ତୀ ମହାକାନ୍ତାରରେ ତାଙ୍କର ଜରାକ୍ଳିଷ୍ଟ ଶୀର୍ଣ୍ଣ ଦେହ, ଲୋଳିତ ଚର୍ମାବୃତ ଶୁଷ୍କ ଶିରାପ୍ରଶିରାଙ୍କିତ ଅସ୍ଥିକଙ୍କାଳରେ ପରିଣତ ହୋଇଛି । ତଥାପି କିନ୍ତୁ ସେଥିରେ ନିର୍ବାପିତ ହୋଇନାହିଁ ଅହଂତ୍ୱର ଜ୍ୱାଳା; ମନର ଉତ୍ତାପ ।

 

ସେଥିପାଇଁ ଅମର୍ତ୍ତ ମହାଶୂନ୍ୟରୁ ଉଡ଼୍ର ରାମପୁତ୍ର ପୁଣି ବାରମ୍ୱାର ଫେରି ଆସିଛନ୍ତି ସେହି କଙ୍କାଳ ଶରୀରକୁ ! ସେତେବଳେ ସାଧନା ମୁଦ୍ରିତ ତାଙ୍କର ଦୁଇ କୋଟରଗତ ଚକ୍ଷୁ, ପୁଣି ଉନ୍ମୀଳିତ ହୋଇଛି ମୁଗ୍ଧ ପୁଲକରେ ! ସେ ପୁଣି ତିଳେ ତିଳେ ଉପଲବ୍ଧି କରିଛନ୍ତି ମର୍ତ୍ତ୍ୟଲୋକର ତିଳୋତ୍ତମା ଶୋଭା । ଦୂର ଦିଗନ୍ତରେ ଅସ୍ତଗାମୀ ଚନ୍ଦ୍ର ମଳିନ କାକଜ୍ୟୋସ୍ନାରେ ନେପଥ୍ୟରେ ସେତେବେଳେ ହୁଏତ ବିଦାୟ ନେଉଛି ମୌନ ଅଭିମାନରେ....ମୁହୂର୍ତ୍ତକ ମଧ୍ୟରେ ଉଡ଼୍ର ରାମପୁତ୍ର ନିଜକୁ ବନସ୍ପତିର ପାଦତଳେ, ଜୀର୍ଣ୍ଣ ପତ୍ର ପରି ଫିଙ୍ଗି ଦେଇ, ମିଶି ଯାଇଛନ୍ତି ସେହି ଅସ୍ତମୁଖୀ ଚନ୍ଦ୍ରର ବିଦାୟ ବେଦନାରେ । ସେତେବେଳେ ଉଡ଼୍ର ରାମପୁତ୍ରଙ୍କ ଶରୀରରୁ ବିଚ୍ଛୁରିତ ହୋଇଛି ଜ୍ୟୋସ୍ନାର ଶୀତଳତା । ମର୍ତ୍ତ୍ୟ ମାନବର ସବୁ ଉତ୍ତାପ ଓ ସନ୍ତାପ, ସେତେବେଳେ ତାଙ୍କର ସ୍ପର୍ଶ ମାତ୍ରେ ଅପନୋଦିତ ହୋଇଅଛି । ଆଉ କେତେବେଳେ ବା ମର୍ତ୍ତ୍ୟଦେହକୁ ଫେରି ଅର୍ଦ୍ଧନିମୀଳିତ ଆଖି ମେଲି ଉଡ଼୍ର ରାମପୁତ୍ର ଦେଖିଛନ୍ତି, କେଉଁ ମୁକ୍ତବକ୍ଷା କିରାତରମଣୀ ପାଟଳୀକୁସୁମରେ ବେଣୀ ସଜ୍ଜା କଲାବେଳେ, ଧ୍ୟାନାସୀନ ରାମପୁତ୍ରଙ୍କର କଙ୍କାଳ ମୂର୍ତ୍ତି ଆଡ଼େ ଚାହି ତା’ର ଦୁଇ ଦୀର୍ଘାୟତ ଆଖିରେ ଭୀତ, ବିସ୍ମିତ ଦୃଷ୍ଟି ! ସେତେବେଳେ ମୁହୂର୍ତ୍ତକ ମଧ୍ୟରେ ଉଡ଼୍ର ରାମପୁତ୍ର ସତ୍ତାହୀନ ହୋଇ ପଡ଼ିଛନ୍ତି, ସେହି କିରାତରମଣୀର ବନ୍ଧନମୁକ୍ତ ସ୍ତନାଗ୍ର, ଅଥବା ବନହରିଣୀର ଆଖି ପରି ତା’ର ଦୁଇ, ଦୀଘଳ ଆଖିରେ । ସେତେବେଳେ ସେହି ମହାକାନ୍ତାର ଅଦିନ ବସନ୍ତ ସ୍ପର୍ଶରେ ହୋଇ ଉଠିଛି ଅଲୌକିକ ଭାବରେ ମଳୟ ସୁରଭିତ ଓ ମଧୁମୟ ! ଆଶ୍ରମବାସୀ ମୁନିଋଷିଙ୍କ ଠାରୁ ବନଜୀବୀ କିରାତଙ୍କ ପର୍ଯ୍ୟନ୍ତ ସମସ୍ତେ ବିସ୍ମିତ ହୋଇଛନ୍ତି ଏହି ଅଲୌକିକ ବିଭୂତିରେ !

 

ଦେଶେ ଦେଶେ ମହାଯୋଗୀ ଉଡ଼୍ର ରାମପୁତ୍ରଙ୍କ ଅଲୌକିକ ମହିମା ବିଚ୍ଛୁରିତ ହୋଇ ପଡ଼ିଛି ।

 

*ଚୀନ ପରିବ୍ରାଜକ ହୁଏନ୍‌ସାଙ୍ଗଙ୍କ ବିବରଣୀରେ (ଖ୍ରୀଷ୍ଟୀୟ ସପ୍ତମ ଶତାବ୍ଦୀ) ମହାନଦୀ (Mo–Ho River) ତଟବର୍ତ୍ତୀ ମହାକାନ୍ତାରରେ ମହାଯୋଗୀ ଉଡ଼୍ର ରାମପୁତ୍ର (U–Teon–Lantsen) ଙ୍କ ବିବରଣୀ ବର୍ଣ୍ଣିତ ଅଛି । (ସାମୁୟେଲ ବିଲ୍‌ଙ୍କ Budhist Records of the Western World ଦ୍ରଷ୍ଟବ୍ୟ) ସେହି ଆଧାରରେ ଏହି ଗଳ୍ପଟି ଲିଖିତ ।

 

ଦୁଇ

 

ଦିନେ ମଗଧର ସହସ୍ର ସହସ୍ର କଙ୍କାଳସାର ନରନାରୀଙ୍କ ସମଭିବ୍ୟାହାରରେ ଏକ ସ୍ୱର୍ଣ୍ଣରଥ ସେହି ମହାକାନ୍ତାରରେ ଉଡ଼୍ର ରାମପୁତ୍ରଙ୍କ ସାଧନା ଭୂମିରେ ଉପଗତ ହେଲା ।

 

ମଗଧ ରାଜ୍ୟରେ ସେତେବେଳେ ଅନାବୃଷ୍ଟି, ମହାମାରୀ ଶତ୍ରୁଭୟ ଓ ଦୁର୍ଭିକ୍ଷରେ ତ୍ରାହି ତ୍ରାହି ରବ ପଡ଼ିଥିଲା । ମାଣ୍ଡଳିକମାନେ ପରାମର୍ଶ ଦେଇଥିଲେ ଉଡ଼୍ର ରାମପୁତ୍ରଙ୍କ ପାଦରଜ ସ୍ପର୍ଶରେ କେବଳ ମଗଧ ଦୈବୀ ଅଭିଶାପରୁ ସଙ୍କଟମୁକ୍ତ ହୋଇପାରିବ । ସେଥିପାଇଁ ମଗଧ ରାଜ୍ୟକୁ ଘେନିଯିବା ପାଇଁ ମଗଧର ନରନାରୀଙ୍କର ଏଇ ବ୍ୟାକୁଳ ଆମନ୍ତ୍ରଣ !

 

ଉଡ଼୍ର ରାମପୁତ୍ର ଚକ୍ଷୁ ଉନ୍ମୀଳିତ କରି ଚାହିଁ କହିଲେ, ସମ୍ମୁଖରେ ପୁଷ୍ପକନିନ୍ଦ୍ୟ ଏକ ସ୍ୱର୍ଣ୍ଣରଥ ।

 

ଉଡ଼୍ର ରାମପୁତ୍ର ଶାନ୍ତ କଣ୍ଠରେ ପଚାରିଲେ ‘‘ରାଜଚକ୍ରବର୍ତ୍ତୀ ସମ୍ରାଟର ସ୍ୱର୍ଣ୍ଣ ରଥରେ ଯୋଗୀର ବା କି ପ୍ରୟୋଜନ ?’’

 

ମଗଧର ଦୁର୍ଭିକ୍ଷକ୍ଳିଷ୍ଟ, ଆଶଙ୍କାମଳିନ; କ୍ଷୁଧିତ ନରନାରୀ, ମଗଧରାଜଙ୍କ ଆମନ୍ତ୍ରଣର ଉଦ୍ଦେଶ୍ୟ ନିବେଦନ କରିବାରୁ ଉଡ଼୍ର ରାମପୁତ୍ର ଉତ୍ତର ଦେଲେ, ‘ମୁଁ ଯୋଗୀ, ଐନ୍ଦ୍ରଜାଲିକ ନୁହେଁ ! ଆତ୍ମମୋକ୍ଷ ପାଇଁ ମୋର ସାଧନା । କୃଷକମାନଙ୍କ ଜମିରେ ଜଳସେଚନ ପାଇଁ ନୁହେଁ ।

 

ଉଡ଼୍ର ରାମପୁତ୍ର ପୁଣି ଚକ୍ଷୁ ନିମୀଳିତ କରି ମୁହୂର୍ତ୍ତକ ମଧ୍ୟରେ, ଜଳଭାରହୀନ, ମେଘହୀନ, ରୌଦ୍ର–ଦଗ୍ଧ ପ୍ରଖର ନିଦାଘ ମଧ୍ୟରେ ଯେପରି ଏକୀଭୂତ ହୋଇଗଲେ । ଅସହ୍ୟ ଉତ୍ତାପରେ ସେହି କଙ୍କାଳସାର, ମ୍ରିୟମାଣ ଜନତା ଆର୍ତ୍ତନାଦ କରି ଉଠିଲା । ଦାବାଗ୍ନିର ଜ୍ୱାଳାରେ ବନଭୂମିର ପଶୁ ପକ୍ଷୀକୂଳ ସୁଦ୍ଧା ତ୍ରାହି ତ୍ରାହି ଚିତ୍କାର କରି ଉଠିଲେ ।

 

ଉଡ଼୍ର ରାମପୁତ୍ର ସେହି ଆର୍ତ୍ତ କୋଳାହଳ ମଧ୍ୟରେ କରୁଣାନେତ୍ର ଉନ୍ମୀଳିତ କରିବାକୁ ବନଭୂମି ପୁଣି ସୁଶୀତଳ ହେଲା । ମଗଧର ନରନାରୀ ନିବେଦନ କଲେ ‘‘ମୃତ୍ୟୁଶଙ୍କାରେ ମଗଧ ଆଜି ବିପନ୍ନ ! ଉଡ଼୍ର ରାମପୁତ୍ରଙ୍କର ପୂତ ପାଦ ସ୍ପର୍ଶରେ କେବଳ ମଗଧ ସଞ୍ଜବିତ ହୋଇପାରିବ ! ବିଶ୍ୱର କଲ୍ୟାଣ ସାଧନାରେ ସିନା ଅହଂତ୍ୱର ବିଲୋପ ହୋଇଥାଏ !’’

 

ଉଡ଼୍ର ରାମପୁତ୍ର କରୁଣାଦ୍ରବିତ ହୃଦୟରେ ମଗଧ ଯାତ୍ରା ଉଦ୍ଦେଶ୍ୟରେ ସ୍ୱର୍ଣ୍ଣରଥ ଆରୋହଣ କଲେ !

 

ତିନି

 

ମହାଯୋଗୀ ଉଡ଼୍ର ରାମପୁତ୍ରଙ୍କ ଅଭ୍ୟର୍ଥନା ପାଇଁ ମଗଧ ରାଜପ୍ରାସାଦରେ ସେଦିନ ମହୋତ୍ସବ ଆୟୋଜନ ! ରାଜ ଅନ୍ତଃପୁରର ପ୍ରକୋଷ୍ଠରେ ଚାମରଧାରିଣୀ, ରୂପମଞ୍ଜୁଳା, ଅନ୍ତଃପୁରିକା ସୁଲଭା ସମୀର ଶିହରିତ ଅଶୋକସ୍ତବକ ପରି ଉଡ଼୍ର ରାମପୁତ୍ରଙ୍କ ପାଦ ବନ୍ଦନା କଲେ-। ଏକ ଅନାସ୍ୱାଦିତ ଶିହରଣରେ, ଉଡ଼୍ର ରାମପୁତ୍ରଙ୍କର ତପୋକ୍ଳିଷ୍ଟ ତନୁ; ନବକଦମ୍ୱ ପରି ଶିହରିତ ହୋଇ ଉଠିଲା ।

 

ମଗଧର ସ୍ନେହଦଗ୍ଧ ଆକାଶେ ଯେପରି ଉଦ୍‌ଭାସିତ ହୋଇଉଠିଲା, ନବ ମେଘର ଶୀତଳ ସ୍ମିତଚନ୍ଦ୍ରିକା !

 

ଉଡ଼୍ର ରାମପୁତ୍ରଙ୍କର ଜୟନାଦରେ ମଗଧର ଆକାଶ ଉଚ୍ଚକିତ ହୋଇ ଉଠିଲା ।

 

ଉଡ଼୍ର ରାମପୁତ୍ର ଏହାପରେ ଆଉ କିନ୍ତୁ ଦୁଇଚକ୍ଷୁ ଧ୍ୟାନ–ନିମୀଳିତ କରି ପାରିଲେ ନାହିଁ । ଦୃଷ୍ଟିପଥରେ ବାରମ୍ୱାର ଉଦ୍‌ଭାସିତ ହୋଇ ଉଠିଲା ମହାନଦୀ ତଟବର୍ତ୍ତୀ ସେହି ମହାକାନ୍ତାରରେ ବିଚିତ୍ରବର୍ଣ୍ଣା ମାୟାବିନୀ ବନଜ୍ୟୋସ୍ନା ।

 

ଶିରୀଷ କୋମଳାଙ୍ଗୀ ରୂପୋତ୍ତମା ସୁଲଭା ହାରାବଳୀ ଶୋଭିତ ସ୍ତନ–ବନ୍ଧନମୁକ୍ତ ଅନାବୃତ ସ୍ତୋକନମ୍ର ସ୍ତନରେ ସ୍ତୂପୀକୃତ କାମନାର ଜ୍ୱାଳା । ବଧୂଲୀପ୍ରସୂନ ରାଗରଞ୍ଜିତ ଦୁଇ ଓଷ୍ଠପୁଟରେ ଅନନ୍ତ ଯୁଗର ତୃଷା !

 

ସୁଲଭା ସସ୍ମିତ ଅପାଙ୍ଗରେ ଉଡ଼୍ର ରାମପୁତ୍ରଙ୍କ ଆଡ଼େ ଚାହିଁ କହିଲେ, ‘‘ଏଇ ପାଦ୍ୟ ଅର୍ଘ୍ୟ ଗ୍ରହଣ କରନ୍ତୁ ଯୋଗୀରାଜ !’’

 

ସାଧନାର ରୌଦ୍ରତାପରେ ଦଗ୍ଧ ମଞ୍ଜରୀ ପରି ନିଭୃତଲୀନ କାମନା ସବୁ ଉଡ଼୍ର ରାମପୁତ୍ରଙ୍କ ମନର ଅରଣ୍ୟରେ ନବ କଦମ୍ୱ ପରି କେତେବେଳେ ହଠାତ୍‌ ଅଙ୍କୁରିତ ହୋଇ ଉଠିଥିଲା; ତାହା ସେ ଜାଣି ନ ଥଲେ । ମଗଧର ଦଗ୍ଧ ଆକାଶରେ ନବମେଘ ଗୁରୁ ଗୁରୁ ଗର୍ଜନ କରି ଉଠିଥିଲା । ଅନ୍ତଃପୁରିକାମାନଙ୍କର ବୀଣା ମୃଦଙ୍ଗ ଓ ମନ୍ଦିରରେ ରଚିତ ହୋଇଥିଲା ମେଘ ମହ୍ଲାର ରାଗିଣୀରେ ନବମେଘର ଆବାହନୀ !

 

କିଏ ଏଇ ସୁଲଭା ? ମନର ଦୁସ୍ତର ମହାକାନ୍ତାରରେ ବିଚିତ୍ର ମାୟାମୃଗ ? ଏ ମୃଗଠାରୁ ଉଡ଼୍ର ରାମପୁତ୍ର ପଳାୟନ କରୁଥିଲେ; ନାଁ ଏ ମୃଗ ପଳାୟନ କରୁଥିଲା ସାଧନାର ଶାର୍ଙ୍ଗଧାରୀ ଉଡ଼୍ର ରାମପୁତ୍ରଙ୍କ ଠାରୁ ?

 

ମହାଶୂନ୍ୟର ମୁକ୍ତ ଆକାଶରେ ଉଡ଼୍ର ରାମପୁତ୍ରଙ୍କ ବିଦେହୀ ସତ୍ତା ଉତ୍ତରଣ ପାଇଁ ଆଉ ପକ୍ଷ ନେଇ ପାରୁ ନ ଥିଲା ! ଏକ ଅସ୍ୱାଭାବିକ ଉତ୍ତେଜନାରେ ସେ ହଠାତ୍‍ ଯେପରି ଅବଶ ହୋଇ ପଡ଼ିଥିଲେ ।

 

ନୀପ, ମଲ୍ଲୀକା ଓ ନବମାଳିକାର ସୁରଭି ଆମୋଦିତ, ମେଘ–ମନ୍ଦ୍ରିତ, ଭେକ–ମୁଖରରିତ ରାତ୍ରି–ଉଡ଼୍ର ରାମପୁତ୍ର ଏକ ବୈଚିତ୍ତ୍ୟ ମଧ୍ୟରେ ସବୁ ସମ୍ୱୋଧି ହରାଇ ସାରିଥିଲେ । ଦୀପସ୍ତମ୍ଭ ଉପରେ ରାତ୍ରିର ନିଷ୍କମ୍ପ ପ୍ରଦୀପଶିଖା, ଜଳକଣାସିକ୍ତ ସମୀରଣ ସ୍ପର୍ଶରେ ପ୍ରକୋଷ୍ଠର ଭିତ୍ତିପ୍ରାଚୀର ଉପରେ ଅନ୍ଧକାର ବିଚ୍ଛୁରିତ କରିବା ପରି, ଉଡ଼୍ର ରାମପୁତ୍ରଙ୍କ ମନରେ ଗୋଟିଏ ଉତ୍ପୀଡ଼କ ଜିଜ୍ଞାସା କମ୍ପିତ ହୋଇ ଉଠିଥିଲା । ମନର ଅରଣ୍ୟରେ କିଏ ଏହି ଚିତ୍ରାଙ୍ଗଦା ସୁଲଭା ?

ରାତ୍ରି ସେତେବେଳେ ଦ୍ୱିତୀୟ ପ୍ରହର ଅତିକ୍ରମ କରିଥିଲା ।

ରାଜ–ଅନ୍ତଃପୁରରେ ଅତିଥି ଉଡ଼୍ର ରାମପୁତ୍ରଙ୍କ ପ୍ରକୋଷ୍ଠରେ ମୌନ ନୀରବତା ହଠାତ୍‌ କାହାର ନୀଳ ଚେଳାଞ୍ଚଳର ଆନ୍ଦୋଳନରେ ଯେପରି କମ୍ପିତ ହୋଇ ଉଠିଲା ।

କାଞ୍ଚି ମେଖଳାପୀଡ଼ିତ କ୍ଷୀଣ କଟି ତଟରେ ବାମ କରତଳ ନ୍ୟସ୍ତ କରି ସମ୍ମୁଖରେ ଠିଆ ହୋଇଥିଲେ ମର୍ତ୍ତ୍ୟ, ମେନକା, ସୁଲଭା । ଅଧରରେ ବିହ୍ୱଳ ସ୍ମିତହାସ୍ୟ, ଭଙ୍ଗୀରେ ଲାସ୍ୟର ହିଲ୍ଲୋଳ, ଆଖିରେ ବିଲୋଳ କଟାକ୍ଷ । ଉଡ଼୍ର ରାମପୁତ୍ର ଅସ୍ୱସ୍ତିର ପୂର୍ଣ୍ଣ କଣ୍ଠରେ ଜିଜ୍ଞାସା କଲେ ‘‘ରାତ୍ରିର ଏଇ ନିସ୍ତବ୍ଧ ପ୍ରହରରେ ତୁମେ ଏଠାରେ କାହିଁକି ସୁଲଭା ?’’

ଉଡ଼୍ର ରାମପୁତ୍ରଙ୍କ ପାଖକୁ ଘୁଞ୍ଚିଆସି ସ୍ମେରମୁଖୀ ସୁଲଭା ଉତ୍ତର ଦେଲେ, ‘‘ସୁରତରେ ଅତିଥିଙ୍କୁ ସନ୍ତୋଷଦାନ ମୋର ଧର୍ମ ।

ମଗଧର ଆକାଶରେ ନବବର୍ଷାର ଉତ୍ସବ; ସୁପତୋତ୍‌ଥିତ ଜଳକଣାର କଳରବ ! ଉଡ଼୍ର ରାମପୁତ୍ର ବାମ ବାହୁର ବନ୍ଧନ ମଧ୍ୟରେ ସୁଲଭାକୁ ଆଲିଙ୍ଗନ କଲେ ।

କେତେ କ୍ଷଣ ପରେ ଅଙ୍ଗଲୀନା ସୁଲଭାର ସ୍ମରସ୍ୱେଦମଳିନ ଚିବୁକରେ ଚନ୍ଦନଚିତ୍ର କୌତୂହଳୀ ଶିଶୁ ପରି ସ୍ପର୍ଶ କରି ଉଡ଼୍ର ରାମପୁତ୍ର ମୁଗ୍ଧ କଣ୍ଠରେ କହିଲେ, ‘‘ଏକ ଅନିର୍ବଚନୀୟ ଶୂନ୍ୟତା ମଧ୍ୟରେ ଅହଂତ୍ୱର ମୁଁ ସମ୍ପୂର୍ଣ୍ଣ ମୁକ୍ତି ପାଇଛି ସୁଲଭା । ଏ ସମ୍ମୋହନ ଚିରସ୍ଥାୟୀ ହେଉ ।’’

 

ସ୍ମର ତରଳିତ କଟାକ୍ଷ ହାଣି ଆବିଷ୍ଟ କଣ୍ଠରେ ସୁଲଭା ଉତ୍ତର ଦେଲେ, ‘‘କିନ୍ତୁ ତାହା ସମ୍ଭବ ନୁହେଁ ମହାଯୋଗୀ ! ପ୍ରମଥ ପ୍ରମଥିନୀମାନେ ସୁଦ୍ଧା ସେଥିରେ ସକ୍ଷମ ହୋଇ ନାହାନ୍ତି । ମୁଁ ରାଜମହିଷୀ । ବାରବିଳାସିନୀ ନୁହେଁ । ଗାର୍ହସ୍ଥ୍ୟ ଧର୍ମ ମୁଁ କେବଳ ଆଚରଣ କରିଅଛି ମାତ୍ର । ଆପଣ ମଧ୍ୟ ସ୍ୱଧର୍ମ ପାଳନ କରନ୍ତୁ ଯୋଗୀରାଜ !’’

 

ଆଉ ଏକ କଦମ୍ୱ–ଶିହରିତ, କେକା ମୁଖରିତ ରାତ୍ରି । ବର୍ଷାସ୍ମାତ ମଗଧୀ ପଥପ୍ରାନ୍ତରରେ ଶ୍ୟାମଦୁର୍ବା, ନବବର୍ଷା ଓ ଶିଶୁଧାନ୍ୟର ଉତ୍ସବ ! ମାତ୍ର ଏକ ଅକଥନୀୟ କ୍ଳେଦାକ୍ତତାରେ ଉଡ଼୍ର ରାମପୁତ୍ର ଅତ୍ୟନ୍ତ ଅପରିଛନ୍ନ ଅନୁଭବ କରୁଥିଲେ । ସୁଲଭାର ମଞ୍ଜୀର ଧ୍ୱନି ଶୁଣିବା ପାଇଁ ସେ ଯେପରି ଉତ୍କୀର୍ଣ୍ଣ ହୋଇ ରହିଥିଲେ !

 

ମାତ୍ର ରାଜମହିଷୀ ସୁଲଭାଙ୍କର ଅତିଥିସେବା ଶେଷ ହୋଇଥିଲା । ସେ ଏଣିକି ଅନ୍ତଃପୁରବାସିନୀ, ରାଜମହିଷୀ । ମାତ୍ର ଉଡ଼୍ର ରାମପୁତ୍ରଙ୍କର ଦେହର ଶିରାରେ ଶିରାରେ ସେ ଯେପରି ଢାଳି ଦେଇ ଯାଇଛନ୍ତି ହୁତାଶନର ଶିଖା ! କିନ୍ତୁ ସୁଲଭା ତ’ ଆଉ ବାରବିଳାସିନୀ ନୁହନ୍ତି !

 

ପ୍ରାସାଦର ଅନ୍ତଃପୁର ତ’ ଆଉ ଯୋଗୀର ସାଧନାଭୂମି ନୁହେଁ ! ମଗଧବାସୀଙ୍କ ପାଇଁ ଉଡ଼୍ର ରାମପୁତ୍ରଙ୍କ ଆଗମନର ଉଦ୍ଦେଶ୍ୟ ମଧ୍ୟ ଶେଷ ହୋଇଥିଲା !

 

ପ୍ରାସାଦ ବାହାରେ ସଜ୍ଜିତ ହୋଇ ରହିଥିଲା, ଉଡ଼୍ର ରାମପୁତ୍ରଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ସ୍ୱର୍ଣ୍ଣରଥ ! କାଲି ପ୍ରତ୍ୟୁଷରେ ମଗଧର ରାଜପଥ ଅଗଣିତ, ସକୃତଜ୍ଞ ଭକ୍ତ ଜନତାର ଜୟନାଦରେ ମୁଖରିତ ହୋଇ ଉଠିବ !

 

କିନ୍ତୁ ଉଡ଼୍ର ରାମପୁତ୍ର ସବୁ ପଥ ହଠାତ୍‌ ଯେପରି ହରାଇ ସାରିଥିଲେ । ଏଠାରୁ ସେ ଯିବେ କେଉଁଆଡ଼େ ? କେଉଁଆଡ଼େ ?

 

ମଗଧର ରାଜପ୍ରାସାଦରେ ଆଉ ସ୍ଥାନ ନାହିଁ । ମହାନଦୀ ତଟବର୍ତ୍ତୀ ସେହି ମହାକାନ୍ତାରରେ ମଧ୍ୟ ଆଉ ସ୍ଥାନ କାହିଁ ?

 

ପଥେ ପଥେ ବିଶ୍ୱାସୀ ଜନତାର ମଧ୍ୟରେ ଉଡ଼୍ର ରାମପୁତ୍ର ଯେପରି ଶୁଣିପାରୁଥିଲେ ଶୂନ୍ୟ ମରୁପ୍ରାନ୍ତବାହୀ, ଜଳଭାର ହୀନ, କାଳବୈଶାଖୀର ଅଶାନ୍ତ କୋଳାହଳ !

 

ଉଡ଼୍ର ରାମପୁତ୍ର ରାତ୍ରିର ସେହି ମୂର୍ଚ୍ଛିତ ପ୍ରହରରେ ପ୍ରାସାଦର ଅନ୍ତଃପୁର ମଧ୍ୟରୁ ନିଭୃତ ରାଜପଥକୁ ବାହାରି ପଡ଼ିଲେ ! ଅନ୍ତଃପୁରର ଏକ ଗବାକ୍ଷ ପଥରେ ଯେଉଁ ଆଲୋକରେଖା ବିଚ୍ଛୁରିତ ହୋଇ ପଡ଼ିଥିଲା; ତାହା କ’ଣ ସୁଲଭାଙ୍କର କେଳିମନ୍ଦିରର ନିଶିପ୍ରଦୀପ ?

 

ଉଡ଼୍ର ରାମପୁତ୍ର ଗୋଟିଏ ଦୀର୍ଘଶ୍ୱାସ ପକାଇ, ନିରୁଦ୍ଦିଷ୍ଟ ପଥର ବିଡ଼ମ୍ୱିତ ଅନ୍ଧକାର ମଧ୍ୟରେ ପାଦ ବଢ଼ାଇଲେ ।

☆☆☆

 

ସାରୀପୁତ୍ତ

 

ସାରୀପୁତ୍ତ ଫେରି ଆସୁଛି ଆଜି । ଭିକ୍ଷୁ ସାରୀପୁତ୍ତ ନୁହେଁ, ବୁଦ୍ଧଙ୍କର ଶିଷ୍ୟଶିରୋମଣି ସାରୀପୁତ୍ତ ନୁହେଁ, ରୂପଶ୍ରୀର ପୁତ୍ର ସାରୀପୁତ୍ତ ଫେରି ଆସିବ ଆଜି ଜନନୀର ଶୂନ୍ୟ କୁଟୀରକୁ ।

 

ମୁକୁଳିତ ଆମ୍ରୋଦ୍ୟାନରେ କୋକିଳର କୁହୁରବ ଅଶାନ୍ତରୁ ଅଶାନ୍ତତର ହୋଇ ଉଠୁଛି । ସେହି ବ୍ୟଗ୍ର ଅଶାନ୍ତ କୁହୁରବ ଭିତରେ ପ୍ରକାଶ ପାଇଛି ଯେପରି ଜନନୀ ରୂପଶ୍ରୀର ଆହ୍ୱାନ–ଫେରିଆସ ପୁତ୍ର, ଫେରିଆସ ସାରୀପୁତ୍ତ !

 

ସାରୀପୁତ୍ତ ଫେରି ଆସୁଛି ଆଜି !

 

ଦେବତା, ବ୍ରାହ୍ମଣଙ୍କ କଥା କ’ଣ ମିଛ ହୁଏ ? ସେ ଦିନ ରାତି–କିଏ ଦେବତା ଆସି ସ୍ୱପ୍ନରେ ଦେଖା ନେଇ କହିଲେ, ‘‘ତମେ ପୂର୍ବଜନ୍ମର ଦୁଷ୍କୃତରୁ ଏ ଜନ୍ମରେ ଏପରି ପୁତ୍ର ବିଚ୍ଛେଦ ଭୋଗ କରୁଛ । କିନ୍ତୁ ସେ ଦୁଃଖର ରାତି ଏଥର ପାହି ଆସିଲା । ରୂପଶ୍ରୀ ! ଦେବ ଦ୍ୱିଜରେ ଭକ୍ତି ରଖ । ବ୍ରାହ୍ମଣଙ୍କୁ ସୁବର୍ଣ୍ଣ ଦାନ କର । ସାରୀପୁତ୍ତ ଫେରି ଆସିବ ନିଶ୍ଚୟ !’’

 

ରାତି ସେତେବେଳକୁ ତଥାପି ଥାଏ ଆଉରି ବାକୀ, ରୂପଶ୍ରୀର ଆଖିରେ ଆଉ ପଲକ ପଡ଼ିଲା ନାହିଁ। ସକାଳର ଅପେକ୍ଷାରେ ସେ ଖାଲି ବିଛଣାରେ ପଡ଼ି ଛଟପଟ ହେଉଥାଏ । ଭଲକରି ସକାଳ ନ ହେଉଣୁ ସେ ଧାଇଁଲା ବ୍ରାହ୍ମଣ ଶୁଭ୍ରଜ୍ୟୋତିଙ୍କ ଘରକୁ । ନୀଚ ଶୂଦ୍ର କୁଳରେ ଜନ୍ମ ରୂପଶ୍ରୀର ! ଶୁଭ୍ରଜ୍ୟୋତି ସେତେବେଳକୁ ବାହାରିଥିଲେ ମନ୍ଦିର ପଥରେ ପୂଜାର ଉପକରଣ ଘେନି-। ପଥପାର୍ଶ୍ୱରେ ଶୂଦ୍ରାଣୀ ରୂପଶ୍ରୀକୁ ଦେଖି ବିରକ୍ତ ହୋଇ କହିଲେ... ‘‘ଦେଖି ପାରୁ ନାହୁଁ ପାପୀୟସି-! ପୂଜା ଉପକରଣ ଘେନି ମୁଁ ବିଷ୍ଣୁଙ୍କ ମନ୍ଦିରକୁ ଯାଉଛି । ତୋର ଛାୟା ପଡ଼ି ସବୁ ଅପବିତ୍ର ହୋଇଗଲା ଯେ !’’

 

ଶୂଦ୍ରାଣୀ ରୂପଶ୍ରୀ, ଅନୁନୟର କଣ୍ଠରେ କହିଲା, ‘‘ମୋତେ କ୍ଷମା କରନ୍ତୁ ବ୍ରାହ୍ମଣ ଶୁଭ୍ରଜ୍ୟୋତି, ମୋର ଅପରାଧ ହୋଇଛି ।’’

 

ତା’ପରେ ଛିନ୍ନ ମଳିନ ପରିଧାନର ଅନ୍ତରାଳରୁ ତା’ର, କେତେଗୋଟି ବହୁଦିନରୁ ସଞ୍ଚିତ ସ୍ୱର୍ଣ୍ଣମୁଦ୍ରା କାଢ଼ି ଶୁଭ୍ରଜ୍ୟୋତିଙ୍କ ପାଦତଳେ ରଖି ସେ କହିଲେ, ‘‘ନିଆଶ୍ରୀ ହୀନ କପାଳୀ ମୁଁ ବ୍ରାହ୍ମଣ-! ଆପଣଙ୍କ ପାଖକୁ ଆସିଛି ଗୋଟିଏ ପରାମର୍ଶ ପାଇଁ ।’’

 

ଶୁଭ୍ରଜ୍ୟୋତିଙ୍କ ଗଳାର ସ୍ୱର ନରମ ହୋଇଗଲା । ସେ ଆଶ୍ୱାସନା ଓ ଦମ୍ଭ ଶୁଣାଇ କହିଲେ, ‘‘କ’ଣ ହୋଇଛି ମୋତେ କୁହ ରୂପଶ୍ରୀ ! ଦୁଃଖରେ ଅଧୀର ହୁଅନା ! ପ୍ରାଣୀର ଦୁଃଖ ଅପନୋଦନ କରିବା ତ’ ବ୍ରାହ୍ମଣର କର୍ତ୍ତବ୍ୟ । ଏ ସ୍ୱର୍ଣ୍ଣମୁଦ୍ରାରେ ବା କି ପ୍ରୟୋଜନ ଥିଲା ? ହେଉ, ଆଣିଛୁ ଯେତେବେଳେ, ନ ନେଲେ ତ’ ମୋର ଅପରାଧ ହେବ !’’

 

ରୂପଶ୍ରୀ କହିଲା, ‘‘ସାରୀପୁତ୍ତ କ’ଣ ସତରେ ଫେରିବ ଆଉ ବ୍ରାହ୍ମଣ ? କାଲି ରାତିରେ ମୁଁ ସ୍ୱପ୍ନରେ ଦେଖିଲି, ଜଣେ ଦେବତା ମୋତେ ସ୍ୱପ୍ନରେ ଦେଖାଦେଇ ଅଭୟ ଶୁଣାଇଲେ, ମୋର ସାରୀ ଫେରି ଆସିବ ନିଶ୍ଚୟ । କେଉଁ ପୂର୍ବଜନ୍ମର ଦୁଷ୍କୃତରୁ ମୁଁ କୁଆଡ଼େ ଏ ଜନ୍ମରେ ଏ ପୁତ୍ରବିଚ୍ଛେଦ ଭୋଗ କରୁଛି । କିନ୍ତୁ ସାରୀ ଫେରିବ ତ ! କୁହ ବ୍ରାହ୍ମଣ ! ତମେ ତ ତ୍ରିକାଳଦର୍ଶୀ ।’’

 

ଶୁଭ୍ରଜ୍ୟୋତି କିଛି ସମୟ ଦୁଇ ଚକ୍ଷୁ ନିମୀଳିତ କରିବା ପରେ କହିଲେ, ‘‘ତମେ ପୂର୍ବ ଜନ୍ମରେ ବ୍ୟାଧ ରୂପରେ ଜନ୍ମ ନେଇଥିଲ ରୂପଶ୍ରୀ ! ଦିନେ ଗୋଟିଏ ମୃଗିଣୀ ମୃଗ ଶିଶୁ ସହିତ ଯାଉଥିଲା ଶାନ୍ତ ଛାୟାସ୍ନିଗ୍ଧ ଅରଣ୍ୟପଥରେ । ସେତିକିବେଳେ ତମେ ଶର ସନ୍ଧାନ କଲ ମୃଗିଣୀକୁ ଲକ୍ଷ୍ୟକରି । କିନ୍ତୁ ଶରଭେଦ କଲା, ମୃଗଶିଶୁର ନବନୀତ କୋମଳ ଦେହରେ । ସଙ୍ଗେ ସଙ୍ଗେ ଯନ୍ତ୍ରଣାର ଜ୍ୱାଳାରେ ପ୍ରାଣବାୟୁ ତା’ର ଉଡ଼ିଗଲା । ସେହି ମୃଗିଣୀର ଅଭିଶାପରେ ତମକୁ ଏ ଜନ୍ମରେ ଭୋଗ କରିବା ପାଇଁ ପଡ଼ୁଛି ଏ ପୁତ୍ର ବିଚ୍ଛେଦ ଯନ୍ତ୍ରଣା । ତଥାପି ସ୍ୱଚ୍ଛ ହୃଦୟରେ ଫେରିଯାଅ ରୂପଶ୍ରୀ, ସାରୀପୁତ୍ତ ଫେରି ଆସିବ ନିଶ୍ଚୟ !’’

 

ରୂପଶ୍ରୀ ବ୍ରାହ୍ମଣ ଶୁଭ୍ରଜ୍ୟୋତିଙ୍କ ପାଦତଳେ ପ୍ରଣତି ଜଣାଇ କହିଲା...‘‘ତମର ଆଶୀର୍ବାଦ ପୂର୍ଣ୍ଣ ହେଉ ବ୍ରାହ୍ମଣ !’’

 

ସେ ଅନେକ ଦିନ ତଳର କଥା । ସାରୀପୁତ୍ତର ପ୍ରତୀକ୍ଷାରେ ଦିନ ରାତି ହୁଏ, ରାତି ଦିନ ହୁଏ ପୁଣି । ତଥାପି ଭାଙ୍ଗେ ନାହିଁ ରୂପଶ୍ରୀର ଆଶା–ସାରୀପୁତ୍ତ ଫେରିବ ନିଶ୍ଚୟ ।

 

ଦିନେ ଦିନେ ଜନଶ୍ରୁତିରେ ରୁପଶ୍ରୀ ଶୁଣେ ପୁତ୍ର ସାରୀପୁତ୍ତର କଥା । ପ୍ରଭୁ ବୁଦ୍ଧଙ୍କର ଶିଷ୍ୟ ଶିରୋମଣି ସାରୀପୁତ୍ତ–ପ୍ରଭାରେ ତାଙ୍କର ସମୁଦାୟ ଆର୍ଯ୍ୟାବର୍ତ୍ତ ଉଦ୍ଭାସିତ, ମହିମାରେ ମହିମାନ୍ୱିତ, କରୁଣାରେ ସ୍ନିଗ୍ଧ ଓ ସାଧନାରେ ଉଜ୍ଜ୍ୱଳ ! କିନ୍ତୁ ପୁତ୍ରର ସୁଖ୍ୟାତିରେ ଜନନୀର ପ୍ରାଣ ଗର୍ବୋତଫୁଲ୍ଲ ହୁଏନା ! ପ୍ରାଣର ନିଭୃତ କନ୍ଦରରେ ତା’ର ଜାଗି ଉଠେ ଅସ୍ପୁଟ ନୀରବ ପ୍ରାର୍ଥନା–ସାରୀପୁତ୍ତକୁ ସଦବୁଦ୍ଧି ଦିଅ ଭଗବାନ ! ଏ ମତିଭ୍ରମରୁ ଅବୋଧ ପୁତ୍ରକୁ ତା’ର ରକ୍ଷା କର ପ୍ରଭୁ ! ଦେବତା ବ୍ରାହ୍ମଣ ନିନ୍ଦାଠୁଁ ବଳି ଆଉ କି ଘୋରତର ପାପ ବା ଥାଇପାରେ ? ମଣିଷ ଜନ୍ମମାତ୍ରେ ସମାନ, ଏହା କ’ଣ ସମ୍ଭବହୋଇପାରେ କେବେ ? ବେଦକୁ ଅସ୍ୱୀକାର କଲେ, ସପ୍ତନରକରେ ସୁଦ୍ଧା ସ୍ଥାନ ମିଳିବ ନାହିଁ ଯେ ! ହେ ଦଶଦିଗପାଳ, ହେ ତେତ୍ରିଶକୋଟି ଦେବତା, ସାରୀପୁତ୍ତକୁ ମାର୍ଜନା କର, ସଦ୍‌ବୁଦ୍ଧି ଦିଅ ତାକୁ !

 

କେବେ କେବେ ବୌଦ୍ଧଭିକ୍ଷୁମାନେ, ରୂପଶ୍ରୀର କୁଟୀରକୁ ଆସନ୍ତି ଭିକ୍ଷାପାଇଁ । କିନ୍ତୁ ରୂପଶ୍ରୀ ସେମାନଙ୍କୁ ଦୂର୍‌ ଦୂର୍‌ ମାର ମାର କରି ତଡ଼ିଦିଏ । ବୌଦ୍ଧଭିକ୍ଷୁମାନଙ୍କୁ ଦେଖିଲେ ତା’ର ଦେହସାରା ଯେମିତି ବିଷ ଚରିଯାଏ ! କରୁଣାର ଆବରଣ ତଳେ କି ନିଷ୍କରୁଣ ଜୀବ ଏମାନେ । ଘର ନାହିଁ, ଦ୍ୱାର ନାହିଁ, ମା ନାହିଁ, ପୁଅ ନାହିଁ, ଝିଅ ନାହିଁ, ମାୟା ନାହିଁ, ମମତା ନାହିଁ–ଅଥଚ କିଏ ଏମାନଙ୍କୁ କହିଥିଲା ଏ ପୃଥିବୀକୁ ଆସି ପୃଥିବୀର ଦୁଃଖ ସଙ୍ଗରେ ଅଶାନ୍ତିର ଭାର ବଢ଼ାଇବା ପାଇଁ-? ରୂପଶ୍ରୀ କେବେ ଅବଶ୍ୟ ବୁଦ୍ଧଙ୍କୁ ଦେଖିନାହିଁ । କିନ୍ତୁ ଶୁଣିଛି–ସେ ଦିନ କୁଆଡ଼େ କି ଗୋଟିଏ ପୂର୍ଣ୍ଣମୀର ରାତି ! କପିଳବାସ୍ତୁ ରାଜପ୍ରାସାଦରେ ସମସ୍ତେ ଯିଏ ଯୁଆଡ଼େ ଶୋଇ ପଡ଼ିଲେଣି-। ସୁକୁମାରୀ ଗୋପା ସ୍ୱାମୀଙ୍କ ବାହୁ ଉପରେ ପୁଷ୍ପିତ କବରୀର ଭାର ରଖି ଶୋଇ ପଡ଼ିଛନ୍ତି-। ଗୋପାଙ୍କ କୋଳରେ ଶିଶୁ ରାହୁଳ ମଧ୍ୟ ନିଦ୍ରା–ଅଚେତନ ! ରାତିର ସେହି ନିସ୍ତବ୍ଧ ପ୍ରହରରେ ଗୌତମ, ଗୋପାଙ୍କ ମୁଣ୍ଡ ନିଜ ବାହୁ ଉପରୁ ଖସାଇ ନେଲେ । ତା’ପରେ ସନ୍ନ୍ୟାସୀର ଗୈରିକ ବସନ ପିନ୍ଧି ବାହାରିଲେ କପିଳ ବାସ୍ତୁର ସୁପ୍ତ ରାଜପଥରେ । ଆଉ ପଛରେ ରଖିଗଲେ ଏକ ବିରାଟ ଅଶାନ୍ତି, ଶେଷହୀନ ହା–ହା–କାର ଓ ତୃପ୍ତିହୀନ ତୃଷ୍ଣା । ଯେତେଥର ରୂପଶ୍ରୀ ଗୋପାଙ୍କ କଥା ଭାବିଛି, ସେତେଥର ରାଜରାଣୀ ଗୋପାଙ୍କ ଦୁଃଖରେ ପ୍ରାଣ ତାଙ୍କର କାନ୍ଦି କାନ୍ଦି ଉଠିଛି-। ଶିଥିଳ, ରକ୍ତହୀନ ଦୁଇ ଗଣ୍ଡ ଉପରେ ବହି ଆସିଛି ଦୁଇଧାର ଲୁହ ।

 

ସାରୀପୁତ୍ତ ଦିନେ ବିବାହ କରିଥାନ୍ତା, ଘରକୁ ଆସିଥାନ୍ତା ପୁତ୍ରବଧୂ । ତା’ର ଶୁଭ କଙ୍କଣ ଧ୍ୱନିରେ, ରୂପଶ୍ରୀର ରିକ୍ତ, ଶୂନ୍ୟ ଜୀବନର ହା–ହା–କାରମୟ କୋଣ ଅନୁକୋଣ ମୁଖରିତ ହୋଇ ଉଠିଥାନ୍ତା । ତା’ପରେ ଆସିଥାନ୍ତେ ବସନ୍ତର ନବମୁକୁଳ ପରି, କେତେ ଶିଶୁ କୋଳାହଳ କରି । ଶୀତଶୀର୍ଣ୍ଣା ଧରଣୀରେ ବସନ୍ତର କଳରବ ପରି, ରୂପଶ୍ରୀର ଜୀବନରେ ମଧ୍ୟ ଆସିଥାନ୍ତା ବସନ୍ତ । କିନ୍ତୁ ହେଲା ଆଉ କେଉଁଠୁ ? ସବୁ ସ୍ୱପ୍ନ ଖାଲି ସ୍ୱପ୍ନରେ ହିଁ ରହିଗଲା । ସାରୀପୁତ୍ତ ହେଲା ଘରଛଡ଼ା ଉଦାସୀ !

 

ଏ.... । ଦିନଆସି କେତେ ହେଲାଣି ମ ? ରୂପଶ୍ରୀ ତରତର କରି ବିଛଣା ଉପରେ ଉଠି ବସିଲା ! ନାଁ, ଆଜି ଆଉ ସେ କାହା ଦୁଆରକୁ ଯିବନାହିଁ ପାଇଟି କରି ! ଆଜି ଯେ ସେ ତା’ର ହଜିଲା କୋଟିନିଧି ପୁଣି ଫେରି ପାଇବ, ଆଉ ରହିବ ନାହିଁ ଦାରିଦ୍ର୍ୟ, ଅଭାବ ଓ ଦୁଃଖ ! ଚାଳ ଉପରେ ଶୁଭ କାଉଟିଏ କା–କା ହେଉଛି ! ରୂପଶ୍ରୀ ଉଠିଯାଇଁ ମୁଠାଏ ଚାଉଳ ରଖିଦେଲା ଦୁଆର ମଝିରେ । କାଉ ଆସି ଗୋଟିଏ ମୁଠା ଚାଉଳ ଖୁମ୍ପିନେଇ ପୁଣି ଉଡ଼ିଗଲା ଚାଳ ଉପରକୁ ! ଶୁଭକାଉ କଥା ମିଛ ହେବନାହିଁ କେବେ.....ସାରୀପୁତ୍ତ ଫେରିଆସୁଛି, ଆଜି ରୂପଶ୍ରୀର କୋଳକୁ !

 

ଏତେଦିନ ଏତେ ଆଶା ତ ମିଛ ହୋଇଛି । ଆଜି ଯଦି ଆଗପରି ସବୁ ମିଛ ହୋଇଯାଏ-? ରୂପଶ୍ରୀର ଛାତି ଦମ ଦମ ହୋଇ ପଡ଼ିଲା.......ନା–ନା, ଶୁଭକାଉର କଥା କ’ଣ ମିଛ ହୁଏ କେବେ ?

 

ସେଦିନ ରୂପଶ୍ରୀ, ସାରା ଦିନର ପେଟପାଟଣା ପରେ କୁଡ଼ିଆ ଦୁଆରେ ବସି ଚାହିଁଥିଲା, ଦୂରର ଅଙ୍କାବଙ୍କା ରାସ୍ତାଆଡ଼େ । ସେଇ ରାସ୍ତାରେ ସାରୀପୁତ୍ତ ଦିନେ କୁଆଡ଼େ ଚାଲିଗଲା । ଆଉ ହୁଏତ ଫେରିବ ନାହିଁ । କିନ୍ତୁ ଶୁଭ୍ରଜ୍ୟୋତି ତ ବାରମ୍ୱାର ସାନ୍ତ୍ୱନା ଦିଅନ୍ତି ତାକୁ, କେଜାଣି ହୁଏତ ଫେରିପାରେ ।

 

ଓଃ...ସେ ଅନେକ, ଅନେକ ଦିନ ତଳର କଥା । ନାଲନ୍ଦାରୁ ଦଳେ ଅଭିନେତା ସବୁଆଡ଼େ ବୁଲି ବୁଲି ‘ନିର୍ବାଣ’ ନାଟକର ଅଭିନୟ ଦେଖାଉଥାନ୍ତି । ଦିନେ ଅଭିନୟ ଦେଖିଯିବା ପାଇଁ ସାରୀପୁତ୍ତ ଅଡ଼ି ବସିଲା । ରୂପଶ୍ରୀ ସେଥିରେ ବାଧା ଦେଲାନାହିଁ । ଅଭିନୟ ଦେଖି ଫେରିବା ପରେ ସାରୀପୁତ୍ତ ପାଲଟିଗଲା ଯେମିତି ଗୋଟିଏ ଭିନ୍ନେ ମଣିଷ । ସେଦିନ ସାରୀପୁତ୍ତ ସବୁଦିନ ପରି ଗୋଠକୁ ଗାଈପଲ ଧରି ଗଲା ନାହିଁ, ଗାଧୋଇଲା ନାହିଁକି ଖାଇଲା ନାହିଁ । ରୂପଶ୍ରୀର ଲକ୍ଷ ପ୍ରଶ୍ନ–କ’ଣ ହୋଇଛି ତା’ର ? କିନ୍ତୁ ସାରୀପୁତ୍ତ କୌଣସି ଉତ୍ତର ଦେଲା ନାହିଁ ।–କେତେବେଳ ପରେ ସାରୀପୁତ୍ତ ପଚାରିଲା, ‘ତୁ କ’ଣ ଦିନେ ମରିଯିବୁ ବୋଉ ?’ ରୂପଶ୍ରୀ ହସି ହସି ଜବାବ ଦେଲା, ‘‘ସେ ଆଉ ନୂଆ କଥା କ’ଣରେ ବାପ ? ଦେବତାମାନେ ସୁଦ୍ଧା ଜନ୍ମହେଲେ ମରନ୍ତି ।’’

 

ସାରୀପୁତ୍ତ ପଚାରିଲା, ‘‘ମୁଁ ବି ତ ଦିନେ ମରିଯିବି ବୋଉ !’’

 

ରୂପଶ୍ରୀର ମୁହଁ ଉପରେ ଯେପରି କଳାମେଘର ଛାଇ ବୁଲିଗଲା । ସେ କାନ୍ଦ କାନ୍ଦ ହୋଇ ସାରୀପୁତ୍ତକୁ ଛାତି ଉପରେ ଚାପି ଧରି କହିଲା, ‘‘ସେ କଥା ଆଉ କେବେ ମୁହଁରେ ଧରିବୁ ନାହିଁ ରେ ବା ! ତୋରି ମୁହଁକୁ ଚାହିଁ ମୁଁ ଖାଲି ଛାତି ପଥର କରି ପଡ଼ି ରହିଛି । ଷଟୀଦୁଶୀ ତତେ ନଈବାଲିର ଆୟୁଷ ଦିଅନ୍ତୁ ।’’

 

ସାରୀପୁତ୍ତ ଧୀରେ ଧୀରେ ଉଠି ଠିଆ ହେଲା । ତା’ପରେ ଗାଁ ଦାଣ୍ଡର ସେଇ ଅଙ୍କାବଙ୍କା ରାସ୍ତାରେ ବାହାରି ଗଲା କୁଆଡ଼େ । ରୂପଶ୍ରୀ ମନେ ମନେ ଭାବିଲା, ମୁଣ୍ଡପାଗଳଟା, କ’ଣ ଏଣୁ ତେଣୁ ଗୁଡ଼ାଏ ପଚାରୁଥିଲା । ବାହାରୁ ଟିକିଏ ବୁଲି ଆସିଲେ ମନ ତା’ର ପୁଣି ବଦଳିଯିବ ଯେ ! ରୂପଶ୍ରୀ ନିତିଦିନିଆ ପେଟପାଟଣାରେ ମନ ଦେଲା ।

 

ସନ୍ଧ୍ୟା ହେଲା । ଗୋଠରୁ ଗାଈପଲଫେରିଲେ । ଦେଉଳରେ ଆରତି ଘଣ୍ଟା ବାଜିଲା । ରାତି ଆସିଲା । ଅନ୍ଧାର ଆଉରି ନିବୁଜ ହୋଇ ଆସିଲା । ଆକାଶରେ ଏକ, ଦୁଇ, ତିନି ହୋଇ ଫୁଟି ଉଠିଲା କୋଟି କୋଟି ନକ୍ଷତ୍ର । ସାରୀ କାହିଁ । କାହିଁ ସାରୀପୁତ୍ତ ?

 

ନିଜର ଚିନ୍ତାରେ ରୂପଶ୍ରୀ ନିଜେ କୁଆଡ଼େ ହଜି ଯାଇଛି । ଜଣେ ବୌଦ୍ଧଭିକ୍ଷୁ କୁଆଡ଼ୁ ଆସି ରୂପଶ୍ରୀର ପିଣ୍ଡାରେ ବସିପଡ଼ି ଗାଇ ଉଠିଲା....

 

‘‘ବୁଦ୍ଧଂ ଶରଣଂ ଗଚ୍ଛାମି !’’

 

ରୂପଶ୍ରୀର ଦେହସାରା ଯେମିତି ବିଷ ଚରିଗଲା । ମାତ୍ର ନିଜକୁ ସଂଯତ କରି, ସେ କେଜାଣି କାହିଁକି ପଚାରି ଦେଲା, ‘‘ଆଚ୍ଛା, ତୁମେ ସାରୀପୁତ୍ତଙ୍କ ଖବର ଜାଣିଛ ଭିକ୍ଷୁ ?’’

 

ଭିକ୍ଷୁ କହିଲା, ‘‘ନିଶ୍ଚୟ ! ତାଙ୍କରିଠାରୁ ଖବର ନେଇ ତ ଲୁମ୍ୱିନୀରୁ ଏତେ ବାଟ ଚାଲି ଚାଲି ଆସୁଛି ।’’

 

ରୂପଶ୍ରୀ ଆନନ୍ଦୋତ୍‌ଫୁଲ୍ଲ କଣ୍ଠରେ ପଚାରିଲା, ‘‘କି ଖବର ପଠାଇଛି ସାରୀପୁତ୍ତ ? କୁହ ଭିକ୍ଷୁ, ତାରି ପାଇଁ ତ’ ମୁଁ ଚାତକ ପରି ଚାହିଁ ବସିଛି । କୁହ ଭିକ୍ଷୁ, ତା’ର ସବୁ କୁଶଳ ତ ?’’

 

ଭିକ୍ଷୁ କହିଲା, ‘‘ଆସନ୍ତା ଫାଲ୍‌ଗୁନ ପୂର୍ଣ୍ଣିମା ଦିନ ସେ ଫେରି ଆସିବେ ବୋଲି ମୋ ହାତରେ ଖବର ପଠାଇଛନ୍ତି ମା !’’

 

ସେ ଦିନ ରୂପଶ୍ରୀ ଭିକ୍ଷାତଣ୍ଡୁଳର ଭାର ଭିକ୍ଷୁ ବୋହି ପାରିଲା ନାହିଁ । ଏହି ଘରଛଡ଼ା ଭିକ୍ଷୁମାନଙ୍କ ପ୍ରତି ରୂପଶ୍ରୀର ପ୍ରାଣ କିପରି ଅସ୍ୱାଭାବିକ ଭାବରେ କୋମଳ ହୋଇ ଉଠିଲା !

 

ସେ ଦିନ ଫାଲ୍‌ଗୁନ ପୂର୍ଣ୍ଣିମା......

 

ପୂର୍ଣ୍ଣଚନ୍ଦ୍ର ଉଠୁଛି ରାଜଗୃହ ସୀମାନ୍ତରେ ବନଶୀର୍ଷ ଉଢ଼ାଳରୁ । ରୂପଶ୍ରୀ ସେହି ପୂର୍ଣ୍ଣଚନ୍ଦ୍ର ଆଡ଼େ ଚାହିଁ ସ୍ୱପ୍ନର ଜାଲ ବୁଣି ଚାଲିଛି । ପୁଣି ତା’ର ଭଙ୍ଗା ସଂସାର ସୁନାର ହସରେ ହସି ଉଠିବ । ସାରୀପୁତ୍ତକୁ ବିବାହ ନ ଦେଇ ସେ ଛାଡ଼ିବ ନାହିଁ ଏଥର ।

 

ସେଇ ଯେଉଁ ଚମ୍ପାଗୋରୀ ଝିଅଟି–ଉପାଳୀ ! ଅନେକ, ଅନେକ ଦିନରୁ ରୂପଶ୍ରୀ ତା’ କଥା ଭାବି ଠିକ୍‌ କରି ରଖିଛି । ଉପାଳୀର କଳା ଆଖିର ସ୍ୱପ୍ନ–ଜାଲରେ ଥରେ ଧରା ପଡ଼ିଲେ, ସେ କ’ଣ ଆଉ କେବେ ଏ ଘରଛଡ଼ା ଭିକ୍ଷୁଙ୍କ ଦଳରେ ମିଶିବ ? ହେ ଭଗବାନ ! ଏଥର ଯେମିତି ତା’ର ହୀରାନିଧି, ହାତକୁ ଆସି ପୁଣି ହାତଛଡ଼ା ନ ହୁଏ !

 

ପୂର୍ଣ୍ଣମୀର ଚନ୍ଦ୍ର ଦିଗ୍‌ବଳୟର ବହୁତ ଉପରକୁ ଉଠି ଆସିଲାଣି । ରୂପଶ୍ରୀର ମନର ଆକାଶରେ ଆଶଙ୍କାର ଛାଇ କ୍ରମେ ଦୀର୍ଘରୁ ଦୀର୍ଘତର ହୋଇ ଉଠୁଛି । ଏତିକିବେଳେ ଦୂରରୁ କାହାର କଣ୍ଠରେ ଶୁଭିଲା, ‘‘ବୁଦ୍ଧଂ ଶରଣଂ ଗଚ୍ଛାମି !’’

 

କାହାର ? କାହାର ଏ କଣ୍ଠସ୍ୱର ? ଏ ଯେ ସାରୀପୁତ୍ତ ! ରୂପଶ୍ରୀ ଉଠି ପଡ଼ି ଧାଇଁଗଲା ପୂର୍ଣ୍ଣମୀର ଜ୍ୟୋସ୍ନାଲୋକ ଭିରତକୁ ! କଣ୍ଠରେ ତା’ର ଅଶାନ୍ତ ଚିତ୍କାର, ‘‘ସାରୀ–ସାରୀପୁତ୍ତ !’’

 

ଗୋଟିଏ ଶୀର୍ଣ୍ଣ, ଲଣ୍ଡିତମସ୍ତକ, ଜରାଜୀର୍ଣ୍ଣ ଭିକ୍ଷୁ ରୂପଶ୍ରୀର ପାଦତଳେ ମୁଣ୍ଡ ନୁଆଇଁ ପ୍ରଣିପାତ କଲେ । ରୂପଶ୍ରୀ ବ୍ୟସ୍ତ ଭାବରେ ପଚାରିଲା–‘‘କୁହ ଭିକ୍ଷୁ ! ସାରୀପୁତ୍ତ କାହିଁ ? ଆଜି ପରା ଫାଲ୍‌ଗୁନ ପୂର୍ଣ୍ଣିମା !’’

 

ଭିକ୍ଷୁ ଜବାବ ଦେଲା–‘‘ମୁଁ ଯେ ସାରୀପୁତ୍ତ ମା !’’

 

ରୂପଶ୍ରୀ କାନ୍ଦ କାନ୍ଦ ହୋଇ କହିଲା–‘‘ନା, ନା–ମୋ ସାଙ୍ଗରେ ଆଉ ଛଳନା କରନା ବାପ ! କୁହ ମୋର ସାରୀ କାହିଁ ?’’

 

ଭିକ୍ଷୁ ସ୍ମିତ ହସି କହିଲେ–‘‘ମୁଁ ଯେ ତୁମରି ସାରୀପୁତ୍ତ ମା ! ଲୁମ୍ୱିନୀରୁ ଆସୁଛି !’’

 

ଏଇ ସାରୀପୁତ୍ତ ! ଏଇ ଲଣ୍ଡିତ ମସ୍ତକ, ଜରାଜୀର୍ଣ୍ଣ, କଙ୍କାଳସାର, ଭିକ୍ଷୁ ! ମୁହଁରେ ପୁଣି ସେଇ ଅଲକ୍ଷଣା ଘରଭଙ୍ଗା କଥା–‘‘ବୁଦ୍ଧଂ ଶରଣଂ ଗଚ୍ଛାମି !’’

 

ଏ ଯେମିତି ତା’ର ଭଙ୍ଗାସଂସାରରର ବିକଟ ଉପହାସ ! ତା’ର ସ୍ୱପ୍ନର ସମାଧି । ସେ ତ ଏ ସାରୀପୁତ୍ତକୁ ଚାହିଁ ନ ଥିଲା । ରୂପଶ୍ରୀର କଣ୍ଠ ହଠାତ୍‌ କଠୋର ହୋଇ ଉଠିଲା । ସେ ପଚାରିଲା, ‘‘କୁହ ଭିକ୍ଷୁ ! ମୋ ଠାରେ ବା କି ପ୍ରୟୋଜନ ? ତମେ ପ୍ରଭୁ ବୁଦ୍ଧଙ୍କର ଶିଷ୍ୟ ଶିରୋମଣି, ସାଧକଶ୍ରେଷ୍ଠ ସାରୀପୁତ୍ତ ! ଆଉ ମୁଁ ଦୀନା, ହୀନା, ପୁତ୍ରହୀନା ଏକ ଜନନୀ ! କ’ଣ ବା ଅଛି ମୋର-? କି ଭିକ୍ଷା ବା ଦେବି ମୁଁ ?’’

 

ବାଳିକା–ସୁଲଭ ଅଭିମାନରେ ବୃଦ୍ଧା ରୂପଶ୍ରୀର କଣ୍ଠ ଥରି ଥରି ଉଠିଲା ।

 

ସାରୀପୁତ୍ତ କହିଲେ, ‘‘ଗୋଟିଏ ଭିକ୍ଷା ନେଇ ମୁଁ ଆସିଛି ମା ! ଗୌତମୀ ପ୍ରଜାପତିଙ୍କୁ ସଂଘରେ ଯୋଗଦେବା ପାଇଁ ପ୍ରଭୁ ବୁଦ୍ଧ ଆଜ୍ଞା ଦେଇଛନ୍ତି । ତାଙ୍କର ସହକର୍ମିଣୀ ରୂପେ, ମୁଁ ତମକୁ ଚାହେଁ ମା ! ସେହି ମୋର ଭିକ୍ଷା !’’

 

ରୂପଶ୍ରୀ ଆହତ ଦୃଷ୍ଟିରେ ଚାହିଁଥିଲା ଫାଲ୍‌ଗୁନ ପୂର୍ଣ୍ଣମୀର ଚନ୍ଦ୍ରଆଡ଼େ । ସାରୀପୁତ୍ତ କହିଲେ, ‘‘କୁହ ମା ! ବୁଦ୍ଧଂ ଶରଣଂ ଗଚ୍ଛାମି !’’

 

ରୂପଶ୍ରୀ ରୂଢ଼ କଣ୍ଠରେ କହିଲା, ‘‘ଫେରିଯାଅ ଭିକ୍ଷୁ ! କୋଟି କୋଟି ପ୍ରାଣରେ ଅଶାନ୍ତି ଓ ଅତୃପ୍ତିର ଦାବାନଳ ଜଳାଇ ଯେଉଁ ସଂଘର ପ୍ରତିଷ୍ଠା, ସେ ସଂଘ ରହିବ ନାହିଁ ଭିକ୍ଷା । ଏ ମୋର ଅଭିଶାପ !’’

 

ସାରୀପୁତ୍ତ କିଂକର୍ତ୍ତବ୍ୟ ବିମୂଢ଼ କଣ୍ଠରେ କହିଲେ...‘‘ମା !’’

 

ରୂପଶ୍ରୀ ଅଭିମାନଭରା କଣ୍ଠରେ ଉତ୍ତର ଦେଲା, ‘‘ଭିକ୍ଷୁର ମା ପୁଣି କିଏ, ସାରୀପୁତ୍ତ ?’’

 

ସାରୀପୁତ୍ତ ଶାନ୍ତ କଣ୍ଠରେ କହିଲେ, ‘‘ନିର୍ବାଣର ଏକମାତ୍ର ପଥ, ପ୍ରଭୁ ବୁଦ୍ଧଙ୍କର ଏହି ସଂଘ ମା ! ନିର୍ବାଣ କ’ଣ ତମର ଅଭିପ୍ରେତ ନୁହେଁ ଜନନୀ ?’’

 

ରୂପଶ୍ରୀ କହିଲା–‘‘ଫେରିଯାଅ ଭିକ୍ଷୁ, ମୁଁ ଚାହେଁ ଜୀବନ; ନିର୍ବାଣ ନୁହଁ !’’

 

ରୂପଶ୍ରୀ ଫେରି ଆସିଲା ତା’ର ସେହି ଭଙ୍ଗା କୁଡ଼ିଆ ଆଡ଼େ । ସାରୀପୁତ୍ତ ଗତିର ଅଶରୀରୀ ଛାୟା ପରି ମିଶିଗଲେ ଫାଲଗୁନ ପୂର୍ଣ୍ଣିମାର ଜୋସ୍ନା ଭିତରେ ।

☆☆☆

 

ଅମ୍ୱାପଲ୍ଲୀ

ଏକ

 

ସେଦିନ ବୈଶାଳୀର ଲିଚ୍ଛବୀ–ସଂଘର ପରିଷଦ କକ୍ଷରେ ତିଳ ଧାରଣ ପାଇଁ ସୁଦ୍ଧା ସ୍ଥାନ ନ’ ଥିଲା । ବୈଶାଳୀର ସାଧାରଣ ଜନତାଠାରୁ ଆରମ୍ଭ କରି ରାଜପୁରୁଷ, ରାଜକର୍ମଚାରୀ, ଶ୍ରେଷ୍ଠୀ ଓ ବଣିକ ପର୍ଯ୍ୟନ୍ତ ସମସ୍ତେ ଭିଡ଼ ବାନ୍ଧିଥିଲେ, ଅମ୍ୱାପଲ୍ଲୀର ବିଚାର ଶୁଣିବା ପାଇଁ ।

 

ଅନ୍ୟ ଅଧିବେଶନମାନଙ୍କରେ ଗଣ ପରିଷଦର ସବୁ ସଭ୍ୟ ଏକ ସମୟରେ ପ୍ରାୟ ଉପସ୍ଥିତ ନ ଥାନ୍ତି ! ମାତ୍ର ଆଜି ସମସ୍ତେ ଅଧିବେଶନ ଆରମ୍ଭର ବହୁପୂର୍ବରୁ ଆସନ–ପ୍ରଜ୍ଞାପକଙ୍କ ନିର୍ଦ୍ଦେଶ ଅନୁସାରେ ସ୍ୱ ସ୍ୱ ସ୍ଥାନ ଗ୍ରହଣ କରିଥିଲେ ।

 

ଗଣଧର (୧) କୋଳାହଳ ପ୍ରଶମିତ କରିବା ଉଦ୍ଦେଶ୍ୟରେ ଆସନ ତ୍ୟାଗ କରି ଉଠି କହିଲେ, ‘‘ପରମ ମାନ୍ୟାସ୍ପଦ ସଂଘ ଶୁଣିବା ହେଉନ୍ତୁ । ଆଜି ବିଧି ସଂଖ୍ୟା । (୨) ନିରୂପଣ କରିବାର କୌଣସି ପ୍ରୟୋଜନ ନାହିଁ । କାରଣ ମୁଁ ଯେତେଦୂର ନିଜେ ଦେଖି ପାରୁଛି, ପରିଷଦ କକ୍ଷରେ ଲିଚ୍ଛବୀ ସଂଘର ପ୍ରାୟ ସମସ୍ତ ସଭ୍ୟ ଉପସ୍ଥିତ ଅଛନ୍ତି । ଅତଏବ ଗଣପୂରକଙ୍କୁ (୩) ମୁଁ କର୍ମବାଚ (୪) ପାଇଁ ଅନୁରୋଧ କରୁଅଛି ! ଗଣଧରଙ୍କ ଆଦେଶକ୍ରମେ ଗଣପୂରକ ଦୀପଙ୍କର ଆସନ ଛାଡ଼ି ଉଠି କହିଲେ, ‘ପରମ ମାନ୍ୟାସ୍ପଦ ଗଣଧର ଓ ସଂଘର ସଦସ୍ୟ ମହୋଦୟଗଣ ଶୁଣିବାକୁ ଅବଧାନ ହେଉ, ଆଜି ଏହି ପରିଷଦ କକ୍ଷରେ ବୈଶାଳୀର ଉଦ୍ୟାନପାଳ କନ୍ୟା ଅମ୍ୱାପଲ୍ଲୀ ସମ୍ୱନ୍ଧରେ ଜ୍ଞାପ୍ତି ଆଗତ କରିବା ପୂର୍ବରୁ, ଆପଣମାନେ ପ୍ରଥମେ ଉଦ୍ୟାନପାଳ ଅସିତବର୍ଣ୍ଣଠାରୁ ଅମ୍ୱାପଲ୍ଲୀର ବୃତ୍ତାନ୍ତ ଶୁଣିବା ହେଉନ୍ତୁ ।’’

 

(୧) ବାଚସ୍ପତି,

 

(୨) କୋରମ୍‌

 

(୩) ଚିଫ୍‌ହ୍ୱିପ୍‌ ବା ଦଳପତି

 

(୪) ପ୍ରସ୍ତାବ ଆଗତ କରିବା ବା ସଂଘ ଅଧିବେଶନର କାର୍ଯ୍ୟ ଆରମ୍ଭ କରିବା ।

 

ପ୍ରାଚୀନ ଭାରତର ଦଣ୍ତନୀତି ବା ରାଷ୍ଟ୍ରନୀତିରେ ଏ ଶବ୍ଦଗୁଡ଼ିକ ପ୍ରଚଳିତ ଥିଲା । –ଲେଖକ

 

ପରିଷଦ କକ୍ଷରେ, ଗଣଧରଙ୍କ ଆସନ ଓ ଅର୍ଦ୍ଧବୃତ୍ତାକାରରେ ସନ୍ନିବିଷ୍ଟ ସଦସ୍ୟମାନଙ୍କ ଆସନ ମଧ୍ୟସ୍ଥିତ ଭୂମିରେ, ଅସିତବର୍ଣ୍ଣ ଠିଆହୋଇ ସଂଘର ସମବେତ ସଦସ୍ୟମାନଙ୍କ ଆଡ଼େ ଚାହିଁ କହିଲା, ‘‘ବୈଶାଳୀ ଉପକଣ୍ଠ ଆମ୍ର–ଉପବନର ମୁଁ ରକ୍ଷକ । ଆଜକୁ ଷୋଳବର୍ଷ ତଳେ, ହେଇ ସେଦିନ ପରି ସବୁ ମନେ ପଡ଼ି ଯାଉଛି । ସକାଳ ହୋଇନାହିଁ । ପକ୍ଷୀର କାକଳୀରେ ନିଦ ଭାଙ୍ଗିଗଲା । ପୂର୍ବ ଆକାଶରେ ସିନ୍ଦୁରା ଫାଟିଛି । ବଉଳର ମହକରେ ପବନ ଭରୀ ହୋଇ ଉଠିଛି । ହଠାତ୍‌ ଶୁଣିଲି ଗୋଟିଏ ସଦ୍ୟଜାତ ଶିଶୁର ଚିତ୍କାର, ନିଃସନ୍ତାନ ମୁଁ, ଜୀବନସାରା ଗୋଟିଏ ସନ୍ତାନର କାମନା କରି ଆସିଛି କେବଳ । ଏ କ’ଣ ବିଧିଦତ୍ତ ? ଆଜି ବି ମନେ ପଡ଼େ । ଗୋଟିଏ ଆମ୍ୱଗଛ ତଳେ, କେଉଁ ହତଭାଗିନୀ ଅନିନ୍ଦ୍ୟ ସୁନ୍ଦର ଶିଶୁଟିଏ ଫିଙ୍ଗି ଦେଇ ଯାଉଛି । ନାହି ସୁଦ୍ଧା କଟା ହୋଇନାହିଁ । କିଛି ନ ବୁଝି ନ ଶୁଝି ଶିଶୁଟିକୁ କୋଳରେ ତୋଳିନେଲି । ହେଉ ପଛେ ସେ କେଉଁ କୁଳଟାର କଳଙ୍କ, ହେଉ ପଛେ ଅଭିଶାପ, ଆଜିକି ଷୋଳବର୍ଷ ତଳେ, ସେଇ ଆଜି ଅମ୍ୱାପଲ୍ଲୀ ।’’

 

ଦୀପଙ୍କର ଆସନ ଛାଡ଼ି ଉଠି କହିଲେ, ‘‘ସେଇ ଅମ୍ୱାପଲ୍ଲୀ ଆଜି ବୈଶାଳୀର ଆତଙ୍କ, ଆଜକୁ ଷୋଳବର୍ଷ ତଳେ, କେଉଁ ସେ ବସନ୍ତ–ରାତ୍ରିର ବିସ୍ମୃତ–ଲଗ୍ନ ମୁହୂର୍ତ୍ତରେ ଏଇପରି ଜନ୍ମିଥିଲା ବୈଶାଳୀର ମୂର୍ତ୍ତିମତୀ ଅଭିଶାପ ।’’

 

ଗଣଧର ପ୍ରଶ୍ନ କଲେ, ‘‘କିନ୍ତୁ ଅମ୍ୱାପଲ୍ଲୀ କାହିଁ ?’’

 

ଏଇ ପରିଷଦର କକ୍ଷ ବାହାରେ ଶୁଭେ ଅମ୍ୱାପଲ୍ଲୀର ନୂପୁରଶିଞ୍ଜନ । ସମବେତ ଜନତା ମଧ୍ୟରୁ ଅସ୍ପଷ୍ଟ କଳରବ ଉଠିଲା, ‘‘ଅମ୍ୱାପଲ୍ଲୀ, ଏଇ ଅମ୍ୱାପଲ୍ଲୀ ।’’

 

ନୀଳାମ୍ୱରୀ ଅମ୍ୱାପଲ୍ଲୀ, ଲାକ୍ଷାରଞ୍ଜିତ ପାଦରେ ସ୍ପର୍ଶ ଡାଳିମ୍ୱ ମଞ୍ଜରୀର ମଞ୍ଜୀର, କ୍ଷୀଣକଟୀ ବେଷ୍ଟନ କରି ଗୁରୁ ନିତମ୍ୱ ଚୁମ୍ୱନ କରିଛି ମେଖଳା, ଦୁଇ ମୃଣାଳ ବାହୁରେ ସ୍ୱର୍ଣ୍ଣ କେୟୁରର ପଦ୍ମକଳିକା ସ୍ପର୍ଶ କରିଛି ଉନ୍ନତ ବକ୍ଷ–କୋରକ, ବଙ୍କିମ ଦୁଇ ଭ୍ରୂଲତା ତଳେ ମଦଭରା ଦୁଇ ମୃଗ ଆକ୍ଷି, ଯେପରି ବଙ୍କିମ ପୁଷ୍ପଧନୁରେ ମଦନର ଟଙ୍କାର ।

 

ଦୀପଙ୍କର କହିଲେ, ‘‘ଏହି ଅମ୍ୱାପଲ୍ଲୀ ଲାଗି ବୈଶାଳୀର ସାଧାରଣତନ୍ତ୍ର ସଙ୍କଟାପନ୍ନ । ବିଦେହ, ମଲ୍ଲ ଓ କାଲାମ ପ୍ରଭୃତି ରାଜ୍ୟ ଗୁଡ଼ିକ ସମସ୍ତେ ଅମ୍ୱାପଲ୍ଲୀ ପାଇଁ ଲାଳାୟିତ । ସେଥିପାଇଁ ଦରିଦ୍ର ଉଦ୍ୟାନପାଳ କନ୍ୟା ଐଶ୍ୱର୍ଯ୍ୟ ବୈଶାଳୀର ରାଜକୋଷକୁ ସୁଦ୍ଧା ଉପହାସ କରିପାରେ । ତଦୁପରି ଆମ୍ଭମାନଙ୍କ ଗୁପ୍ତଚରର ସମ୍ୱାଦ ଯଦି ସତ୍ୟ ହୋଇଥାଏ, ମଗଧରାଜ ବିମ୍ୱିସାର ଅମ୍ୱାପଲ୍ଲୀକୁ ବଳାତ୍କାରରେ ମଗଧର ରାଜଅନ୍ତଃପୁରକୁ ନେବାପାଇଁ ଉଦ୍ୟମ ଲଗାଇଛନ୍ତି । ବିମ୍ୱିସାର ଯେପରି ଲମ୍ପଟ, ତାଙ୍କ ପକ୍ଷରେ ଏହା ଅସମ୍ଭବ ହୋଇ ନପାରେ । କିନ୍ତୁ ତାହାହିଁ ଯଦି ହୁଏ, ବୈଶାଳୀ ସହିତ ରାଜଗୃହର ଯୁଦ୍ଧ ଅନିବାର୍ଯ୍ୟ, କାରଣ ବୈଶାଳୀ ଏ ହୀନ ଦସ୍ୟୁ ବୃତ୍ତିର ନିଶ୍ଚୟ ପ୍ରତିରୋଧ କରିବ । ମାତ୍ର ଏହାର ପରିଣତି ସୁସ୍ପଷ୍ଟ । ମଗଧର ବିପୁଳ ସାମରିକ ଶକ୍ତି ଆଗରେ ବୈଶାଳୀ ବା କେଇ ଦଣ୍ଡ ତିଷ୍ଠିବ ? ତେଣୁ ମୋର, ଆପଣମାନଙ୍କ ସମ୍ମୁଖରେ ଜ୍ଞାପ୍ତି ହେଉଛି, ଚିରାଚରିତ ବିଧି ଅନୁସାରେ ଅମ୍ୱାପଲ୍ଲୀକୁ ଏଠାରେ ଗଣିକା ଘୋଷଣା କରାଯାଉ । ଅମ୍ୱାପଲ୍ଲୀ ହେଉ ଗଣଭୋଗ୍ୟା, ଏ ଜ୍ଞାପ୍ତି ପ୍ରତିଜ୍ଞା (୧) ରେ ପରିଣତ ହେବା ପୂର୍ବରୁ ମୁଁ ଏ ସମ୍ୱନ୍ଧରେ ଶଳାକା (୨) ଗ୍ରହଣ ପାଇଁ ଅନୁରୋଧ କରୁଛି ।’’

 

(୧) ପ୍ରତିଜ୍ଞା–ରିଜଲ୍ୟୁସନ

 

(୨) ଶଳାକା–ଭୋଟ

 

ବ୍ୟାଧଭୀତା ହରିଣୀପରି ଅମ୍ୱାପଲ୍ଲୀ ଥରେ ଚାହିଁଲା ସଂଘର ସମବେତ ସଦସ୍ୟମାନଙ୍କ ଆଡ଼େ । ଏହି ସମୟରେ ଅନ୍ୟତମ ସଦସ୍ୟ ଶୀଳଭଦ୍ର ଉଠି କହିଲେ, ‘‘ଏ ଜ୍ଞାପ୍ତି ଉପରେ ଶଳାକାଗ୍ରହଣ, ନିସ୍ପ୍ରୟୋଜନ, ଏହା ସର୍ବବାଦୀ ସମ୍ମତ, ବୈଶାଳୀର ସ୍ୱାର୍ଥପାଇଁ ଅମ୍ୱାପଲ୍ଲୀ ସୁଦ୍ଧା ଏ ଜ୍ଞାପ୍ତିର ବିରୋଧ କରିବେ ନାହିଁ ।’’

 

ଅତଏବ ଶଳାକା ଗ୍ରହଣର ଆଉ କୌଣସି ପ୍ରୟୋଜନ ପଡ଼ିଲା ନାହିଁ । କରତାଳି ଦ୍ୱାରା ସମସ୍ତେ ଏହା ଅନୁମୋଦନ କଲେ ।

 

ଗଣଧର ଏହାପରେ ଉଠି କହିଲେ, ‘‘ପରମ ମାନ୍ୟାସ୍ପଦ ସଂଘର ସଦସ୍ୟ ଗଣ, ଆପଣମାନଙ୍କ ନିର୍ଦ୍ଦେଶରେ ମୁଁ ଘୋଷଣା କରୁଛି ଅମ୍ୱାପଲ୍ଲୀ ଆଜିଠାରୁ ହେବ ଗଣଭୋଗ୍ୟା ଗଣିକା-! ସୌନ୍ଦର୍ଯ୍ୟ ତା’ର ଅପରାଧ ।’’

 

ଦୁଇ

 

ଏଠାରେ ଯେଉଁ ସମୟର ଘଟଣା ବର୍ଣ୍ଣିତ ହେଉଅଛି, ସେହି ସମୟରେ ଶାକ୍ୟ, କୋଲିୟ, ବିଦେହ, ମଲ୍ଲ, ପିପିଳୀବନର ମୋରୀୟ, ବୁଲି, କାଲାମ ଓ ଭଗ ପ୍ରଭୃତି ସଂଘ ଶାସିତ ରାଜ୍ୟମାନଙ୍କରେ ଏହାହିଁ ଥିଲା ଚିରାଚରିତ ବିଧି । ଯେଉଁ ନାରୀର ସୌନ୍ଦର୍ଯ୍ୟ ରାଜ୍ୟରେ ଅର୍ନ୍ତଦ୍ୱନ୍ଦ୍ୱ ବା ଅନ୍ୟ ରାଜ୍ୟ ଆକ୍ରମଣର ହେତୁ ହେବ ସେ ନାରୀ ଗଣଭୋଗ୍ୟା ରୂପେ ହେବ ଗଣିକା । ବୈଶାଳୀସଂଘ ତେଣୁ ଏହି ନିୟମରେ ଅମ୍ୱାପଲ୍ଲୀକୁ ଗଣିକା ବୋଲି ଘୋଷଣା କରିଥିଲେ । ଅମ୍ୱାପଲ୍ଲୀ ଗଣିକା ହେଲେହେଁ ବୌଦ୍ଧ ଯୁଗର ସ୍ମରଣୀୟା ବିଦୁଷୀ ନାରୀ । ‘‘ଥେରୀ ଗାଥା’’ରେ ଅମ୍ୱାପଲ୍ଲୀର ସ୍ୱ’ରଚିତ ଗୋଟିଏ ଆତ୍ମକାହାଣୀମୂଳକ କବିତାରେ ଏହିପରି ଗୋଟିଏ ଗଣିକାର ବ୍ୟର୍ଥ ନାରୀତ୍ୱର ଅଶ୍ରୁଳ ଚିତ୍ର ବର୍ଣ୍ଣିତ ହୋଇଅଛି । ସଂଘର ସ୍ୱାର୍ଥପାଇଁ ଅମ୍ୱାପଲ୍ଲୀ ନିଜ ନାରୀତ୍ୱ ଓ ମାତୃତ୍ୱର ଯେଉଁ ଲୋଭନୀୟ ସମ୍ଭାବନା, ଆଶା ଓ ଆକାଙ୍‌କ୍ଷା ସେଦିନ ବୈଶାଳୀର ପରିଷଦ କକ୍ଷରେ ବିସର୍ଜନ ଦେଇଥିଲା, ତାହା ‘‘ଥେରୀ ଗାଥା’’ର ଉକ୍ତ କବିତାରେ ଅତି ମର୍ମସ୍ପର୍ଶୀ ଭାବରେ ପ୍ରକାଶ ପାଇଛି ।

 

ଏ କାଳର ଗଣିକାମାନେ ଯୌବନର ପଣ୍ୟ ଧରି କେବଳ କାଳାତିପାତ କରୁ ନ ଥିଲେ-। କାବ୍ୟ, ସାହିତ୍ୟ, ସଙ୍ଗୀତ ଓ ନୃତ୍ୟ ପ୍ରଭୃତି କଳାରେ ସେମାନଙ୍କର ଅତୁଳନୀୟ କୁଶଳତା ଥିଲା-। ପୁଣି ଏମାନଙ୍କର ସମ୍ପଦ ଯେ କୌଣସି ରାଜାର ସମ୍ପଦକୁ ସୁଦ୍ଧା ଉପହାସ କରି ପାରୁଥିଲା । ବୌଦ୍ଧ ‘‘ବିନୟପିତ୍ତକ’ରେ ବର୍ଣ୍ଣିତ ଅଛି, କାଶୀ ନଗରୀର ଗଣିକା ‘ଅର୍ଦ୍ଧକାଶୀ’’ର ଗୋଟିଏ ରାତ୍ରିର ଆୟ, କାଶୀରାଜାଙ୍କର ଗୋଟିଏ ଦିନର ରାଜସ୍ୱ ସହିତ ସମାନ । ମାତ୍ର ଏ ଦୁର୍ମୂଲ୍ୟର ବିନିମୟରେ ଉପଯୁକ୍ତ ସଂଖ୍ୟାରେ ନାଗର ନ ମିଳିବାରୁ, ‘ଅର୍ଦ୍ଧକାଶୀ’ ମୂଲ୍ୟର ପରିମାଣ ଅଧା କରି ଦେଇଥିଲା-। ସେଥିପାଇଁ ଓ ସେହିଦିନଠାରୁ ସେ ଅର୍ଦ୍ଧକାଶୀ ନାମରେ ପରିଚିତ ।

 

ତିନି

 

ବୈଶାଳୀ ନଗରୀରେ ଅମ୍ୱାପଲ୍ଲୀର ପ୍ରାସାଦୋପମ ଅଟ୍ଟାଳିକାର ଶୟନ କକ୍ଷ । ଅମ୍ୱାପଲ୍ଲୀ ପ୍ରସୂତି–ବେଦନାରେ ସେହି କକ୍ଷର ଗୋଟିଏ ପଲଙ୍କ ଉପରେ ଅର୍ଦ୍ଧଚେତନ ଅବସ୍ଥାରେ ପଡ଼ିଛି । ଅମ୍ୱାପଲ୍ଲୀର ଗୋଟିଏ ପରିଚାରିକା ଶିରୀମା ନବଜାତ ଶିଶୁଟିକୁ କୋଳରେ ଧରି ଠିଆହୋଇ ରହିଛି ଅମ୍ୱାପଲ୍ଲୀର ପଲଙ୍କ ପାଖରେ, ଯେପରି କ’ଣ କହିବ ବୋଲି ।

 

ଶିରୀମା ‘‘ଡାକିଲା ମହାଦେଈ ।’’

 

ଅମ୍ୱାପଲ୍ଲୀ କ୍ଳାନ୍ତ ଆଖି ଦୁଇଟି ଅଳ୍ପ ମେଲି ରୁକ୍ଷ କଣ୍ଠରେ କହିଲା, ‘‘ଆଉ ଠିଆ ହୋଇ ରହିଲୁ କାହିଁକି ଶିରୀମା ? ଯାହା ଫିଙ୍ଗିଦେଇ ଆ ରାସ୍ତା କଡ଼ରେ । ଆଉ ଟିକକ ପରେ ରାତି ପାହିଯିବ ।’’

 

ଶିରୀମା କହିଲା, ‘‘କି ଅନିନ୍ଦ୍ୟସୁନ୍ଦର ରାଜକୁମାର ପରି ଚେହେରା । ଠିକ୍‌ ମହାରାଜ ବିମ୍ୱିସାରଙ୍କ ପରି ଫିଙ୍ଗିଦେବା ପାଇଁ ସତରେ ମୋର ମନ ଆଦୌ ବଳୁ ନାହିଁ ମହାଦେଈ ।’’

 

ଅମ୍ୱାପଲ୍ଲୀର ନିର୍ଯ୍ୟାରିତ ଓ ମଥିତ ମାତୃତ୍ୱ ପୁଣି ଯେପରି ମୁଣ୍ଡଟେକି ଉଠୁଥିଲା । ଶିରୀମା ଅନୁନୟର ସ୍ୱରରେ କହିଲା, ‘‘ନିଅ କୋଳକୁ ନିଅ ମହାଦେଈ !’’

 

ଦଳିତା ସର୍ପିଣୀ ପରି ଅମ୍ୱାପଲ୍ଲୀ ଗର୍ଜି ଉଠିଲା, ‘‘ନା, ନା, ସେ କଳଙ୍କ । ସେ ବନ୍ଧନ । ଏ ଜୀବନରେ ସେ ଅଭିଶାପ । ଏଇ ମୁହୂର୍ତ୍ତରେ ତାକୁ ଫିଙ୍ଗିଦେଇ ଆ ଶିରୀମା । ଝିଅଟାଏ ହୋଇଥିଲେ ବରଂ ରଖିଥାନ୍ତି । କିନ୍ତୁ ପୁଅଟାଏ, ଫିଙ୍ଗି ଦେଇ ଆ ଶିରୀମା, ଏଇ ମୁହୂର୍ତ୍ତରେ । ମୁଁ ଆଉ ତୋର ଯୁକ୍ତି ଶୁଣିବାକୁ ଚାହେଁନା ।’’

 

ଶିରୀମା କୋଳରେ ଶିଶୁଟି କାନ୍ଦି ଉଠିଲା । ଅମ୍ୱାପଲ୍ଲୀ ଚିତ୍କାର କରି ଉଠିଲା, ‘‘ମୁହଁରେ ତା’ର ଲୁଗା ଚାପି ଦେ ଶିରୀମା । ସର୍ବନାଶ । ଯା–ଅଲକ୍ଷଣୀ ଆଉ ଠିଆହୋଇ ରହିଲୁ କାହିଁକି ?’’

 

ଶିରୀମା ଶିଶୁଟିକୁ ଆଉରି ନିବିଡ଼ କରି ଚାପିଧରି ବାହାରକୁ ଚାଲିଗଲା । ଅମ୍ୱାପଲ୍ଲୀ ଆଜି ନେଲା ଯେପରି ନିଜର ପରିତ୍ୟକ୍ତ ଉପେକ୍ଷିତି ଜନ୍ମର ପ୍ରତିଶୋଧ !

 

ମାତ୍ର ସେ ପ୍ରତିଶୋଧରେ ଅମ୍ୱାପଲ୍ଲୀ ଦୁଇ ଆଖିରେ ଲୁହର ଏ ଝରଣା କାହିଁକି ?

 

ଚାରି

 

ସେ ଦିନ ରାତ୍ରିର ସେଇ ପରିତ୍ୟକ୍ତ ଶିଶୁ ପରବର୍ତ୍ତୀକାଳରେ ହୋଇଥିଲା ବୈଦ୍ୟଶାସ୍ତ୍ରରେ ଧନ୍ୱନ୍ତରୀ–ଗୌତମ ବୁଦ୍ଧଙ୍କର ଶିଷ୍ୟଶିରୋମଣି ‘ଜୀବକ’ । କିନ୍ତୁ ବୈଶାଳୀର ରାଜପଥରୁ କେଉଁ ନିଃସନ୍ତାନର ଆଶ୍ରୟ ଓ ପ୍ରତିପୋଷଣରେ ଅମ୍ୱାପଲ୍ଲୀର ପରିତ୍ୟକ୍ତ, ନାମହୀନ, ପରିଚୟହୀନ ଶିଶୁ ଭବିଷ୍ୟତକାଳରେ ଯେ ହେଲା ବୈଦ୍ୟରାଜ ଜୀବକ, ତା’ର କୌଣସି ଧାରାବାହିକ ଇତିହାସ ମିଳିବ ନାହିଁ ଅବଶ୍ୟ !

 

ପାଞ୍ଚ

 

ତା’ର ବହୁ ବର୍ଷ ପରେ.......

 

ଅମ୍ୱାପଲ୍ଲୀର କେଳି ମନ୍ଦିର ପଡ଼ିଛି ଶୂନ୍ୟ ଓ ନିର୍ଜନ । ଅମ୍ୱାପଲ୍ଲୀର ଯୌବନ ବସନ୍ତର ନବପଲ୍ଲବିତ ବୃକ୍ଷଶାଖା, ଯେଉଁ ବିଳାସୀମାନଙ୍କର କଳରବରେ ମୁଖରିତ ହୋଇ ଉଠିଥିଲା, ସେମାନେ ଆଜି ନୂତନ ବସନ୍ତର ସନ୍ଧାନରେ, କିଏ ଯାଇଁ କେଉଁଠି ! କି ଏକ ଦାରୁଣ ବ୍ୟାଧିରେ ଅମ୍ୱାପଲ୍ଲୀ ପଙ୍ଗୁ ଚଳତଶକ୍ତି ରହିତା । ନୃତ୍ୟଚପଳ ପାଦ ଦୁଇଟିରେ ପାଷାଣର ଜଡ଼ ନିର୍ଜୀବତା, ହେମ ଗୌର ଦେହରେ ମୃତ୍ୟୁର କାଳିମା, ବନହରିଣୀର ଦୁଇ ଆକ୍ଷିରେ ମାଡ଼ିଯାଇଛି ପରଳ । ଏହି ସୁଯୋଗରେ ପଦ୍ମାବତୀ ହୋଇଛି ତେଣୁ ବୈଶାଳୀର ନାୟିକା । ଯେଉଁଆଡ଼େ ଶୁଣ ସେ ଆଡ଼େ ଖାଲି ପଦ୍ମାବତୀର ପ୍ରଶଂସା, ଅମ୍ୱାପଲ୍ଲୀ ଯେପରି ନାହିଁ ବା କେବେ ନ ଥିଲା ।

 

ଛଅ

 

ରୋଗ ଶଯ୍ୟା ଉପରେ ଅମ୍ୱାପଲ୍ଲୀର ବ୍ୟାଧିଗ୍ରସ୍ତ କୁତ୍ସିତ ଦେହ ପଡ଼ିଛି ଅଥର୍ବ, ଜଡ଼ ହୋଇ । ଜୀବକ ଅମ୍ୱାପଲ୍ଲୀର ଆଖି ଦୁଇଟିରେ କି ଗୋଟିଏ ଅଞ୍ଜନ ପ୍ରଲେପ କରୁଛନ୍ତି, ଶଯ୍ୟାର ଗୋଟିଏ ପାଖରେ ବସି । ଅମ୍ୱାପଲ୍ଲୀ ଯନ୍ତ୍ରଣା କ୍ଳିଷ୍ଟ କଣ୍ଠରେ ପାଗଳିନୀ ପରି ଚିତ୍କାର କରି ଉଠିଲା–‘‘ମୋତେ ଗରଳ ଦିଅ ଜୀବକ । ଏ ଜୀବନରେ ଆଉ ପ୍ରୟୋଜନ ନାହିଁ । ଜାଣେ ଜୀବକ ସେ ଅପହୃତ ଯୌବନ ଆଉ ଫେରିବ ନାହିଁ, ସେ ଲୁଣ୍ଠିତ ଦୃଷ୍ଟିଶକ୍ତି ଆଉ ଫେରିବ ନାହିଁ । ବୃଥା ତମର ଏ ଆୟାସ !’’

 

ଜୀବଜ ଅମ୍ୱାପଲ୍ଲୀର କପାଳ ଉପରେ ଧୀରେ ଧୀରେ ହାତ ବୁଲାଇ କହିଲେ–‘‘ଶାନ୍ତ ହୋଇ ଶୋଇପଡ଼ ମା ! ମୁଁ ପ୍ରତିଶ୍ରୁତି ଦେଉଛି ମୁଁ ପୁଣି ଫେରାଇ ଆଣିବି ତମର ପୂର୍ବ ସ୍ୱାସ୍ଥ୍ୟ ଓ ଯୌବନ ।’’

 

ଧନ୍ୱନ୍ତରୀ ଜୀବକଙ୍କର ଅଦ୍ଭୁତ କ୍ଷମତା । ତାଙ୍କର ପ୍ରତିଶ୍ରୁତି ମିଥ୍ୟା ହେବାର ନୁହେଁ । ସେହି ବିଶ୍ୱାସରେ ନିଜକୁ ସମ୍ପୂର୍ଣ୍ଣ ଭାବରେ ସମର୍ପଣ କରି ଦେଇଛି ଜୀବକଙ୍କ ହାତରେ । ଏ କି ପୁଲକ । ଏ କି ଶୀତଳତା ! ଜୀବକଙ୍କର ସ୍ପର୍ଶରେ ଏ କି ଯାଦୁ । ମା’ ଶବ୍ଦ ଉଚ୍ଚାରଣରେ ଏ କି ଅପୂର୍ବ ମମତା ! ଅମ୍ୱାପଲ୍ଲୀ ଦୁଇ ଅନ୍ଧ ଆଖିମେଲି ଥରେ ଚାହିଁଲା, ଜୀବକଙ୍କୁ ଦେଖିବା ପାଇଁ । ମାତ୍ର ସବୁ କିପରି ଦେଖାଯାଏ ଝାପସା, କୁହେଳୀର ପର୍ଦ୍ଦା ପରି । ଅମ୍ୱାପଲ୍ଲୀର ମନେ ପଡ଼ିଗଲା ସେ ଦିନ ସେଇ ସଦ୍ୟଜାତ ଶିଶୁକୁ ଥରେ ବକ୍ଷ ଉପରେ ଚାପିଧରି, ମାତୃତ୍ୱର ଯେଉଁ ସ୍ନିଗ୍ଧ ଅନୁଭୂତିରେ ଅମ୍ୱାପଲ୍ଲୀର ପ୍ରାଣ ସିକ୍ତ ହୋଇ ଉଠିଥିଲା ଆଜି ଜୀବକଙ୍କର ସ୍ପର୍ଶରେ ଯେପରି ପୁଣି ଜାଗି ଉଠୁଛି ସେଇ ଅନୁଭୂତି !

 

ଅମ୍ୱାପଲ୍ଲୀ ପଚାରିଲା–‘‘ତୁମେ କିଏ ଜୀବକ ?’’

 

ଜୀବକ ଉତ୍ତର ଦେଲେ–‘‘ମୁଁ ଭିକ୍ଷୁ । ଜୀବକ ! ଏପରି ବିଚଳିତ ନ ହୋଇ ଶୋଇପଡ଼ ମା ! ମୁଁ ନିର୍ଭର ପ୍ରତିଶ୍ରୁତି ଦେଉଛି, ତମେ ଯଥାଶୀଘ୍ର ରୋଗମୁକ୍ତ ହେବ ।’’

 

ଅମ୍ୱାପଲ୍ଲୀ ଏ ଉତ୍ତରରେ ସନ୍ତୁଷ୍ଟା ନ’ହୋଇ ପୁଣି ପଚାରିଲା–‘‘ମାତ୍ର ଏତ ତମର ପରିଚୟ ନୁହେଁ ଜୀବକ ! କୁହ ଜୀବକ କିଏ ତମେ ?’’

 

ଜୀବକ, ମ୍ଳାନ ଭାବରେ ହସି ଉତ୍ତର ଦେଲେ–‘‘ଭିକ୍ଷୁର ପରିଚୟ ଭିକ୍ଷୁ । ତା’ର ପିତା ନାହିଁ, ମାତା ନାହିଁ, ବଧୁ ନାହିଁ, ପୁତ୍ର ନାହିଁ, କନ୍ୟା ନାହିଁ, ସଂସାର ନାହିଁ ! ସେ କେବଳ ଭିକ୍ଷୁ !’’

 

ଅମ୍ୱାପଲ୍ଲୀ ଅନୁନୟର ସୁରରେ କହିଲା–‘‘କିନ୍ତୁ ତମେ ମୋ ପାଖରେ ଦଣ୍ଡେ ବସ ଜୀବକ ! ଉଃ.... ସେ ଆଖି ଦୁଇଟାରେ ଭାରୀ ଯନ୍ତ୍ରଣା । ଆଉ ଥରେ ସେମିତି କପାଳ ଉପରେ ତମର ହାତ ବୁଲାଇ ନିଅ ଜୀବକ !’’

 

ଜୀବକ ବାଧ୍ୟ ଶିଶୁ ପରି ଅମ୍ୱାପଲ୍ଲୀର ଉତ୍ତପ୍ତ କପାଳ ଉପରେ ହାତ ବୁଲାଇଲେ । ଗଭୀର ତୃପ୍ତି ପ୍ରଶାନ୍ତିରେ ଅମ୍ୱାପଲ୍ଲୀର ଅନ୍ତସ୍ଥଳ ଯେପରି ସ୍ନିଗ୍ଧ ହୋଇ ଉଠିଲା । ଜୀବକ, ଅମ୍ୱାପଲ୍ଲୀର କପାଳ ଉପରେ ହାତ ବୁଲାଉ ବୁଲାଉ କହିଲେ–‘‘ସୃଷ୍ଟିର ଏଇତ ଚରମ ସତ୍ୟ ମା !’’

 

ଅମ୍ୱାପଲ୍ଲୀ ପ୍ରଶ୍ନ କଲା, ‘‘କି ସତ୍ୟ ଜୀବକ ?’’

 

ଜୀବକ କହିଲେ–‘‘ଏଇ ବ୍ୟାଧି; ବାର୍ଦ୍ଧକ୍ୟ ଏଇ ଦୁଃଖ ! ଯୌବନ କ୍ଷଣସ୍ଥାୟୀ ମା !’’

 

ଅମ୍ୱାପଲ୍ଲୀ ପ୍ରଶ୍ନ କଲା–‘‘ତା’ହେଲେ ?’’

 

ଜୀବକ କହିଲେ, ‘‘ଭୋଗରେ ଜୀବନର ସେ ନାଗପାଶରୁ ମୁକ୍ତି ନାହିଁ ମା । ତ୍ୟାଗ ତେଣୁ ଜୀବନର ଏକମାତ୍ର ମୁକ୍ତି ମାର୍ଗ ! ସେଥିପାଇଁ ତ’ ରାଜପୁତ୍ର ଶାକ୍ୟସିଂହ ଆଜି ସର୍ବତ୍ୟାଗୀ, ସଂସାର ଉଦାସୀ–ସନ୍ନ୍ୟାସୀ !’’

 

ଅମ୍ୱାପଲ୍ଲୀ ପଚାରିଲା–‘କିନ୍ତୁ କିଏ ସେ ଶାକ୍ୟସିଂହ ?’

 

ଜୀବକ କହିଲେ–‘ଆଉ ଦିନେ କହିବି ତାଙ୍କ କଥା !’’

 

ଜୀବକଙ୍କର ସେବା ଓ ଚିକିତ୍ସାରେ ଅମ୍ୱାପଲ୍ଲୀ ଧୀରେ ଧୀରେ ଆରୋଗ୍ୟ ଲାଭ କରି ଆସୁଛି । ଦୃଷ୍ଟିଶକ୍ତି ସମ୍ପୂର୍ଣ୍ଣ ଫେରି ଆସି ନଥିଲେହେଁ, ଅମ୍ୱାପଲ୍ଲୀ ଦେଖି ପାରୁଛି ସବୁ, ଅବଶ୍ୟ ଝାପ୍‌ସା ଭାବରେ ।

 

ସେ ଦିନ......

 

ଜୀବକଙ୍କୁ ପ୍ରଥମଥର ପାଇଁ ଦେଖି ଅମ୍ୱାପଲ୍ଲୀର ମର୍ମସ୍ଥଳ କେଉଁ ଅଦୃଶ୍ୟ ବ୍ୟାଧିର ଶରାଘାତରେ ଯେପରି ଛିନ୍ନ ଭିନ୍ନ ହୋଇଗଲା ! ଏଇ ଜୀବକ–ଭିକ୍ଷୁ ! ସେଦିନର ସେଇ ପରିତ୍ୟକ୍ତ ଶିଶୁ ଆଜି ଯଦି ବଞ୍ଚିଥିବି, ହୁଏତ ହୋଇଥିବ ଠିକ୍‌ ଏଇ ଜୀବକଙ୍କ ପରି ! ଠିକ୍‍ ସେଇ ଚେହେରା, ସେଇ ପ୍ରଶସ୍ତ କପାଳ, ସେଇ ଆକ୍ଷି, ସେଇ ଖଣ୍ଡାଧାରା ନାକ ! ନା–ନା–ଜୀବକ କାହିଁକି ହେବେ ପାପୀୟସୀ ଅମ୍ୱାପଲ୍ଲୀର ଜାରଜ ? ସେ ଦେବତା ! କିନ୍ତୁ ଏ କି ଅତୃପ୍ତି ? ଏ କି କ୍ଷୁଧା ? ଏ କି କାମନା ? ଜୀବକକୁ କୋଳରେ ଚାପି ଧରିବା ପାଇଁ ଏ କି ବ୍ୟଗ୍ରତା ? ଅମ୍ୱାପଲ୍ଲୀର ଦୁଇ ଆକ୍ଷିରୁ ଦୁଇଧାର ଲୁହ ଝରି ଆସିଲା । ଜୀବକ ପ୍ରଶ୍ନ କଲେ–‘ତୁମେ କାନ୍ଦୁଚ ମା ?’

 

ନା–ନା–ଏ ସମ୍ୱୋଧନ କାହିଁକି ? ଡାକ ଅମ୍ୱା, ଅମ୍ୱାପଲ୍ଲୀ, କିମ୍ୱା ଆଉ ଯାହା ଇଚ୍ଛା ହୁଏ ଡାକ ! କିନ୍ତୁ ଅମ୍ୱାପଲ୍ଲୀର ଜୀବନରେ କ’ଣ ଏ ସମ୍ଭାବନା ନ’ ଥିଲା ? ରୋଗ ଶଯ୍ୟା ପାର୍ଶ୍ୱରେ ତା’ର ସେବାରତ ପୁତ୍ର, ଆକ୍ଷିରେ ଲୁହ ଦେଖିଥିଲେ ଠିକ ଏମିତି ପଚାରିଥାନ୍ତା.... ତୁମେ କାନ୍ଦୁଚ ମା-? ମାତ୍ର ସଂଘପାଇଁ ସେ ତ ସର୍ବସ୍ୱ ତ୍ୟାଗ କରିଛି ! ସେତ ସବୁ ସମ୍ଭାବନା ବିସର୍ଜନ ଦେଇଛି । ତା’ହେଲେ ଏ ଅଭିଶାପ କାହିଁକି ?

 

ଜୀବକ ପୁଣି ଥରେ ପ୍ରଶ୍ନ କଲେ.... ତୁମେ କାନ୍ଦୁଚ ମା ?

 

ଅମ୍ୱାପଲ୍ଲୀ, ଆକ୍ଷିର ଲୁହ ବସ୍ତ୍ରାଞ୍ଚଳରେ ପୋଛି କହିଲା... ନା, ଜୀବକ, ଆକ୍ଷିରେ କି ଗୋଟାଏ ଯନ୍ତ୍ରଣା ହେଉଛି । ତୁମେ ବ୍ୟସ୍ତ ହୁଅନା । ଯନ୍ତ୍ରଣାଟା ଆପେ ଆପେ କମି ଆସିବ ! ....ହଁ ଜୀବକ, ତୁମେ ସେଦିନ କହିବ ବୋଲି କହିଥିଲ ଶାକ୍ୟସିଂହଙ୍କ କଥା । କୁହ ମୋତେ ।

 

ଜୀବକ ଆରମ୍ଭ କଲେ କପିଳାବସ୍ତୁର ସନ୍ନ୍ୟାସୀ ଶାକ୍ୟସିଂହଙ୍କ କାହାଣୀ !

 

ସାତ

 

ଗୌତମ ବୁଦ୍ଧ ଆସିବେ ବୈଶାଳୀ ।

 

ବୈଶାଳୀର ପୁରେ ପୁରେ ରଟି ଯାଇଛି ବାର୍ତ୍ତା ।

 

ଲିଚ୍ଛବୀମାନେ ବୁଦ୍ଧଙ୍କୁ ଯଥାଯୋଗ୍ୟ ରୀତିରେ ଆମନ୍ତ୍ରଣ କରିବା ପାଇଁ ବିପୁଳ ଉଦ୍ୟମରେ ବ୍ୟସ୍ତ । ଗୌତମଙ୍କର ଦର୍ଶନ ପାଇଁ ବୈଶାଳୀର ନରନାରୀ ବ୍ୟଗ୍ର, ଉତ୍‌କଣ୍ଠିତ !

 

ଇତିମଧ୍ୟରେ ଅମ୍ୱାପଲ୍ଲୀ ସଂପୂର୍ଣ୍ଣ ଆରୋଗ୍ୟ ଲାଭ କରିଛି । ରାହୁମୁକ୍ତ ଚନ୍ଦ୍ରପରି ଅମ୍ୱାପଲ୍ଲୀ ଫେରି ପାଇଛି ପୁଣି ଅପହୃତ ଯୌବନ । ମାତ୍ର ମାନସ–ସ୍ୱଚ୍ଛ ସେ ଆକ୍ଷି ଦୁଇଟି ଉପରେ ନଇଁ ଆସିଛି ଯେପରି କଳାମେଘର ଛାଇ ! କି ଏକ ଅବ୍ୟକ୍ତ ଦୁଃଖ କଳାକମଳର ସେ ଆକ୍ଷି ଦୁଇଟିକୁ ମଳିନ କରି ଦେଇଛି !

 

ଜୀବକ କହିଲେ–‘‘ଶୁଣିଚ ମା, ପ୍ରଭୁ ବୁଦ୍ଧ ଆସିବେ ବୈଶାଳୀ ।’’

 

ଅମ୍ୱାପଲ୍ଲୀ କହିଲା–‘କିନ୍ତୁ ମୋର ଜାଣି କି ଲାଭ ଜୀବକ ? ମୁଁ ଯେ ଗଣିକା ! ଦେହ ଯାହାର ପଣ୍ୟ, ସେ କି କେବେ ବୁଦ୍ଧ ଦର୍ଶନର ଯୋଗ୍ୟା ହୋଇପାରେ ଜୀବକ ?’

 

ଜୀବକ ଅଳ୍ପ ହସି ଉତ୍ତର ଦେଲେ–‘ମାତ୍ର ଗଣିକା କିଏ ନୁହେଁ ମା ? ଦେହ କେବଳ ତମର ପଣ୍ୟ, ମାତ୍ର ପ୍ରାଣ ନୁହେଁ । କିନ୍ତୁ ଉଭୟ ଦେହ ଓ ପ୍ରାଣ ଯେଉଁମାନେ ପଣ୍ୟ କରିଛନ୍ତି, ସେମାନେ ଯେ ତମଠାରୁ ଆଉରି ହୀନ ମା ! ବୈଶାଳୀ ସଂଘର ଏଇ ଲଚ୍ଛବୀମାନେ । ଗଣ ନାମରେ ପ୍ରାଣ ଏମାନଙ୍କର ପଣ୍ୟ ହୋଇ ନାହିଁକି ? ସଂଘପାଇଁ ବିବେକ ଏମାନେ ବଳି ଦେଉ ନାହାନ୍ତି କି ?

 

ଅମ୍ୱାପଲ୍ଲୀର ଆକ୍ଷି ଦୁଇଟିରେ ନାଚି ଉଠିଲା ଯେପରି ରୁକ୍ଷବେଶ ବୈଶାଖର ଅଗ୍ନି ଶିଖା-!

 

ଆଜି ମହାରାଜ ବିମ୍ୱିସାର ଆସିବେ । ମଗଧର ବାର୍ତ୍ତାବହ ବାର୍ତ୍ତା ଆଣିଛି ।

 

ଆଜି ଆସିବେ ବୁଦ୍ଧ ।

 

ଅମ୍ୱାପଲ୍ଲୀର ପ୍ରାସାଦରେ କେତେ କୋଳାହଳ । କେତେ କୁସୁମର ସଜ୍ଜା ! ଅମ୍ୱାପଲ୍ଲୀ କହିଲା–‘‘ଆଜି ଅତିଥି ଆସିବେ ଶିରୀମା; ଚିର ଇପ୍‌ସିତ ଅତିଥି ।’’

 

ଫାଲ୍‌ଗୁନ ପୂର୍ଣ୍ଣିମାର ସନ୍ଧ୍ୟା । ଆମ୍ରମୁକୁଳର ଗନ୍ଧରେ ଉପକଣ୍ଠରେ ଅମ୍ୱାପଲ୍ଲୀର ଆମ୍ରୋଦ୍ୟାନ ସୁରଭିତ ହୋଇ ଉଠିଛି ! ଅମ୍ୱାପଲ୍ଲୀ ବହୁଦିନ ପରେ ଆଜି ପୁଣି ବିଶ୍ୱମୋହିନୀ ସଜ୍ଜାରେ ସଜ୍ଜାଉଛି ନିଜକୁ । ଚନ୍ଦ୍ରା, ଅମ୍ୱାପଲ୍ଲୀର ଲାକ୍ଷାରଞ୍ଜିତ ଚରଣରେ ପିନ୍ଧାଉଛି ସ୍ୱର୍ଣ୍ଣ ଡାଳିମ୍ୱ ମଞ୍ଜରୀର ମଞ୍ଜିର । ଶ୍ୟାମା କଟୀରେ ପିନ୍ଧାଉଛି ନିତମ୍ୱ ଚୁମ୍ୱୀ ମେଖଳା । ଛନ୍ଦା ବାହୁରେ ପିନ୍ଧାଉଛି କେୟୂର । ଶିରୀମା ଧୂପର ଧୂଆଁରେ ସୁରଭିତ କରୁଚି କୁନ୍ତଳ । ଅମ୍ୱାପଲ୍ଲୀ ଦର୍ପଣ ହାତରେ ଧରି କପାଳରେ ପିନ୍ଧୁଚି କୁଙ୍କୁମର ଟିପ ।

 

ଚହଳ ପଡ଼ି ଯାଇଛି, ଆଜି ଆସିବେ ବିମ୍ୱିସାର । ଗିରିନଦୀ ପରି ଅମ୍ୱାପଲ୍ଲୀର ପ୍ରାଣ ନାଚି ଉଠୁଚି, ଆଜି ଆସିବେ ବୁଦ୍ଧ, ଚିରଇପ୍‌ସିତ ଅତିଥି !

 

ଅମ୍ୱାପଲ୍ଲୀ, ଉତ୍‌କଣ୍ଠିତ କଣ୍ଠରେ କହିଲା–‘‘ଚନ୍ଦ୍ରା, ଶ୍ୟାମା, ଛନ୍ଦା, ଶିରୀମା ଆଉ ବିଳମ୍ୱ କରନା ସଖୀ ! ଏଇ ଯେ ଉଇଁ ଆସିଲାଣି ପୂର୍ଣ୍ଣିମାର ଚନ୍ଦ୍ର ।

 

ଶିରୀମା ଅମ୍ୱାପଲ୍ଲୀର ବେଣୀରେ ଖୋଷୁଥିଲା ଅଶୋକ ।

 

ରାଜପଥରେ କୋଳାହଳ ଶୁଭୁଚି । ଅମ୍ୱାପଲ୍ଲୀ ଛୁଟି ଯାଇଁ ବାତାୟନ ପଥରେ ଚାହିଁଲା କୋଳାହଳମୁଖର ରାଜପଥ ଆଡ଼େ ! କିଏ ଜଣେ ଆସି ସମ୍ୱାଦ ଦେଲା, ମହାରାଜା ବିମ୍ୱିସାର, କେଳିମନ୍ଦିରରେ ଅପେକ୍ଷା କରିଛନ୍ତି ।

 

ଏଇ ବୁଦ୍ଧ ଆସୁଛନ୍ତି । ସେଇଥିପାଇଁ ବୈଶାଳୀର ନର ନାରୀଙ୍କର ଏ ଉନ୍ମତ୍ତ କୋଳାହଳ । ଅମ୍ୱାପଲ୍ଲୀ ବାତାୟନ ପାଖରୁ ଧାଇଁ ଆସି କହିଲା–‘ଏଇ ଅତିଥି ଆସିଲେ ଶିରୀମା । ଥାଉ ମୃଗମଦ ଥାଉ ଲୋଧ୍ରରେଣୁ, ପଡ଼ିଥାଉ କୁସୁମର ମାଳା ।’

 

ଅମ୍ୱାପଲ୍ଲୀ, ଉନ୍ମାଦିନୀ ପରି ଛୁଟି ଚାଲିଗଲା । ଅସମାପ୍ତ ବେଣୀରୁ ଝରି ପଡ଼ୁଥାଏ ରାଶି ରାଶି ଅଶୋକ ।

 

କବିର ବୀଣା ବନ୍ଦ ହୋଇଗଲା । ମହାରାଜା ବିମ୍ୱିସାର ବିସ୍ମୟରେ ଆକ୍ଷି ମଳିଲେ । ଲିଚ୍ଛବୀ ସଂଘର ରାଜଶଦ୍ଦୋପଜିବୀମାନେ ହତବାକ୍‌ ହୋଇଗଲେ ।

 

ଅମ୍ୱାପଲ୍ଲୀର ନୃତ୍ୟ ମନ୍ଦିରରେ ଆତିଥ୍ୟ ଗ୍ରହଣ କରିଛନ୍ତି ଗୌତମ ବୁଦ୍ଧ । ଅମ୍ୱାପଲ୍ଲୀ ବିଶ୍ୱମୋହିନୀ ବେଶରେ ଉନ୍ମାଦିନୀପରି ଛୁଟି ଆସି, ଲୋଟି ପଡ଼ିଲା ଧ୍ୟାନନୀମିଳିତ–ଚକ୍ଷୁ ବୁଦ୍ଧଙ୍କ ପାଦତଳେ ।

 

ଏ ଯେପରି ପ୍ରବୃତ୍ତି ସହିତ ନିରୁତ୍ତର, ମହାକାଳ ସହିତ ମୁହୂର୍ତ୍ତର, ଜୀବନ ସହିତ ନିର୍ବାଣର ମହାମିଳନ ।

 

ସମବେତ ଭିକ୍ଷୁ ମଣ୍ତଳୀଙ୍କ କଣ୍ଠରେ ଫୁଟିଥିଲା–

 

ବୁଦ୍ଧଂ ଶରଣଂ ଗଚ୍ଛାମି

ଧର୍ମଂ ଶରଣଂ ଗଚ୍ଛାମି

ସଂଘଂ ଶରଣଂ ଗଚ୍ଛାମି

✽✽✽

 

ମଧୁମତ୍ତାର ରାତ୍ରି

 

ଚରୈବତି, ଚରୈବତି.......ଚାଲ, ଚାଲ, ଆଗେଇ ଚାଲ । ଜୀବନ ହିଁ ଚାଲିବା ।

 

ଉପକ ଚାଲିଛି । ଗତ ତିରିଶବର୍ଷ ଧରି ଚାଲିଛି । ରାଜଗୃହରୁ ନାଲନ୍ଦା, ନାଲନ୍ଦାରୁ ଉରୁବିଲ୍ୱ, ଉରୁବିଲ୍ୱରୁ ପାଟଳୀପୁତ୍ର, ପାଟଳୀପୁତ୍ରରୁ ବୈଶାଳୀ, ବୈଶାଳୀରୁ ବିଦେହ, ବିଦେହରୁ ବେଶଳୀ ବେଶଳୀରୁ କାଶୀ, କାଶୀରୁ ସକେତ, ସକେତରୁ ଯିବ ଚମ୍ପା....ତା’ପରେ ? କିଏ ଜାଣେ-? ଅନନ୍ତ, ଅଫୁରନ୍ତ ଯାତ୍ରାପଥ; ସେ ଯାତ୍ରାର ଶେଷ ନାହିଁ । କାହିଁକି ବା ନେଲା ସେ ଏ ବିରାମହୀନ ଯାହାର ଦୀକ୍ଷା ?

 

ବେତ୍ରବତୀର ସୁଗଭୀର ଜଳରେ ସୁନୀଳ ପ୍ରଶାନ୍ତି । ଦଳ ଦଳ ସାରସ ଦମ୍ପତ୍ତି, ନୀରଳ ଶୀତଳ ଜଳରେ ଅଳସ ଆନନ୍ଦରେ ଦେହମେଲି ଦେଇଛନ୍ତି । ଉପକ ବେତ୍ରବତୀର ଜଳରେ ସନ୍ତରଣ ଲୋଭ ସମ୍ୱରଣ କରି ପାରିଲା ନାହିଁ ।

 

ବେତ୍ରବତୀର ଜଳଧାର ପରି, ମନୁଷ୍ୟର ଜୀବନ......ଏକ ଅନିଶ୍ଚିତ ଗହ୍ୱରରୁ ବାହାରି ଅନ୍ୟ ଏକ ଅନିଶ୍ଚିତ ପରିଣତି ଆଡ଼େ ଗତି କରି ଚାଲିଛି । ଏହି ନିସଙ୍ଗ ପଥ ଓ ବିରାମହୀନ ଯାତ୍ରା ହିଁ ଏକମାତ୍ର ସତ୍ୟ । ଆଉ ସବୁମିଥ୍ୟା । ସବୁ ଦୁଃଖ ।

 

ଅପରାହ୍ନର ଛାୟା ବେତ୍ରବତୀର ତଟଭୂମି ଉପରେ ଧୀରେ ଧୀରେ ବୁଲି ଆସିଲାଣି । ଦଳ ଦଳ ହୋଇ ବଧୂ ବାଳିକା ଲୀଳାୟିତ କଟୀରେ ଜଳକୁମ୍ଭ ରଖି ବେତ୍ରବତୀରୁ ଜଳ ଆହରଣ ପାଇଁ ଆସୁଛନ୍ତି । କୌତୁକିନୀମାନଙ୍କର କୌତୁକ ଓ ପରିହାସ ପ୍ରମୋଦରେ ନିର୍ଜନ ରୁକ୍ଷ ତଟ ଦେଶ ପ୍ରାଣବନ୍ତ ହୋଇ ଉଠିଲା ।

 

ନାରୀର ଦେହ, ଚିରକାଳ ଉପକକୁ ଆକୃଷ୍ଟ କରିଛି....ଦୁର୍ବାର ଆକର୍ଷଣରେ । ସେଥର ବିଦେହରେ.......

 

ଚାର୍ତୁମାସ୍ୟା ପାଇଁ, ଜଣେ ଶ୍ରେଷ୍ଠୀ, ସାଧୁସମ୍ମତ, ତୀର୍ଥକର ଚିରପଦ୍ଧଜିତ ବେଲଥୀ ପୁତ୍ତ ଓ ତାଙ୍କର ଶିଷ୍ୟମାନଙ୍କୁ ବିଦେହର ଉପକଣ୍ଠରେ ଏକ ସଂଘାଗମ ସମର୍ପଣ କରିଥିଲେ । ବେଲଥୀପୁର ସେଠାରେ ବହୁ ଶିଷ୍ୟଙ୍କ ସହିତ ଚାର୍ତୁମାସ୍ୟା ପାଳନ କରୁଥିଲେ ।

 

ଦିନେ ସେହି ସଂଘାରାମକୁ ଆସିଥିଲା ବଜ୍ଜୀକନ୍ୟା, ଗଣିକା ମଧୁମତ୍ତା ବେଲଥୀପୁତ୍ତଙ୍କ ପାଇଁ ପୂଜାର୍ଘ୍ୟ ଘେନି । ସେତେବେଳେ ଉପକ, ସଂଘାଗମର ଉଦ୍ୟାନରେ ତୃଣଶଯ୍ୟା ଉପରେ ଶୋଇରହି ‘‘ଶୁଦ୍ଧପାଣୟ’’ ବ୍ରତ ପାଳନ କରୁଥିଲା । ଦୀର୍ଘ ଦୁଇମାସ ଏହିପରି ଦୁର୍ବାଶଯ୍ୟା ଉପରେ ପୂର୍ଣ୍ଣ ଉପବାସରେ ପଡ଼ିରହି ଆଜୀବକମାନଙ୍କୁ ସାଧନା କରିବାକୁ ପଡ଼େ ।

 

ମଧୁମତ୍ତା ପୂଜାର୍ଘ୍ୟ ଅର୍ପଣ କରି ଫେରିଲାବେଳେ ତୃଣଶଯ୍ୟା ଉପରେ ଶାୟିତ, ଉଲଙ୍ଗପ୍ରାୟ ତରୁଣ ଉପକକୁ ଦେଖି ସଙ୍କୋଚରେ ଦଣ୍ଡକପାଇଁ ତଳକୁ ମୁଣ୍ତ ନୁଆଇଁ ରହିଗଲା । ଉପକ ପାଖରେ ଦୁର୍ବାଶଯ୍ୟା ଉପରେ ସଦ୍ୟସ୍ନାତା ମଧୁମତ୍ତାର ବିଶ୍ଳଥ କବରୀରୁ କେତୋଟି ଅଶୋକ କଳି ତଳେ ଝରି ପଡ଼ିଲା । ଉପକ ମୁଗ୍ଧ ଦୃଷ୍ଟିରେ ମଧୁମତ୍ତା ଆଡ଼େ ଚାହିଁ ପଚାରିଲା......‘ତୁମକୁ କେଉଁ ନାମରେ ସମ୍ୱୋଧନ କରିବି ଭଦ୍ରେ ?’’

 

ମଧୁମତ୍ତା କହିଲା.......‘‘ବଜ୍ଜୀକନ୍ୟା ମଧୁମତ୍ତା ।’’

 

ଉପକ କ୍ଷୁଧିତ କଣ୍ଠରେ ପଚାରିଲା.......‘‘ଅବୁସଙ୍କ ପାଇଁ କି ପୂଜାର୍ଘ୍ୟ ଆଣିଥିଲ ମଧୁମତ୍ତା ?’’

 

ମଧୁମତ୍ତା କହିଲା.......‘‘ପାୟସ ।’’

 

ମଧୁମତ୍ତାର ବୀଣାନିନ୍ଦୀ କଣ୍ଠରେ ପାୟସର ଉଚ୍ଚାରଣ ଶୁଣି, ଉପକର ଜିହ୍ୱା ଲାଳସିକ୍ତ ହୋଇଗଲା ।

 

ଉପକ କହିଲା....‘‘ଭଦ୍ରେ, ମୁଁ ବଡ଼ କ୍ଷୁଧାର୍ତ୍ତ । ଗତ ଏକମାସରୁ ଊର୍ଦ୍ଧ୍ୱକାଳ ଧରି, ଏହି ଦୁର୍ବାଶଯ୍ୟାର ଉପରେ ପଡ଼ି, ମୁଁ ଶୁଦ୍ଧପାଣୟ ବ୍ରତ ପାଳନ କରୁଅଛି ।’’

 

ମଧୁମତ୍ତା ଚପଳ କଣ୍ଠରେ ହସି, ପଚାରିଲା.....‘‘ଆଜୀବକର ପୁଣି କ୍ଷୁଧା କ’ଣ ଶମଣ ? ଶୁଦ୍ଧପାଣୟ ବ୍ରତ କରି ଅନ୍ନ ଚିନ୍ତାକଲେ ନିର୍ବାଣ ହେବ ନାହିଁ ଯେ !’’

 

ଉପକ କହିଲା, ‘‘ନିର୍ବାଣ ପ୍ରାପ୍ତିର ପଥ ଯଦି ଅନ୍ନ ଭୋଜନରେ ରୁଦ୍ଧ ହୋଇଯିବ, ତା’ହେଲେ ସେ ନିର୍ବାଣ ଅନ୍ନ କଣିକାଠାରୁ ସୁଦ୍ଧା ସୁଲଭ୍ୟ । ଅର୍ହତ ମଙ୍ଗଳୀ ଗୋଶାଳା ପରା କହିଥିଲେ ଆଜୀବନ ବ୍ରତ–ଉପବାସ, ଗଙ୍ଗାସ୍ନାନ ଓ ସୁକର୍ମ କଲେ ପୁଣ୍ୟପ୍ରାପ୍ତି ହୁଏ ନାହିଁ କି ବ୍ରତ ଉପବାସ ନ କରି ଧର୍ମ ଆଚରଣ ନ କଲେ ପାପର କାଳିମା ସୁଦ୍ଧା ଲାଗେ ନାହିଁ ।’’

 

ମଧୁମତ୍ତା ସ୍ମିତ ହସି କହିଲା....‘କିନ୍ତୁ ଶୁଦ୍ଧପାଣୟ ବ୍ରତବେଳେ ଲୁଚାଇ ଖାଇବା ପାଇଁ ମଙ୍ଗଳୀ ଗୋଶାଳା ଯଦି କହିଥିବେ, ଅଜିତକେଶ କମ୍ୱଳୀ ଶୁଦ୍ଧପାଣୟ ବେଳେ ଜଳ ସୁଦ୍ଧା ସ୍ପର୍ଶ ନ କରିବା ପାଇଁ ନିଶ୍ଚୟ କେଉଁଠି ସୂତ୍ର ବାନ୍ଧିଥିବେ । ସଞ୍ଜୟ ବେଲଥୀପୁତ୍ତ କେଜାଣି ତାହାର ମୀମାଂସା ଜାଣିଥିବେ, ତାଙ୍କୁ ପଚାରିବି ?

 

ମଧୁମତ୍ତାର ଦୁଇ ବିମ୍ୱୋଷ୍ଠୀ କୁଟୀଳ ଭ୍ରୂକୁଟୀରେ କୁଂଚିତ ହୋଇଗଲା ।

 

ଉପକ ମଧୁମତ୍ତା ଆଡ଼େ ମୁଗ୍ଧ ଦୃଷ୍ଟିରେ ଚାହିଁ ଭାବୁଥିଲା, କଳାଭୃଙ୍ଗ ପରି ସେ ମଧୁମତ୍ତାର ବଦନକମଳ ଉପରକୁ ଉଡ଼ିଯାଇ ପାରନ୍ତା କି !

 

ମଧୁମତ୍ତା ପଚାରିଲା...‘‘କି କହିଲ ନାହିଁ ଯେ ! ମୋ ଆଡ଼େ ଚାହି କ’ଣ ଏତେ ଦେଖୁଛ-?’’ ମଧୁମତ୍ତାର ସ୍ମିତହାସ୍ୟ ଉପକର ମର୍ମଦେଶରେ ମୃଗୟୁର ଶର ପରି ବିନ୍ଧିଗଲା ।

 

ମଧୁମତ୍ତା ଚାଲି ଯାଉଥିଲା, ପଛରୁ ଉପକ ଡାକିଲା..... ‘ଭଦ୍ରେ !’

 

ମଧୁମତ୍ତା ପଛକୁ ଫେରି ଚାହିଁ ଉଷ୍ମାଚ୍ଛଳିତ କଣ୍ଠରେ ପଚାରିଲା–‘‘ପୁଣି କ’ଣ କହୁଛ ଶମଣ ?’’

 

ଉପକ କହିଲା.......‘‘ଶମଣକୁ ଭିକ୍ଷା ନ ଦେଇ ଚାଲିଯିବ ମଧୁମତ୍ତା ? ପୁଣ୍ୟ ସଞ୍ଚୟପାଇଁ କାମନା ନାହିଁ ତମର ?’’

 

ମଧୁମତ୍ତା ସ୍ମିତ ହସି ପଚାରିଲା....‘‘କି ଭିକ୍ଷା ନେବ ଶମଣ ?’’

 

ଉପକ ଭୀରୁ କଣ୍ଠରେ କହିଲା....‘‘ତୁମର ପାଦତଳେ ମୋତେ ଦୂର୍ବା କରିବ ସୁନ୍ଦରୀ ?’’

 

ମଧୁମତ୍ତା ଅକୁଣ୍ଠିତ ପରି କହିଲା...‘‘ତୁମର ଏ ବିପରୀତ ରୀତି ମୋତେ ଜଣା ନ ଥିଲା ଶମଣ ।’’

 

ମଧୁମତ୍ତା ତା’ପରେ ନିତମ୍ୱ ଦୋଳାଇ ପୁଣି ଥରେ ଉପକ ଆଡ଼େ ବକ୍ର ଦୃଷ୍ଟିରେ ଚାହିଁ; କୌତୁକରେ ଦନ୍ତପୀଡ଼ିତ ଜିହ୍ୱାଗ୍ର ଦେଖାଇ, ଲୀଳାୟିତ ପାଦରେ ଚାଲିଗଲା । ଉପକର ମନ ହେଉଥିଲା, ଶୁଦ୍ଧପାଣୟର ଏ ନିର୍ବୋଧ ଅଭିନୟ ଛାଡ଼ି, ଆଷାଢ଼ର ମେଘାକ୍ରାନ୍ତା ସନ୍ଧ୍ୟାର ଦେହର ବଳାକା ପରି, ନୀଳଦୂକୁଳାବୃତା ମଧୁମତ୍ତାର ଦେହ ଆଲିଙ୍ଗନ କରିବା ପାଇଁ ।

 

ସେଦିନ ରାତି.......

 

ସଂଘାରାମରେ ସମସ୍ତେ ପ୍ରାୟ ନିଦ୍ରାଚେତନ । ଉପକ, ଉଦ୍ୟାନର ଗୋଟିଏ ଆମ୍ରବୃକ୍ଷ କୋଟର ପାଖରେ ବସି, ହିଂସ୍ର ପଶୁପରି ବେଲଥୀପୁତ୍ତଙ୍କ ଉଦ୍ଦେଶ୍ୟରେ ନିବେଦିତ ପାୟସ ଓ ମିଷ୍ଟାନ୍ନ ଗଳଧଃକରଣ କରୁଥିଲା । ସଂଘାରାମରେ ଅଧିକାଂଶ ଶମଣ ଏଇଆ ହିଁ ନିତି କରିଥାନ୍ତି । ମୋକ୍ଷ ଓ ନିର୍ବାଣ ପାଇଁ ଉପବାସ ରହିବାର କୌଣସି ଅର୍ଥ ନାହିଁ । ଗୌତମ ଯେ ନିର୍ବାଣର ସନ୍ଧାନ ପାଇଛନ୍ତି ବୋଲି ଏତେ ପ୍ରଚାର କରି ବୁଲୁଛନ୍ତି, ସେ ସୁଦ୍ଧାତ ବୃଥା ଉପବାସ ରହି ରହି, ଶେଷକୁ ସରମା ହାତରୁ ପାୟସାନ୍ନ ଭୁଞ୍ଜିଥିଲେ । ଏବେ ବଡ଼ାଇ କରି ବୁଲୁଛନ୍ତି । ସେଇଥିପାଇଁ ତ ଉପକ ତାଙ୍କୁ ମୁହେଁ ମୁହେଁ ମୁଣ୍ଡ ଗହପତ୍ତିକ (ଲଣ୍ଡିତ ମସ୍ତକ ଗୃହସ୍ଥ ବା ଛଦ୍ମବେଶୀ ଶମଣ) ବୋଲି ସେଦିନୁ ଉରୁବିଲ୍ୱ ପଥରେ କହି ଦେଇଥିଲା । ସବୁ ଯଦି ମାୟା, ସବୁ ଯଦି ଅଳୀକ, ତା’ହେଲେ ନିର୍ବାଣ ଯେ ସତ୍ୟ ତାହାର ପ୍ରମାଣ କ’ଣ ?

 

ଉପକର ଦେହରୁ କ୍ଷୁଧା କଥଞ୍ଚିତ ଶାନ୍ତ ହେବା ପରେ, ମଧୁମତ୍ତାକୁ କେନ୍ଦ୍ର କରି ମନର କ୍ଷୁଧା ପ୍ରବଳ ହୋଇ ଉଠିଲା । ଦନ୍ତପୀଡ଼ିତ ଜିହ୍ୱାଗ୍ର ଦେଖାଇ, ମଧୁମତ୍ତାର କୌତୁକ ପରିହାସ ଉପକକୁ ଅନବସ୍ଥିତ କରିଦେଲା ।

 

ନିଶାର୍ଦ୍ଧରେ ସୁପ୍ତ ଆକାଶରେ ଅଗଣିତ ତାରା–ଜୀବନରେ ବହୁ ଅତୃପ୍ତ କାମନା ପରି । ତା’ର ଜ୍ୱାଳାମୟ ଦୀପ୍ତି ଉପକକୁ ତିଳେ ତିଳେ ଦଗ୍ଧ କରିଦେଲା ।

 

ଚାତୁର୍ମାସ୍ୟା ଶେଷ ହେଲା । ମେଘମୁକ୍ତ ଆକାଶରେ ଶରତର ଖଣ୍ଡ ଖଣ୍ଡ ଲଘୁ ମେଘ ଭାସି ବୁଲିଲାଣି, ନିଃସମ୍ୱଳ, ନିରୁଦ୍ଦିଷ୍ଟ, ଅନବସ୍ଥିତ ଶମଣମାନଙ୍କ ପରି । ଏଥର ସଂଘାରାମ ଉଠିବ-। ଶମଣମାନେ ନିଜ ନିଜ ପଥ ଧରି ପୁଣି ପ୍ରବର୍ଜ୍ୟା ଆରମ୍ଭ କରିବେ । ଉପକ ମଧ୍ୟ ଚାଲିଯିବ-। କିନ୍ତୁ ବିଦେହ ଛାଡ଼ିବା ପୂର୍ବରୁ ଥରେ ମଧୁମତ୍ତାର ସାହଚର୍ଯ୍ୟା ପାଇଁ ଉପକର ଚିତ୍ତ ଆକୁଳ ହୋଇ ଉଠିଲା-

 

ଶରତର ଗୋଟିଏ ସ୍ନିଗ୍ଧ, କୋମଳଗୋଧୁଳି । ଉପକ ଭିକ୍ଷାଶେଷରେ ବିଦେହର ରାଜପଥରେ ସଂଘାରାମ ଆଡ଼େ ଫେରୁଥିଲେ । ସେତେବେଳେ ମଧୁମତ୍ତ ନିଜ ଭବନଶିଖରରେ କିଙ୍କରୀମାନଙ୍କର ଗହଣରେ ପାଦଚାରଣା କରି ରାଜପଥରେ ବେଳେବେଳେ ରଥାରୂଢ଼ ହୋଇ ଯାଉଥିବା ଶ୍ରେଷ୍ଠୀ ଓ ରାଜୁମାରମାନଙ୍କୁ ନାନା ଅଙ୍ଗଭଙ୍ଗୀ ଦ୍ୱାରା ପ୍ରଲୁବ୍ଧ କରୁଥିଲା । ଉପକକୁ ରାଜପଥରେ ଦେଖି ମଧୁମତ୍ତା କବରୀରୁ ଗୋଟିଏ ଦଳିତ ଚମ୍ପା କାଢ଼ି ଉପକର କମଣ୍ଡଳୁ ଭିତରକୁ ଫିଙ୍ଗିଦେଲା ।

 

ଭବନଶିଖରରେ ଭୂବନବିମୋହିନୀମଧୁମତ୍ତାକୁ ଦେଖି, ଉପକର ସାରା ଦେହ ଏକ ଉତ୍ତେଜନାରେ ଦୀପର ଶିଖାପରି ପ୍ରକମ୍ପିତ ହୋଇଗଲା । କିନ୍ତୁ ପରମୁହୂର୍ତ୍ତରେ ନିଜର ରୁକ୍ଷ ବେଶବାସ, ମଳିନ କୌପୀନ, ଛିନ୍ନ ଚୀବର ଓ ଅର୍ଦ୍ଧଦଗ୍ଧ ବିକଳ ହସ୍ତରେ ଶୂନ୍ୟ କମଣ୍ଡଳୁ ଦେଖି, ମନ ତା’ର ସଙ୍କୁଚିତ ହୋଇଗଲା । ବହୁ ବହୁବର୍ଷ ତଳେ, ଆଜୀବକ ସଭାରେ ପ୍ରଥମ ଦୀକ୍ଷା ଗ୍ରହଣବେଳେ ରୂପ, ସ୍ପର୍ଶ ଓ ଅନୁଭୂତି ଜୟ କରିବାପାଇଁ, ଆଜୀବକ ଦୀକ୍ଷା ଗ୍ରହଣ ବିଧି ଅନୁସାରେ, ସେ ତପ୍ତ ଲୌହଖଣ୍ଡ ଦୁଇ ହାତରେ ଅଞ୍ଜଳିବଦ୍ଧ କରି ଧରିଥିଲା । ସେହିଦିନୁ ଦୁଇ ହାତର ଅଙ୍ଗୁଳି ଗୁଡ଼ିକ ଦଗ୍ଧ ହୋଇ, କେବଳ ଅର୍ଦ୍ଧଦଗ୍ଧ, କୁଞ୍ଚିତ ଚର୍ମ ତଳେ ଅସ୍ଥିଖଣ୍ଡମାନ ଅବଶିଷ୍ଟ ରହିଅଛି ।

 

ଉପକ ଇତସ୍ତତଃ ହେଉଥିଲା, ଏତିକିବେଳେ ମଧୁମତ୍ତାର ପରିଚାରିକା କାମଦା ବାହାରକୁ ଆସି କହିଲା–‘‘ଅଭ୍ୟନ୍ତରକୁ ପଦାର୍ପଣ କରନ୍ତୁ ! ସଖୀ ଅବୁସଙ୍କୁ କାମନା କରିଅଛନ୍ତି ।’’

 

କାମଦାର ପରିହାସ–ଚପଳ ଆମନ୍ତ୍ରଣ ଉପକକୁ ଆଉରି କାମଦଗ୍ଧ କରିଦେଲା । ଉପକ ପଚାରିଲା........ ‘ତୁମକୁ କେଉଁ ନାମରେ ସମ୍ୱୋଧନ କରିବି ଭଦ୍ରେ ?’’

 

କାମଦା ସ୍ମିତ ହସି କହିଲା.......‘‘କାମଦା ।’’

 

ଉପକ ଶୁଷ୍କ ଦୁଇ ଓଷ୍ଠ ଉପରେ କ୍ଷୁଧିତ ପଶୁପରି ଜିହ୍ୱାଗ୍ର ବୁଲାଇ ଅସ୍ପଷ୍ଟ ସ୍ୱରରେ ମନେ ମନେ ଉଚ୍ଚାରଣ କଲା–‘‘କାମଦା, କାମଦା ।’’

 

ଅପ୍ରଶସ୍ତ ଅଳିନ୍ଦ ପଥରେ ଗଲାବେଳେ ଉପକର ମନ ହେଉଥିଲା ଥରେ କାମଦାକୁ ନିବିଡ଼ ବାହୁପାଶରେ ଆଲିଙ୍ଗନ କରିବାପାଇଁ । ମାତ୍ର ଅଳିନ୍ଦ ପ୍ରାନ୍ତରେ ସ୍ମିତହାସିନୀ ମଧୁମତ୍ତା, କେଳିମନ୍ଦିର ଦ୍ୱାରରେ ଉପକର ପଥ ଚାହିଁ ଠିଆ ହୋଇଥିଲା । କୁସୁମ, ଅଗୁର ଓ ସୁବାସ ସହିତ ସିତଚନ୍ଦନ ଲେପିତ ନାରୀ ଦେହର ଲୋଭନୀୟ ଗନ୍ଧ, କ୍ଷୁଧିତ ଉପକର ଦୁଇ ଆକ୍ଷିରେ ଏକ ଅନିର୍ବଚନୀୟ କଳ୍ପଲୋକ ସୃଷ୍ଟି କରିଦେଲା ।

 

ମଧୁମତ୍ତା କହିଲା–‘‘ଭିତରକୁ ଆସନ୍ତୁ ଶମଣ ।’’

 

କୁସୁମ ବିଚିତ୍ରିତ, ଅଗୁର ସୁବାସିତ, ଦୀପାଲୋକିତ, ବୀଣା ଓ ବିପଞ୍ଚୀନିନ୍ଦିତ କେଳିମନ୍ଦିରରେ, ମଧୁମତ୍ତା ଛିନ୍ନକମଳଦଳର ଶଯ୍ୟା ଉପରେ, ଦେହ ଢାଳିଦେଇ, କିଂକର୍ତ୍ତବ୍ୟବିମୂଢ଼ ଉପକ ଆଡ଼େ ଚାହିଁ ସ୍ମିତ ହସି କହିଲା....‘‘ଏଠାରେ ଉପବେଶନ କରନ୍ତୁ ଶ୍ରମଣ ।’’

 

ଉପକ ଚାହିଁ ଦେଖୁଥିଲା–ଶିରୀଷମାଲ୍ୟଭୁଷିତା, ନବମଣି ବିନିର୍ମିତ କାଞ୍ଚୀ, କେୟୂର, କଙ୍କଣ ଓ ନୁପୂରଭୂଷିତା, ସୁଧାରସ ତରଙ୍ଗିତନୟନା, ମଦାବେଶବିହ୍ୱଳା ଏବଂ ରତିକାଙ୍‌କ୍ଷିଣୀ ନାରୀ, ନାରୀ ନୁହେଁ; ବିଶ୍ୱର ପୁଞ୍ଜୀଭୂତ କାମନା ଯେପରି ଅଗଣିତ ଜୀନ, ତୀର୍ଥଙ୍କର ନିର୍ବାଣ ସାଧନାକୁ ଉପହାସ କରି, କମଳାଦଳାବୃତ ଶଯ୍ୟାରେ, ଅଳସ ଅପରାହ୍ନପରି ଦେହ ଢାଳି ଶୋଇଛି-

 

ମଧୁମତ୍ତା କାମଦାକୁ ଡାକି କହିଲା–‘‘ଆଲୋ କାମଦା, ଶମଣକୁ ଆସବ ନିବେଦନ କର-।’’

 

କାମଦା ସ୍ପଟିକର ଦୁଇଟି ପାନପାତ୍ରରେ ଆସବ ଆଣି ଉପକ ଓ ମଧୁମତ୍ତାଙ୍କ ମଝିରେ ରଖିଦେଲା । ଉପକ କମ୍ପିତ ହସ୍ତରେ ଗୋଟିଏ ପାତ୍ର ଉଠାଇ ମୁହୂର୍ତ୍ତକ ମଧ୍ୟରେ ନିଃଶେଷ କରି ଦେଉଥିଲା; ମଧୁମତ୍ତା କହିଲା–‘‘ଭୟ ନାହିଁ ଶମଣ, ଏ ସଞ୍ଜୟ ବେଲଥୀପୁତ୍ତଙ୍କ ସଂଘାଗମ ନୁହେଁ ବା ନିଶାର୍ଦ୍ଧରେ ଅପହୃତ ପାୟସ୍ନାନ ନୁହେଁ । ଧୀରେ ଧୀରେ ମୋ ଆଡ଼େ ଚାହିଁ ସ୍ମିତହସି ପାନ କରନ୍ତୁ ।’’ ମଧୁମତ୍ତା ତା’ପରେ ନିଜେ ଗୋଟିଏ ପାତ୍ର ଦୁଇ ଓଠ ପାଖରେ ତୋଳି ଧରି ଧୀରେ ଧୀରେ ଆସବ ପାନ କଲା । ଏହା ପୂର୍ବରୁ ଉପକ, କେତେବାର ଅବଶ୍ୟ ଲୁଚାଇ ଲୁଚାଇ ଆସବ ପାନ କରିଛି । ଆସବ ପାନ କରିବା, ଆଜୀବକମାନଙ୍କ ପକ୍ଷରେ ଏକାନ୍ତ ନିଷିଦ୍ଧ ନୁହେଁ । ମାତ୍ର ଆଜି ମଧୁମତ୍ତାର ସ୍ଫୁରିତ ବିମ୍ୱାଧର ଓ ନୀଳୋତ୍ପଳନିନ୍ଦୀ କୁରଙ୍ଗୀ–ନୟନ ଆଡ଼େ ଚାହିଁ ଆସବ ପାନ କଲାବେଳେ ଏକ ଅପୂର୍ବ ତୃପ୍ତିରେ ଉପକକୁ ଅବସନ୍ନ ପରି ଲାଗିଲା ।

 

ନୀଳ ଚୀନାଂଶୁକର ଅବଗୁଣ୍ଠନ ତଳେ ମଧୁମତ୍ତାର ଏ କି ରୂପଶ୍ରୀ......ଜ୍ୟୋସ୍ନାର୍ଚ୍ଚିତ ଆକାଶ ତଳେ ଭୁବନବିମୋହିନୀ ରାତ୍ରି ପରି ।

 

ମଧୁମତ୍ତା ପଚାରିଲା–‘‘ଏ ଜନ୍ମ ପରେ ଆଉ ପୁନର୍ଜନ୍ମ ଅଛି ଶମଣ ?’’

 

ଉପକ କହିଲା–‘‘ଏଠି ଜନ୍ମ ପୁନର୍ଜନ୍ମର ବିଚାର କାହିଁକି ମଧୁମତ୍ତା ?’’

 

ମଧୁମତ୍ତା ଗୋଟିଏ କମଳ କଳିକା କଞ୍ଚୁକ–ପୀଡ଼ିତ ଦୁଇ ବକ୍ଷୋଜ ଉପରେ ଧୀରେ ଧୀରେ ନଚାଇ ପଚାରିଲା–‘ତା’ ହେଲେ ଏ ଜନ୍ମପରେ ଆଉ ପୁନର୍ଜନ୍ମ ନାହିଁ ଶମଣ ?’’

 

ୟଉପକ କହିଲା–‘‘ମୁଁ ଜାଣେ ନା, କେହି ଜାଣେ ନାହିଁ । ପୁନର୍ଜନ୍ମ ଥିବା ମୁଁ ଜାଣେ ନାହିଁ-। ନଥିବା ମଧ୍ୟ ଜାଣେ ନାହିଁ । ମୁଁ ଜାଣେ ଜନ୍ମ ମିଥ୍ୟା, ପୁନର୍ଜନ୍ମ କଳ୍ପନା, ସତ୍ୟ କେବଳ ଧାବମାନ ଏହି ମୁହୂର୍ତ୍ତ, ଆଉ ତୁମେ ! ତୁମଠାରେ ମୋର ଭିକ୍ଷା କ’ଣ କାଳେ କାଳେ ଅତୃପ୍ତ ରହିଯିବ ମଧୁମତ୍ତା ?’’

 

ମଧୁମତ୍ତା ସ୍ମିତ ହସି ଉପକକୁ ଆଉରି ପ୍ରଲୁବ୍ଧ କରି ପଚାରିଲା–‘‘ତୁମର କି ଭିକ୍ଷା ଶମଣ-?’’

 

ଉପକ କହିଲା–‘‘ଥରେ ଦୁଇ ହାତରେ ତୁମକୁ ଅନୁଭବ କରିବାକୁ ଦେବ ମୋତେ ସୁନ୍ଦରୀ ?’’

 

ମଧୁମତ୍ତା କହିଲା....‘‘ଶମଣ, ବିଦେହ ରାଜକୋଷର ଦୈନିକ ଆୟ, ମୋର ଏକ ରାତ୍ରିର ଆୟର ଅର୍ଦ୍ଧାଂଶରୁ ସୁଦ୍ଧା କମ୍‌ । ମୋର ପ୍ରଶ୍ନର ଉତ୍ତରରେ ହିଁ ତୁମକୁ ମୂଲ୍ୟ ଦେବା ପାଇଁ ପଡ଼ିବ ।’’

 

ମଧୁମତ୍ତାର ଦୁଇ ଆକ୍ଷି, ମୁହୂର୍ତ୍ତକ ପୂର୍ବରୁ ସ୍ନିଗ୍ଧତା ହରାଇ କଠୋର ହୋଇଗଲା ।

 

ଉପକ ଆକୁଳକଣ୍ଠରେ ପଚାରିଲା–‘‘କିନ୍ତୁ ସେ ପ୍ରଶ୍ନରେ କି ପ୍ରୟୋଜନ ମଧୁମତ୍ତା ?’

 

ମଧୁମତ୍ତା କହିଲା–‘‘ତୁମେ କ’ଣ ଭାବୁଚ, ଶମଣ ଅନ୍ୟର ପାଦତଳେ କେବଳ ଅସହାୟ ଭାବରେ, ନିବେଦିତ ହେବା ହିଁ କୁସୁମର ଭବିତବ୍ୟ ?–ପୁନର୍ଜନ୍ମ କଳ୍ପନା ହୋଇପାରେ । ମାତ୍ର ପୁନର୍ଜନ୍ମରେହିଁ ମୋର ଶାନ୍ତି, ମୋର ପୂର୍ଣ୍ଣତା । ମୋତେ ଆଉ ଛଳନା ନ କରି କୁହ ଶମଣ, ପୁନର୍ଜନ୍ମ ଅଛି କି ନାହିଁ ?’’

 

ଉପକ କିଂକର୍ତ୍ତବ୍ୟବିମୂଢ଼ ହୋଇ କହିଲା–‘‘ଥାଇପାରେ, ହୁଏତ ଅଛି ।’’

 

ମଧୁମତ୍ତା କେତୋଟି ମୁହୂର୍ତ୍ତ ଉପକ ଆଡ଼େ ସ୍ଥିର ଅବିଚଳିତ ଦୃଷ୍ଟିରେ ଚାହିଁ ରହିଲା । ଉପକ ଆକୁଳ ଆବେଗରେ ମଧୁମତ୍ତାକୁ ଆଲିଙ୍ଗନ କରିବା ପାଇଁ ଦୁଇବାହୁ ପ୍ରସାରିତ କରିବା ମାତ୍ରେ, ମଧୁମତ୍ତା ଉପର ଦୁଇ ଅର୍ଦ୍ଧ–ଦଗ୍ଧ ହାତ ଦେଖି ଆର୍ତ୍ତଚିତ୍କାର କରି ଉଠିଲା । ଉପକ ନିଜର ଦୁଇ ଅର୍ଦ୍ଧ ଦଗ୍ଧ ହାତର ବିଭତ୍ସତାରେ ନିଜେ ସୁଦ୍ଧା ଏକ ଅବ୍ୟକ୍ତ ଆତଙ୍କରେ ଆତଙ୍କିତ ହୋଇପଡ଼ିଲା । ମଧୁମତ୍ତା ନିଜର ଦୁଇ, କୋମଳ ରକ୍ତିମ କରପଲ୍ଲବ ଦୁଇ ଆଖି ଉପରେ ଚାପି ଧରି କାମଦାକୁ ଡାକି କହିଲା–‘‘ଆଲୋ କାମଦା, କାହିଁଗଲୁ କାମଦା ! ଶମଣଙ୍କୁ ଶୀଘ୍ର ବିଦାୟ କରିଦେ ଏଠୁ ।’’

 

କାମଦା ମଧ୍ୟ ଉପକର ଦୁଇ ଅର୍ଦ୍ଧଦଗ୍ଧ ହାତ ଦେଖି ଭୟରେ ଆର୍ତ୍ତଚିତ୍କାର କଲା । ଉପକ ବେତ୍ରାହତ ଶିଶୁପରି ମଧୁମତ୍ତାର କେଳି ମନ୍ଦିର ଛାଡ଼ି, ରାଜପଥକୁ ପଳାଇ ଆସିଲା ।

 

ବେତ୍ରବତୀର ତଟଭୂମି ଆସନ୍ନ ସନ୍ଧ୍ୟାର ପ୍ରାୟାନ୍ଧକାର ମଧ୍ୟରେ ଅସ୍ପଷ୍ଟ ଦିଶିଲାଣି । ଜଳାର୍ଥିନୀମାନେ କେତେବେଳୁ ବିଦାୟ ନେଇ ସାରିଲେଣି । ବେତ୍ରବତୀର ତଟଭୂମି, ନିଃଶବ୍ଦ ଓ ନିର୍ଜନ । ସମାଧିସ୍ଥ ଶମଣ ପରି ଆକାଶ ଗଭୀର, ଗମ୍ଭୀର ଓ ଅବିଚଳିତ । ଉପକ ବେତ୍ରବତୀ ଅତିକ୍ରମ କରି ଅପରପାର୍ଶ୍ୱରେ ପହଞ୍ଚିଲାବେଳକୁ ଆକାଶରେ ଗୋଟିଏ, ଦିଓଟି ହୋଇ, ସନ୍ଧ୍ୟାର ତାରା ଫୁଟି ଉଠିଥିଲା ।

 

ଏଠୁ, ଅଦୂରରେ ଏଇ ଦେଖାଯାଏ......ଚମ୍ପା ଜନପଦ । ଧୂସର ଦିଗ୍‌ବଳୟର ପୃଷ୍ଠଭୂମିରେ, ଚମ୍ପାର ଆଜୀବନ ସଂହତିର ସ୍ତପଚୂଡ଼ା ତଥାପି ଅସ୍ପଷ୍ଟ ଭାବରେ ଦେଖାଯାଉଅଛି । ଆଜି ରାତି ହୁଏତ ସେଇଠାରେ କଟିବ ।

 

...ଆଜି ତଥାପି ମନେପଡ଼େ ଯୌବନର ପ୍ରାରମ୍ଭରେ ବହୁଦିନ ତଳର ମଧୁମତ୍ତା କଥା । ମଧୁମତ୍ତା ଚାହୁଁଥିଲା ପୁନର୍ଜନ୍ମ, ହୁଏତ ବ୍ୟର୍ଥ ନାରୀତ୍ୱ ଓ ମାତୃତ୍ୱର ନୂତନ ସାର୍ଥକତା ପାଇଁ । ମଧୁମତ୍ତାର ସେହି ଆକୁଳ ଜିଜ୍ଞାସା, ଏବେ ସୁଦ୍ଧା ଉପକର ମନେ ପଡ଼େ....‘‘ଅନ୍ୟର ପାଦତଳେ କେବଳ ଅସହାୟ ଭାବରେ ନିବେଦିତ ହେବାହିଁ କ’ଣ କୁସୁମର ଭବିତବ୍ୟ ?’’

 

ଉପକ ମଧ୍ୟ ଚାହେଁ ପୁନର୍ଜନ୍ମ, ଜୀବନର ନୂତନ ଉପଲବ୍ଧି ପାଇଁ ।

 

ଦୁଇ

 

ବିଦେହରୁ ବିଦାୟ ନେବାର ଆଜିକୁ ପ୍ରାୟ ଏକ ଯୁଗ ବିତିଲାଣି । ମଧୁମତ୍ତାର କେଳି ମନ୍ଦିରରୁ ସେଦିନ ବେତ୍ରାହତ ଶିଶୁ ପରି ପଳାୟନ ପରେ, ବହୁ କଠୋର ବ୍ରତ ଉପବାସ ଓ ସାଧନାରେ ଉପକର ଦେହ ଶୀର୍ଣ୍ଣ ହୋଇଛି, ଯୌବନ ପ୍ରାୟ ନିଃଶେଷ ହୋଇଛି; ତଥାପି ବିଶୁଷ୍କ, ବିଦଳିତ ବକୁଳ ପରି ସେଥିରୁ କାମନାର ସୁରଭି ନିଭିନାହିଁ । ଏବେ ସୁଦ୍ଧା ବେଳେବେଳେ, ମଧୁମତ୍ତାର ସ୍ମୃତି, ଉପକର ପ୍ରୌଢ଼ତ୍ୱ–ପାଣ୍ଡୁରିତ ହୃଦୟ ବନରେ ଅଦିନମଳୟ ପରି ଜାଗିଉଠେ । ମାତ୍ର ଉପକ ଅତି କଠୋର ଭାବରେ କାମନାର ସେ ଲେଲିହାନ ଶିଖା ଦମନ କରିଛି । ତା’ର ସାଧନା, ସଂଯମ ଓ ନିଷ୍ଠା ଆଜୀବନ ସମାଜରେ ଉପକକୁ ପୂଜନୀୟ ମହନୀୟ କରିଅଛି । ତଥାପି କେବେ କେବେ, କେତେକ ଅସତର୍କ ମୁହୂର୍ତ୍ତରେ, ସଂଯମର ସମସ୍ତ ଶୃଙ୍ଖଳ ଭାଙ୍ଗୀ, ଶୀତକ୍ଳିଷ୍ଟ ପାଣ୍ଡୁର ଅରଣ୍ୟରେ, ମଧୁମତ୍ତା ରକ୍ତିମ ପଲାଶର ଆଗ୍ନେୟ ଉଚ୍ଛ୍ୱାସ ପରି ଜାଗି ଉଠେ ମାତ୍ର ପର ମୁହୂର୍ତ୍ତ ଉପକ ନିଜର ଦୁଇ ଅର୍ଦ୍ଧଦଗ୍ଧ ହାତଆଡ଼େ ଚାହିଁ ପୁଣି ଅତି କଠୋର ଭାବରେ ସେ ମାନସିକ ଚଞ୍ଚଳତା ଦମନ କରେ ।

 

ମଧୁମତ୍ତା ଚାହିଁଥିଲା ପୁନର୍ଜନ୍ମ...ଉପକ ଚାହେଁ ପୁନର୍ଜନ୍ମ ।

 

କିନ୍ତୁ ପୁନର୍ଜନ୍ମ ନାହିଁ ।

 

ଦିନେ ପଞ୍ଚଭୂତ ପଞ୍ଚଭୂତରେ ଲୀନ ହୋଇଯାଏ ।

 

ପୁନର୍ଜନ୍ମ ନାହିଁ !

 

ଏଇ ଜୀବନ ହିଁ ଏକମାତ୍ର ସତ୍ୟ !

 

ତା’ହେଲେ ସଂଯମର ନାଗପାଶରେ ସେ ଜୀନବକୁ ତିଳେ ତିଳେ ଏପରି ଦଗ୍ଧ ଓ ନିଷ୍ପେଷିତ କରି ନିର୍ବାଣ ପାଇଁ ସାଧନାର ସାର୍ଥକତା କେଉଁଠି ?

 

ଚମ୍ପାର ଆଜୀବ୍ୟ ସଭାରେ ସେଦିନ ନିଗନ୍ଥନାଥପୁତ୍ତଙ୍କ ଜଣେ ଶିଷ୍ୟ କିଶା ସହିତ ବହୁ ଯୁକ୍ତିତର୍କ ହେଲା । ପଲାସପୁର ପଥରେ ଯାଉଁ ଯାଉଁ, କିଶା ଚମ୍ପାର ଆଜୀବ୍ୟସଂହତିରେ କିଛିଦିନ ବିଶ୍ରାମପାଇଁ ରହିଥିଲେ । ଉପକ ପହଞ୍ଚିଲା ବେଳକୁ ଆଜୀବ୍ୟ ସଭାମଣ୍ଡପ ବହୁ ଶମଣ ତଥା ଚମ୍ପାର ଅନ୍ୟ ସାଧାରଣ ନାଗରିକଙ୍କ ଦ୍ୱାରା ଜନାକୀର୍ଣ୍ଣ ହୋଇଥିଲା । ମଣ୍ଡପ ମଝିରେ କିଶା ଯୋଗାସନରେ ବସି ଶ୍ରୋତୃମଣ୍ଡଳୀକୁ ଶମଣଫଳସୁତ୍ତ* ବୁଝାଉଥିଲେ । କିଶା କହିଥିଲେ.....‘‘ପୁନର୍ଜନ୍ମ ଅଛି କି ନାହିଁ ନିଗନ୍ଥ ଜାଣନ୍ତି ନାହିଁ । ଶମଣର ସାଧନାରେ ସାର୍ଥକତା ଅଛି କି ନାହିଁ, ତା’ ମଧ୍ୟ ନିଗନ୍ଥ ଜାଣନ୍ତି ନାହିଁ ।’’

 

* ଆଜୀବ୍ୟମାନଙ୍କର ଏକ ଧର୍ମସୂତ୍ର ।

 

* ଚତୁର୍ବିଧ ସଂଯମ

 

ଶ୍ରୋତାମାନଙ୍କ ମଧ୍ୟରୁ ଜଣେ ପଚାରିଲା–‘‘ପାପ ଆଉ ପୁଣ୍ୟ ମଧ୍ୟରେ ପାର୍ଥକ୍ୟ କ’ଣ ? ଅଜିତ କେଶକମ୍ୱଳୀ କହନ୍ତି, ତପ, ଯଜ୍ଞ, ଦାନ ଓ ଧର୍ମରେ ପୁଣ୍ୟ ନାହିଁ ବା ହତ୍ୟା ରକ୍ତପାତ ଓ ଲୁଣ୍ଠନରେ ପାପନାହିଁ ।

 

କିଶା କହିଲେ–‘‘ନିଗନ୍ଥ ତାହା ମଧ୍ୟ ଜାଣନ୍ତି ନାହିଁ ।’’

 

ଶ୍ରୋତାମାନଙ୍କ ମଧ୍ୟରୁ ଜଣେ ବ୍ରାହ୍ମଣ ପରିହାସ–ମିଶ୍ରିତ କଣ୍ଠରେ ପଚାରିଲେ ‘‘ତା’ହେଲେ ନିଗନ୍ଥ କ’ଣ ଜାଣନ୍ତି ?’’

 

କିଶା କହିଲେ–‘ନାଥପୁତ୍ତ କହନ୍ତି, କାମନାର ଗ୍ରନ୍ଥି ଛିନ୍ନ କର, ଚତୁଃଯମ, ଦ୍ୱାରା ନିଗନ୍ଥ ମୋକ୍ଷଲାଭ କରେ ।’’

 

ଶ୍ରୋତୃମଣ୍ଡଳୀ ମଧ୍ୟରେ, ମଣ୍ଡପ ତଳେ ଠିଆ ହୋଇ ଉପକ ପଚାରିଲେ–‘‘କେଉଁଟା ସତ୍ୟ କିଶା ? ଜୀବନ ନା ମୋକ୍ଷ ?’’

 

କିଶା ଦରନୀମିଳିତ ଦୁଇ ଆଖି ମେଲାଇ ପ୍ରଶ୍ନକର୍ତ୍ତାଙ୍କ ଆଡ଼େ ଚାହିଁ ଦେଖିଲେ ମଣ୍ଡପ ତଳେ ଅଦୂରରେ ଠିଆ ହୋଇଛନ୍ତି ସୁବିଦିତ. ଶମଣଶ୍ରେଷ୍ଠ, ବେଲଥୀପୁତ୍ତଙ୍କ ଶିଷ୍ୟ ଏକଦଣ୍ଡୀ ଉପକ ।

 

କିଶା ପରିହାସ ଜର୍ଜରିତ କଣ୍ଠରେ କହିଲେ...‘‘ଯେ ଶମଣଶ୍ରେଷ୍ଠ ଉପକ ! ବିଦେହରେ ରୂପଜୀବ୍ୟା ମଧୁମତ୍ତାର କେଳି ମନ୍ଦିରରେ ଏହାଙ୍କର ଦଣ୍ଡ, କମଣ୍ଡଳୁ ଓ ଚୀବର ଏବେସୁଦ୍ଧା ପଡ଼ିଛି-।’’

 

ସମବେତ ଶ୍ରୋତୃମଣ୍ଡଳୀର ଅଟ୍ଟହାସରେ ଆଜୀବ୍ୟ–ସଭା ପ୍ରାଙ୍ଗଣ ମୁଖରିତ ହୋଇଉଠିଲା । ଉପକ ଏଥିରେ ବିଚଳିତ ନ ହୋଇ କହିଲେ....‘‘ଚତୁଃ–ଯମ–ସମ୍ଭୁତ କିଶା ତା’ହେଲେ ବିଦେହର ରୂପଜୀବ୍ୟା ଗଣିକା ମଧୁମତ୍ତାର କେଳି ମନ୍ଦିର ସହିତ ଅପରିଚିତ ନୁହନ୍ତି ।’’

 

ଉପକଙ୍କ ଏ ପ୍ରତ୍ୟୁକ୍ତିରେ ଶ୍ରୋତୃମଣ୍ଡଳୀର ଅଟ୍ଟହାଦସ ଦ୍ୱିଗୁଣିତ ହୋଇଗଲା । ପ୍ରୌଢ଼, ମୁଣ୍ଡିତ, ଅକେଳକ *କିଶା, ଉପକଙ୍କ ଏ ଉକ୍ତିରେ ଆହାତ ହୋଇ ନୀରବରେ ତଳକୁ ଚାହିଁ ରହିଲେ-

 

*ଉଲଗ୍ନ

 

କିଶା କହିଲେ–‘‘ବହୁବର୍ଷ ତଳେ ଚାର୍ତୁମାସ୍ୟା ପାଇଁ ମୁଁ ବିଦେହର ଆଜୀବ୍ୟ ସଭାରେ ରହୁଥିଲି । ଥରେ ରୂପଜୀବ୍ୟା ମଧୁମତ୍ତା ଭିକ୍ଷା ଦେବାପାଇଁ ମତେ ଆମନ୍ତ୍ରଣ କରି, ପୁନର୍ଜନ୍ମ ଅଛି କି ନାହିଁ ବୋଲି ପଚାରିଥିଲା । ସେତେବେଳେ ମଧୁମତ୍ତାର ଭବନରେ ପରିତ୍ୟକ୍ତ, କମଣ୍ଡଳୁ ଓ ଚୀବର ଦେଖି, ତାହା କାହାର ବୋଲି ପଚାରିଥିଲି । ତାହା ସଞ୍ଜୟ ବେଲଥୀପୁତ୍ତଙ୍କ ଶିଷ୍ୟଶିରୋମଣି ଉପକଙ୍କର ଦଣ୍ଡ, ଚୀବର ଓ କମଣ୍ଡଳୁ ବୋଲି ସେତେବେଳେ ଶୁଣିଥିଲା ।’’

 

ଆଜୀବକମାନଙ୍କ ପ୍ରତି ନାନା, କଟୂକ୍ତି ଓ ପରିହାସ କୋଳାହଳ ମଧ୍ୟରେ ଶ୍ରୋତାମାନଙ୍କର ଗହଳି ଭାଙ୍ଗିଗଲା । ଆଜୀବ୍ୟ–ସଭାର ଶମଣମାନଙ୍କ ମଧ୍ୟରେ କେହି ଉପକଙ୍କ ପକ୍ଷ ଆଉ କେହି ବା କିଶାଙ୍କ ପକ୍ଷ ନେଇ, ନିଜ ନିଜ ମଧ୍ୟରେ କଳହ ଆରମ୍ଭ କରିଦେଲେ । କିଛି ସମୟ ପରେ ଆଜୀବ୍ୟ–ସଭା ନିର୍ଜନ ଓ ନିଃଶବ୍ଦ ହୋଇଗଲା । ଆଜୀବକମାନଙ୍କର ବିଧାନ ଅନୁସାରେ, ଦିନସାରା ରୌଦ୍ରଦୀପ୍ତ ଆକାଶ ତଳେ ସେମାନେ ବାହାରେ ଶୟନ କରନ୍ତି । ମାତ୍ର ରାତ୍ରି ହେଲେ ସେମାନଙ୍କୁ ନିଜ ନିଜ ରୁଦ୍ଧ ଅନ୍ଧକାର ପ୍ରକୋଷ୍ଠର ପାଷାଣଶଯ୍ୟା ଉପରେ ଶୟନ କରିବାପାଇଁ ପଡ଼େ । ଉପକ ଗୋଟିଏ ଶୂନ୍ୟ ପ୍ରକୋଷ୍ଠ ଦେଖି ତା’ ଭିତରକୁ ଚାଲିଗଲେ ।

 

ବାହାରେ ଜ୍ୟୋସ୍ନାପୁଲକିତା ରାତ୍ରି, ପ୍ରତିକ୍ଷମାଣା ବିଳାସିନୀପରି, ସୁପ୍ତିମୂର୍ଚ୍ଛିତ ଆକାଶରେ ଚନ୍ଦ୍ର ମୁକୁରକୁ ଚାହିଁ ଯେପରି ଶୃଙ୍ଗାର କରୁଥିଲା ।

 

ନିଶାର୍ଦ୍ଧ.....

 

ଚମ୍ପାର ରାଜପଥରେ ପ୍ରହରୀ ରାତ୍ରିର ଦ୍ୱିତୀୟଯାମ ଘୋଷଣା କରାଗଲା । ମାତ୍ର ଉପକଙ୍କ ଆଖିରେ ନିଦ ନାହିଁ । ଉପକ ପ୍ରକୋଷ୍ଠର ପାଷାଣ ଚତ୍ୱର ଉପରେ ବସି, କେତୋଟି ମୁହୂର୍ତ୍ତ ବାହାରର ଜ୍ୟୋସ୍ନାଲୋକିତ ପ୍ରାଙ୍ଗଣ ଆଡ଼େ ଚାହିଁଲେ । ତା’ପରେ ପ୍ରକୋଷ୍ଠର ଗୋଟିଏ କୋଣରୁ ନିଜ ଦଣ୍ଡ ଆଣି ହାତରେ ଧରି, ବାହାରକୁ ଚାଲି ଆସିଲେ ।

 

ଅଳ୍ପ ଦୂରରେ କିଶାଙ୍କର ପ୍ରକୋଷ୍ଠ ।

 

ଉପକ, କିଶାଙ୍କର ପ୍ରକୋଷ୍ଠ ପାଖରେ ଠିଆହୋଇ ଅନୁଚ୍ଚ କଣ୍ଠରେ କିଶାଙ୍କର ନାମ ଧରି ଡାକିଲେ । କିଛି ସମୟ ପରେ, କିଶା ନିଦ୍ରାତୁର କଣ୍ଠରେ ପଚାରିଲେ–‘‘କିଏ ?’’

 

ଉପକ କହିଲେ–‘‘ମୁଁ ଉପକ ।’’

 

କିଶା ପଚାରିଲେ–‘‘ଉପକ ! ରାତ୍ରି ବର୍ତ୍ତମାନ କେଉଁ ପ୍ରହରରେ ? ତୁମେ ଏ ନିଶାର୍ଦ୍ଧରେ କ’ଣ କରୁଛ ?’’

 

ଉପକ କହିଲେ–‘‘ତୁମକୁ କେତେକ କଥା ପଚାରିବା ପାଇଁ ଆସିଛି କିଶା !’’

 

କିଶା କହିଲେ–‘‘ଭିତରକୁ ଆସ ।’’

 

ଉପକ କହିଲେ–‘‘ବାହାରେ ସୁନ୍ଦର ଜ୍ୟୋସ୍ନାଲୋକିତ ରାତ୍ରି । ଏ ପାଷାଣ ଅନ୍ଧକୂପ ମଧ୍ୟରେ ନୁହେଁ, ଉଦ୍ୟାନକୁ ଆସ ।’’

 

କିଶା ସମ୍ମୋହିତ ପରି ଉପକଙ୍କ ପଛେ ପଛେ ଆସିଲେ । ଉଦ୍ୟାନର ଏ ନିଭୃତ ଅଶୋକ କୁଞ୍ଜତଳେ ଅକେଳକ, ଲଣ୍ଡିତ କିଶା ଓ ଜଟାଜୁଟବୃତ କୌପୀନ ପରିହିତ ଉପକ, ଆସି ବସିଲେ ।

 

ଅପୁଷ୍ପିତ ଅଶୋକ, ଯେପରି କେଉଁ ଶୋଭନାର ସାଳକ୍ତକ, ସୁନୂପୁର ବାମ ଚରଣରୁ ପାଦାଘାତର ଅତୃପ୍ତ ଦୋହଦ ଧରି ଠିଆ ହୋଇ ରହିଚି ।

 

ଉପକ କିପରି କଥା ଆରମ୍ଭ କରିବେ, ବୁଝି ନ ପାରି କିଂକର୍ତ୍ତବ୍ୟବତମୂଢ଼ ପରି ଅଶରୀରୀ ଜ୍ୟୋସ୍ନା ଆଡ଼େ ଚାହିଁ ରହିଥିଲେ ।

 

କିଶା କହିଲେ–‘‘ମୋତେ କ୍ଷମା କରିବ ଉପକ, ମୁଁ ତୁମକୁ ଆଜି ଅଯଥା ଲାଞ୍ଛିତ କରିଅଛି ।’’

 

ଉପକ ପଚାରିଲେ–‘‘ମଧୁମତ୍ତା ସହିତ ତୁମର ପରିଚୟର କାହାଣୀ କହିବ ମୋତେ କିଶା ?’’

 

କିଶା କହିଲେ–‘‘ମଧୁମତ୍ତା ସହିତ ମୋର ପରିଚୟ ଏକ ଦୁର୍ଘଟଣା । ଆଜକୁ ବହୁ ବର୍ଷ ତଳେ.....’’

 

କିଶା ମୁହୂର୍ତ୍ତକ ପାଇଁ ରହିଗଲେ ।

 

ବହୁବର୍ଷ ତଳେ ।

 

ବିଦେହରେ ସେଦିନ ବସନ୍ତୋତ୍ସବ । ବିଦେହର ନାଟ୍ୟଶାଳାକୁ ସେଦିନ ମଧୁମତ୍ତା ଆସିଥିଲା ନୃତ୍ୟାମୋଦରେ ବସନ୍ତୋତ୍ସବ ସନ୍ଧ୍ୟାକୁ ଆମୋଦିତ କରିବାପାଇଁ । କିଶା, ରାଜପଥରେ ଠିଆହୋଇ ବାତାୟନ ଦ୍ୱାରରେ ସେଦିନ ଦେଖିଥିଲେ, ମହାବେଶ ବିହ୍ୱଳା ମଧୁମତ୍ତାର ନୃତ୍ୟ । କାଞ୍ଚୀପୀଡ଼ିତ ଗୁରୁନିତମ୍ୱ ଉପରେ ନ୍ୟସ୍ତ, ବାମ ହସ୍ତସନ୍ଧିରେ ସ୍ତିମିତ କନକ ବଳୟ କୁଟ୍ଟିମୋପରି ଲୁଳିତ କୁସୁମ ଉପରେ ପାଦାଙ୍ଗୁଷ୍ଠିର ନମ୍ର ସଞ୍ଚାରଣ ବିହ୍ୱଳ ଦୁଇ ଦୀର୍ଘାକ୍ଷିରେ ଛନ୍ଦର ଆବେଶ,–କିଶାଙ୍କୁ ଆକୁଳ କରି ଦେଇଥିଲା; ସ୍ୱୀକାର ନ କଲେ କିଶା ମିଥ୍ୟାଚାରୀ ହେବେ । ପୁଣି ନୃତ୍ୟ ଆରମ୍ଭ ହେବ । ମୁରଜର ମନ୍ଦ୍ରଧ୍ୱନିରେ ନାଟ୍ୟଶାଳା ପୁଣି ମୁଖରିତ ହୋଇ ଉଠିଲା । କିଶା, ବ୍ୟାଧର ଶରାଘାତରୁ ପ୍ରାଣରକ୍ଷା କରିବାପାଇଁ ତ୍ରସ୍ତ ଶଶକ ପରି, ସେଠୁ ପଳାୟନ କଲେ । ମାତ୍ର ସେହିଦିନୁ ଚାରୁହାସିନୀ ମଧୁମତ୍ତାର ଚିନ୍ତା କିଶାଙ୍କୁ ଅଧୀର ଓ ଅନବସ୍ଥିତ କରିଦେଲା । ମଧୁମତ୍ତାକୁ ରୂପଜୀବ୍ୟା ନର୍ତ୍ତକୀର କାମନା କଳୁଷିତ ଜୀବନରୁ ମୁକ୍ତି ଦେଇ ନିର୍ବାଣର ଦୀକ୍ଷା ଦେବାପାଇଁ କିଶା ମନେ ମନେ ବହୁ ଉପାୟ ଚିନ୍ତା କଲେ ।

 

କିଶା କହିଲେ, ‘‘ସେଦିନ କୋଜାଗରୀ ପୂର୍ଣ୍ଣିମାର ସନ୍ଧ୍ୟା । ମଧୁମତ୍ତାର ଭବନ ସମ୍ମୁଖରେ, ରାଜପଥର ଏକ ପାର୍ଶ୍ୱରେ ଯାଉଁ, ଯାଉଁ, ଆଉଥରେ ମଧୁମତ୍ତାକୁ ସେହି ଭଙ୍ଗୀରେ ଦେଖିବାପାଇଁ ମନ ମୋର ଆକୁଳ ହୋଇ ଉଠୁଥିଲା, ନ କହିଲେ ମିଥ୍ୟାବାଦୀ ହେବି । ମରଣଶୀଳ ଦେହ ଏତେ ସୁନ୍ଦର, କାହିଁକି ଓ କିପରି ହୋଇପାରେ ଚିନ୍ତା କରି ଆସୁଥିଲାବେଳେ, ଭବନ ଦ୍ୱାରରେ ମଧୁମତ୍ତାକୁ ଦେଖି ମୁହୂର୍ତ୍ତକ ପାଇଁ ମୁଁ ରହିଗଲି ।’’

 

ଉପକ ପଚାରିଲେ......‘‘ତା’ପରେ ?

 

କିଶା କହିଲେ......,ଭୁବନବିମୋହିନୀ ମଧୁମତ୍ତାର ସେହି ନୟନାଭିରାମ ଭଙ୍ଗୀ, କଙ୍କଣ ବଳୟ ଶୋଭିତ ବାମହସ୍ତ ସେହିପରି ଚାରୁ ନିତମ୍ୱ ଉପରେ ନ୍ୟସ୍ତ ରହିଥିଲା । ଶ୍ୟାମା ଲତାପରି ଦକ୍ଷିଣ ହସ୍ତ ତଳକୁ ଲମ୍ୱି ଆସିଥିଲା । ମୁଁ ମନେ ମନେ ଭାବୁଥିଲି କିଏ ସୁନ୍ଦର ? ଶରବିନ୍ଦୁ କାନ୍ତି ମଧୁମତ୍ତା ନା କୋଜାଗରୀ ପୂର୍ଣ୍ଣିମାର ପୂର୍ଣ୍ଣଚନ୍ଦ୍ର ? ମଧୁମତ୍ତା ମୋତେ ଆମନ୍ତ୍ରଣ କରି କହିଲା....‘ଭିତରେ ପଦାର୍ପଣ କରନ୍ତୁ ଶ୍ରମଣ ।’

 

ଉପକ ପଚାରିଲେ....‘‘ତା’ପରେ ?’’

 

କିଶା କହିଲେ...‘ତା ପରର କାହାଣୀ ବହୁ ସଂଯମ ଓ ସାଧନା ମଧ୍ୟରେ ମୁଁ ବିସ୍ମୃତ ହେବାପାଇଁ ଚାହିଁଛି, ମାତ୍ର ପାରି ନାହିଁ । ମଧୁମତ୍ତାର କେଳିମନ୍ଦିରକୁ ସେଦିନ ଆସିଥିଲେ ବିଦେହର ଶ୍ରେଷ୍ଠୀ ନୀଳକେକୀ, ଏକସହସ୍ର ସ୍ୱର୍ଣ୍ଣମୁଦ୍ରାର ମୂଲ୍ୟ ଘେନି । ମାତ୍ର ଉପୋଷଧର* ଛଳନା କରି ମଧୁମତ୍ତା ତାଙ୍କ ପ୍ରତ୍ୟାଖ୍ୟାନ କରିଦେଲା । ନୀଳକେକୀ ବିଦାୟ ନେବାପରେ, ମଧୁମତ୍ତାର ଆମନ୍ତ୍ରଣେ ମୁଁ ଆସିଲି କେଳିମନ୍ଦିର ଭିତରକୁ । ସେଦିନ ମଧୁମତ୍ତାର କି ସେ ବେଶ ରଚନା ! ବିରଳ ନୀଳାଂଶୁକ ତଳେ ମଧୁମତ୍ତାର ନଗ୍ନ ଦେହରେ କି ସେ ରୂପଶ୍ରୀ ! ଅଲୀକ୍ତସିକ୍ତ ଦୁଇ ଅଧରରେ କି ସେ ତୃଷ୍ଣା । ମୁଁ ସଞ୍ଜମ ହରାଇ, ଆତ୍ମବିସ୍ମୃତ ହୋଇ ପଡ଼ିଥିଲି ଉପକ ।’’

* ଉପବାସ ବା ବ୍ରତ ।

ଉପକ ପଚାରିଲେ...‘ତା ପରେ ?’

କିଶା କହିଲେ....‘‘ଦଳିତ କୁସୁମ ଶଯ୍ୟା ଉପରେ ମଧୁମତ୍ତା ଦେହନ୍ୟସ୍ତ କରି ଅଙ୍ଗାବରଣ ଈଷତ ଅନାବୃତ୍ତ କରି, ସ୍ମିତ ହସି ମୋତେ କହିଲା–‘‘ଏହି ଶଯ୍ୟାରେ ଉପବେଶନ କରନ୍ତୁ ଶମଣ ।’’

ଉପକର ଆକ୍ଷି ଆଗରେ ସେତେବେଳେ ଭାସି ଉଠୁଥିଲା ଗୋଟିଏ ଯୁଗତଳର ଏକ ସନ୍ଧ୍ୟାରେ ମଧୁମତ୍ତାର କେଳିମନ୍ଦିରରେ ଅନ୍ୟ ଗୋଟିଏ ଦୃଶ୍ୟ ।

କିଶା କହିଲେ....‘‘ତା’ପରେ ମଧୁମତ୍ତା କଟୀରୁ କାଞ୍ଚିଦୂକୁଳ ଧୀରେ ଧୀରେ ଶିଥିଳ କରି ପରିଚାରିକାମାନଙ୍କୁ ନାମ ଧରି ଡାକିଲା, ଆଲୋ କାମଦା, କାମନ୍ଦକୀ, ପରଭୃତିକା କିଏ ଅଛ ? କେହି ଶୁଣିଲେ ନାହିଁ । ତା’ପରେ– ।’’

 

ଉପକ ପଚାରିଲେ–‘‘ମଧୁମତ୍ତା ସ୍ୱ ହସ୍ତରେ ତୁମକୁ ଆଶବ ଅର୍ପଣ କରିଥିଲା କିଶା ?’’

 

କିଶା କହିଲେ–‘‘ତୁମକୁ କହିଛି ତ’ ଉପକ, ସେ ଦିନର ସନ୍ଧ୍ୟା ମୋ ଜୀବନରେ ଏକ କଳଙ୍କ । ମଧୁମତ୍ତାର ଅର୍ପିତ ଆଶବ, ସେଦିନ ମୁଁ ଆକଣ୍ଠ ପାନ କରିଥିଲି, ମଧୁମତ୍ତାର ଲୋଭନୀୟ ରୂପଶ୍ରୀ ତା’ର ସ୍ଫୁରିତ ଜବାଧର ଆଡ଼େ ଚାହିଁ ଚାହିଁ ।’’

 

ଉପକ ପଚାରିଲେ–‘‘ତା ପରେ ?’’

 

କିଶା କହିଲେ–‘‘ତା’ପରେ ମୁଁ ଆତ୍ମସ୍ଥ ହୋଇ କହିଲି, ଏ ସବୁ କ୍ଷଣସ୍ଥାୟୀ ଓ ମରଣଶୀଳ ମଧୁମତ୍ତା ।’’

 

ମଧୁମତ୍ତା ତହୁଁ ମୋ ଆଡ଼େ ଚାହିଁ ଈଷତ୍‌, ହସି କହିଲା–‘‘କାମଦା, କାମନ୍ଦକୀ ପରଭୃତିକା କେହି ନାହାନ୍ତି । ମୋର ବକ୍ଷରେ ଚୋଳ ଦୂକୁଳର କଠୋର ବନ୍ଧନ, ବହୁ ପୀଡ଼ା ଦେଲାଣି । ଟିକିଏ ଶିଥିଳ କରି ଦେଇ ପାରିବ ଶମଣ !’’

 

ମୁଗ୍ଧ ପରି ମୁଁ ମଧୁମତ୍ତାର ବକ୍ଷରୁ ଚୋଳପାଶ ଶିଥିଳ କରୁକରୁ ଆତ୍ମବିସ୍ମୃତ ହୋଇ ପଡ଼ିଲି । ଚୋଳପାଶ ଶିଥିଳ କରୁ କରୁ, ଚୋଳର ବନ୍ଧନ ଖସି ତଳେ ପଡ଼ିଗଲା । ମଧୁମତ୍ତା ବିରଳ ଅବଗୁଣ୍ଠନରେ ଉଦ୍ଭିନ୍ନ କମଳ କୋରକ ପରି ବକ୍ଷୋଜକୁ ଆବୃତ କରିବାର ଉଦ୍ୟମରେ ତାହାକୁ ଆଉରି ଅନାବୃତ କରି ପଚାରିଲା....‘‘ନୀଳକେକୀ ଠାରୁ ବେଶୀ ମୂଲ୍ୟ ଦେଇ ପାରିବ ଶମଣ ?’’

 

କିଂକର୍ତ୍ତବ୍ୟବିମୂଢ଼ ପରି ମୁଁ କହିଲି....‘‘ଭିକ୍ଷାଜୀବୀ ଶମଣ, ସ୍ୱର୍ଣ୍ଣମୁଦ୍ରା କେଉଁଠୁ ପାଇବ ମଧୁମତ୍ତା ?’’

 

ମଧୁମତ୍ତା ସ୍ମିତ ହସି କହିଲା....‘‘ସ୍ୱର୍ଣ୍ଣମୁଦ୍ରାରେ ମୋର ପ୍ରୟୋଜନ ନାହିଁ ଶମଣ । ବିଦେହ ରାଜକୋଷର ଦୈନିକ ଆୟ, ମୋର ଏକ ରାତ୍ରିର ଆୟର ଅର୍ଦ୍ଧାଂଶ । ମୁଁ ଚାହେଁ ଗୋଟିଏ ପ୍ରଶ୍ନର ଉତ୍ତର ।’’

 

ମୁଁ ବିସ୍ମୟାବିଷ୍ଟ କଣ୍ଠରେ ପଚାରିଲି....‘‘କି ପ୍ରଶ୍ନ ମଧୁମତ୍ତା ?’’

 

ଉପକ କହିଲେ....‘‘ପୁନର୍ଜନ୍ମ ଅଛି କି ନାହିଁ ?’’

 

କିଶା କହିଲେ...‘‘ତମକୁ ହୁଏତ ଠିକ୍‌ ସେହି ପ୍ରଶ୍ନ ପଚାରିଥିଲା ମଧୁମତ୍ତା !’’

 

ଉପକ ପଚାରିଲେ....‘‘କିନ୍ତୁ ତୁମେ କ’ଣ ଉତ୍ତର ଦେଲ କିଶା ?’’

 

କିଶା କହିଲେ...‘‘ମୁଁ କହିଲି ଜନ୍ମ ମିଥ୍ୟା, ପୁନର୍ଜନ୍ମ କଳ୍ପନା । ପୁନର୍ଜନ୍ମରେ ତମର କି ପ୍ରୟୋଜନ ମଧୁମତ୍ତା ?’’ ମଧୁମତ୍ତା କହିଲା, ‘‘ଅନ୍ୟର ପାଦତଳେ କେବଳ ନିବେଦିତ ହେବା ହିଁ କ’ଣ କୁସୁମର ଭବିତବ୍ୟ ? ଏ ଜୀବନରେ ଯେତେକ ବ୍ୟର୍ଥସ୍ୱପ୍ନ କ’ଣ ଅନ୍ୟ ଜୀବନରେ ସଫଳ ହେବ ନାହିଁ ?

 

ମଧୁମତ୍ତାର ମଦବିହ୍ୱଳ ଦୁଇ ଆକ୍ଷି, ବାଷ୍ପାକୁଳ ହୋଇ ଉଠିଲା ।

 

ମୁଁ ଅସହାୟ ପରି କହିଲି...‘‘ପୁନର୍ଜନ୍ମ ଅଛି । ପୁନର୍ଜନ୍ମ ନାହିଁ ।’’

 

ମଧୁମତ୍ତା ଆକୁଳ କଣ୍ଠରେ ପଚାରିଲା...‘‘ତା’ହେଲେ ପୁନର୍ଜନ୍ମ ଅଛି ଶମଣ ?’’

 

ମୁଁ କହିଲି–‘‘କିନ୍ତୁ ତୁମେ ସେହି ପୁନର୍ଜନ୍ମରେ ଅମଳିନ କମଳର ଏହି ରୂପଶ୍ରୀ ଧରି ପୁଣି ଜନ୍ମଲାଭ କରିବବୋଲି କି ସ୍ଥିରତା ଅଛି ମଧୁମତ୍ତା ?’’

 

ମଧୁମତ୍ତା, ତା’ପରେ ଅନାବୃତ ଦେହର ସକଳ କୁଣ୍ଠା ପରିହାର କରି, ମୋତେ ନିବିଡ଼ି ଆଲିଙ୍ଗନ ଭିତରେ ଚାପିଧରି, ସୁରାସିକ୍ତ ନିଃଶ୍ୱାସରେ ମୋର କଣ୍ଠରୋଧ କରି, ମୋତେ କହିଲା–‘‘ମୋତେ ପୁନର୍ଜନ୍ମ ଦିଅ ଶମଣ । ମୁଁ ଚାହେଁ ଏହି ମରଣଶୀଳ ଦେହର ରୂପଶ୍ରୀ ଧରି, ପୁଣି ଥରେ ନବଜନ୍ମ ପାଇବା ପାଇଁ ।’’

 

କିଶା କହିଲେ–‘‘ତା’ପରେ ମୋତେ ଆଉ କିଛି ଜିଜ୍ଞାସା କରନାହିଁ ଉପକ । ସେହିଦିନୁ ମୁଁ ଆଉ ବିଦେହକୁ ଫେରିନାହିଁ । ସେ ଦିନର କଳଙ୍କର କାଳିମା ନିଭାଇବା ପାଇଁ କଠୋର ବ୍ରତ ଓ ତପ ଆଚରଣ କରୁଛି । କିନ୍ତୁ ତୁମେ କହି ପାରିବ ଉପକ, କେଉଁ କାମନାରେ ମଧୁମତ୍ତା ଚାହୁଁଥିଲା ପୁନର୍ଜନ୍ମ ?’’

 

ଉପକ ଧୀରେ ଧୀରେ ମଳିନ ପଡ଼ି ଆସୁଥିବା ଜ୍ୟୋସ୍ନାଲୋକ ଆଡ଼େ ଚାହିଁ କହିଲେ–‘‘କିଏ ଜାଣେ !’’

 

କିଶା କହିଲେ–‘‘ଐଶ୍ୱର୍ଯ୍ୟ ଓ ପ୍ରବୃତ୍ତିର କାରାଗାର ମଧ୍ୟରେ ଆଜୀବନ ବନ୍ଦିନୀ ରହି ରହି, ମଧୁମତ୍ତା ହୁଏତ କାମନା କରୁଥିଲା ଏକ ନାମହୀନ ଜନପଦର ଅଖ୍ୟାତ, ଅଜ୍ଞାତ କୋଣରେ, କେଉଁ ଏକ ସାମାନ୍ୟ ଗୃହସ୍ଥାଳୀର ପରିଚ୍ଛନ୍ନ, ଶୁଭ୍ର ଅଙ୍ଗନ ।’’

 

ଉପକ ପଚାରିଲେ–‘‘ପୁନର୍ଜନ୍ମ ଅଛି କିଶା ? ମୁଁ ମଧ୍ୟ ଚାହେଁ ପୁନର୍ଜନ୍ମ !’’

 

କିଶା କହିଲେ–‘‘କିନ୍ତୁ ତୁମେ କ’ଣ ନିର୍ବାଣ ଅଭିଳାଷୀ ନୁହଁ ଉପକ ? ଶମଣର ପୁଣି ପୁନର୍ଜନ୍ମ ପାଇଁ ଆକାଙ୍‌କ୍ଷା !’’

 

ଉପକ କହିଲେ–‘‘ତୁମେ ଭ୍ରାନ୍ତ କିଶା ! ଜୀବନ ଯଦି ମୋହଗ୍ରସ୍ତ ମାୟା, ନିର୍ବାଣ ବୁଦ୍ଧିଗ୍ରସ୍ତ ମନର ପରିକଳ୍ପନା ! ମୁଁ ମଧ୍ୟ ଚାହେଁ ପୁନର୍ଜନ୍ମ ! କିନ୍ତୁ...ପୁନର୍ଜନ୍ମ ନାହିଁ । ପୁନର୍ଜନ୍ମ ନାହିଁ । ଏଇ ଶିଶିରସିକ୍ତ ପ୍ରିୟଙ୍ଗୁବୀଥିକାର ପତ୍ରଶୀର୍ଷରେ, ଏ ଯେଉଁ ରାତ୍ରି ବିଦାୟ ନେଉଚି, ସେ ଆଉ ଫେରିବ ନାହିଁ । ତୁମେ ମିଥ୍ୟାବାଦୀ କିଶା । ତୁମେ ଭଣ୍ଡ ! ତୁମେ ମିଥ୍ୟାଚାରୀ । ମୁଗ୍ଧା ମଧୁମତ୍ତାକୁ ତୁମେ ମିଥ୍ୟା କହିଛ !’’

 

ଉପକ, ଜଡ଼ପରି ସେଠୁ ଉଠିସ ଚାଲିଗଲେ ।

 

ପଶ୍ଚିମ ଦିଗ୍‌ବଳୟରେ ଜ୍ୟୋସ୍ନାଲୋକ ମଧୀରେ ଧୀରେ ନିଭି ଆସୁଥିଲା । ଲଜ୍ଜାବତୀ ଉଷାରା ରାଗରଞ୍ଜିତ କପୋଳ ଉପରେ ଧୀରେ ଧୀରେ ପଡ଼ି ଆସୁଥିଲା, କୁଜଝଟିକାରେ ଅବଗୁଣ୍ଠନ । ଅଶୋକକୁଞ୍ଜର ପତ୍ର ଗହଳିରେ ପ୍ରଭାତର ପକ୍ଷୀମାନଙ୍କର କଣ୍ଠରେ ଫୁଟି ଉଠିଥିଲା, ବେତାଳିକାର ଗାନ ।

 

କିଶା ମୂଢ଼ ପରି ଚାହିଁ ଦେଖୁଥିଲେ.....ଉପକ କ୍ଷିପ୍ତ ପରି ଦଣ୍ଡ, କମଣ୍ତଳୁ ଉଦ୍ୟାନରେ ଫିଙ୍ଗିଦେଇ, ଚୀବରରେ ଦେହ ଆବରଣ କରି, ଆଜୀବ୍ୟସଂହତି ଛାଡ଼ି ବାହାରି ଯାଉଥିଲେ, ଚମ୍ପାର ରାଜପଥରେ ।

 

ପିତା ଓ ପୁତ୍ର

 

ଶିଖର ଦେଶର ଏକ କ୍ଷୁଦ୍ର ଛିଦ୍ର ପଥରେ, ପ୍ରଭାତର ଆଲୋକରେ, ଅନ୍ଧକାର କରାଗାର ସ୍ୱଳ୍ପ ଆଲୋକିତ ହୋଇଛି । ଉପରେ ଶୁଭୁଛି, ରାଜଗୃହର ରାଜପଥରେ ଜନତାର ଦୈନିନ୍ଦିନ କର୍ମମୁଖର କୋଳାହଳ ।

 

ବନ୍ଦୀ ଥରେ କ୍ଷୁଧାର୍ତ୍ତ ଦୃଷ୍ଟିରେ ଚାହିଁଲେ ଛିଦ୍ରପଥର ସେହି ଆଲୋକ ଆଡ଼େ । ପ୍ରଭାତର ଶାନ୍ତି, ସ୍ନିଗ୍ଧ ଆଲୋକ ରେଖା.....ପ୍ରଭୁ ବୁଦ୍ଧଙ୍କର ଆଶୀର୍ବାଦ ପରି ।

 

ବାର୍ଦ୍ଧକ୍ୟ, ଅନଶନ ଓ ଅତ୍ୟାଚରରେ ବନ୍ଦୀ ଶୀର୍ଣ୍ଣକାୟ ଦିଶୁଛନ୍ତି ପ୍ରେତଛାୟା ପରି । ଏକଦା ବିପୁଳ ବକ୍ଷଦେଶ, ରୂକ୍ଷ ଧୂସର ଶ୍ମଶ୍ରଜାଳରେ ଆଚ୍ଛନ୍ନ । ଦେହରୁ ଚର୍ମଲୋଳିତ ।

 

ବନ୍ଦୀ ମଗଧରାଜ ବିମ୍ୱିସାର ।

 

ପୁତ୍ର ଅଜାତଶତ୍ରୁର ଆଦେଶରେ କାରାରୁଦ୍ଧ ହୋଇ ପଡ଼ିଛନ୍ତି ଏହି ଜୀବନ ସମାଧି ତଳେ ।

 

ବିମ୍ୱିସାରଙ୍କୁ ହତ୍ୟା କରିବାପାଇଁ ଅଜାତଶତ୍ରୁଙ୍କର ପଣ–ତିଳେ ତିଳେ ଅନାହାରରେ ।

 

କ୍ଳାନ୍ତି ଓ ଅବସାଦରେ ବିମ୍ୱିସାରଙ୍କର କୋଟରଗତ ଚକ୍ଷୁର ଦୁଇ ଆକ୍ଷିପତା ପୁଣି ମୁଦି ହୋଇଗଲା । ଅନାହାର ଓ କ୍ଷୁଧାରେ ତାଙ୍କର ପ୍ରତି ଅଙ୍ଗ ପ୍ରତ୍ୟଙ୍ଗ ଅବଶ ଜଡ଼ ହୋଇ ଆସୁଛି। ତୃଷାସ୍ଫୀତ ଜିହ୍ୱା ଶୁଷ୍କ ଓଷ୍ଠ ଉପରେ ଥରେ ବୁଲାଇ ଆଣି ବିମ୍ୱିସାର ରୁଦ୍ଧ କଣ୍ଠରେ ଆର୍ତ୍ତନାଦ କଲେ-

 

ଏଇ ରାଜଗୃହ ଦିନେ ନିର୍ମିତ ହୋଇଥିଲା ତାଙ୍କରି ଆଦେଶରେ । ଆଜି ସେହି ରାଜଗୃହ ଅନ୍ଧକୂପ ମଧ୍ୟରେ ଲୋକଲୋଚନର ଅଗୋଚରରେ ତିଳେ ତିଳେ ସେ ଭୋଗ କରୁଛନ୍ତି ମୃତ୍ୟର ଯନ୍ତ୍ରଣା । କର୍ମଫଳ ? ପୂର୍ବ ଜନ୍ମର କର୍ମଫଳ ।

 

ପୂର୍ବତନ ରାଜଧାନୀ କୁଶାଗ୍ରନଗରରେ ବ୍ୟାପିଲା ଥରେ ଭୀଷଣ ଅଗ୍ନିଭୟ । ସମଗ୍ର ରାଜଧାନୀ ଭସ୍ମସ୍ତୂପରେ ପରିଣତ ହେବାକୁ ବସିଲା । ବିମ୍ୱିସାର ଆଦେଶ ଦେଲେ ଯାହାର ଗୃହରେ ଅଗ୍ନି ସଞ୍ଚାର ହେବ, ସେ ହେବ ନିର୍ବାସିତ ! କିନ୍ତୁ ଅଦୃଷ୍ଟର ବିଧାନ ବିଚିତ୍ର । ବିମ୍ୱିସାରଙ୍କ ପ୍ରାସାଦରେ ହେଲା ଅଗ୍ନିସଞ୍ଚାର । ବିମ୍ୱିସାର ଶୀତଳ ବନରେ ଗ୍ରହଣ କଲେ ସ୍ୱେଚ୍ଛାକୃତ ନିର୍ବାସନ ।

 

ସର୍ପିଣୀନଦୀ ସେବିତା ଛାୟାସ୍ନିଗ୍ଧ ବିପୁଳଗିରି, ବୈଭାରଗିରି ଓ ଗୃଧକୂଟ ମେଖଳାବେଷ୍ଟିତ ଶୀତଳବନ । ବିମ୍ୱିସାରଙ୍କୁ ମୁଗ୍ଧ କରିଥିଲା । ସେହିଠାରେ ତେଣୁ ତାଙ୍କରି ଆଦେଶରେ, ନିର୍ମିତ ହେଲା ମଗଧର ନୂତନ ରାଜଧାନୀ–ରାଜଗୃହ ।

 

ବିମ୍ୱିସାର ସେହି ରାଜଗୃହର ଶେଷ ଦର୍ଶନପାଇଁ ଯେପରି କି ଦୁଇ କ୍ଳାନ୍ତ ଚକ୍ଷୁୀ ପୁନର୍ମିଳନ କଲେ । ପ୍ରାଣହୀନ ଦୃଷ୍ଟିହୀନ ଦୁଇ ଆକ୍ଷି, ପଥରର ଆକ୍ଷି ପରି ।

 

ସେଦିନ.....ଅଜାତଶତ୍ରୁ ବିମ୍ୱିସାରଙ୍କୁ କାରାରୁଦ୍ଧ କରିସାରିବା ପରେ ଶୋକାତୁରା, ଆଲୁଳାୟିତକୁନ୍ତଳା ଅଶ୍ରୁମୁଖୀ କୋଶଳାଦେବୀ ଅଜାତଶତ୍ରୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ–

 

ପୁତ୍ର ଅଜାତଶତ୍ରୁ !’

 

ଅଜାତଶତ୍ରୁ ଉପହାସର କଣ୍ଠରେ କହିଲେ–‘ଆଦେଶ କରନ୍ତୁ କାଶୀରାଜନନ୍ଦିନୀ !’’

 

‘‘ମାତା ବୋଲି ସମ୍ୱୋଧନ କରିବା କ’ଣ ଏପରି ଲଜ୍ଜାକର ପୁତ୍ର ?’’

 

‘‘ପୁତ୍ର ! ହାଃ–ହାଃ–ହାଃ !’’ ଅଟ୍ଟହାସ କରି ଉଠିଲେ ଅଜାତଶତ୍ରୁ । ତା’ପରେ, ରୁକ୍ଷ ନିର୍ମମ କଣ୍ଠରେ କହିଥିଲେ–‘‘ମାତା ବୋଲି ସମ୍ୱୋଧନ କରିବାକୁ ଆପତ୍ତି ନାହିଁ ମୋର । କିନ୍ତୁ କହି ପାରିବ ମାତା, ଯେଉଁ ନାରୀ ଗର୍ଭସ୍ଥ ପୁତ୍ର, ଭବିଷ୍ୟତ କାଳରେ କେବେ ପିତୃହନ୍ତା ହେବ ଆଶଙ୍କା କରି, ଦିନେ ଗୋପନରେ ସନ୍ତର୍ପଣରେ ଭ୍ରୂଣହତ୍ୟା ପାଇଁ କୁକ୍ଷୀମର୍ଦ୍ଦନ କରିଥିଲା, ସେହି ନାରୀ କେବେ ସେ ହତଭାଗ୍ୟ ନିକଟକୁ ଆସେ ଯଦି ପୁତ୍ର ସମ୍ୱୋଧନ କରି, ତା’ହେଲେ କ’ଣ ହେବ ତା’ର ପ୍ରତ୍ୟୁତ୍ତର ?’’

 

କୋଶଳାଦେବୀ ଅସହାୟ କଣ୍ଠରେ କହିଲେ, ‘‘ଶତବାର କହିଛି ତ’ ପୁତ୍ର, ଏ କେବଳ ମିଥ୍ୟା ଜନଶ୍ରୁତି !’’

 

ଅଜାତଶତ୍ରୁ କହିଲେ–‘‘ସତ୍ୟତା ନଥିଲେ ଶ୍ରୁତି ନଥାଏ କାଶୀରାଜାନନ୍ଦିନୀ ! କିନ୍ତୁ ସେ ଆଲୋଚନା କାହିଁକି ? କେବଳ ବିମ୍ୱିସାରଙ୍କ କାରାମୁକ୍ତି ଛଡ଼ା, ଅନ୍ୟ ସମସ୍ତ ଅନୁରୋଧ ବିଚାର କରିବାକୁ ପ୍ରସ୍ତୁତ ଅଛି ମୁଁ !’’

 

କୋଶଳାଦେବୀ ମଳିନ ଚେଳାଚଞ୍ଚଳରେ ଅଶ୍ରୁ ମୁଞ୍ଚନ କରି କହିଲେ–‘‘ବେଶ୍‌ ! ପିତୃରକ୍ତରେ ଯଦି ମହାରାଜାଙ୍କର ଅଭିଷେକର ମଙ୍ଗଳଘଟପୂର୍ଣ୍ଣ କରିବାର କାମନା, ତା’ର ପ୍ରତିରୋଧ କରିବାର ଆସ୍ପର୍ଦ୍ଧା କାହାର ? କିନ୍ତୁ ମୋର କେବଳ ଗୋଟିଏ ଭିକ୍ଷା ଥିଲା ମହାରାଜ । ଏଇ ହତଭାଗିନୀ ସ୍ୱହସ୍ତପ୍ରସ୍ତୁତ ଖାଦ୍ୟଛଡ଼ା ବିମ୍ବିସାରଙ୍କର ଅନ୍ୟ କୌଣସିଥିରେ ରୁଚି ନଥିଲା । ଆଜି ତାଙ୍କୁ କାରାଗାରରେ, ସ୍ୱହସ୍ତରେ ତେଣୁ ଖାଦ୍ୟ ପରବେଷଣ କରିବାର ସୁଯୋଗରୁ ମୋତେ ବଞ୍ଚିତ କରିବେ ନାହିଁ ମହାରାଜ ।’’

 

ଅଜାତଶତ୍ରୁ କହିଲେ–‘‘ଏ ପ୍ରାର୍ଥନା ମୁଁ ପୂର୍ଣ୍ଣ କଲି କାଶୀ ରାଜନନ୍ଦିନୀ ।’’

 

କିନ୍ତୁ କୋଶଳାଦେବୀଙ୍କର ପ୍ରସ୍ଥାନ ପରେ ପରେ, କାରାଗାରରେ ରକ୍ଷୀ ଚଣ୍ଡକୁ ଆଦେଶ ଦେଲେ ଅଜାତଶତ୍ରୁ, କୋଶଳାଦେବୀଙ୍କର ପ୍ରେରିତ କୌଣସି ଖାଦ୍ୟ ଯେପରି ବନ୍ଦୀ ସ୍ପର୍ଶ ନ କରି ପାରେ ।

 

ଜଳପାତ୍ର ଶୂନ୍ୟ । ବିମ୍ୱିସାର ଦୁଇ ଶିଥିଳ କମ୍ପିତ ହସ୍ତରେ ସେହି ଶୂନ୍ୟପାତ୍ର ମୁଖ ଲଗ୍ନ କରୁ କରୁ ପାତ୍ରଟି ପଡ଼ି ଚୂର୍ଣ୍ଣ ହୋଇଗଲା । ପ୍ରଭାତର ସୂର୍ଯ୍ୟ ଆାକଶ ପଥରେ ଅନେକ ଉପରକୁ ଉଠିଗଲାଣି । ଶିଖରର ଛିଦ୍ର ପଥରେ କ୍ଷୀଣ ଆଲୋକରେଖା, କେତେବେଳୁ ନିଭିଗଲାଣି । ପୂତିଗନ୍ଧମୟ କାରାଗାରରେ କେବଳ ଅନ୍ଧକାର, ନିରନ୍ଧ୍ର ନିରାନନ୍ଦ ଓ ନିଷ୍ଠୁର ।

 

କ୍ଷୁଧାର ଅତ୍ୟାଚାର ଆଉ ନାହିଁ । ଅଛି କେବଳ ଅତୃପ୍ତ ଦେହର ତହ୍ନା ଓ ତୃଷା । ଏହାପରେ ସେଥରୁ ମଧ୍ୟ ମୁକ୍ତି ମିଳିବ । ତା’ପରେ ସବୁ ଶୂନ୍ୟ–ବୌଦ୍ଧର ଧ୍ୟାନଲୋକ ପରି । ନିଷ୍ପଲକ, ସ୍ଥିର ଆଖିପତା । ଶୂନ୍ୟବୃତ୍ତିର ପରିଧି ଧୀରେ ଧୀରେ ଯେପରି ବିମ୍ୱିସାରଙ୍କ ଚାରିପଟେ ନିକଟରୁ ନିକଟତର ହୋଇ ଆସୁଛି । ମହା ଶୂନ୍ୟର ପୃଷ୍ଠଭୂମିରେ ବିମ୍ୱିସାରଙ୍କ କୁହେଳିକାବୃତ ଦୃଷ୍ଟିପଥରେ ଭାସି ଉଠିଲା ଧ୍ୟାନ ଗମ୍ଭୀର କାୟୋତ୍ସର୍ଗମୁଦ୍ରାବଦ୍ଧ ପ୍ରଭୁ ବୁଦ୍ଧଙ୍କର ପ୍ରଶାନ୍ତ ମୂର୍ତ୍ତି । ଦୁଇ ଅର୍ଦ୍ଧନିମିଳିତ ନୟନରେ ତାଙ୍କର ଶାନ୍ତିର ସ୍ୱସ୍ତ୍ୟୟନ ।

 

ତୃଷାରେ ବିମ୍ୱିସାରଙ୍କର ଜିଭ ଓ ଓଠ ଫାଟି ସେଥିରୁ ଅଳ୍ପ ଅଳ୍ପ କଳା ରକ୍ତ ଝରୁଛି । ସେହି ରକ୍ତରେ ବିମ୍ୱିସାରଙ୍କର ଶୁଷ୍କ କଣ୍ଠ କିଞ୍ଚିତ ସିକ୍ତ ହୋଇଗଲା । ରୁଦ୍ଧ କଣ୍ଠରେ ଆହତ ପଶୁ ପରି ବିମ୍ୱିସାର ଗର୍ଜନ କରି ଉଠିଲେ......

 

ମହା ଶୂନ୍ୟର ପୃଷ୍ଠ ଭୂମିରେ ବିମ୍ୱିସାରଙ୍କର ଦୃଷ୍ଟିପଥରେ ଭାସି ଉଠିଲା ଧ୍ୟାନଗମ୍ଭୀର ଗୃଧ୍ରକୂଟ ଶିଖରର ସତ୍ରପର୍ଣ୍ଣୀ ଗହ୍ୱର । ଶାକ୍ୟ ବଂଶୋଦ୍ଭବ ରାଜପୁତ୍ର ଗୌତମ ସନ୍ନ୍ୟାସ ଗ୍ରହଣ କରି ସପ୍ତପର୍ଣ୍ଣୀ ଗହ୍ୱରରେ ଚାର୍ତୁମାସ୍ୟା ବ୍ରତ ପାଳନ କରୁଅଛନ୍ତି, ଲୋକମୁଖରେ ଏହି ବାର୍ତ୍ତା ଶୁଣି ବିମ୍ୱିସାର ବିସ୍ମିତ ହୋଇଥିଲେ ।

 

ସେଦିନ ମେଘହୀନ ନୀଳଆକାଶରେ ଉଦାସ ଗୋଧୂଳି । ବିମ୍ୱିସାର ଗୃଧ୍ରକୁଟ ଶିଖରକୁ ପାରିଷଦବେଷ୍ଟିତ ହୋଇ ଯାଇଥିଲେ ଗୌତମଙ୍କର ଦର୍ଶନପାଇଁ । ସପ୍ତପର୍ଣ୍ଣୀର ଦକ୍ଷିଣ ଅଳିନ୍ଦର ଗୌତମ ଅନୁଦତ୍ତ କଣ୍ଠରେ ସମବେତ କେତେଜଣ ଭିକ୍ଷୁଙ୍କୁ ପ୍ରବଜ୍ଜାସୁତ୍ତ ବ୍ୟାଖ୍ୟାନ କରୁଥିଲେ । ଗୃଧ୍ରକୂଟର ପାଦ ଦେଶରେ ନିବାପ*ରେ ଶିଖୀର କଳାପ ଚିତ୍ରିତ ନୃତ୍ୟ ଶିଖିନୀର ଅଦର୍ଶନରେ ଭଗ୍ନଛନ୍ଦ ହୋଇ ଉଠୁଛି । ଆଉ କେତେବେଳେ ବା ବିହ୍ୱଳ ହୋଇ ଉଠୁଛି କଳାପହୀନାର ଚଞ୍ଚୁ ଚୁମ୍ୱନରେ । ଅଦୂରରେ ମୃଗୋଦ୍ୟାନର ଶ୍ୟାମଘନ ଦୁର୍ବାଶଯ୍ୟା ଉପରେ ରାଶି ରାଶି ମୃଗ ରୋମନ୍ଥନ କରୁଛନ୍ତି । ସମୀପବର୍ତ୍ତୀ ସୁମାଗଧୀ ପୁଷ୍କରିଣୀରେ କାକଚକ୍ଷୁ ଜଳରେ ମୁଗ୍ଧା ଏକ ହରିଣୀ ନିଜର ପ୍ରତିବିମ୍ୱ ଚାହିଁ ଦେଖୁଛି ଆତ୍ମବିସ୍ମୃତା ହୋଇ ।

 

*ମୟୂର ଚରିବାର ସ୍ଥାନ

 

ସାଧନାରେ ଗୌତମଙ୍କର ବରତନୁ ଉଜ୍ଜ୍ୱଳ ଅର୍ଦ୍ଧନିମୀଳିତ ନୟନଯୁଗଳରେ ଗୋଧୂଳିର ଉଦାସ ଛାୟା, ହଂସୋସ୍ୟ ମୁଦ୍ରାବଦ୍ଧ କରପଲ୍ଲବରେ ଶାନ୍ତିର ଆଶୀର୍ବାଦ । ସାଦରସମ୍ଭାଷଣାନ୍ତେ ବିମ୍ୱିସାର ପ୍ରଶ୍ନ କଲେ–‘‘କେଉଁ ଦୁଃଖରେ କୁମାର ଏ କୃଚ୍ଛ୍ର ସାଧନା ?’’

 

ଗୌତମ ସ୍ମିତ ହସି ଉତ୍ତର ଦେଲେ–‘‘ଦୁଃଖପାଇଁ ନୁହେ ମହାରାଜ, ଦୁଃଖର କାରଣ ଓ ନିଦାନର ସନ୍ଧାନ ପାଇଁ ଏ, ସନ୍ନ୍ୟାସ, ଏ କୃଚ୍ଛ୍ର ସାଧନା !’’

 

ବିମ୍ୱିସାର ଅଟ୍ଟହାସ କରି କହିଲେ–‘‘କାରଣ ତ’ ଅତି ସହଜ । କିନ୍ତୁ ସପ୍ତପର୍ଣ୍ଣୀ ଗହ୍ୱରରେ ତା’ର ନିଦାନ କାହୁଁ ପାଇବେ କୁମାର ? ଆସନ୍ତୁ ତା’ହେଲେ ରାଜଗୃହର ଉତ୍ସବଶାଳାକୁ-। ରୋମକର ଫେନିଳ ମଦ୍ୟ ଓ ମାଗଧୀର ଚଟୁଳଲାସ୍ୟରେ ପାଇବେ କୁମାର ସବୁ ଦୁଃଖର ନିଦାନ-।’’

 

ନିର୍ଦ୍ଧୋଷ ଆନନ୍ଦରେ ବିମ୍ୱିସାର ପୁଣି ଅଟ୍ଟହାସ କରି ଉଠିଲେ । ଗୌତମଙ୍କର ଦୁଇ ଅର୍ଦ୍ଧନୀମିଳିତ ନୟନରେ ଗୋଧୂଳିରେ ଉଦାସ ଛାୟା, ସନ୍ଧ୍ୟାର ମୌନ ଅନ୍ଧକାର ପରି ଗଭୀର ଓ ଗମ୍ଭୀର ହୋଇ ଆସିଲା ।

 

ଆଃ.....ତୃଷାରେ ବିମ୍ୱିସାରଙ୍କର କଣ୍ଠନାଳୀ କିଏ ଯେପରି ଟାଣି ଛିଣ୍ଡାଇ ପକାଉଛି ।

 

କିଛିକ୍ଷଣର ନୀରବତା ପରେ ଗୌତମ ଉତ୍ତର ଦେଲେ, ‘‘କାମନାର ବାରିରେ ଏ ତୃଷାର ଶାନ୍ତି ନାହିଁ ମହାରାଜ ।’’

 

ନିଭୃତ କାରାର ପ୍ରାଣହୀନ ନୀରବତା ସେହି ବାଣୀରେ ଯାପରି ପ୍ରତିଧ୍ୱନିତ ହୋଇ ଉଠିଲା ।

 

ଲାସ୍ୟରତା ସୁମାଗଧୀର ଅଳକ୍ତକ ରଞ୍ଜିତ ଶିଞ୍ଜନ ନିକ୍‌କ୍ୱଣିତ ଚରଣ ଆଜି ନୀରବ କଜ୍ଜଳସୀମାୟିତ ନୟନରେ ମରଣର ଭୃକୁଟୀ । ରୋମକର ଫେନିଳ ପାନପାତ୍ରରେ ହଳାହଳର ବୁଦ୍‌ବୁଦ୍‌ । କାହାର ? କାହାର ଏ ନୂପୁର–ଶିଞ୍ଜନ ? କୋଶଳାଦେବୀ ? ମହାରାଣୀ !

 

କାରାଗାରର ରକ୍ଷୀ ପରିବର୍ତ୍ତନ ହେଉଛି । ଲୌହ ସାଞ୍ଜୁର ଶବ୍ଦ । ଅସହ୍ୟ ତୃଷାରେ ବିମ୍ୱିସାର ଶରାହତ ବଣ୍ୟ ପଶୁ ପରି ନିଜର ଗୋଟିଏ ବାହୁ କାମୁଡ଼ି ପକାଇଲେ ।

 

ଦୁଇ

 

ଅଜାତଶତ୍ରୁ ନିଷ୍ପଲକ ଦୃଷ୍ଟିରେ ପ୍ରାସାଦକକ୍ଷର ବାତାୟନପଥରେ ଚାହିଁଥିଲେ ରାଜଗୃହର ଦିଗନ୍ତମେଖଳା ଗିରିମାଳା ଆଡ଼େ । ପଲଙ୍କରେ ସନ୍ତାନସମ୍ଭବା ରାଣୀ ବଜ୍ରା ଦେହ ଢାଳି ପଡ଼ିଛନ୍ତି ମରୁନଦୀ ପରି । ପାରାବତପାଳିକାରୁ ଦଳଦଳ ପାରାବତ ଉଡ଼ିଯାଉଛନ୍ତି, ପୁଣି ଫେରି ଆସୁଛନ୍ତି । ଉଦ୍ୟାନର ତମାଳ ତଳେ ଭବନଶିଖୀ ଉଦ୍ଦାମ ନୃତ୍ୟର ଉଦ୍ୟମରେ ଶିଖା ବିସ୍ତାର କରୁଛି ।

 

ବଜ୍ରା କ୍ଳାନ୍ତ କଣ୍ଠରେ ଡାକିଲେ.... ମହାରାଜ !

 

ଅଜାତଶତ୍ରୁ ଶଯ୍ୟା ପାର୍ଶ୍ୱରେ ବସି ଧୀରେ ଧୀରେ ବ୍ରଜାଙ୍କର ମଳିନ କପାଳ ଉପରେ କର ସଞ୍ଚାଳନ କରି କହିଲେ ‘‘କୁହ ବଜ୍ରା !’’

 

ବଜ୍ରା ଅଜାତଶତ୍ରୁଙ୍କର ଗୋଟିଏ ହାତ ଧରି କହିଲେ....‘‘କୁହନ୍ତୁତ ମହାରାଜ, ଏ ସନ୍ତାନ, ପୁତ୍ର ହେବ ନା କନ୍ୟା ?’’

 

ଅଜାତଶତ୍ରୁ ବିଚଳିତ ହୋଇ ଉଠିଲେ ।

 

ବଜ୍ରାଙ୍କର ପୁଣି ସେହି ନିଷ୍ଠୁର ପ୍ରଶ୍ନ.....‘‘କୁହନ୍ତୁ ମହାରାଜ, ଏ ସନ୍ତାନ ପୁତ୍ର ହେବ ନା କନ୍ୟା ?’’

 

ଅଜାତଶତ୍ରୁ ବଜ୍ରାଙ୍କର ଶଯ୍ୟାପାର୍ଶ୍ୱରୁ ଉଠି ପଳାଇଲେ ନିଜର ନିଭୃତ କକ୍ଷକୁ । କି ଏକ ତୀବ୍ର ଯନ୍ତ୍ରଣାରେ ବଜ୍ରା ଚିତ୍କାର କରି ଉଠିଲେ ।

 

ପୁତ୍ର ! ପୁତ୍ର ! ଅଜାତଶତ୍ରୁଙ୍କର ବାଷ୍ପାୟିତ ଦୃଷ୍ଟିପଥରେ ଭାସି ଉଠିଲା ରାଜଗୃହରୁ ଅନ୍ଧକାର କାରାଗାର । ହସ୍ତପଦ ବଦ୍ଧ, ଶୃଙ୍ଖଳିତ ଅଜାତଶତ୍ରୁ ଅନାହାରରେ ଆର୍ତ୍ତନାଦ କରୁଛନ୍ତି ।

 

ଅତି ନିଷ୍ଠୁର ସେ ଭବିଷ୍ୟତବାଣୀ.....ବଜ୍ରାଙ୍କର ପ୍ରଥମ ଗର୍ଭଜାତ ପୁତ୍ର ହେବ *ପିତୃହନ୍ତା-। ଅଜାତଶତ୍ରୁଙ୍କର ମୁଖର ଭଙ୍ଗୀ କଠୋର ହୋଇ ଉଠିଲା । ସନ୍ତାନଶମ୍ଭବା ବଜ୍ରାଙ୍କୁ ଅନ୍ଧକାର କାରାଗାରରରେ ବନ୍ଦୀ କରିବେ ? ନବଜାତ ଶିଶୁକୁ ଅନ୍ଧକୂପ ମଧ୍ୟରେ ହତ୍ୟା କରିବେ ? ଅତୀତ ଓ ଭବିଷ୍ୟତ ସବୁ ଦୁଇ ହାତରେ ନିଶ୍ଚିହ୍ନ କରିଦେବା ଅଜାତଶତ୍ରୁଙ୍କ ପକ୍ଷରେ ଏପରି କ’ଣ ବା ଦୁଃସାଧ୍ୟ ? ଅତୀତ ତ ଆଜି କାରାଗାରରେ ଗତାୟୁ ଆଉ ଭବିଷ୍ୟତ ! କିନ୍ତୁ ଅତୀତ ଓ ଭବିଷ୍ୟତହୀନ ବର୍ତ୍ତମାନ ଯେ ସ୍ଥିତିହୀନ ।

 

* ଅଜାତଶତ୍ରୁଙ୍କର ପୁତ୍ର ଉଦାୟୀ ତାଙ୍କର ପରବର୍ତ୍ତୀ ତିନିଜଣ ବଂଶଧର ପିତୃହନ୍ତା ଥିଲେ । ପ୍ରଜାମାନେ ଏଥିରେ ଉତ୍ତେଜତି ହୋଇ କାଶୀରାଜା ଶିଶୁନାଗଙ୍କୁ ମଗଧର ସିଂହାସନରେ ଅଭିଷିକ୍ତ କରିଥିଲେ ।

 

ବଜ୍ରାଙ୍କର ଆର୍ତ୍ତଚିତ୍କାର ଶୁଭୁଛି । ପ୍ରସୂତି ବେଦନାର କରୁଣ ମର୍ମଭେଦୀ ଆର୍ତ୍ତନାଦ ! ସ୍ରଷ୍ଟାକୁ ଦଳିତ କରି, ମଥିତ କରି, ଜରାୟୁ ଛିନ୍ନ ବିଦୀର୍ଣ୍ଣ କରି ସୃଷ୍ଟି ଲୋଡ଼ୁଛି ଆତ୍ମପ୍ରକାଶ ।

 

ସେଦିନ କୁଆଡ଼େ ବିମ୍ୱିସାରଙ୍କ ଆଦେଶରେ ରାଜଗୃହର ପଥେ ପଥେ ବିପୁଳ ଉତ୍ସବର ଅଫୁରନ୍ତ ପ୍ରବାହ....ଅଜାତଶତ୍ରୁଙ୍କର ମନେ ପଡ଼ିଗଲା ଶୈଶବରେ ଧାତ୍ରୀଠାରୁ ଶୁଣା ନିଜର ଜନ୍ମ କାହାଣୀ । ....ବଜ୍ରାଙ୍କର ଆର୍ତ୍ତନାଦରେ ପ୍ରାସାଦର କୋଣ ଅନୁକୋଣ କ୍ରନ୍ଦିତ ହୋଇଉଠୁଛି-। ସୃଷ୍ଟି ନିଷ୍ଠୁର । ନିଜର ସୃଷ୍ଟିରେ ସ୍ରଷ୍ଟା କ୍ରୀତଦାସ । ସୃଷ୍ଟିର କରୁଣା ଭିକ୍ଷା ଛଡ଼ା ସ୍ରଷ୍ଟାର ଗତ୍ୟନ୍ତର ନାହିଁ-। ତଥାପି ସୃଷ୍ଟିରେ କି ବିପୁଳ ଆନନ୍ଦ, କି ଗର୍ବ । ପିତୃତ୍ୱର ଆନନ୍ଦରେ ଅଜାତଶତ୍ରୁଙ୍କର ପ୍ରାଣ, ନିଜର ଅଲକ୍ଷିତରେ ଉଦ୍‌ବେଳିତ ହୋଇଉଠିଲା ।

 

ନିଭୃତ କକ୍ଷରେ ବାହାର ପାଦଶବ୍ଦ ଶୁଣି ଅଜାତଶତ୍ରୁ ଫେରି ଚାହିଁଲେ । କାରାଗାରର ରକ୍ଷୀ ଚଣ୍ଡ, ଅଜାତଶତ୍ରୁଙ୍କ ଆଦେଶ ପ୍ରତୀକ୍ଷାରେ ଯେପରି ଠିଆ ହୋଇ ରହିଛି ।

 

ଅଜାତଶତ୍ରୁ ପଚାରିଲେ....କି ‘‘ସମ୍ୱାଦ ଚଣ୍ଡ ?’’

 

ଚଣ୍ଡ କହିଲା....‘‘ଗତ ତିନିଦିନ ଧରି ମହାରାଜାଙ୍କ ଆଦେଶରେ ଜଳବିନ୍ଦୁ ସୁଦ୍ଧା ଦିଆ ଯାଇନାହିଁ । ଆଜି ଚତୁର୍ଥ ଦିବସ ।’’

 

ଅଜାତଶତ୍ରୁଙ୍କର ମୁଖର ଭଙ୍ଗୀ ପୁଣି କଠୋର ହୋଇ ଉଠିଲା । ଚଣ୍ଡକୁ ରୁକ୍ଷ କଣ୍ଠରେ ପୁଣି ପଚାରିଲେ...‘‘ତା’ ପରେ ?’’

 

ଚଣ୍ଡ କହିଲା–‘‘ପ୍ରଥମେ ଶୁଭୁଥିଲା ‘ହାୟ ପୁତ୍ର, ହୟ ରାଜଗୃହ’ ବୋଲି ଆର୍ତ୍ତ ଚିତ୍କାର !’’

 

ରାଣୀହଂସପୁର ମଧ୍ୟରୁ ଶୁଭିଲା ଶଙ୍ଖ ଓ ହୁଳହୁଳି ଧ୍ୱନି । ବଜ୍ରାଙ୍କର ଚିତ୍କାର କେତେବେଳୁ ନୀରବ ହେଲାଣି । ଧରତ୍ରୀ ଓ ବସୁମତୀ ଅସ୍ତ ବ୍ୟସ୍ତ ପଦରେ ଧାଇଁ ଆସି ଜଣାଇଲେ....‘‘ସୁସମ୍ୱାଦ, ମହାରାଜ ! ମହାଦେବୀଙ୍କର ପୁତ୍ରଲାଭ ହୋଇଛି । ମହାମନ୍ତ୍ରୀଙ୍କୁ ଡାକି ରାଜଗୃହରେ ଉତ୍ସବ ପାଇଁ ଆଦେଶ ଦିଅନ୍ତୁ ।’’

 

ଚଣ୍ଡ କହିଲା–‘ଆଦେଶ ଦିଅନ୍ତୁ ମହାରାଜ !’

 

ଅଜାତଶତ୍ରୁ ଥରେ ଚାହିଁଲେ ଧାତ୍ରୀ ବସୁମତୀ ଆଡ଼େ, ଆଉ ଥରେ ଚାହିଁଲେ ଚଣ୍ଡ ଆଡ଼େ । ତା’ପରେ ବିହ୍ୱଳ ପରି ଧାଇଁ ଚାଳିଗଲେ ବାହାରକୁ । ଅଙ୍ଗନ ପରେ ଅଙ୍ଗନ, ଅଳିନ୍ଦ ପରେ ଅଳିନ୍ଦ, ସୋପାନ ଶ୍ରେଣୀ ପରେ ସୋପାନ ଶ୍ରେଣୀ, ଅଜାତଶତ୍ରୁ ଧାଇଁ ଚାଲିଛନ୍ତି ଉନ୍ମାଦ ପରି । କାରାଗାରର ପ୍ରବେଶ ଦ୍ୱାର ନିକଟରେ ରହିଗଲେ । ରକ୍ଷୀ ଅଭିବାଦନ ଜଣାଇଲା ।

 

ଅଜାତଶତ୍ରୁ ଆଦେଶ ଦେଲେ–ଦ୍ୱାର ଖୋଲ ରକ୍ଷୀ !

 

ଦୁଇ ପ୍ରକାଣ୍ଡ ଲୌହ କବାଟ ବିକଟ ଶବ୍ଦ କରି ଖୋଲିଗଲା । ଭିତର ନିରନ୍ଧ୍ର ଅନ୍ଧକାର । ଅଜାତଶତ୍ରୁ ଅନ୍ଧକାରାବୃତ୍ତ ସୋପାନଶ୍ରେଣୀ ଅତିକ୍ରମ କରି ଧାଇଁଗଲେ କାରାଗରା ଭିତରକୁ !

 

ପିତା, ଆଜି ପାଇଛି ପିତୃତ୍ୱ ସନ୍ଧାନ ।

 

ସ୍ରଷ୍ଟା ଚିରଦିନ ଉଦାର, କ୍ଷମାସ୍ନିଗ୍ଧ, କରୁଣାମୟଅଜାତଶତ୍ରୁ ଅବୋଧ ଶିଶୁପରି ବିମ୍ୱିସାରଙ୍କ କୋଳରେ ମୁହଁ ଲୁଚାଇ କ୍ଷମାଭିକ୍ଷା କରିବେ ।

 

କିନ୍ତୁ ବହୁବିଳମ୍ୱରେ ଆସିଲେ ଅଜାତଶତ୍ରୁ । ବିମ୍ୱିସାରଙ୍କ ପ୍ରାଣହୀନ ଶୀର୍ଣ୍ଣ ଦେହ ପଡ଼ିଛି କାରାଗାରର ପାଷାଣ ଚତ୍ୱର ଉପରେ । ଗୋଟିଶଏ ବାହୁ ହିଂସ୍ର କ୍ଷୁଧାରେ କାମୁଡ଼ି ପକାଇଛନ୍ତି, ଜୀବନର ଅନ୍ତିମ ମୁହୂର୍ତ୍ତର ବ୍ୟାଧର ଶରାହତ ବନ୍ୟ ପଶୁ ପରି । କ୍ଷତ ସ୍ଥାନରୁ କେଇଧାର ରକ୍ତ ଝରି ପୁଣି ଶୁଖିଯାଇଛି !

 

ରାଜ ପ୍ରାସାଦରୁ ଶୁଭୁଛି ନବଜାତ ସନ୍ତାନର ଜନ୍ମ ଘୋଷଣା କରି ଘନ ଘନ ଶଙ୍ଖଧ୍ୱନି ।

 

Unknown

ମହାନିର୍ବାଣ

 

ଶତ ମକ୍ଷିକାର ଗୁଞ୍ଜରଣ ପରି, ଉପୋଷଥ–ବ୍ରତଧାରୀ ଭିକ୍ଷୁମାନଙ୍କର ଧାରଣୀଆବୃତ୍ତିର ଅନୁନାସିକ ସଙ୍ଗୀତରେ ଗୃଧ୍ରକୂଟ–ବିହାର ଏକ ମଧୁଚକ୍ରର ଭ୍ରମ ସୃଷ୍ଟି କରିଥିଲା-

 

‘‘ଓଁ ନମଃ ସମସ୍ତ ବୁଦ୍ଧାନାଂ ଅପ୍ରତିହତ ଶାସନାମ୍‌’’....ଧାରଣୀର ଅବଶିଷ୍ଟାଂଶ, ଆମ୍ରକୁଞ୍ଜର କେଉଊଁ ମଂଜରିତ ଶାଖାରେ ଗୋଟିଏ କୋକିଳର ଅଶାନ୍ତ କୁହୁରବ ମଧ୍ୟରେ ନୀଳୋତ୍ପଳ ବିସ୍ମୃତ ହୋଇ ପଡ଼ିଥିଲେ ।

 

ଦୂତ, ମୂଢ଼, ନିର୍ବୋଧ ପକ୍ଷୀ !

 

ଅଥଚ ତୁମର ଏହି ପ୍ରମତ୍ତ ରତିଭିକ୍ଷା, ବିଶ୍ୱର ଶ୍ରେଷ୍ଠସଙ୍ଗୀତ ରୂପେ ବିବେଚିତ...ସ୍ୱର ଓ ମୂର୍ଚ୍ଛନାର ଏକ ବିଚିତ୍ର ନିର୍ବାଣ–ଲୋକ ! ଏହି ତ ନିର୍ବାଣ....ଏକ ଅନିର୍ବଚନୀୟ, ଅତଳ ଶୂନ୍ୟତା, ଯାହା ମଧ୍ୟରେ ସବୁ ସତ୍ତା ଲୋପ ପାଇଥାଏ, ପୁଣି ଯେଉଁ ଶୂନ୍ୟତା ମଧ୍ୟରେ ସବୁ ପୂର୍ଣ୍ଣତା ଏକ ପ୍ରାଚୁର୍ଯ୍ୟରେ ଉଦ୍ଭାସିତ ହୋଇ ଉଠେ !

 

କୋକିଳର କୁହୁଧ୍ୱନି, ଛାୟାଘନ ଆମ୍ରକୁଞ୍ଜର ଗଭୀର ଅନ୍ତଃସ୍ଥଳ ମଥିତ କରି, ବିଦୀର୍ଣ୍ଣ କରି, କାମନାର ପ୍ରମତ୍ତ ଆଲୋଡ଼ନ ପରି, ବାରମ୍ୱାର ପ୍ରତିଧ୍ୱନିତ ହୋଇ ଉଠୁଥିଲା !

 

ନୀଳୋତ୍ପଳ ଧାରଣୀ–ଆବୃତ୍ତି ଭୁଲି, ସେହି କୁହୁଧ୍ୱନି ଆତ୍ମବିସ୍ମୃତ ପରି ଶୁଣୁଥିଲେ ।

ଏକ ବିବସନା ନାରୀର, ସୁତୀକ୍ଷ୍‌ଣ, ଶାଣିତ ଅଙ୍ଗରେଖା ପରି, ଆମ୍ରକୁଞ୍ଜର ମଂଜରିତ ଶାଖାମାନ, ଗୃଧ୍ରକୁଟ ବିହାରର ବାତାୟନହୀନ ନିରୁଦ୍ଧ କକ୍ଷର ଦକ୍ଷିଣ ଦ୍ୱାର ବାହାରେ, ସ୍ୱର୍ଣ୍ଣଭା ଆକାଶର ପୃଷ୍ଠଭୂମିରେ ଉତ୍କୀର୍ଣ୍ଣ ହୋଇଥିଲା ।

ଏକଲକ୍ଷ ଆଠବାର ଧାରଣୀ ଆବୃତ୍ତି କଲେ, ଗଣ୍ଡବ୍ୟୁହ ସୂତ୍ରପାଠର ସୁଫଳ ମିଳିଥାଏ, ଉପୋଷଥ ଦିବସର ବିଧି ।

ବସନ୍ତର ଏହି ସକାଳରେ ତେଣୁ, ମୁକୁଳିତ ଆମ୍ରଶାଖାରେ ବିବସନା ନାରୀର ମଂଜରିତ ଅଙ୍ଗରେଖା କଳ୍ପନା କରିବା ପାଇଁ ବେଳନାହିଁ, ବେଳନାହିଁ.... ! ଦଳେ ମୋକ୍ଷକାମୀ ଭକ୍ତ ନୀଳୋତ୍ପଳଙ୍କ କକ୍ଷଆଡ଼େ ଆସୁଥିଲେ । ଉପଷୋଥ ଦିବସରେ, ଭିକ୍ଷୁମାନଙ୍କ କଣ୍ଠରେ ଧାରଣୀର ଆବୃତ୍ତି ଶୁଣିଲେ ମଧ୍ୟ ମୋକ୍ଷର ପଥ ସୁଗମ ହୋଇଥାଏ । ସେଥିପାଇଁ ମୋକ୍ଷର ମୂଲ୍ୟରୂପେ, ଭିକ୍ଷୁମାନଙ୍କ ସମ୍ମୁଖରେ ସ୍ଥାପିତ ଜଳପୂର୍ଣ୍ଣ ପାତ୍ରମାନଙ୍କରେ କାର୍ଷାପଣମାନ ପକାଇ, କକ୍ଷମାନଙ୍କର ପ୍ରାଚୀର–ଗହ୍ୱରରେ ପ୍ରତିଷ୍ଠିତ ଅବଲୋକିତେଶ୍ୱର ଓ ପ୍ରଜ୍ଞାପାରମିତା, ଅମୋଘସିଦ୍ଧି ଓ ତା’ର ଅଥବା ଅକ୍ଷୋବା ଓ ଲୋଚନା ପ୍ରଭୃତି ବୌଦ୍ଧ ଦେବଦେବୀଙ୍କର ଯୁଗନ୍ନଦ୍ଧ ମୂର୍ତ୍ତିମାନଙ୍କଠାରେ ଗୋଟିଏ ଗୋଟିଏ ଦୀପ ଜଳାଇ, କକ୍ଷରୁ କକ୍ଷାନ୍ତର, ସମଗ୍ର ବିହାର ପରିକ୍ରମା କରିବା, ମୋକ୍ଷକାମୀ, ଭକ୍ତ ଓ ଯାତ୍ରୀମାନଙ୍କର ଉପୋଷଥ ଦିବସରେ ବିଧି ।

ନୀଳୋତ୍ପଳ ସ୍ୱପ୍ନରୁ ଉଠିଲା ପରି ପୁଣି ଧାରଣୀ ଆବୃତ୍ତି କଲେ....

‘‘ଓଁ ନମଃ ସମସ୍ତ ବୁଦ୍ଧାନାଂ ଅପ୍ରତିହତ ଶାସନାମ୍‌

ଉତ୍ତମୋତ୍ତମଂ ଆଗତେ ଭବ କ୍ରୀଂ ଫଟ୍‌ ସ୍ୱାହା !’’

 

ନୀଳୋତ୍ପଳଙ୍କ କକ୍ଷରେ ଯାତ୍ରୀମାନେ ଦର୍ଶନବିଧ ସମାପ୍ତ କରି, ଘୃତଦୀପ ଜାଳି ଚାଲିଗଲେ । ପୋଡ଼ା ଘିଅ ଓ ସଳିତାର ତୀବ୍ର ଗନ୍ଧରେ କକ୍ଷର ବାତାବରଣ ହଠାତ୍‌ ଭାରି ହୋଇ ଉଠିଲା ।

 

କିନ୍ତୁ ଯାହାଙ୍କର ମଞ୍ଜିର ଧ୍ୱନି ଓ କଙ୍କଣନାଦ ଶୁଣିବା ପାଇଁ ନୀଳୋତ୍ପଳ ଉତ୍କର୍ଣ ହୋଇ ଅପେକ୍ଷା କରିଅଛନ୍ତି....କାହାନ୍ତି ସେ, ଶ୍ରେଷ୍ଠୀ ଶ୍ୱେତପର୍ଣର ବଧୂ ମଧୁବ୍ରତା ?

 

ଆଃ.... ମଧୁବ୍ରତା !

 

ବିନିଦ୍ର ରାତ୍ରିର ଜ୍ୱାଳାମୟ ମୁହୂର୍ତ୍ତରେ, ବେଦନାର ନିଷ୍ଠୁର ଦଂଶନ ପରି ମଧୁବ୍ରତାର ସ୍ମରଣରେ ସୁଦ୍ଧା, ଏକ ସୁତୀବ୍ର ବେଦନା ନୀଳୋତ୍ପଳଙ୍କର ସମଗ୍ର ସତ୍ତାକୁ କୁଞ୍ଚିତ କରିଦେଲା ।

 

ଧାରଣୀର ଆବୃତ୍ତି ଭୁଲି ନୀଳୋତ୍ପଳ ଅନୁଚ୍ଚ କଣ୍ଠରେ ସ୍ୱଗତୋକ୍ତି କଲାପରି କହି ଉଠିଲେ....‘‘ମଧୁବ୍ରତା, ମଧୁବ୍ରତା !’’

 

ଗତବାର ମଧ୍ୟ ଉପୋଷଥ ଦିବସରେ, ମଧୁବ୍ରତା ବିହାରକୁ ଆସି ନ ଥିଲେ । ତାହାର କେତେଦିନ ପୂର୍ବେ, ଶ୍ୱେତପର୍ଣ ଶ୍ରେଷ୍ଠୀର ଗୃହକୁ ଭିକ୍ଷାନ୍ନ ଉଦ୍ଦେଶ୍ୟରେ ଯାଇ ମଧୁବ୍ରତା ସେଦିନ ଥରେ ମାତ୍ର ସାକ୍ଷାତ ହୋଇଥିଲା । ମଧୁବ୍ରତା ସ୍ୱହସ୍ତରେ ସେଦିନ ଭିକ୍ଷାନ୍ନ ପରିବେଷଣ କରିଥିଲେ-। କିନ୍ତୁ କୌଣସି ଗୃହରୁ ଥରେ ଭିକ୍ଷାନ୍ନ ସଂଗ୍ରହ ପରେ, ଏକ ନିଦ୍ଦିଷ୍ଟ କାଳ ଅତିକ୍ରାନ୍ତ ନ ହେବା ପର୍ଯ୍ୟନ୍ତ ପୁଣି ସେଠାକୁ ଦ୍ୱିତୀୟବାର ଯିବା ଭିକ୍ଷୁ ପକ୍ଷରେ ନିଷିଦ୍ଧ ! ସେଥିପାଇଁ ଶ୍ୱେତପର୍ଣ୍ଣର ଅନ୍ତଃପୁରକୁ ଆଉଥରେ ଭିକ୍ଷାପାଇଁ ଯିବାର ଉପାୟ ନ ଥିଲା ।

 

ଆଃ.... ମଧୁବ୍ରତା ! ମଧୁବ୍ରତା !

 

ଛାୟା ଢଙ୍କା ନିଥର ସରସୀରେ ମୁଦ୍ରିତ କମଳ ପରି, ବେଦନା ବିଧୁର ଦୁଇଟି ଆୟତ ଆଖି, ଦୁର୍ବାଦଳରେ ଶିଶିର ବିନ୍ଦୁ ପରି ସେଥିରେ ଏକ କରୁଣ ଉଜ୍ଜ୍ୱଳତା, ନୀଳୋତ୍ପଳଙ୍କର ମାନସଦୃଷ୍ଟିରେ ଭାସି ଉଠି ପୁଣି ମିଳାଇ ଗଲା !

 

‘‘ଓଁ ନମଃ ସମସ୍ତ ବୁଦ୍ଧାନାଂ...’’

 

ନାରୀ.....ନାରୀ.....ନାରୀ.....କୋକିଳର ସେହି ଅଶାନ୍ତ, ପ୍ରମତ୍ତ, ରତିଭିକ୍ଷା, ଧାରଣୀ ଆବୃତ୍ତିର ଗୁଞ୍ଜରଣକୁ ପୁଣି ନୀରବ କରାଇ ଦେଇଥିଲା ।

 

ଅର୍ହତ ଶାନ୍ତିଦେବଙ୍କୁ ପଚାରିବା ପାଇଁ ଇଚ୍ଛା ହୁଏ, କୋକିଳର ଏହି ପ୍ରମତ୍ତ ରତିଭିକ୍ଷା ଧାରଣୀରେ ଆବୃତ୍ତି....କେଉଁଟି ଚିରନ୍ତନ ? ସବୁ ଧାରଣୀ, ସବୁ ଯୁକ୍ତି, ସବୁ ତ୍ରିପିଟକ ମୁଖସ୍ଥ, ନୀରବ ହେବା ପରେ ସୁଦ୍ଧା, ନିର୍ବାଣହୀନ ଏହି ନିର୍ବୋଧ ପକ୍ଷୀଟିର ପ୍ରମତ୍ତ ରତିଭିକ୍ଷା ତଥାପି ମୃତ୍ୟୁହୀନ ହୋଇ ରହିଥିବ !

 

ତାହାହେଲେ ଆନନ୍ଦ ଓ ସୌନ୍ଦର୍ଯ୍ୟ ପରିହାର କରି, ଆତ୍ମନିଗ୍ରହ ଓ ତିତିକ୍ଷା ମଧ୍ୟରେ ନିର୍ବାଣର ଏ ସାଧନା କାହିଁକି ? କାହିଁକି ?

 

ନୀଳୋତ୍ପଳଙ୍କର କକ୍ଷର ପ୍ରାଚୀର–ଗହ୍ୱରରେ ରକ୍ତ–ପ୍ରସ୍ତର ନିର୍ମିତି ଗୋଟିଏ ଯୁଗନ୍ନଦ୍ଧ, ଅବଲୋକିତେଶ୍ୱର ଓ ପ୍ରଜ୍ଞାପାରମିତା ମୂର୍ତ୍ତି ସ୍ଥାପିତ ଥିଲା । କେହି ଭକ୍ତ ଯାତ୍ରୀ ମୂର୍ତ୍ତିର ପାଦତଳେ, ଅଶୋକମଞ୍ଜରୀର ଗୋଟିଏ ସ୍ଫୁରିତଳ ସ୍ତବକ ନିବେଦନ କରି ଯାଇଥିଲେ । ପ୍ରଜ୍ଞାପାରମିତାଙ୍କ ସୁତୀକ୍ଷ୍‌ଣନାଗ୍ର, ଅବଲୋକିତେଶ୍ୱରଙ୍କ ସୁକଠିନ ବକ୍ଷକୁ ସୁଦ୍ଧା ଯେପରି ପୀଡ଼ନ କରୁଥିଲା । ଅବଲୋକିତେଶ୍ୱରଙ୍କ ମୁଖମଣ୍ଡଳରେ * ମୁଦ୍ରିତ ଓ ଉପେକ୍ଷାର † ସ୍ନିଗ୍ଧତା....ପ୍ରଜ୍ଞାଙ୍କ ମୁଖମଣ୍ଡଳ ରତିତୃପ୍ତିରେ କୋମଳ ।

 

*ଆନନ୍ଦ, † ପ୍ରଶାନ୍ତି ।

 

ସେଦିନ ପତିମୋକ୍ଷ ଦିବସ ।

 

ରାତ୍ରି ନିସ୍ତବ୍ଧ ହୋଇଥିଲା । ବିହାରର ଅନ୍ତେବାସୀମାନେ ଉପୋଷଥ ଦିବସ କ୍ଳାନ୍ତି ପ୍ରତିମୋକ୍ଷବେଳେ ଆଚାର୍ଯ୍ୟ ଶାନ୍ତିଦେବଙ୍କଠାରେ ନିଜ ନିଜର ସ୍ଖଳନମାନ ଅକୁଣ୍ଠିତ ଭାବରେ ସ୍ୱୀକାର କରି, ପତିମୋକ୍ଷର ବ୍ୟବସ୍ଥା ଗ୍ରହଣ କରିବା ପରେ, ନିର୍ମଳ ଚିତ୍ତ ଓ ନିରୁପଦ୍ରବ ବିବେକରେ ନିଦ୍ରାଭିଭୂତ ହୋଇ ପଡ଼ିଥିଲେ ।
 

ଗୃଧ୍ରକୂଟ ବିହାରର ତ୍ରିତଳ ଶିଖରରେ, ନିଜ ପ୍ରକୋଷ୍ଠ ସମ୍ମୁଖସ୍ଥ ଏଲକ ମୁକ୍ତ, ଚତୁଷ୍କୋଣାକାର ଅଳିନ୍ଦରେ ଗୋଟିଏ ଉଚ୍ଚାସନ ଉପରେ ଆଚାର୍ଯ୍ୟ ଶାନ୍ତିଦେବ, ତଥାପି ଧ୍ୟାନସୀନ ପରି ବସିଥିଲେ । ପୂର୍ଣ୍ଣିମା ତିଥିର ଜ୍ୟୋସ୍ନାପ୍ଳାବନ ମଧ୍ୟରେ, ଛାୟାଛନ୍ନ ଶାନ୍ତିଦେବ, ଗୋଟିଏ ନିଶ୍ଚଳ, ଶିଳାମୂର୍ତ୍ତି ପରି ଦିଶୁଥିଲେ । ବିହାରର ଆମ୍ରବୀଥିକାରେ ବୃକ୍ଷର ଛାୟାସବୁ ରାତ୍ରିର ବିନିଦ୍ର, ପ୍ରହରରେ ଶତ ବେଦନାର ସ୍ମୃତି କିପରି ବିଚ୍ଛୁରିତ ହୋଇ ପଡ଼ିଥିଲା । ଗୋଟିଏ ଟିଟ୍ଟିଭିର ଅଶାନ୍ତ ଚିତ୍କାର, ବେଳେବେଳେ ଆବେଗ ଓ କାମନାବିହୀନ କୁମାରୀ ରାତ୍ରିକୁ ଶୀତଳ ସୁଷୁପ୍ତିରୁ ଜାଗ୍ରତ କରିବା ପାଇଁ ଚେଷ୍ଟା କରି, ଯେପରି ବାରମ୍ୱାର ବିଫଳ ହେଉଥିଲା ।

 

ନୀଳୋତ୍ପଳଙ୍କ ପାଦଶବ୍ଦରେ ଶାନ୍ତିଦେବ ଆଖି ମେଲି, ଛାୟାନ୍ଧକାର ମଧ୍ୟକୁ ଚାହିଁଲେ । ଶୀଳ, ସଂଯମ, ସାଧନ ଓ ଅଧ୍ୟୟନରେ ଭିକ୍ଷୁଶ୍ରେଷ୍ଠ ନୀଳୋତ୍ପଳଙ୍କର ପତିମୋକ୍ଷ କରିବାପାଇଁ କୌଣସି ସ୍ଖଳନ ବା ବିଚ୍ୟୁତି ଥାଇପାରେ, ଏ ଧାରଣା ଆଚାର୍ଯ୍ୟ ଶାନ୍ତିଦେବଙ୍କର ନ ଥିଲା ।

 

ସେ ତେଣୁ ପଚାରିଲେ.....

 

‘‘ଭଦନ୍ତ ନୀଳୋତ୍ପଳ, ତୁମ୍ଭେ ଏତେ ରାତ୍ରିରେ ?’’

 

ନୀଳୋତ୍ପଳ ହଠାତ୍‌ କୌଣସି ଉତ୍ତର ନ ଦେଇ ନୀରବ ରହିଲେ । ସ୍ଖଳନର ସ୍ୱୀକୃତି ପାଇଁ,ତାଙ୍କର ଯେପରି କଣ୍ଠରୋଧ ହେଉଥିଲା ।

 

ନୀଳୋତ୍ପଳ ଅବଶେଷରେ ଅକୁଣ୍ଠିତ ଚିତ୍ତରେ ସ୍ୱୀକାର କରିଗଲେ....ଶ୍ରେଷ୍ଠୀ ଶ୍ୱେତପର୍ଣର କୂଳବଧୁ ମଧୁବ୍ରତା......ପ୍ରୋଷିତଭର୍ତ୍ତୃକା । ଶ୍ରେଷ୍ଠୀପୁତ୍ର ସାଦବ ନଳିନାକ୍ଷ, ବିବାହର ମଧୁଯାମିନୀପରେ ପାଟଳୀପୁତ୍ରରୁ ଅନ୍ୟ ସାଧବମାନଙ୍କ ସହିତ ଗୋଟିଏ ବୋଇତରେ ଗଙ୍ଗା ବକ୍ଷରେ ସମୁଦ୍ର ଯାତ୍ରା କରିଥିଲା । ସେ ଆଜକୁ କେତେବର୍ଷ ତଳେ । ସେହିଦିନୁ ନଳିନାକ୍ଷ ନିରୁଦ୍ଦିଷ୍ଟ-। ପାଟଳୀପୁତ୍ରର କେହି କେହି ବିଦେଶପ୍ରତ୍ୟାଗତ ସାଧବ କହନ୍ତି, ଜଳଦସ୍ୟୁମାନଙ୍କର ଆକ୍ରମଣରେ ନଳିନାକ୍ଷ ନିହତ ହୋଇଅଛି, ଆଉ କେହି କେହି କହନ୍ତି କେଉଁ ଏକ ଦ୍ୱୀପରେ ନଳିନାକ୍ଷ ଏକ ସୁନ୍ଦରୀ ବିଦେଶିନୀର ପାଣିଗ୍ରହଣ କରି ସେଠାରେ ନୂତନ ସଂସାର ଗଢ଼ିଅଛି-! ନଳିନାକ୍ଷର ପ୍ରତ୍ୟାବର୍ତ୍ତନ ପାଇଁ ଏକ ନିର୍ଦ୍ଦିଷ୍ଟ କାଳ ଅପେକ୍ଷା କରିବା ପରେ, ତାହାକୁ ନଷ୍ଟ ଅଥବା ମୃତରୂପେ ବିବେଚନା କରି, ଶ୍ୱେତପର୍ଣ ସାମାଜିକ ବିଧାନ ଅନୁସାରେ, ପ୍ରେତକର୍ମ ସମାପ୍ତ କରିଅଛି-। ନଳିନାକ୍ଷ ମୃତ ବୋଲି ସମସ୍ତେ ଗ୍ରହଣ କରି ସାରିଥିଲେ ହେଁ, ନୀଳୋତ୍ପଳର ପ୍ରତ୍ୟାବର୍ତ୍ତନର ବିଶ୍ୱାସ, ମଧୁବ୍ରତାର ପ୍ରାଣରେ, ବାସର ଗୃହର ପ୍ରଦୀପ ଧରି ତଥାପି ଅମଳିନ ଦ୍ୟୁତିରେ ନିଷ୍ପନ୍ଦ ରହିଅଛି ।

 

ସେଦିନ ହେମନ୍ତର ଏକ କୋମଳ ରୌଦ୍ରତପ୍ତ ମଧ୍ୟାହ୍ନ । ନିୟମିତ ରୀତିରେ, ମଧ୍ୟାହ୍ନର ଛାୟା ଅଙ୍ଗୁଳିପରିମିତ ଅପସୃତ ହେବା ପୂର୍ବରୁ ଶ୍ରେଷ୍ଠୀ ଶ୍ୱେତପର୍ଣର ଅନ୍ତଃପୁରରେ ଭୋଜନ ସମାପ୍ତ କରି ଭିକ୍ଷୁ ନିଳୋତ୍ପଳ ବିଦାୟ ନେଉଥିଲେ । ମଧୁବ୍ରତା ଅନ୍ତଃପୁରରେ ଏକ ଗବାକ୍ଷର ନେପଥ୍ୟରୁ ଅସ୍ଫୁଟ କଣ୍ଠରେ ହଠାତ୍‌ ଡାକିଲେ.....‘‘ଭଦନ୍ତି’’ ! (ସେହିଦିନୁ ଆମ୍ରବୀଥିକାରେ କୋକିଳର କୁହୁଧ୍ୱନି ଅଥବା ଏହିପରି ମୂର୍ଚ୍ଛିତ, ଜ୍ୟୋସ୍ନାପୁଲକିତ ରାତ୍ରିରେ, ନିଃସଙ୍ଗ ଆକାଶ ପଥରେ ଟିଟ୍ଟିଭାର ଚିତ୍କାର, ଗବାକ୍ଷରା ନେପଥ୍ୟରେ କଙ୍କଣ ଓ ମଞ୍ଜିରର କଳଧ୍ୱନି ସହିତ, ମଧୁବ୍ରତାଙ୍କର ସେହି ଭୀରୁ ବ୍ରୀଡ଼ାକୁଣ୍ଠିତ ଆହ୍ୱାନର ପ୍ରତିଧ୍ୱନି ନୀଳୋତ୍ପଳଙ୍କର ମର୍ମେ ମର୍ମେ ଅନୁରଣିତ କରିଦିଏ ।)

 

ନୀଳୋତ୍ପଳଙ୍କର ସମ୍ମୁଖକୁ ଆସିଲେ ନୀଳଚେଳପରିହିତା; କୁସୁମିତା ଅପରାଜିତା ବ୍ରତତୀ ପରି, ଉଜ୍ଜଳ ଶ୍ୟାମବର୍ଣ୍ଣା, କୃଶାଙ୍ଗୀ ମଧୁବ୍ରତା । ଅଲକ୍ତରଞ୍ଜିତ, ମଞ୍ଜିରବେଷ୍ଟିତ ଦୁଇଚରଣ ଯେପରି ପ୍ରିୟମିଳନର ସଙ୍ଗୀତରେ ମୂର୍ଚ୍ଛନାମୟ । କ୍ଷୀଣ କଟୀତଳେ ବର୍ତ୍ତୁଳ ଜଘନ, ପୁଣି କାଞ୍ଚଲାର କଠୋର ବନ୍ଧନ ତଳେ ପୀନସ୍ତନବିକ୍ଷୁବ୍ଧ ବକ୍ଷର ଲୀଳାୟିତ ରେଖା, ପୀଡ଼ନ ପାଇଁ ଯେପରି ଉଦ୍‌ବେଳିତ ହୋଇ ଉଠିଥିଲା । ଓଲଟ ପଦ୍ମତଳେ ପରି ଦୁଇ ଆୟତ ନେତ୍ରରେ କିନ୍ତୁ, ଏଇ ଛାୟାଚ୍ଛନ୍ନ ହ୍ରଦର କରୁଣ ଉଦାସୀନତା । ନୀଳୋତ୍ପଳ ଆତ୍ମବିସ୍ମୃତ ହୋଇ ପଡ଼ିଥିଲେ ।

 

ଅନ୍ତଃପୁରର ପାରାବତ ପାଳିକାରେ, ପାରାବତମାନଙ୍କର କାମୋନ୍ମତ୍ତ କୁଜନ ବ୍ୟତୀତ ସେହି ଅଳସ–ମଧ୍ୟାହ୍ନର ଆଉ ଅନ୍ୟ ଶବ୍ଦ ନ ଥିଲା ।

 

ମଧୁବ୍ରତାଙ୍କର ଗୋଟିଏ ଗଭୀର ଦୀର୍ଘନିଃଶ୍ୱାସରେ ନୀଳୋତ୍ପଳଙ୍କ ଆତ୍ମବିସ୍ମୃତି କଟିଗଲା । ସେ ମଧୁବ୍ରତାଙ୍କର ଦୁଇ ଆକ୍ଷି ଭିତରକୁ ଚାହିଁଲେ । ଓଲଟ ପଦ୍ମଦଳ ପରି ତାଙ୍କର ଦୁଇ ଆକ୍ଷିରେ କେତେ ବିନ୍ଦୁ ଅଶ୍ରୁ ଏକ ଅପାପବିଦ୍ଧ ସୁନ୍ଦରୀମାରେ ମଧୁବ୍ରତାଙ୍କର ମୁଖମଣ୍ଡଳକୁ ଯେପରି ବିଧୌତ କରିଥିଲା । ରାଗରଞ୍ଜିତ ତାଙ୍କର ଦୁଇ ଓଷ୍ଠାଧର ଏକ ଅବ୍ୟକ୍ତ ପ୍ରଶ୍ନରେ ଯେପରି କମ୍ପିତ ହୋଇ ଉଠୁଥିଲା ।

 

ନୀଳୋତ୍ପଳ ସମ୍ୱେଦନଶୀଳ କଣ୍ଠରେ ପଚାରିଲେ...‘‘କ’ଣ କହିବ ଭଦ୍ରେ ?’’

 

ସଲ୍ଲଜ ସଙ୍କୋଚରେ ମଧୁବ୍ରତା, ରକ୍ତିମ ଶତଦଳ ପରି ଆରକ୍ତିମ ବାମ କରତଳ ନୀଳୋତ୍ପଳଙ୍କର ଆଡ଼େ ପ୍ରସାରିତ କରି ବ୍ରୀଡ଼ାକୁଣ୍ଠିତ କଣ୍ଠରେ କହିଲେ, ‘‘ମୋର କରଗଣନା କରି କହି ପାରିବେ ଶ୍ରମଣ ! ସେଦିନ ମଧୁଯାମିନୀ ଶେଷରେ, ଗଙ୍ଗା ବକ୍ଷରେ ଅସ୍ତଚନ୍ଦ୍ର ସହିତ ଯାହାଙ୍କୁ ବିଦାୟ ଦେଇଥିଲି, ସେ ପୁଣି ଫେରିବେ କି ନାହିଁ ?’’

 

ମନ୍ତ୍ର–ମୁଗ୍ଧ ପରି ନୀଳୋତ୍ପଳ ମଧୁବ୍ରତାଙ୍କର ପ୍ରସାରିତ ବାମ କରପୃଷ୍ଠକୁ ନିଜର ହାତରେ ଧରି ସମ୍ପୂର୍ଣ୍ଣ ଆତ୍ମବିସ୍ମୃତ ହୋଇ ପଡ଼ିଲେ । ଶ୍ରମଣମାନଙ୍କ ପକ୍ଷରେ ଏ ପ୍ରକାର ସାମୁଦ୍ରିକ ବିଦ୍ୟା, କରଗଣନା ଓ ଅଭିଚାର ପ୍ରଭୃତି ଶିକ୍ଷା କରବା ନିଷିଦ୍ଧ । ତେଣୁ ମଧୁବ୍ରତାଙ୍କର କରଗଣନା କରି, ତାଙ୍କର ପ୍ରଶ୍ନର ଉତ୍ତର ଦେବା ନୀଳୋତ୍ପଳଙ୍କ ପକ୍ଷରେ ସମ୍ଭବ ନଥିଲା । ତଥାପି ସେ ସେହି ମୂର୍ଚ୍ଛିତ ମଧ୍ୟାହ୍ନରେ ମଧୁବ୍ରତାଙ୍କର ପେଲବ କରତଳକୁ ନିଜର ଦୁଇ ହାତରେ ତୋଳି ଧରିଥିଲେ । ଦଣ୍ଡ, ଚୀବର ଓ ଅକ୍ଷମାଳାର ନିତ୍ୟ ସ୍ପର୍ଶରେ, ନୀଳୋତ୍ପଳଙ୍କର ଦୁଇ ହାତର କ୍ଷୁଧିତ ସ୍ନାୟୁତନ୍ତ୍ରୀମାନେ ଯେପରି ଏକ ନବଜୀବନର ପୁଲକରେ ପୁଲକିତ ହୋଇ ଉଠିଥିଲା । ଏକ ସମ୍ମୋହନ ମଧ୍ୟରେ ନୀଳୋତ୍ପଳ ଆତ୍ମବିସ୍ମୃତ ହୋଇ ପଡ଼ିଥିଲେ । ଏକ ଅତଳ ମହାଶୂନ୍ୟତା ମଧ୍ୟରେ ନୀଳୋତ୍ପଳଙ୍କ ସମଗ୍ର ସତ୍ତା ଯେପରି ଲୁପ୍ତ ହୋଇ ପଡ଼ିଥିଲା । ନୀଳୋତ୍ପଳ, ଶତ ସାଧନା ସଂଯମ ମଧ୍ୟରେ ସୁଦ୍ଧା ଯେଉଁ ଅନିବର୍ଚନୀୟ, ଅଦ୍ୱୟ ଶୂନ୍ୟତାର ଅନୁଭବ ପାଇ ନ ଥିଲେ, ଆଜି ଏହି ଅଳସ ପାରାବତକୂଜିତ ମଧ୍ୟାହ୍ନରେ, ତାହା ଯେପରି ନୀଳୋତ୍ପଳଙ୍କର ସମଗ୍ର ସତ୍ତାକୁ ତିଳେ ତିଳେ ଆଚ୍ଛନ୍ନ କରିଦେଲା ।

 

ଏହି ତ ସେହି ଅନିର୍ବଚନୀୟ ମହାଶୂନ୍ୟ, ଯାହା ମଧ୍ୟରେ ଦେହ ଓ ଆତ୍ମା ମାଂସ ଓ ପ୍ରାଣ, ରୂପ ଅରୂପ, ସବୁ ନିଶ୍ଚିହ୍ନ ହୋଇଯାଏ । ଏହି ତ’ ମହାସୁଖ, ଯାହା ମଧ୍ୟରେ ଦେହ ଦେହାତୀତ ହୋଇ, ବିଦେହର ପରିଣତ ହୁଏ । ଏହି ତ ମହାନିର୍ବାଣ । ପ୍ରଜ୍ଞାଙ୍କର ପୀନସ୍ତନାଗ୍ରବିଦ୍ଧ ଅବଲୋକିତେଶ୍ୱରଙ୍କ ମୁଖମଣ୍ଡଳରେ ମୁଦିତ ଓ ଉପେକ୍ଷାର ବ୍ୟଞ୍ଜନା, ନୀଳୋତ୍ପଳ ନିଜର ମୁଖମଣ୍ଡଳ ସୁଦ୍ଧା ଅନୁଭବ କରି ପାରୁଥିଲେ ।

 

ନୀଳୋତ୍ପଳଙ୍କର ଗଭୀର, ଉଷ୍ଣ ପ୍ରଶ୍ୱାସର ଜ୍ୱାଳା ମଧୁବ୍ରତାଙ୍କର ପ୍ରସାରିତ କରତଳକୁ ଯେପରି ଦଗ୍ଧ କରି ଦେଉଥିଲା । ସେ ଧୀରେ ଧୀରେ ନୀଳୋତ୍ପଳଙ୍କ ଦୁଇ ହାତରୁ ନିଜର ପ୍ରସାରିତ କରତଳ କାଢ଼ି ଆଣି ଅଞ୍ଚଳ ମଧ୍ୟରେ ତାହାକୁ ଆବୃତ କରି ଦେଲେ । ଘନକକ୍ଷ ଯକ୍ଷ୍ମରେଖା ମଧ୍ୟରେ ମଧୁବ୍ରତାଙ୍କର ଦୁଇ ଆୟତ ନେତ୍ରରେ ଉତ୍କଣ୍ଠିତ ଦୃଷ୍ଟି ମୁଦ୍ରିତ ହୋଇ ଆସିଲା ।

 

ନୀଳୋତ୍ପଳ ପୁଣି ପୂର୍ବର ଅବସ୍ଥାକୁ ଫେରିଆସିଲେ; ମାତ୍ର ମଧୁବ୍ରତା ସେଠାରେ ସେତେବେଳକୁ ନଥିଲେ । ପାରାବତ ପାଳିକାରେ ପାରବତମାନଙ୍କର ଅଳସକୂଜନ ମଧ୍ୟରେ ନୀଳୋତ୍ପଳଙ୍କର ସମ୍ମୋହନ ଧୀରେ ଧୀରେ କଟି ଆସୁଥିଲା ।

 

ଶାନ୍ତିଦେବ ପୂର୍ବପରି ନିଶ୍ଚଳ ନୀରବତାରେ ବସିଥିଲେ । ଗୋଟିଏ ଟିଟ୍ଟିଭର ଅଶାନ୍ତ ଚିତ୍କାର ସେହି ନିର୍ବ୍ୟୈକ୍ତିକ ଜ୍ୟୋସ୍ନା ରାତ୍ରିକୁ ଏକାନ୍ତ ନିଃସଙ୍ଗ ଓ ଗଭୀର କରି ଦେଇଥିଲା ।

 

ନୀଳୋତ୍ପଳ କହିଲେ, ‘‘ସେହିଦିନୁ ମୋର ଚିତ୍ତର ସକଳ ପ୍ରଶାନ୍ତି ଲୋପ ପାଇଅଛି; ମୋର ସମସ୍ତ ସଂଯମ ଓ ସାଧନ ସ୍ଖଳିତ ହୋଇ ଅଛି । ଦେହର କ୍ଷୁଧାରେ ଆତ୍ମାର ଅଭୀପ୍ସା ମଳିନ ହୋଇଅଛି । କିନ୍ତୁ ଭଗବାନ, ମଧୁବ୍ରତାର ସେହି ପେଲବ, ରକ୍ତିମ ବାମ କରତଳ ପୀଡ଼ନ କଲାବେଳେ ଏକ ଅନିର୍ବଚନୀୟ ମହାସୁଖ ମଧ୍ୟରେ ମୁଁ ମୁହୂର୍ତ୍ତକ ପାଇଁ ନିର୍ବାଣର ଯେଉଁ ମହାଶୂନ୍ୟତା ଉପଲବ୍ଧି କରିଥିଲି ତାହା କ’ଣ ମିଥ୍ୟା ?’’

 

ଶାନ୍ତିଦେବ ସେହିପରି ନୀରବରେ ଧ୍ୟାନାସୀନ ଏକ ବୁଦ୍ଧମର୍ତ୍ତି ପରି ବସିଥିଲେ । ନିଃସଙ୍ଗ ଆକାଶ ପଥରେ ସେହି ଅତୃପ୍ତ ଟିଟ୍ଟିଭର ଅଶାନ୍ତି ଚିତ୍କାର ମଧ୍ୟରେ ନୀଳୋତ୍ପଳଙ୍କର ଜିଜ୍ଞାସା ଯେପରି ବାରମ୍ୱାର ପ୍ରକାଶିତ ହୋଇ ପୁଣି ନୀରବ ହୋଇ ଯାଉଥିଲା ।

 

ଶାନ୍ତିଦେବ କହିଲେ....,ଭନ୍ତେ ‘‘ତଥାଗତ ଦୁଃଖର ନିଦାନ କହିଛନ୍ତି, ରୂପରୁ ତୃଷ୍ଣା, ତୃଷ୍ଣାରୁ ବେଦନା, ବେଦନାରୁ ଦୁଃଖ । ତେଣୁ ଦୁଃଖ ଜୟପାଇଁ ରୂପ ଓ ତୃଷ୍ଣାର ଜୟ ଅନିବାର୍ଯ୍ୟ । ଦୁଃଖର ଜୟ ହିଁ ନିର୍ବାଣ, ଜନ୍ମ ପୁନର୍ଜନ୍ମର ନାଗବନ୍ଧନରୁ ମହାମୁକ୍ତି ।’’

 

ଶାନ୍ତିଦେବ ପୁଣି ପୂର୍ବର ନିଶ୍ଚୟ ମୌନତା ମଧ୍ୟରେ ଅବଲୁପ୍ତ ହୋଇ ପଡ଼ିଲେ । ନୀଳୋତ୍ପଳ ପ୍ରାଚୀରର ଛାୟା ସହିତ ମିଶି ଏକ ଛାୟା ପରି ଠିଆ ହୋଇଥିଲେ । ସେହି ଅଶାନ୍ତ ଟିଟ୍ଟିଭ ଏକ ଅତୃପ୍ତ, ତୃଷ୍ଣାବିଦ୍ଧ ଆତ୍ମାପରି, କେତେବଳେ ଊର୍ଦ୍ଧ୍ୱକୁ ଉଠିଯାଇ, ଆଉ କେତେବେଳେ ଆମ୍ରବୀଥିକାରେ ଛାୟାଘନ ଶୀର୍ଷକୁ ଖସି ଆସି, ରାତ୍ରିର ସ୍ତିମିତ ସ୍ନାୟୁରେ, କାମନାର ଏକ ପ୍ରମତ୍ତ ଆବେଗ ପରି, ଜ୍ୟୋସ୍ନାସ୍ନାତ ଆକାଶରେ ଶଷତ ଅଶାନ୍ତ ତରଙ୍ଗ କାଟି ଉଡ଼ି ବୁଲୁଥିଲା ।

 

ବିବସନା ଉର୍ବଶୀର ଅଙ୍ଗବାସ ପରି, ଶୁକ୍ଳପକ୍ଷର ମୁକୁଳ ସ୍ନିଗ୍ଧ ଜ୍ୟୋସ୍ନା ବିଚ୍ଛୁରିତ ହୋଇ ପଡ଼ିଥିଲା । ନୀଳୋତ୍ପଳ, ଜ୍ୟୋସ୍ନାର ସେହି ପ୍ଳାବନ ମଧ୍ୟରେ, ଆତ୍ମବିସ୍ମୃତ ହୋଇ ପଡ଼ିଥିଲେ । ତଥାଗତ କହିଛନ୍ତି, ଦୁଃଖର ହେତୁ ରୂପ, ନିର୍ବାଣ ପଥରେ ପ୍ରତିବନ୍ଧକ; କିନ୍ତୁ ଏହି ଅଶରୀରୀ ଜ୍ୟୋସ୍ନାର ଭୂବନବିମୋହିନୀ ରୂପ ସୌନ୍ଦର୍ଯ୍ୟ ମଧ୍ୟରେ ଅନାହତ ଆନନ୍ଦର ଅନୁଭବ, ସବୁ ତୃଷ୍ଣାକୁ ପ୍ରଶମିତ କରି, ଯେଉଁ ବେଦନାର ସଞ୍ଚାର କରୁଅଛି, ତାହାତ ଦୁଃଖକୁ ଦୁଃଖାତୀତ କରେ । ନୀଳୋତ୍ପଳ ତାହା ସ୍ପଷ୍ଟ ଅନୁଭବ କରି ପାରୁଅଛନ୍ତି । ସେଦିନ, ସେହି ନିର୍ଜନ, ପାରାବତ କଜିତ ମଧ୍ୟାହ୍ନରେ ମଧୁବ୍ରତାଙ୍କର ବାମ କରତଳ, ଦୁଇ ହାତରେ, ଆବେଗକମ୍ପିତ ହସ୍ତରେ ଉଠାଇ ନେବାବେଳେ, ଏହିପରି ଏକ ଅନୁଭୂତି ନୀଳୋତ୍ପଳଙ୍କୁ ନିର୍ବେଦଗ୍ରସ୍ତ କରି ଦେଇଥିଲା ।

 

ତାହା କିନ୍ତୁ ମୁହୂର୍ତ୍ତକ ପାଇଁ ।

 

ମଧୁବ୍ରତାର ସାନ୍ନିଧ୍ୟ ପାଇଁ ଏକ ଅନିର୍ବଚନୀୟ ବେଦନା, ସେହି ଶୀତଳ ଜ୍ୟୋସ୍ନାରାତିକୁ ବିଦଗ୍ଧ କରି ଦେଉଥିଲା ।

 

ଶାନ୍ତିଦେବ ସୁପ୍ତୋତ୍‌ଥିତ ପରି କହିଲେ.‘‘ଭନ୍ତେ, ରାତ୍ରି ଦ୍ୱିତୀୟ ପ୍ରହରୀ ଉତ୍ତୀର୍ଣ୍ଣ ପ୍ରାୟ । ପୋତିମୋକ୍ଷର ବିଧାନରୂପେ ତୁମ୍ଭଙ୍କୁ ତିନି ସପ୍ତାହ ଶ୍ମଶାନରେ ଅଶୁଭ–ଭାବନା ଅଭ୍ୟାସ କରିବା ପାଇଁ ପଡ଼ିବ ।’’

 

ନୀଳୋତ୍ପଳ ବିହାର–ଶିଖରରୁ ତାଙ୍କର ପ୍ରକୋଷ୍ଠକୁ ଫେରି ଆସିଲେ । ଅବଲୋକିତେଶ୍ୱର ଓ ପ୍ରଜ୍ଞାଙ୍କ ପୀଠତଳେ ଦୀପ ବହୁବେଳ ନିର୍ବାପିତ ହୋଇ ସାରିଥିଲା । ଅକୁଣ୍ଠତା ଜ୍ୟୋସ୍ନାର ଗୋଟିଲଏ ତିର୍ଯ୍ୟକ ଫଳକ ପ୍ରକୋଷ୍ଠର ପାଷାଣ–ଚତ୍ୱର ଉପରେ ମୂର୍ଚ୍ଛିତ ହୋଇ ପଡ଼ିଥିଲା । ଟିଟ୍ଟିଭର ସେହି ଅଶାନ୍ତ, ଚିତ୍କାର, ରାତିର ପବନରେ ଆମ୍ର ମୁକୁଳର ବିହ୍ୱଳିତ ସୁରଭି, ନୀଳୋତ୍ପଳଙ୍କୁ ସମ୍ପୂର୍ଣ୍ଣ ଅବ୍ୟବସ୍ଥିତ କରି ଦେଇଥିଲା ।

 

ନୀଳୋତ୍ପଳଙ୍କର ମନେ ପଡ଼ିଯାଉଥିଲା, ‘‘ମହାନିର୍ବାଣତନ୍ତ୍ର’’ର ଗୋଟିଏ ସୂତ୍ର.......

 

ସେଦିନ ପ୍ରବ୍ରଜ୍ୟା ପଥରେ ପଥଶ୍ରାନ୍ତ, କ୍ଷୁଧାର୍ତ୍ତ ତଥାଗତ ମଲ୍ଲମାନଙ୍କର କୁଶୀନର ଜନପଦର ଉପକଣ୍ଠସ୍ଥିତ ଶାଳବନରେ ଉପନୀତ ହେଲେ ।

 

ନବବସନ୍ତ ସେଦିନ, ରକ୍ତପୁଷ୍ପ ଓ ପଲ୍ଲବରେ, ଶାଳବୀଥିକାରେ ଶାଖାରେ ଶାଖାରେ ମବନୋତ୍ସବର ଏକ ବିଚିତ୍ରିତ. ବର୍ଣ୍ଣାଢ଼୍ୟ ସମାରୋହ ରଚନା କରିଯାଇଥିଲା । ଶାଳବୀଥିକାରେ ପେଲବ ମର୍ମଭୂମିରୁ ଗୋଟିଏ କୋକିଳର ଅଶାନ୍ତ କଜନ ସେହି ନିଭୃତ ବନଭୂମିକୁ ଯେପରି ଉପେକ୍ଷା ଓ ନିଗ୍ରହର ପାଣ୍ଡୁର ଶଯ୍ୟା ଛାଡ଼ି ଉଠିବା ପାଇଁ ଡାକି ଡାକି ନୀରବ ହୋଇ ଯାଉଥିଲା । ତାହାର ଅଶାନ୍ତ ପ୍ରତିଧ୍ୱନି ଶାଳବୀଥିକାରେ ଶାଖାରେ ଶାଖାରେ, ପତ୍ରେ ପତ୍ରେ, ଏକ ବ୍ୟଥାତୁର ଆଲୋଡ଼ନ ସୃଷ୍ଟି କରି ଯାଉଥିଲା । ମଧୁଲୋଭୀ ଭ୍ରମରମାନଙ୍କର ଅତୃପ୍ତ ଗୁଞ୍ଜନ, ସେହି ଆହ୍ୱାନ ଓ ଆଲୋଡ଼ନକୁ ଯେପରି ଏକ ପ୍ରମତ୍ତାରେ ସୁତୀବ୍ର କରି ଦେଉଥିଲା ।

 

ସେହି ମୁହୂର୍ତ୍ତରେ ନାରୀର ଚିନ୍ତା ଆନନ୍ଦଙ୍କ ପ୍ରାଣକୁ କାହିଁକି ଉଦ୍‌ବେଳିତ କଲା କେଜାଣି, ଆନନ୍ଦ ଜିଜ୍ଞାସା କଲେ....‘ଭଗବନ୍‌, ନାରୀ ସହିତ ଭିକ୍ଷୁମାନଙ୍କର କି ସମ୍ପର୍କ ରହିବ ?’’

 

ତଥାଗତ ଉତ୍ତର ଦେଲେ....‘‘ନାରୀର ସାମୀପ୍ୟ ପରିହାର କରିବା ପ୍ରତ୍ୟେକ ଭିକ୍ଷୁର କର୍ତ୍ତବ୍ୟ ।’’

 

ଆନନ୍ଦ ପଚାରିଲେ....‘‘କିନ୍ତୁ ଯଦି ହଠାତ୍‌ କେଉଁ ସୁକେଶିନୀ, ସୁହାସିନୀ, ସୁବେଶା ନାରୀ ସଂହିତ ଭିକ୍ଷୁର ସାକ୍ଷାତ ହୁଏ ?’’

 

ତଥାଗତ ଉତ୍ତର ଦେଲେ....‘‘ଚିତ୍ତଚାଞ୍ଚଲ୍ୟ ଦମନ କରି ନିଜକୁ ସଂଯତ ରଖିବ !’

 

ଆନନ୍ଦ ପୁଣି ପଚାରିଲେ....‘‘ଭଗବନ୍‌, ନାରୀ ସହିତ ଭିକ୍ଷୁମାନଙ୍କର ତା’ହେଲେ କି ସମ୍ପର୍କ ରହିବ ।’’

 

ତଥାଗତ ଉତ୍ତର ଦେଲେ...‘‘ନାରୀ ସହିତ ଭିକ୍ଷୁମାନଙ୍କର ବାକ୍ୟାଳାପ ନିଷିଦ୍ଧ ।’’

 

ଆନନ୍ଦ ତଥାପି ପଚାରିଲେ....‘‘ଯଦି କୌଣସି ସୁଭାଷିନୀ ନାରୀ କୌଣସି ଭିକ୍ଷୁ ସହିତ ଆଳାପ ଆରମ୍ଭ କରନ୍ତି ?’’

 

ତଥାଗତ କ୍ଳାନ୍ତକଣ୍ଠରେ ଉତ୍ତର ଦେଲେ....‘‘ନୀରବରେ ଅଧୋମୁଖ ହୋଇ ସେଠାରୁ ପ୍ରତ୍ୟାବର୍ତ୍ତନ କରିବ ।’’

 

ପ୍ରକୋଷ୍ଠର ମୁକ୍ତଦ୍ୱାର ପଥରେ, ଦିଗ୍‌ବଳୟର ଊର୍ଦ୍ଧ୍ୱର, ଅସ୍ତଗାମୀ ଚନ୍ଦ୍ରର ଶେଷ କାକଜ୍ୟୋସ୍ନା ମଳିନମୁଖୀ ମଧୁବ୍ରତାର, ବେଦନାତୁର ଦୁଇ ଆୟତ ଆକ୍ଷି ଉପରେ, ଅବନତ ପକ୍ଷ୍ମରେଖା ପରି କ୍ରମେ ମୁଦ୍ରିତ ହୋଇ ଆସୁଥିଲା । ନିସ୍ତବ୍ଧ ନିଶାର୍ଦ୍ଧର ମର୍ମରିତ ପବନ, ମଧୁବ୍ରତାର ଦୀର୍ଘଶ୍ୱାସରେ ଯେପରି କ୍ଷୁଭିତ ହୋଇ ଉଠୁଥିଲା । ନୀଳୋତ୍ପଳ ଉନ୍ମାଦ ପରି ତଳର ଶିଳାଶଯ୍ୟା ଉପରୁ ଉଠିପଡ଼ି, ପ୍ରକୋଷ୍ଠର ଦ୍ୱାର ବନ୍ଦ କରିଦେଲେ ।

 

ଦୁଇ

 

ରାଜଗୃହର ଛାୟାହୀନ, ଗୁଳ୍ମହୀନ, ପର୍ବତାମାଳାବେଷ୍ଟିତ ଗୃଧ୍ରକୂଟ ଶିଖରର ପାଦଦେଶରେ ବିସ୍ତୀର୍ଣ୍ଣ ଶ୍ମଶାନଭୂମି । ସେହି ଶ୍ମଶାନରେ ନୀଳୋତ୍ପଳ ଏକ ପ୍ରମତ୍ତ କାପାଳିକ ପରି, ଇତସ୍ତତଃ ବିକ୍ଷିପ୍ତ ନର କରୋଟୀ, ଅସ୍ଥି, କଙ୍କାଳ ଓ ଛିନ୍ନ, ଜୀର୍ଣ୍ଣ ବସ୍ତ୍ର, ତନ୍ନତନ୍ନ କରି ପର୍ଯ୍ୟବେକ୍ଷଣ କରୁଥିଲେ, ଯେପରି ସୃଷ୍ଟିର ଶ୍ରେଷ୍ଠ ଅନୁଦ୍‌ଘାଟିତ ରହସ୍ୟର ଅର୍ଥ, ସେହି ଜଞ୍ଜାଳ ମଧ୍ୟରେ ଆବଦ୍ଧ ରହିଥିଲା । କ୍ଷୌରକର୍ମ ଅଭାବରେ ମସ୍ତକ ବନ୍ୟ କେଶରାଶି ଓ ଗଣ୍ଡଦେଶ ଶ୍ମଶ୍ରୁରେ କଣ୍ଟକିତ ହୋଇ ପଡ଼ିଥିଲା । ପ୍ରଶାନ୍ତ କୋମଳ ମୁଖମଣ୍ଡଳ, ଗଭୀର ରେଖାବଳୀରେ କୁଟୀଳ ଦିଶୁଥିଲା । ଦେହର ଚର୍ମ ଶୁଷ୍କମାଂସ ପରି କଠିନ ଓ ନିଷ୍ପ୍ରାଣ ଦିଶୁଥିଲା । ପରିଧାନରେ ମଳିନ ଗୈରିକ, ପରିଚ୍ଛନ୍ନ ଉର୍ତ୍ତସଙ୍ଗ ଓ ସଂହତି ନ ଥିଲା । ଶ୍ମଶାନରେ ପରିତ୍ୟକ୍ତ ଖଣ୍ଡେ ପ୍ରେତବସ୍ତ୍ର ସେ ଅନ୍ତର୍ବାସକ ପରି ପିନ୍ଧିଥିଲେ । କୋଟରଗତ ଦୁଇ ଆଖି ଜବାକୁସୁମ ପରି ଗଭୀର ରକ୍ତବର୍ଣ୍ଣ ଧାରଣ କରିଥିଲା ।

 

ଅର୍ହତ, ଆଚାର୍ଯ୍ୟ ଶାନ୍ତିଦେବଙ୍କ ଆଦେଶ....ଅଶୁଭ–ଭାବନା–ଯୋଗରେ ସିଦ୍ଧ ନହେବା ପର୍ଯ୍ୟନ୍ତ, ନୀଳୋତ୍ପଳଙ୍କ ପୂର୍ଣ୍ଣ ଭିକ୍ଷୁତ୍ୱର ଉପସମ୍ପଦ ସମାହିତ ହୋଇ ପାରିବ ନାହିଁ । ପ୍ରଥମେ ଉପାସକ, ପରେ ଶ୍ରମଣ ଏହି ଅବସ୍ଥାରେ ଏ ପର୍ଯ୍ୟନ୍ତ ରହିଛନ୍ତି ନୀଳୋତ୍ପଳ । ତଥାପି ତାଙ୍କର ଚିତ୍ତଶୁଦ୍ଧି ସଂପୂର୍ଣ୍ଣ ହୋଇନାହିଁ । ରୂପ ଓ ତୃଷ୍ଣା ସେ ତଥାପି ଜୟ କରି ନାହାନ୍ତି । ସେଥିପାଇଁ ପତିମୋକ୍ଷର ବିଧାନ ରୂପେ, ଆଚାର୍ଯ୍ୟ ଶାନ୍ତିଦେବଙ୍କ ନିର୍ଦ୍ଦେଶରେ, ନୀଳୋତ୍ପଳ ଏହି ମହାଶ୍ମଶାନରେ ଅଶୁଭ–ଭାବନା–ଯୋଗ ଅଭ୍ୟାସ କରୁଅଛନ୍ତି ।

 

ଶ୍ରମଣମାନଙ୍କୁ ଘୋର ଶ୍ମଶାନରେ ଅଶୁଭ–ଭାବନା କରିବାକୁ ପଡ଼ିଥାଏ । ମୃତ୍ୟୁ ପରେ ମନୁଷ୍ୟ ଦେହ, ରୂପ ଓ ସଂଜ୍ଞା ପରିହାର କରି କ୍ଷୟ ଓ ବିଲୟର ଯେଉଁ ବିଭିନ୍ନ ଅବସ୍ଥା ମଧ୍ୟରେ, ଯେପରି କ୍ରମେ ପଞ୍ଚଭୂତ ମଧ୍ୟରେ ବିଲୀନ ହୋଇଥାଏ, ଶ୍ମଶାନରେ ତାହାର ଦର୍ଶନ, ମନନ ଓ ଚିନ୍ତନ ମଧ୍ୟରେ ରୂପର ଭଙ୍ଗରତା ଉପଲବ୍ଧି କରିବା ଅଶୁଭ–ଭାବନା–ଯୋଗର ତତ୍ତ୍ୱ । ରୂପ, ତୃଷ୍ଣା ଓ ବେଦନା ଜୟପାଇଁ ଶ୍ରମଣମାନଙ୍କୁ ଏହି ଅଭ୍ୟାସ କରିବାପାଇଁ ପଡ଼ିଥାଏ ।

 

ମଧ୍ୟାହ୍ନର ତାପଦଗ୍‌ଧ ଉପତ୍ୟକା ଉପରେ, ପର୍ବତମାଳାର ଛାୟା କ୍ରମେ ଏକ ଶୀତଳ ପ୍ରଲେପ ପରି ବୁଲି ଆସୁଥିଲା । ଶ୍ମଶାନ ପ୍ରାନ୍ତରେ ଗୋଟିଏ ବଜ୍ରଦଗ୍ଧ ଶାଳ୍ମଳୀର ମୃତଶାଖା ଉପରୁ ପଲେଗୃଧ୍ର ପକ୍ଷ ଝାଡ଼ି, କେଉଁଠି ଶବର ଆଘ୍ରାଣ ପାଇ ଉଡ଼ି ଆସୁଥିଲେ । ଯେଉଁଠାରେ ସେହି ଗୃଧ୍ରପଲ କିଳିକିଳା ରଡ଼ି କରି, ଓହ୍ଲାଇ ମାଟିରେ ଚଞ୍ଛୁ ଘଷିବା ପାଇଁ ଆରମ୍ଭ କରି ଦେଇଥିଲେ, ସେଠାରେ କୌଣସି ନୂତନ ଶବ ପଡ଼ିଥିବ ଭାବି, ଏକ ବ୍ୟାଧିକ ଆନନ୍ଦରେ, ନୀଳୋତ୍ପଳ ସେହି ଆଡ଼େ ଧାଇଁଗଲେ । ତାଙ୍କର ଉପସ୍ଥିତି ସତ୍ତ୍ୱେ ଗୃଧ୍ରପଲ ସେଠାରୁ ଉଡ଼ିଗଲେ ନାହିଁ । ନୀଳୋତ୍ପଳ ଉନ୍ମାଦ ପରି ତଳୁ ଖଣ୍ଡେ ପଥର ଉଠାଇ ଫିଙ୍ଗି, ସେମାନଙ୍କୁ ସେଠୁ ତଡ଼ିଦେଲେ ।

 

ଖଣ୍ଡେ ପଥରର ଆବରଣ ତଳେ, କେହି ଗୋଟିଏ ଶବକୁ ସମାଧି ଦେଇ ଯାଇଥିଲା । ନୀଳୋତ୍ପଳ ଶବଟିକୁ ଦେଖିବା ପାଇଁ ପଥରର ଆବରଣ ଦୁଇ ହାତରେ ଉଠାଇ ଫିଙ୍ଗି ଦେଲେ ।

 

କେଉଁ ଏକ ନିର୍ବୋଧ ପିତା, ଶିଶୁ ପୁତ୍ରଟିର କୋମଳ ଅଙ୍ଗ, କଙ୍କରିଳ ମାଟିର କଠୋର ସ୍ପର୍ଶରେ ପୀଡ଼ିତ ହେବ ନାହିଁ ବୋଲି କୋମଳ ପଲ୍ଲବଶଯ୍ୟା ଉପରେ, ଶବଟିକୁ ପରମ ଶ୍ରଦ୍ଧା ଓ ଯତ୍ନରେ ଶୁଆଇ ଦେଇ ଯାଇଥିଲା । ପାଖରେ ପୁଣି ରଖି ଯାଇଥିଲା ଗୋଟିଏ ରଙ୍ଗିନ ପୁତ୍ତଳି....କ୍ରୀଡ଼ା ସାଥୀ । ଆଃ....ଝଞ୍ଜାହତ, ବୃନ୍ତଚ୍ୟୁତ କୁସୁମ ପରି ଏହି ନିଷ୍ପାପ ଶିଶୁ....

 

କୌଣସି କାଳେ ନୀଳୋତ୍ପଳଙ୍କର କୌଣସି ଶିଶୁ ସହିତ କେବେ ସମ୍ୱନ୍ଧ ନ ଥିଲା; ଅଥବା ଶିଶୁ ସମ୍ପର୍କରେ କୌଣସି ଅନୁଭବ ନ ଥିଲା । ମାତ୍ର ଏହି ଶିଶୁଟିକୁ ଦେଖି ସେ ତାହାକୁ କୋଳ କରି ନେବାପାଇଁ, ଦୁଇବାହୁ ପ୍ରସାରିତ କରିଥିଲେ, କିନ୍ତୁ ପରମୁହୂର୍ତ୍ତରେ ଆତ୍ମସମ୍ୱରଣ କରି ଏକ ବିଷଧର ସର୍ପ ଦେଖି ପଛକୁ ଫେରି ଆସିବା ପରି, ସେ କେତେ ପାଦ ପଛକୁ ଫେରି ଆସିଲେ-। ଶିଶୁଟିର ଦେହ ଉପରେ ଯେପରି ନୀଳବର୍ଣ୍ଣର ଏକ ପ୍ରଲେପ ବୁଲି ଆସିଥିଲା । ତାହାର ଦୁଇ କୋମଳ ଓଷ୍ଠାଧାର କୃଷ୍ଣବର୍ଣ୍ଣ ଧାରଣ କରିଥିଲା ।

 

ନୀଳୋତ୍ପଳ ପ୍ରମତ୍ତ ପରି ଚିତ୍କାର କରି ଉଠିଲେ । ଏହା ବିନୀଳକ, ବିନୀଳକ.....ପେଲବ ପୁଷ୍ପପଲ୍ଲବ ପରି, ସୁକୁମାର ଦେହ ଦିନେ ଏହିପରି ନୀଳବର୍ଣ୍ଣ ଧାରଣ କରେ ।

 

ତା’ପରେ ହୁଏ ବପୁଭାକ୍‌, ପର୍ଯ୍ୟୁଷିତା । ତା’ପରେ ବିଛିଦକ, ଖଣ୍ଡ ଖଣ୍ଡ ହୋଇ ଛିଣ୍ଡିପଡ଼େ ।

 

ତା’ପରେ ବିକ୍ଷୈକ, ଶିବା ଓ ଗୃଧ୍ର ପଲଙ୍କର ଆହାର୍ଯ୍ୟ ।

 

ତା’ପରେ ହୁଏ ଗୁଲବନ, କୀଟାଣୁପୂର୍ଣ୍ଣ ।

 

ତା’ପରେ ବିକ୍ଷିତ୍ତକ ହୋଇ ଇତସ୍ତତଃ ବିକ୍ଷିପ୍ତ ହୋଇପଡ଼େ....

 

ତା’ପରେ ? ତା’ପରେ ?

 

ଏତେ ବାର ମୁଖସ୍ଥ ସତ୍ତ୍ୱେ, ଅଶୁଭ–ଭାବନାର ଶେଷ ପର୍ଯ୍ୟାୟଟି ନୀଳୋତ୍ପଳଙ୍କର ସ୍ମରଣ ହେଲା ନାହିଁ । ସେ ଉନ୍ମାଦ ପରି, ଦୁଇ ମୁଷ୍ଟିବଦ୍ଧ ବାହୁ ଶୂନ୍ୟରେ ଉଠାଇ, ଆକାଶକୁ ଚାହିଁ ଚିତ୍କାର କରି ଉଠିଲେ....‘‘ତା’ପରେ ? ତା’ପରେ ?’’

 

ନିର୍ଜନ ଉପତ୍ୟକାର ପର୍ବତ ପ୍ରାଚୀରରେ ବାଧା ପାଇ ନୀଳୋତ୍ପଳଙ୍କର ଚିତ୍କାର ପ୍ରତିଧ୍ୱନିତ ହୋଇ ଉଠିଲା......ତା’ପରେ ? ତା ପରେ ?

 

ତା’ପରେ ଅଥିକ ! ଅଥିକ ! ଅସ୍ଥି ! ଖଣ୍ଡ ଖଣ୍ଡ ଚୂର୍ଣ୍ଣୀଭୂତ ବିବର୍ଣ୍ଣ ଅସ୍ଥି !

 

ନୀଳୋତ୍ପଳଙ୍କର ଜ୍ୱରଗ୍ରସ୍ତ ମସ୍ତିଷ୍କ ଓ କଳ୍ପନାରେ, କୁଶୀନର ଉପକଣ୍ଠରେ କୁସୁମିତ ଶାଳବୀଥିକାରେ, ତଥାଗତ ଆନନ୍ଦଙ୍କୁ ଯେପରି କହୁଥିଲେ...‘‘ଏହି ବିବର୍ଣ ଅସ୍ଥିତ, ରୂପ ଓ ତୃଷ୍ଣାର ଚରମ ପରିମସମାପ୍ତି !’’

 

ନୀଳୋତ୍ପଳ ପାଗଳ ପରି ଅଟ୍ଟହାସ କରି ଚିତ୍କାର କଲେ...‘‘ଅଥିକ ! ଅଥିକ !’’

 

ତା’ପରେ ନୀଳୋତ୍ପଳ ନିଜର ଦୁଇ ସୁସ୍ପଷ୍ଟ ବାହୁର କଠିନ ମାଂସପେଶୀ ସଞ୍ଚାଳିତ କରି ପ୍ରଳାପ କଲା ପରି ନିଜକୁ ନିଜେ କହିଲେ....‘‘ନୀଳୋତ୍ପଳ ! ଏହି ତୁମର ଦୁଇ ସୁସ୍ପଷ୍ଟ ବାହୁ, ବାହୁ ନୁହେଁ, ଏହା ଅସ୍ଥି, ଅସ୍ଥି । ତୁମେ ନିଜେ ନୀଳୋତ୍ପଳ, ତୁମେ ମଧ୍ୟ ଖଣ୍ଡେ ବିବର୍ଣ କୀଟାଣପୂର୍ଣ୍ଣ ଅସ୍ଥି-!’’

 

କିନ୍ତୁ ଅସ୍ଥିଖଣ୍ଡର ନିର୍ବାଣ ଲାଭରେ କି ପ୍ରୟୋଜନ ?

 

ନୀଳୋତ୍ପଳ ଆକାଶକୁ ଚାହିଁ ଚିତ୍କାର କରି ଉଠିଲେ...‘‘ଅସ୍ଥିଖଣ୍ଡର ନିର୍ବାଣ ଲାଭରେ କି ପ୍ରୟୋଜନ କହି ପାରିବ ଆକାଶ ? ଅସ୍ଥିର ପୁନର୍ଜନ୍ମ ନାହିଁ, ପୁନରାଗମନ ନାହିଁ, ରୂପ ତୃଷ୍ଣାର ବେଦନା ନାହିଁ; ଅତୃପ୍ତି ନାହିଁ, ଦୁଃଖ ନାହିଁ.....ଏ କେବଳ ଅସ୍ଥି ! ଅସ୍ଥି !’’

 

ତା’ପରେ ତୁଷିତଲୋକର ମହାନିର୍ବାଣ.....ଅନନ୍ତ ମହାସୁଖ, ଜନ୍ମ ଓ ପୁନର୍ଜନ୍ମର ଆବର୍ତ୍ତନରୁ ମହାମୁକ୍ତ !

 

ଗୋଧୂଳିର ଉଦାସ ଛାୟା ପର୍ବତମାଳା ପରିବେଷ୍ଟିତ ଉପତ୍ୟକାରେ ନିବୃତ୍ତିର ଅଚଞ୍ଚଳ ମୌନତା ପରି ଗଭୀର ହୋଇ ଆସିଥିଲା; ମାତ୍ର ଧରଣୀର ନିଭୃତତମ ମର୍ମଭୂମିରେ ଏକ ଗଭୀର ଉଦ୍‌ବେଳନର ରକ୍ତିମ ଉତ୍ତେଜନା, ଯେପରି ଧୂସର ଆକାଶର ଦିଗ୍‌ବଳୟକୁ ଏକ ଲୋହିତ ଦ୍ୟୁତିରେ ଉଦ୍ଭାସିତ କରିଥିଲା ।

 

ଶ୍ମଶାନରୁ ଅନ୍ୟ ଏକ ପ୍ରାନ୍ତରୁ ଆଉ ଗୋଟିଏ ଶବବାହୀଦଳ, ଗୋଧୂଳିର ସେହି ବିଷର୍ଣ ଆଲୋକରେ ପ୍ରତ୍ୟାବର୍ତ୍ତନ କରୁଥିଲେ । ଅଶୁଭ ଭାବନାରେ, ନୀଳୋତ୍ପଳଙ୍କର ସିଦ୍ଧି ସମ୍ପୂର୍ଣ୍ଣ ହୋଇଅଛି । ନଶ୍ୱର ନାରୀ ଦେହର, ତୀକ୍ଷ୍‌ଣ କୋମଳ ରେଖା, ଆଉ ତାଙ୍କର ଚେତନାକୁ ଶଳାକା ପରି ବିଦ୍ଧ କରିବ ନାହିଁ, ଅବଚେତନର ଗହ୍ୱରରେ ନିଦ୍ରିତ କାମନାକୁ ଏକ ଆଦିମ ରାକ୍ଷସ ପରି ଅବର୍ଣନୀୟ କ୍ଷୁଧାରେ ଆଉ ଜାଗ୍ରତ କରିବ ନାହିଁ । ରୂପ ଓ ତୃଷ୍ଣାର ନାଗବନ୍ଧନରୁ ନୀଳୋତ୍ପଳ ଆଜି ଜ୍ୟାମୁକ୍ତ ଏକ ଉଲ୍ଲଙ୍ଗ ତୀରପରି, ବେଦନାମୁକ୍ତ ସ୍ୱସ୍ତିର ଏକ ଦୀର୍ଘଶ୍ୱାସ ପରି । ଏହାପରେ ସେ ପୁଣି ଗୃଧ୍ରକୂଟ ବିହାରରେ ସେହି ନିଭୃତ ସାଧନା କକ୍ଷକୁ ଅଚଞ୍ଚଳ ଚିତ୍ତ ଓ ପ୍ରଶାନ୍ତିରେ ପ୍ରତ୍ୟାବର୍ତ୍ତନ କରିପାରିବେ !

 

ଫାଲ୍‌ଗୁନର ମକୁଳିତ ବିଲୋଳତା ଆଉ ନାହିଁ ।

 

ଶେଷ ବସନ୍ତର ଦଗ୍ଧ–ମକୁଳ ଓ ପଲ୍ଲବର ଭସ୍ମ–ଶଯ୍ୟା ଉପରୁ, ରୁଦ୍ର ବୈଶାଖ, ରକ୍ତଚକ୍ଷୁ ମେଲି, ମୋହମୁକ୍ତ କାପାଳିକପରି ଉଠିଲାଣି ।

 

ଆଜି ଏହି ଶ୍ମଶାନରେ ଆଚାର୍ଯ୍ୟ ଶାନ୍ତିଦେବ, ନୀଳୋତ୍ପଳଙ୍କୁ ଭିକ୍ଷୁତ୍ୱର ଉପସମ୍ପଦରେ ଅଭିଷିକ୍ତ କରିବେ । ତା’ପରେ ନୀଳୋତ୍ପଳ ହେବେ; କଲ୍ୟାଣମିତ୍ର ଆଚାର୍ଯ୍ୟ ନୀଳୋତ୍ପଳ !

 

ଆଉ ଶବଦେହ ପାଖରେ ବସି, ବିଲୟର ବିଭିନ୍ନ ପର୍ଯ୍ୟାୟ ତିଳେ ତିଳେ ନିଶ୍ଚିହ୍ନ ହୋଇ ପଞ୍ଚଭୂତ ସହିତ ମିଶିଯିବାର ବିଷର୍ଣ ମହାନାଟକ ଲକ୍ଷ୍ୟ କରିବାର ଆବଶ୍ୟକତା ନାହିଁ । ଆଜି ନୀଳୋତ୍ପଳଙ୍କର ସାଧନା ସମାପ୍ତ, ଆଜି ତାଙ୍କର ଉପସମ୍ପଦ ପ୍ରାପ୍ତିର ମଙ୍ଗଳ ମୁହୂର୍ତ୍ତ । ନୀଳୋତ୍ପଳଙ୍କର ମନେ ପଡ଼ିଗଲା, ଆଜି ମଧ୍ୟ ପୂର୍ଣ୍ଣିମା !

 

ତଥାପି ନୀଳୋତ୍ପଳ ଶ୍ମଶାନରେ ନବାଗତ ଶିଶୁଟିକୁ ଥରେ ଦେଖିବାର ବ୍ୟାଧିତ କୌତୂହଳ ଦମନ କରି ପାରିଲେ ନାହିଁ । ଏକ ବଣ୍ୟ ପଶୁପରି, ସେ ଅତି ଅନ୍ତର୍ପଣରେ ଶବର ଗନ୍ଧ ଆଘ୍ରାଣ କରି କରି ସେହି ଆଡ଼େ ଆଗେଇ ଗଲେ ।

 

ଶ୍ମଶାନରେ ବେତସଲତାବେଷ୍ଟିତ ଏକ ନିଭୃତ କୋଣରେ, ଗୋଟିଏ ସମାଧି ଗହ୍ୱରରେ ଖଣ୍ଡେ ପଥର ତଳେ ଶବବାହୀମାନେ, ଗୋଟିଏ ନୀଳବସ୍ତ୍ରାବୃତ ଶବପିଣ୍ଡ ରଖିଯାଇଥିଲେ । ନୀଳୋତ୍ପଳ ଦୁଇବାହୁରେ ସେହି ପଥରଖଣ୍ଡ ଉଠାଇ କାଢ଼ିଦେଲେ ।

 

ଭୂମିରେ ଗୋଟିଏ ନାରୀର ଶବ ପିଣ୍ଡ । କେବଳ ମୁଖ ବ୍ୟତୀତ ସମଗ୍ର ଦେହଟି ଖଣ୍ଡେ ନୀଳବସ୍ତ୍ରରେ ଆବୃତ ଥିଲା । ନାରୀ ! ନାରୀ ! ଜ୍ୱଳାମୟୀ ଏକ ଅଗ୍ନିଶିଖା ! ସମାଧି ଗହ୍ୱରର ଶୀତଳତା ମଧ୍ୟରେ ଯେପରି ହିମାୟିତ ହୋଇ ଲୋଟି ପଡ଼ିଅଛି । ନୀଳୋତ୍ପଳ ଦୁଇ କୋଟରଗତ ଆକ୍ଷି ହାତରେ ମଳି, ଛାୟାଛିନ୍ନ ସମାଧି ଗହ୍ୱର ଭିତରକୁ ନିରୀକ୍ଷଣ କରି ଚାହିଁଲେ ।

 

ଏକ ଗଭୀର କ୍ଷତକୁ ଆକସ୍ମିକ ସ୍ପର୍ଶର ଯନ୍ତ୍ରଣାରୁ ରକ୍ଷା କରିବାର ଶତ ଆୟାସ ସତ୍ତ୍ୱେ, ଯେପରି ଏକ ଅସତର୍କ ଅଙ୍ଗୁଳି ଅଥବା ଅନ୍ୟ କୌଣସି ପ୍ରତ୍ୟଙ୍ଗ ସେହି କ୍ଷତକୁ ହଠାତ୍‌ ସ୍ପର୍ଶ କରି, ଦୁଃସହ ବେଦନାରେ ଜର୍ଜ୍ଜରିତ କରିଦିଏ, ସେହିପରି ଯାହାର ରୂପାକର୍ଷଣ ଜୟ କରିବା ପାଇଁ, ଗୃଧକୂଟ-ବିହାରର ଶ୍ରମଣ ଶ୍ରେଷ୍ଠ ନୀଳ;ତ୍ପଳ, ଶ୍ମଶାନରେ ପ୍ରେତ ପିଶାଚ ପରି ବୁଲି, ଅଶୁଭ–ଭାବନା ଅଭ୍ୟାସ କରୁଥିଲେ, ଏବେ ସେହି ମଧୁବ୍ରତା, ମଳୟର ସୁରଭିତ ହିଲ୍ଲୋଳ ପରି ସବୁ ସଂଯମ, ସାଧନା ଓ ସିଦ୍ଧି ଗୋଟିଏ ବିଲୋଳ ଫୁତ୍କାରରେ କେଉଁଆଡ଼େ ଉଡ଼ାଇ ନେଲା ।

 

ଏ ଯେ. ଶ୍ରେଷ୍ଠୀ ଶ୍ୱେତପର୍ଣ୍ଣର ବଧୁ ମଧୁବ୍ରତା !

 

ସେହି ନୀଳଚେଳପରିହିତା ଅପରାଜିତା ବ୍ରତତୀ ପରି, କୁଶାଙ୍ଗୀ ମଧୁବ୍ରତା ! ପଦ୍ମଦଳପରି ଦୁଇ ଆୟତ ଆକ୍ଷିର ଘଞ୍ଚ, ମୁଦ୍ରିତ ପକ୍ଷ୍ମରେଖା, ବ୍ରୀଡ଼ାନତ ମୁଗ୍ଧ ଦୃଷ୍ଟିର ଭ୍ରମ ସୃଷ୍ଟି କରୁଥିଲା । ସ୍ଫୁରିତ ଓଷ୍ଠାଧର ଯେପରି ପ୍ରୀତିଚୁମ୍ୱନର ଦନ୍ତାଘାତ ପାଇଁ ଈଷତ୍‌ ବିଷ୍ଫାରିତ ହୋଇ ରହିଥିଲା ।

 

ନୀଳୋତ୍ପଳ ଏକ ହିଂସ୍ର, କ୍ଷୁଧିତ ପଶୁପରି ଶବ ଦେହର ଆବୃତ୍ତ ଥିବା ନୀଳବସ୍ତ୍ର ଦୁଇ ହାତରେ କାଢ଼ି ଫିଙ୍ଗିଦେଲେ ।

 

ଆଃ....ଅନାଘ୍ରାତ ପଦ୍ମକୋରକ ପରି ଅନାହତ ସ୍ତନଯୁଗ୍ମ, ପ୍ରଭାଯୁକ୍ତ ସୁବର୍ତ୍ତୁଳ ନିତମ୍ୱ, ପାଷାଣ ପ୍ରତିମା ପରି ମଧୁବ୍ରତାର ଶୀତଳ, ଉଲଙ୍ଗ ପିଣ୍ଡ ଉପରେ, ଯୁଗନଦ୍ଧ ଅବଲୋକିତେଶ୍ୱର ଓ ପ୍ରଜ୍ଞାପାରମିତା ମୂର୍ତ୍ତିର ଭଙ୍ଗୀରେ, ନୀଳୋତ୍ପଳ ନିଜକୁ ନିଶ୍ଛିଦ୍ର ଭାବରେ ବିଲୀନ କରିଦେଲେ ।

 

ତା’ପରେ ମଧୁବ୍ରତାର ଉଲଙ୍ଗ ପ୍ରାଣହୀନ ପିଣ୍ଡକୁ ନୀଳୋତ୍ପଳ ଦୁଇ ବାହୁରେ ନିଜର ବକ୍ଷସଂଲଗ୍ନ କରି ତୋଳି, ଅଗଣିତ କ୍ଷୁଧିତ ଚୁମ୍ୱନରେ ତାହାର ଉଲଙ୍ଗତାକୁ ଯେପରି ଆଚ୍ଛନ୍ନ କରି ପକାଇଲେ ।

 

ଆଚାର୍ଯ୍ୟ ଶାନ୍ତିଦେବ କେତେବେଳେ ଆସି ସେଠାରେ ଉପସ୍ଥିତ ହୋଇଥିଲେ, ନୀଳୋତ୍ପଳ ତାହା ଜାଣି ନ ଥିଲା; କିମ୍ୱା ସେହି ପ୍ରମତ୍ତ ମୁହୂର୍ତ୍ତରେ ତାହା ଜାଣିବା ଅବସ୍ଥାରେ ସେ ନଥିଲେ ।

 

ଆଚାର୍ଯ୍ୟ ଶାନ୍ତିଦେବ ବିକ୍ଷୁବ୍ଧ କଣ୍ଠରେ ଚିତ୍କାର କରି ଉଠିଲେ....‘‘ନୀଳୋତ୍ପଳ ! ନୀଳୋତ୍ପଳ !’’

 

ଉଲଙ୍ଗ ମଧୁବ୍ରତାର ଶିଥିଳ ପିଣ୍ଡକୁ ନୀଳୋତ୍ପଳ ବକ୍ଷସଂଲଗ୍ନ କରି, ତାହାକୁ ସେହିପରି ନିବିଡ଼ ଭାବରେ ଧରି, ନିର୍ବାକ ଦୃଷ୍ଟିରେ ଚାହିଁ ରହିଥିଲେ ।

 

ଶାନ୍ତିଦେବ ଚିତ୍କାର କରି ଉଠିଲେ....‘‘ଏ କ’ଣ କରୁଛ, ମୂଢ଼, ନିର୍ବୋଧ, ନୀଳୋତ୍ପଳ ?’’

 

ନୀଳୋତ୍ପଳ ଶାନ୍ତିଦେବଙ୍କ ଆଡ଼େ ଚାହିଁଲେ ନାହିଁ; କିମ୍ୱା ତାହାଙ୍କ ଉପସ୍ଥିତିରେ ବିଚଳିତ ହେଲେନାହିଁ ।’’

 

ଏକ ବର୍ଣ୍ଣନାତୀତ ମହାନିର୍ବାଣ ମଧ୍ୟରେ, ସେ ଯେପରି ସତ୍ତାହୀନ ଭାବରେ ବିଲୁପ୍ତ ହୋଇ ପଡ଼ିଥିଲେ ।

 

ରାଜଗୃହ ପର୍ବତମାଳାର ଗୋଟିଏ ନିଃସଙ୍ଗ ଗିରିଶୃଙ୍ଗର ନେପଥ୍ୟରୁ ପୂର୍ଣ୍ଣମୀର ଚନ୍ଦ୍ର ନିଖିଳ ବେଦନାର ଜ୍ୱାଳାମୟ ପିଣ୍ଡ ପରି ଉଇଁ ଆସୁଥିଲା ।

 

ନୀଳୋତ୍ପଳ ଦୁଇ ବାହୁରେ ବିବସା ମଧୁବ୍ରତାର ମୃତପିଣ୍ଡ ତୋଳିଧରି, ସେହି ଆଡ଼େ ପ୍ରମତ୍ତପରି ଧାଇଁ ଅଦୃଶ୍ୟ ହୋଇଯାଉଥିଲେ ।

 

ଶାନ୍ତିଦେବ ଅସହାୟ କଣ୍ଠରେ ଚିତ୍କାର କରୁଥିଲେ...‘‘ନୀଳୋତ୍ପଳ ! ନୀଳୋତ୍ପଳ !’’

 

ନିର୍ଜନ ପାର୍ବତ୍ୟ ଉପତ୍ୟକାରେ ଶାନ୍ତିଦେବୀଙ୍କର ବିକ୍ଷୁବ୍ଧ ଆହ୍ୱାନ ଏକ ପରିହାସ ପରି ପ୍ରତିଧ୍ୱନିତ ହୋଇ ଉଠୁଥିଲା ।

 

ନୀଳୋତ୍ପଳ ଦୁଇ ବାହୁରେ ବିବସନା ମଧୁବ୍ରତାର ମୃତପିଣ୍ଡ ଆବକ୍ଷ ଆଲିଙ୍ଗନ କରି, ପୂର୍ଣ୍ଣମୀର ପ୍ରଥମ ଜ୍ୟୋସ୍ନାସ୍ନାତ ସେହି ଗିରିଶୃଙ୍ଗ ଆଡ଼େ ଧାଇଁ ଅଦୃଶ୍ୟ ହୋଇ ଯାଉଥିଲେ ।

 

ନର୍ତ୍ତକୀ

 

ପ୍ରଭୁ କୃତ୍ତିବାସଙ୍କ ମନ୍ଦିରରେ ସନ୍ଧ୍ୟା ଆରତିର ବେଳା ହୋଇଛି । ବଂଶୀ ବୀଣା, ମୃଦଙ୍ଗ ଓ ଘଣ୍ଟାର ସଙ୍ଗୀତରେ ମନ୍ଦିରର କୋଣ ଅନୁକୋଣ ମୁଖରିତ ହୋଇ ଉଠିଚି । ଉତ୍କଳ ସମ୍ରାଟ ଯଯାତିକେଶରୀ ଧ୍ୟାନନିମୀଳିତ ଚକ୍ଷୁରେ ବସିଚନ୍ତି ଲିଙ୍ଗ ସମ୍ମୁଖରେ । ତାଙ୍କୁ ଘେରି ଚାରିପଟେ ବସିଚନ୍ତି, ଉତ୍କଳ ରାଜଦରବାରର ଅନ୍ୟାନ୍ୟ ଅନେକ ଗଣ୍ୟମାନ୍ୟ ସାମନ୍ତ ଓ ପାରିଷଦବର୍ଗ । ବ୍ରଜନାଥ ବଡ଼ପଣ୍ଡା, ସ୍ତୋତ୍ର ଆବୃତ୍ତି ସଙ୍ଗେ ସଙ୍ଗେ ଆରତି କରୁଚନ୍ତି । ମୁଖଶାଳାର ଚତ୍ୱର ଉପରେ ଦେବଦାସୀ ପୂର୍ଣ୍ଣିମାର ଚାଲିଚି ନୃତ୍ୟ, ସଙ୍ଗୀତର ତାଳେ ତାଳେ । ତରୁଣୀ ପୂର୍ଣ୍ଣିମାର କଟୀ, ଊରୁ, ବକ୍ଷ ଓ ବାହୁ ଲୀଳାୟିତ ହୋଇ ଉଠୁଚି, ଦେବତାର ପାଦତଳେ ଆତ୍ମନିବେଦନର ଆବେଗରେ ।

 

ମୁଖଶାଳାର ଗୋଟିଏ ପାଖରେ, ଠିଆ ହୋଇଚି ତରୁଣ ଶିଳ୍ପୀ ନଟବର । ନଟବର ଯୁବକ । ଅସମ୍ପୂର୍ଣ୍ଣ କୃତ୍ତିବାସ ମନ୍ଦିର ନିର୍ମାଣପାଇଁ ଉତ୍କଳର ଅନେକ ଆଡ଼ୁ ଆସଚନ୍ତି ଅନେକ ଶିଳ୍ପୀ ଓ କାରିଗର–ନଟବର ସେମାନଙ୍କ ଭିତରୁ ଜଣେ । ସୁଗଠିତ, ସୁଶ୍ରୀ ଓ କମନୀୟ ତା’ର ଚେହେରା-। ପିନ୍ଧିଚି ଖଣ୍ଡେ ଗେରୁଆ ଲୁଗା, ଅଣ୍ଟା ଦେହରେ ଭିଡ଼ା ହୋଇଚି ନୀଳ ରଙ୍ଗର ଖଣ୍ଡେ ଉତ୍ତରୀ-। ଦୁଇ କଳା ମଚ୍‌ମଚ୍‍ ବାହୁ ଦେହରେ ଭିଡ଼ି ହୋଇ ରହିଚି ଦୁଇଟି ରୂପାର କଙ୍କଣ । ଛାତିର ଦୁଇଟି ସୁଗଠିତ ମାଂସପେଶୀ ଉପରେ ଝୁଲୁଚି କେଇକେରା ସୁନାର ହାର, କାନରେ ଝୁଲୁଚି କୁଣ୍ଡଳ-। ମୁଣ୍ଡର ବାବୁରି ବାଳ ଝୁଲି ଆସିଚି ଦୁଇ କାନ୍ଧ ଉପରକୁ । ମୁଗ୍ଧ ଆଖି ମେଲି ସେ ଚାହିଁ ଦେଖୁଚି ଦେବଦାସୀ ପୂର୍ଣ୍ଣିମାର ଲୀଳାୟିତ ଅଙ୍ଗଭଙ୍ଗୀ !

 

ପୂର୍ଣ୍ଣିମାର ପାଦର ଛନ୍ଦ, ହଠାତ୍‌ ଯେପରି ହରାଇ ବସିଲା ତାଳ ଓ ଭୟ । ପୂର୍ଣ୍ଣିମା ଅଭିଭୂତା ପରି ଚାହିଁ ରହିଲା ଖାଲି ନଟବର ଆଡ଼େ । ବଡ଼ପଣ୍ଡା, କ୍ରୂଦ୍ଧ ଆରକ୍ତ ଆଖିରେ ମୁହୂର୍ତ୍ତକ ପାଇଁ ଚାହିଁଲେ ପୂର୍ଣ୍ଣିମା ଆଡ଼େ । ଯଯାତିକେଶରୀଙ୍କର ଧ୍ୟାନ ସେତେବେଳ ପର୍ଯ୍ୟନ୍ତ ଭାଙ୍ଗିନି ! ସେ ଲକ୍ଷ୍ୟ କରି ନାହାନ୍ତି ହୁଏତ ପୂର୍ଣ୍ଣିମାର ଏଇ ଛନ୍ଦଭଙ୍ଗୀ ! ବଡ଼ ପଣ୍ଡାଙ୍କର କ୍ରୁଦ୍ଧ କଟାକ୍ଷ ଭିତରେ କଟିଗଲା ପୂର୍ଣ୍ଣିମାର ସମସ୍ତ ଜଡ଼ତା । ବାଦ୍ୟର ଛନ୍ଦରେ ପାଦ ଦୁଇଟି ପୁଣି ତା’ର ହୋଇ ଉଠିଲା ନୃତ୍ୟଚପଳ । ପୂର୍ଣ୍ଣିମା ନାଚି ନାଚି କୃତ୍ତିବାସଙ୍କ ସମ୍ମୁଖରେ ଲୋଟି ପଡ଼ିଲା ମୂର୍ଚ୍ଛିତ ଭଙ୍ଗୀରେ । କୋମଳ, ନୃତ୍ୟଚପଳ ଦେହ ତା’ର ଆହତ ସରୀସୃପ ପରି ଥରି ଥରି ଉଠିଲା ଅଶ୍ରୁର ଆବେଗରେ-! ପାଷାଣ ଲିଙ୍ଗରାଜ ହୁଏତ ବୁଝିଲେ ନାହିଁ ଅଶ୍ରୁର ସେ ଆବେଦନ, ବଡ଼ପଣ୍ଡା ବୁଝିପାରିଲେ ନାହିଁ ସେ ଅଶ୍ରୁର ଅର୍ଥ..... କିନ୍ତୁ ବୁଝିଲା ପୂର୍ଣ୍ଣିମା !

 

ହେ ପ୍ରଭୁ ଲିଙ୍ଗରାଜ ! ହୃଦୟର ଆକର୍ଷଣ ଯଦି ପାପ ହଏ, ତା’ହେଲେ ତମେ ସେ ପାପ କ୍ଷମା କର ଦେବତା !

 

ଆରତି ସରି ଆସିଲା ! ଯଯାତି କେଶରୀ ତାଙ୍କ ସଙ୍ଗେ ସଙ୍ଗେ ଅନ୍ୟ ସମସ୍ତ ସାମନ୍ତ ଓ ପରିଷଦ ଚାଲି ଆସିଲେ । ବଡ଼ପଣ୍ଡା ମନ୍ଦିରର ଦ୍ୱାର ବନ୍ଦ କରିଦେଲେ । ତଥାପି ପୂର୍ଣ୍ଣିମା ମୁଖଶାଳା ଭିତରେ ସେଇପରି ପଡ଼ିଚି ତଳଚଟାଣ ଉପରେ ମୁଣ୍ଡ ନୁଆଁଇ । ମୁଖଶାଳାର ଉପର ଜାଲିବାଟେ ଜ୍ୟୋସ୍ନାର ମଳିନ ଆଲୋକ, ତା’ର ଦେହ ଉପରେ ପଡ଼ିଚି ଆଉରି ମଳିନ ହୋଇ । ବଡ଼ପଣ୍ଡା ଆସି ପୂର୍ଣ୍ଣିମା ପାଖରେ ଠିଆ ହୋଇ ଡାକିଲେ.....ପୂର୍ଣ୍ଣିମା !

 

ପୂର୍ଣ୍ଣିମା ଶୁଣି ପାରିଲା ନାହିଁ ହୁଏତ, ବଡ଼ପଣ୍ଡା ଆଉ ଥରେ ଡାକିଲେ....ପୂର୍ଣ୍ଣିମା !

 

ପୂର୍ଣ୍ଣିମା ତଳୁ ମୁହଁ ଉଠାଇ ଚାହିଁଲା ବଡ଼ପଣ୍ଡାଙ୍କ ଆଡ଼େ । କୁଙ୍କୁମର ରେଖା ଟଣା ଦୁଇ ମୃଗ ଆଖି ତା’ର ଅଶ୍ରୁରେ ଛଳ ଛଳ ହୋଇ ଆସିଚି ।

 

ପୂର୍ଣ୍ଣିମା ଉଠି ଠିଆ ହେଲା । ଜ୍ୟୋତ୍ସ୍ନାର ଆଲୋକ ମୂର୍ତ୍ତିକୁ ତା’ର କରିଦେଇଛି ଆହୁରି କରୁଣ ।

 

ବଡ଼ପଣ୍ଡା କହିଲେ.....ତମେ ପାପ କରିଚ ପୂର୍ଣ୍ଣିମା !

 

ପୂର୍ଣ୍ଣିମା ପଚାରିଲା–ପାପ ?

 

ବଡ଼ପଣ୍ଡା କହିଲେ...ହଁ, ପାପ କରିଚ ପୂର୍ଣ୍ଣିମା ! ପ୍ରଭୁ ଲିଙ୍ଗରାଜଙ୍କର ସେବାଦାସୀ ତମେ-। ତମର ଏ ଦୁର୍ବଳତା ପାପ !

 

ପୂର୍ଣ୍ଣିମା କହିଲା....କିନ୍ତୁ ବଡ଼ପଣ୍ଡା ! ପୂର୍ଣ୍ଣିମା ସେବାଦାସୀ ହୋଇପାରେ, ତଥାପି ସେ ନାରୀ !

 

ବଡ଼ପଣ୍ତା କହିଲେ....ଯୁକ୍ତି ନୁହେଁ ପୂର୍ଣ୍ଣିମା । ଯୌବନର ଏ ଉଚ୍ଛ୍ୱସିତ ଆବେଗ, ନଟବର ପ୍ରତି ତମର ଏ ଅନୁରାଗ ଅତି ଅକ୍ଷମଣୀୟ ଅପରାଧ !

 

ପୂର୍ଣ୍ଣିମା କେଇଟି ମୁହୂର୍ତ୍ତ ନୀରବ ରହି କହିଲା...‘‘ଶାସ୍ତ୍ର ମୁଁ ଜାଣେ ନା ? ତଥାପି ବଡ଼ପଣ୍ଡା କହିପାରିବେ ମୋତେ, ଫୁଲର ଗନ୍ଧ ଯଦି ମାନିବାକୁ ଚାହେଁନା ପାଖୁଡ଼ାର ଶାସନ, ତା’ ହେଲେ ସେ ଦୋଷ ଗନ୍ଧର, ନା ପାଖୁଡ଼ାର ? ବରଂ ସେ ଦୋଷ ତା’ର, ଯେ ଫୁଲର ଦେହେ ଦେହେ ଦେଇଚି ଏତେ ଗନ୍ଧ ଓ ସୁବାସ !

 

ବଡ଼ପଣ୍ଡା କହିଲେ....‘‘ଦେବଦାସୀ ପାଖରୁ ଏ ପାପପୁଣ୍ୟର ମୀମାଂସା ମୁଁ ଶୁଣିବାକୁ ଚାହେଁ ନା ପୂର୍ଣ୍ଣିମା ! ପ୍ରଭୁ ଲିଙ୍ଗରାଜଙ୍କଠାରେ ଯଦି ବିଶ୍ୱାସ ଥାଏ, ପାପ ପୁଣ୍ୟରେ ଯଦି ଭୟ ଥାଏ, ତା’ହେଲେ ଏ ପାପର ତମକୁ ପ୍ରାୟଶ୍ଚିତ କରିବାକୁ ପଡ଼ିବ ପୂର୍ଣ୍ଣିମା !’’

 

ପୂର୍ଣ୍ଣିମା ମ୍ଳାନ ଅଶ୍ରୁସିକ୍ତ କଣ୍ଠରେ ପଚାରିଲା...‘‘ତା’ହେଲେ କହନ୍ତୁ ବଡ଼ପଣ୍ଡା, କ’ଣ ହେବ ଏ ପାପର ପ୍ରାୟଶ୍ଚିତ ? ଜ୍ଞାନହୀନା ନାରୀ ମୁଁ ! କିପରି, କେଉଁ ଉପାୟରେ ଏ ପାପରୁ ମୁଁ ପାଇବି ମୁକ୍ତି ?’’

 

ବଡ଼ପଣ୍ଡା କହିଲେ....‘‘ନଟବର ପ୍ରତି ସମସ୍ତ ମୋହ ହୃଦୟରୁ ଦୂର କରିବା ପାଇଁ ପଡ଼ିବ-! ପାରିବ ପୂର୍ଣ୍ଣିମା ?’’

 

ପୂର୍ଣ୍ଣିମା, ନୀରବରେ ଚାହିଁଲା ଆକାଶର ଚନ୍ଦ୍ର ଆଡ଼େ । ଚନ୍ଦ୍ରର ସେଇ କରୁଣ ଓ ମ୍ଳାନ ଆଲୋକ ଭିତରେ ସେ ଯେପରି କରୁଥିଲା ତା’ ଉତ୍ତରର ସନ୍ଧାନ !

 

ନଟବର ପ୍ରତି ତା’ର ଏ ଆକର୍ଷଣ ସେ ଜାଣେନା ପାପ କି ପୁଣ୍ୟ, କେବଳ ଅନ୍ଧ ମୋହ କି ମାୟା, ତଥାପି ତା’ର ବିଶ୍ୱାସ ନଟବର ପ୍ରତି ତା’ର ଅନୁରାଗ, ପ୍ରଭାତର ଆଲୋକ ପରି ସ୍ୱଚ୍ଛ ପବିତ୍ର ! ସୃଷ୍ଟି ପରି ସତ୍ୟ ଓ ଆଦିମ ! ନଟବରର ମୁଗ୍ଧ ଦୁଇ ଆଖି ଭିତରେ ସେ ଫେରି ପାଇଚି ଯେପରି କେତେ ଜନ୍ମ ଜନ୍ମାନ୍ତରର ସନ୍ଧାନ ! ନଟବର ସହିତ ତା’ର ହୃଦୟର ବନ୍ଧନର ଗ୍ରନ୍ଥି ଯେପରି ଅତି ନିବିଡ଼ ଓ ଅତି ପୁରାତନ ! ପାପ, ପୁଣ୍ୟର ବିଚାର, ସେ ଯୋଗାଯୋଗ ଶିଥିଳ କରିପାରେ ନା, ଅଧର୍ମର ଭୟ ହୃଦୟର ସେ ପବିତ୍ର ଆବେଗକୁ ଆବିଳ କରିପାରେ ନା ! ଅଚ୍ଛେଦ୍ୟ, ନଟବର ସହିତ ତା’ର ହୃଦୟର ବନ୍ଧନ !

 

ପୂର୍ଣ୍ଣିମା, ଧୀର ମନ୍ଥର ପାଦରେ, ମୁଖଶାଳା ବାହାରକ ଚାଲି ଆସିଲା । ଶିଥିଳ କବରୀରୁ ତା’ର ତଳେ ଝରି ପଡ଼ିଲା କେତକୀର କେତୋଟି ପାଖୁଡ଼ା ।

 

ବଡ଼ପଣ୍ଡା ଚନ୍ଦ୍ରର ସେଇ ମଳିନ, ଅସ୍ପଷ୍ଟ ଆଲୋକ ଭିତରେ ଠିଆ ହୋଇଥାନ୍ତି–ସ୍ଥାଣୁ, ପଥରର ମୂର୍ତ୍ତି ପରି । କଠିନ ବ୍ରହ୍ମଚର୍ଯ୍ୟାଶ୍ରମର ନିୟମ ଶୃଙ୍ଖଳା ଭିତରେ କେବେଠୁ ମୃତ୍ୟୁ ହୋଇଚି ତାଙ୍କର ମୁଖର ଯୌବନର ! ବ୍ରହ୍ମଚର୍ଯ୍ୟ ଓ କଠିନ ସଂଯମର ଆଲୋଡ଼ନହୀନ ଯୌବନରେ ତାଙ୍କର କେବେ କେବେ ବା ଜାଗିଉଠିଚି କାମନାର କଲ୍ଲୋଳ; କିନ୍ତୁ ସେ ପାପ, ପୁଣ୍ୟ, ଧର୍ମ, ଅଧର୍ମର ବିଚାର ଭିତରେ ସବୁ ପୁଣି ଶାନ୍ତ ହୋଇ ଉଠିଚି । ଜୀବନରେ ଦିନକପାଇଁ ସୁଦ୍ଧା ସେ ପ୍ରଶ୍ରୟ ଦେଇ ନାହାନ୍ତି ମନର ଦୁର୍ବଳତାକୁ । ଆଜି ସେ ଦରନ୍ତ, ପାଶମୁକ୍ତ ଯୌବନର ଅବସାନ ଅବଶ୍ୟ କେବେଠୁ ହୋଇ ସାରିଚି ! ପ୍ରଭୁ ଲିଙ୍ଗରାଜଙ୍କର ସେବାରେ ସାରା ଜୀବନ ସେ ଅତିବାହିତ କରିଚନ୍ତି, ଅମଳିନ ସାଧନାରେ । ତଥାପି ଆଜି ବି ବେଳେବେଳେ ମନରେ ତାଙ୍କର ଚେଇଁଉଠେ ନିଷ୍ପେଷିତ ଯୌବନର ସେଇ ଅସମାହିତ ସମସ୍ୟା....‘‘ହୃଦୟର ଏଇ ଆଦିମ ଆକର୍ଷଣ କ’ଣ ପାପ ?’’

 

ଚନ୍ଦ୍ରର ଏଇ ଆବିଳ ଜ୍ୟୋତ୍ସ୍ନା ଭିତରେ, ଆଜି ତାଙ୍କର ମନେ ହେଲା ଯେପରି ପୂର୍ଣ୍ଣିମା ପ୍ରତି ସେ ଅନ୍ୟାୟ ଆଦେଶ ଦେଇଛନ୍ତି । ଯେଉଁ ଅର୍ଦ୍ଧ–ସମାହିତ ଓ ଅସଂପୂର୍ଣ୍ଣ ସତ୍ୟ ଉପରେ ବିଶ୍ୱାସ କରି ସେ ହତ୍ୟା କରିଚନ୍ତି ନିଜର ଯୌବନ, ତା’ରି ଦ୍ୱାରା ସେ ଆଜି ନିର୍ମମ ଭାବରେ ହତ୍ୟା କରିବାକୁ ବସିଚନ୍ତି ମଧ୍ୟ ପୂର୍ଣ୍ଣିମାର ସୁଖର ଯୌବନ, ସୃଷ୍ଟିର ଆଦିମ ପ୍ରେରଣାରେ ଯେ ସୁନ୍ଦର ଓ କମନୀୟ । କେଜାଣି କାହିଁକି, ଅତି ଆକସ୍ମିକ ଭାବରେ ମନେହେଲା ତାଙ୍କର... ସ୍ୱର୍ଗ ଯଦି ସତ୍ୟ ହୁଏ, ପୃଥିବୀ ସ୍ୱର୍ଗଠୁ ବଳି ଆଉରି ବୃହତ୍ତର ସତ୍ୟ–ପୁଣି ବାସ୍ତବ ଦେବତାର ସ୍ୱର୍ଗପାଇଁ, ମଣିଷର ପୃଥିବୀକୁ ଭୁଲିବାରେ ଯୁକ୍ତି କେଉଁଠି ?

 

ଏଇ ନିଭୃତ ସଂଧ୍ୟା, ଛାୟାନ୍ଧକାର ମନ୍ଦିର ପ୍ରାଙ୍ଗଣ, ଆକାଶରେ ମଳିନ ଜ୍ୟୋତ୍ସ୍ନା, ବୃକ୍ଷଶାଖାରେ କେଉଁ ଉଷ୍ଣ ନୀଡ଼କୋଣରେ ସୁପ୍ତ ପକ୍ଷି ଦମ୍ପତିର ଅସ୍ପଷ୍ଟ କଳରବ, ବଡ଼ ପଣ୍ଡାଙ୍କର ଧୂସର ଦୃଷ୍ଟିରେ, ସମସ୍ତ ଯେପରି ହୋଇ ଉଠିଲା କଳ୍ପନାର ସ୍ୱର୍ଗଠାରୁ ବଳି ଆହୁରି ସୁନ୍ଦର ଓ ମହନୀୟ ! ଧୂଳିର ଏହି ମରଣଶୀଳ ପୃଥିବୀର ସମସ୍ତ ଦୁର୍ବଳତା, ପାପ, ଅନ୍ୟାୟ, ଆକର୍ଷଣ ଓ ମୋହ, ମାୟା, ଅଶ୍ରୁ, ସବୁ ସୁନ୍ଦର ଓ ସବୁ ରମଣୀୟ ! ମଞ୍ଜରୀ ଭାରାକ୍ରାନ୍ତ ସେହି ଅଶୋକ ଶାଖାର ନୀଡ଼କୋଣରେ, କ୍ଳାନ୍ତ ପକ୍ଷିଦମ୍ପତ୍ତିର ଦୁଇ ଚକ୍ଷୁ ଯୋଡ଼ି ନିଦ୍ରା ଆଚେତନ ହେବା ହୋଇପାରେ ପୃଥିବୀର ଅନ୍ଧ ମୋହ, ହୋଇପାରେ ପାପ, ତଥାପି ମନେହେଲା ତାଙ୍କର ସେ ମୋହ, ସେ ବିକାର ସ୍ୱର୍ଗର ଯେ କୌଣସି ପାରିଜାତର ସ୍ୱର୍ଣ୍ଣପଲ୍ଲବଠାରୁ ଆହୁରି ପବିତ୍ର ଓ ଆହୁରି ରମଣୀୟ ।

 

ପୂର୍ଣ୍ଣିମା ପ୍ରତି ଅନ୍ୟାୟ କରିଛନ୍ତି ସେ ! ତାଙ୍କ ଅର୍ଦ୍ଧସତ୍ୟ ଓ ଭ୍ରାନ୍ତ ଦର୍ଶନରେ ବିଶ୍ୱାସ କରି ହୁଏତ ପୂର୍ଣ୍ଣିମା ତା’ ହୃଦୟରୁ ପୋଛିଦେବ ନଟବର ପ୍ରତି ସମସ୍ତ ଅନୁରାଗ ! ବ୍ୟର୍ଥତାର ତୁଷାନଳ ଦୁଇଟି ଯୌବନକୁ ଛାରଖାର କରିଦେବ ! ମନେହେଲା ତାଙ୍କର ସେ ଫେରିଯାଇଁ ପୂର୍ଣ୍ଣିମାକୁ କହିବେ...ନା ପୂର୍ଣ୍ଣିମା ! ମୁଁ ତୁମକୁ ଭଲ ଉପଦେଶ ଦେଇଛି । ଯୌବନର ଆବେଗ ପାପ ନୁହେଁ, ଏକ ଛନ୍ଦରେ ଦୁଇଟି ଅନୁରକ୍ତ ହୃଦୟର ଆକର୍ଷଣ ଅନ୍ୟାୟ ନୁହେଁ । ହୃଦୟର ଆକର୍ଷଣ, ସଚ୍ଛ ଓ ପବିତ୍ର ! ନଟବର ପାଖକୁ ତମେ ଫେରିଯାଅ ପୂର୍ଣ୍ଣିମା !

 

କିନ୍ତୁ ପୁଣି ପରମୁହୂର୍ତ୍ତରେ ମନହେଲା ତାଙ୍କର, ପ୍ରଭୁ ଲିଙ୍ଗରାଜଙ୍କର ସେବାରେ ଯାହାର ଯୌବନ ଉତ୍ସୃଷ୍ଟ, ସେ ଯୌବନର ଅବଶେଷ କାହିଁ; ମଣିଷର କାମନା ଚରିତାର୍ଥ କରିବା ପାଇଁ ? ପୂର୍ଣ୍ଣିମାକୁ ଠିକ୍‌ ଉପଦେଶ ଦେଇଛନ୍ତି ସେ ।

 

ଦୁଇ

 

ରାତ୍ରି ଆହୁରି ଗଭୀର ହୋଇ ଆସିଛି ।

 

ପୂର୍ଣ୍ଣିମାର ଆଖିରେ ନିଦ ନାହିଁ । ଦିଗ୍‌ବଳୟ ତଳେ ବିଲୟମୁଖୀ ଚନ୍ଦ୍ରର କେତୋଟି ମ୍ଳାନ, କରୁଣ ଜ୍ୟୋତ୍ସ୍ନାରେଖା ପଡ଼ିଛି ଆସି ପୂର୍ଣ୍ଣିମାର ବିନିଦ୍ର, ସାଥୀହୀନ ଶଯ୍ୟା ଉପରେ । କେଉଁଠି କେଉଁ ବୃକ୍ଷଶାଖାରେ କେଉଁ ନିଦ୍ରାହୀନ, ପକ୍ଷିଦମ୍ପତିର, ଜ୍ୟୋତ୍ସ୍ନାର ଆଲୋକ ତଳେ, ଚାଲିଛି ମୁଗ୍ଧ କଳରବ ।

 

ପୂର୍ଣ୍ଣିମାର ଗବାକ୍ଷ ସେ’ ପଟେ ଠିଆ ହେଲା ଆସି ନଟବର । ଅଭିସାର ରାତ୍ରିର ବେଶ ରଚନାରେ ଆଉରି ସୁନ୍ଦର, ଆଉରି କମନୀୟ ସେ !

 

‘ତମେ ଆସିଛ ନଟବର ?’ –ପୂର୍ଣ୍ଣିମାର କଣ୍ଠରେ ଅଶ୍ରୁ, ଆନନ୍ଦ ଓ ଆବେଗ ! ‘ତମେ ଯେ ମୋତେ ଆସିବା ପାଇଁ ସଙ୍କେତ ଦେଇଥିଲ ପୂର୍ଣ୍ଣିମା !’ ‘ନା–ତମେ ଫେରିଯାଅ ନଟବର । ମୁହୂର୍ତ୍ତକର ଦୁର୍ବଳତାରେ ଭୁଲ କରିଛି ମୁଁ–ପାପ କରିଛି ।’ ‘‘ବେଶ୍‌, ଫେରିଯିବି ପୂର୍ଣ୍ଣିମା ! ସୌନ୍ଦର୍ଯ୍ୟ ମୋତେ ଚିରଦିନ ମୁଗ୍ଧ କରିଛି, ତା’ ସଙ୍ଗେ ସଙ୍ଗେ ପ୍ରତାରଣା କରିଛି ମଧ୍ୟ । ସେଥିପାଇଁ ସୌନ୍ଦର୍ଯ୍ୟଠାରୁ ମୁଁ ଚିରଦିନ ରହିଛି ଦୂରେ ଦୂରେ ! ତମେ ବି ମୋର ସ୍ୱପ୍ନ ନେଇ ଏମିତି ନିଷ୍ଠୁର ଉପହାସ କରିବ, ତା’ ଆଗରୁ ଜାଣେ ପୂର୍ଣ୍ଣିମା !......ତଥାପି ମୁଁ ଜାଣିବାକୁ ଚାହେଁ, କାହାକୁ କହ ତମେ ପାପ ବୋଲି । ଗନ୍ଧ ଯଦି ଚାହେଁ ପବନ ସହିତ ମିଶିବାକୁ, ନଦୀର ଚଞ୍ଚଳ ଜଳଧାର ଯଦି ସଙ୍କେତ ପଠାଏ ସମୁଦ୍ରର ଛାତିରେ ଲୋଟି ଯିବାପାଇଁ, ପ୍ରଭାତର ରକ୍ତିମ ଆଲୋକ ଯଦି ଖୋଲିଧରେ କମଳର ଅବଗୁଣ୍ଠନ, ଆଦିମ ପ୍ରକୃତି ଯଦି ଆଦିମ ପୁରୁଷ ପାଖକୁ ପଠାଏ ଅଭିସାରର ସଙ୍କେତ, ତା’ହେଲେ ତମେ ତା’ ଭିତରେ ପାପର ଛାୟା କେଉଁଠି ଦେଖ ପୂର୍ଣ୍ଣିମା ?’’

 

ଗବାକ୍ଷ ଉପରେ ମୁହଁ ରଖି ପୂର୍ଣ୍ଣିମା କାନ୍ଦି କାନ୍ଦି କହିଲା....‘‘ତମେ ଫେରି ଯାଅ ନଟବର-! ମୋର ମିନତି ତମକୁ ! ସବୁ ବୁଝେ ମୁଁ ! ତଥାପି ବଡ଼ପଣ୍ଡା କହିଛନ୍ତି–ପୂର୍ଣ୍ଣିମା ! ପ୍ରଭୁ ଲିଙ୍ଗରାଜଙ୍କର ସେବଦାସୀ ତମେ ! ଏ ଦୁର୍ବଳତା ତମର ପାପ !’’

 

ନଟବର ଅବିଚଳିତ କଣ୍ଠରେ ପଚାରିଲା.......‘ଜୀବନର ଆବେଗକୁ ତମେ ଦୁର୍ବଳତା କୁହ ପୂର୍ଣ୍ଣିମା ?’’

 

ପୂର୍ଣ୍ଣିମା କହିଲା...‘‘ମୁଁ ଶାସ୍ତ୍ର ଜାଣେନା, ନଟବର !’’

 

ନଟବର କହିଲା.....‘‘ବେଶ୍‌; ମୁଁ ଯାଉଚି ପୂର୍ଣ୍ଣିମା ! ଧର୍ମ ତମର ଅକ୍ଷୁଣ୍ଣ ରହୁ ! ତଥାପି ମୁଁ କହି ରଖେ ପୂର୍ଣ୍ଣିମା, ଦେବତା ପାଇଁ, ମଣିଷ ପ୍ରତି, ତମର କର୍ତ୍ତବ୍ୟ ତମେ ଭୁଲି ଯାଉଚ ? ଧର୍ମ ଭିତରେ ତମେ ଭୁଲି ଯାଉଚ ମଣିଷ ସହିତ ମଣିଷର ସଂବନ୍ଧ !’’

 

ଦୂରର ଅଶୋକ କୁଞ୍ଜର ପତ୍ର ଗହଳି ଭିତରେ ଲୁଚି ଯାଉଥିଲା ନଟବର, ପୂର୍ଣ୍ଣିମା ଚିତ୍କାର କରି ଉଠିଲା......‘‘ରୁହ ନଟବର, ଯାଅନା !’’

 

ନଟବର ପଛକୁ ଥରେ ଫେରି ଚାହିଁ ରହିଗଲା ! ଅସ୍ତମୁଖୀ ଚନ୍ଦ୍ରର ମଳିନ ଜ୍ୟୋତ୍ସ୍ନାରେ ଚାରିଆଡ଼ ହୋଇ ଉଠିଚି କରୁଣ ଓ ମାୟାମୟ । ପୂର୍ଣ୍ଣିମା ଛୁଟିଆସି ନଟବରର ହାତ ଧରି ପକାଇଲା...‘‘ତମେ ଯାଅନା ନଟବର । ପାପ କରିବି ମୁଁ । ମୁଁ ସ୍ୱର୍ଗ ଚାହେଁନା, ଧର୍ମ ଚାହେଁନା, ଅମୃତ ଚାହେଁନା ! ପାପ ଦେଇ, ଗରଳ ଦେଇ, ଏ ପୃଥିବୀର ନାରୀ ମୁଁ, ଆଲିଙ୍ଗନ କର ମୋତେ ନଟବର ।

 

ନଟବର କହିଲା....‘‘ମୁହୂର୍ତ୍ତକର ଦୁର୍ବଳତାରେ ସମସ୍ତ ଜୀବନର ସାଧନା ତମର କଳୁଷିତ ହୋଇ ଉଠିବ ପୂର୍ଣ୍ଣିମା ! ବଡ଼ପଣ୍ଡାଙ୍କର ଆଦେଶ ଏତେ ଶୀଘ୍ର ଭୁଲିଗଲ ତମେ ?

 

ପୂର୍ଣ୍ଣିମା, ନଟବରର ଛାତି ଭିତରେ ମୁହଁ ଲୁଚାଇ କହିଲା......‘‘ମତେ ଉପହାସ କରୁଛ ନଟବର ?’’

 

ଦୁଇ ଆଖିରେ ତା’ର ମଳିନ ଜ୍ୟୋତ୍ସ୍ନାଲୋକରେ ଝଲମଲ ହୋଇ ଉଠୁଚି ଅଶ୍ରୁବିନ୍ଦୁ !

 

ନଟବର ଦୁଇ ହାତରେ ଅବନତମୁଖୀ ପୂର୍ଣ୍ଣିମାର ଚିବକୁ ତୋଳି ଧରି କହିଲା...‘‘ପୃଥିବୀରେ ଜୀବନ ଆଜି ଅସ୍ୱାଭାବିକ ରୂପେ ଜଟିଳ ହୋଇଉଠିଚି ପୂର୍ଣ୍ଣିମା ! ସ୍ୱର୍ଗପାଇଁ ମଣିଷ ଭୁଲିଚି ପୃଥିବୀ, ଦେବତା ପାଇଁ ମଣିଷ ଭୁଲିଚି ମଣିଷ, ସାଧନା ପାଇଁ ମଣିଷ ଭୁଲିଚି ଜୀବନ ! ସ୍ୱର୍ଗର କ’ଣ ବା ପ୍ରୟୋଜନ, ବ୍ୟର୍ଥତା, ହା–ହା–କାର ଓ ରିକ୍ତତା ଯଦି ପଳେ ପଳେ ନଷ୍ଟ କରେ ଜୀବନର ଆନନ୍ଦ ! ପୁରୁଷ ଓ ନାରୀର ଏଇ ଆଦିମ ମିଳନ ପାପ ନୁହେଁ ପୂର୍ଣ୍ଣିମା ! ଯେ ଆବେଗ ଭିତରେ ଜନ୍ମନେଲା ସୁନ୍ଦର, ଉଦାର ଏଇ ପୃଥିବୀ, ଜନ୍ମନେଲେ କୋଟି କୋଟି ନରନାରୀ, ଆକାଶ, ସମୁଦ୍ର ଓ ସୃଷ୍ଟିର ଆଉରି ଅଗଣିତ ସୌନ୍ଦର୍ଯ୍ୟ, ସେ ଆବେଗ ପାପ ନୁହେଁ, ଆତ୍ମାର ସେ ଆଦିମ ଆକର୍ଷଣ ପାପ ହୋଇ ପାରେନା ।’’

 

ପୂର୍ଣ୍ଣିମା କହିଲା.......‘‘ଜାଣେ ନଟବର !’’

 

ତଳର ଦୁର୍ବାଶଯ୍ୟା, ରାତ୍ରିର ଶିଶିରରେ ହୋଇ ଉଠିଛି ଗନ୍ଧସ୍ନିଗ୍ଧ ! ନଟବର କୋଳରେ ଦେହ ଢାଳି ଶୋଇଚି ପୂର୍ଣ୍ଣିମା ! ରାତି ତଥାପି ଆଉରି ବାକୀ । ପୂର୍ବର ଆକାଶରେ ଶୁକ୍ରତାରା ଦପ୍‌ ଦପ୍‌ ହୋଇ ଉଠୁଚି । ତା’ରି ପାଂଶଳ ଆଲୋକ, ପୂର୍ଣ୍ଣିମାର କପାଳକୁ ସାମାନ୍ୟ ଆଲୋକିତ କରିଚି-। ନଟବର କହିଲା....‘‘ତମେ ଯାଅ ପୂର୍ଣ୍ଣିମା ! ରାତି ଶେଷ ହେଲା ଆସି ।’’

 

ପୂର୍ଣ୍ଣିମାର ମନ ଭିତରେ ବହି ଚାଲିଚି ଯେପରି ଦୂରନ୍ତ ଝଡ଼ । ଏକ ଦିଗରେ ମଣିଷ ଓ ଅନ୍ୟ ଦିଗରେ ଦେବତା ! ମଣିଷ ଆଉ ଦେବତାର ଦ୍ୱନ୍ଦ୍ୱରେ କିଏ ଜିଣିଲା ବା କିଏ ହାରିଲା ଜାଣେନା ପୂର୍ଣ୍ଣିମା; ତଥାପି ଏଇ ପାପ, ପୁଣ୍ୟର ଅନିଶ୍ଚିତତା ଭିତରେ ପୂର୍ଣ୍ଣିମାର ହୋଇଚି ପରାଜୟ-। ବେଳେବେଳେ ତା’ର ଦୁଇ କ୍ଳାନ୍ତ ଆଖି ଆଗରେ ଭାସିଉଠେ ବଡ଼ ପଣ୍ଡାଙ୍କର କ୍ରୁଦ୍ଧ, ଆରକ୍ତ ସେ ଦୁଇ ଆଖି । ବଡ଼ପଣ୍ଡା କହୁଚନ୍ତି...‘‘ମଣିଷର ଜୀବନରେ ମୃତ୍ୟୁ ଶେଷକଥା ନୁହେଁ ପୂର୍ଣ୍ଣିମା-! ମୃତ୍ୟୁପରେ ବି ଅଛି ଆଉରି ଏକ ଜୀବନ, ଯୋଉଠି ହୁଏ ଗତ ଜୀବନର ସମସ୍ତ ପାପ ପୁଣ୍ୟର ବିଚାର !’’ ତା’ପରେ ହୁଏତ ଆସନ୍ତି କ୍ରୂଦ୍ଧ ପ୍ରଭୁ ଲିଙ୍ଗରାଜ । ହାତରେ ତାଙ୍କର ତ୍ରିଶୂଳ । ସେ ତ୍ରିଶୂଳ ଯେପରି ଭୁଷି ହୋଇ ଯାଉଚି ପୂର୍ଣ୍ଣିମାର ଛାତି ଦେହରେ ! ପର ମୁହୂର୍ତ୍ତରେ ପୁଣି ଆଖି ଆଗରେ ତା’ର ଭାସି ଉଠେ ନଟବରର କ୍ଳାନ୍ତ, ସୌମ୍ୟମୂର୍ତ୍ତି । ନଟବରର ସେ ଦୁଇ ମୁଗ୍ଧ ଆଖି ଭିତରେ ପୂର୍ଣ୍ଣିମା ପୁଣି ଫେରିଯାଏ ମନର ତା’ର ସମସ୍ତ ଅପହୃତ ଶାନ୍ତି ଓ ସାହସ ! ନଟବର କହୁଛି ଯେପରି....ବିଚଳିତ ହୁଅନା ପୂର୍ଣ୍ଣିମା ! ବଞ୍ଚିବା କେବେ ପାପ ହୋଇ ନ ପାରେ-! କିନ୍ତୁ ପରମୁହୂର୍ତ୍ତରେ ବଡ଼ପଣ୍ଡାଙ୍କର ସେଇ କଥା, କାନ ପାଖରେ ତା’ର ଡାକି ଉଠେ ବ୍ରଜପରି.....‘‘ଜୀବନରେ ମୃତ୍ୟୁ ଶେଷକଥା ନୁହେଁ, ପୂର୍ଣ୍ଣିମା ! ଭୁଲି ଯାଅନା ପୂର୍ଣ୍ଣିମା ! ପ୍ରଭୁ ଲିଙ୍ଗରାଜଙ୍କର ସେବାଦାସୀ ତମେ ! କାଲି ସକାଳେ ପୁଣି ଏଇ ଉଚ୍ଛିଷ୍ଟ, ଯୌବନ ନିବେଦନ କରିବ ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ? ଏ ପାପର ଶାସ୍ତି ଅତି ନିର୍ମମ ପୂର୍ଣ୍ଣିମା !’’

 

ପୂର୍ଣ୍ଣିମା ଉତ୍‌କ୍ଷିପ୍ତା ପରି, ନଟବରର କୋଳରୁ ଉଠିପଡ଼ି କହିଲା...‘‘ମୁଁ ମୃତ୍ୟୁ ଚାହେଁ ନଟବର ! ଏ ଜୀବନ ଅସହ୍ୟ ହୋଇ ଉଠିଚି ମୋ’ ପକ୍ଷରେ !

 

ନଟବର କହିଲା...‘‘କ’ଣ ହେଲା ପୂର୍ଣ୍ଣିମା ?’’

 

କଣ୍ଠରେ ତା’ର ବିସ୍ମୟ !

 

ପୂର୍ଣ୍ଣିମା କହିଲା...ମୁଁ ପାପ କରିଚି ନଟବର । ତମର ଯୁକ୍ତି ବୁଝେନା ମୁଁ ! ପ୍ରଭୁ ଲିଙ୍ଗରାଜଙ୍କର ସେବାଦାସୀ ମୁଁ, ପାପରେ ମୋର ପବିତ୍ର ପୂଜାପୀଠ ତାଙ୍କର କଳଙ୍କିତ ହେବ !

 

ନଟବର, ଅନୁନୟର ସ୍ୱରରେ କହିଲା.... ପୂର୍ଣ୍ଣିମା !

 

ପୂର୍ଣ୍ଣିମା ହାତରେ ହୀରାବସା ମୁଦି ତା’ର ଓଠ ପାଖରେ ଧରି କହିଲା... ‘‘ବିଦାୟ ନଟବର ! ବିଦାୟ ପ୍ରିୟତମ ! ଏ ଜୀବନରେ ଏଇ ଆମର ଶେଷ ମିଳନ ! କିନ୍ତୁ ଯାହାର ସେବାରେ ଉତ୍ସର୍ଗ କରିଛି ଏହି ଜୀବନ, ତାଙ୍କର ପାଦତଳେ କେବଳ ଏତିକି ପ୍ରାର୍ଥନା ମୋର, ଯଦି ପୁନର୍ଜନ୍ମ ଥାଏ ତା’ହେଲେ ସେ ଜନ୍ମରେ ମୋତେ ମିଳେ ଯେପରି ପଶୁ ପକ୍ଷୀର ସରଳ ଜୀବନ ! ପାପ, ପୁଣ୍ୟର ଜଟିଳତା ଭିତରେ ମୋର ଜୀବନ ହରାଏ ନା ଯେପରି ବଞ୍ଚିବାର ସହଜ, ସୁନ୍ଦର ଅନୁଭୂତି !’’

 

ପୂର୍ଣ୍ଣିମାର, ଶୀତଳ, ପାଂଶୁଳ ଦେହ, ତଳର ଦୁର୍ବା ଶଯ୍ୟା ଉପରେ ଲୋଟି ପଡ଼ିଲା ।

 

ତିନି

 

ଯଯାତିକେଶରୀ ସେଦିନ ପାତ୍ର–ମନ୍ତ୍ରୀଙ୍କର ଗହଣରେ ଅସମାପ୍ତ ଲିଙ୍ଗରାଜ ମନ୍ଦିର ପର୍ଯ୍ୟବେକ୍ଷଣ କରୁଥିଲେ । ସାଙ୍ଗରେ ତାଙ୍କର ବ୍ରଜନାଥ ବଡ଼ପଣ୍ଡା ! ହଠାତ୍‌ ଗୋଟାଏ ସ୍ଥାନରେ ଥମକି ରହିଗଲେ ଯଯାତିକେଶରୀ । ମନ୍ଦିର ଦେହରେ ନର୍ତ୍ତକୀର ଏକ ଅତି କମନୀୟ ମୂର୍ତ୍ତି । ପ୍ରାଣହୀନ ପଥରର ଦେହେ ଦେହେ ଫୁଟି ଉଠିଚି ଯେପରି ନର୍ତ୍ତକୀର ନୃତ୍ୟଚପଳ ଛନ୍ଦ ! ଗଭାରେ ତା’ର କୁସୁମର ଜୁଡ଼ା, ମରାଳ ଗ୍ରୀବା ତା’ର ଢଳି ପଡ଼ିଚି ନୃତ୍ୟର ଛନ୍ଦରେ, ଦୁଇ ସୁଗୋଲ ବାହୁଲତା, ଉପରକୁ ଉଠି ଆସିଚି ନୃତ୍ୟର ଚପଳତାରେ, ଅନାବୃତ ଦୁଇ କମଳ କୋରକର ବକ୍ଷ, ଲୀଳାୟିତ ଚନ୍ଦ୍ରହାର ଶୋଭିତ ସିଂହକଟୀ ରମ୍ଭାଉରୁ, ଝୀନଚିନାଂଶୁକ ଭେଦି ଯେପରି ଫୁଟି ଉଠୁଚି ବାହାରକୁ, ମଞ୍ଜୀର ଶୋଭିତ ଦୁଇ ପାଦ...ଯଯାତିକେଶରୀ ମୁଗ୍ଧ ବିସ୍ମୟରେ କେଇଟି ମୁହୂର୍ତ୍ତ ଠିଆ ହୋଇ ରହିଲେ । ଅଦୂରରେ ଠିଆ ରହିଚି ନଟବର । ଅପଲକ ଆଖିରେ ଚାହିଁ ରହିଚି ପାଷାଣର ସେଇ ନର୍ତ୍ତକୀ ଆଡ଼େ ।

 

ଯଯାତିକେଶରୀ କହିଲେ....‘‘ଏତ ସେଇ ଦେବଦାସୀ ପୂର୍ଣ୍ଣିମାର ପ୍ରତିମୂର୍ତ୍ତି ! କିଏ ଏହାର ଶିଳ୍ପୀ !’’

 

ନଟବର ଯଯାତିକେଶରୀଙ୍କ ଆଗରେ ପ୍ରଣାମ ଜଣାଇ ଠିଆହେଲା ।

 

ଯଯାତିକେଶରୀ ପ୍ରଶ୍ନ କଲେ....‘‘କାମନା, ଅସଂଯମ ଓ ପାପର ଏଇ ମୂର୍ତ୍ତି, କାହାର ନିର୍ଦ୍ଦେଶରେ ତମେ ଆଙ୍କିଚ ଶିଳ୍ପୀ !’’

 

ନଟବର ଅବିଚଳିତ କଣ୍ଠରେ ଉତ୍ତର ଦେଲା....‘‘ପାପରୁ ଜନ୍ମ ନେଇ ପାରେନା ଏଇ ମୃତ୍ୟୁହୀନ, ସୌନ୍ଦର୍ଯ୍ୟ, ମହାରାଜାଙ୍କୁ ଯାହା ମଗ୍ଧ କରିଚି ।’’

 

ଯଯାତିକେଶରୀ କେଇଟି ମୁହୂର୍ତ୍ତର ସ୍ତବ୍ଧତା ପରେ କହିଲେ...

 

‘କିଏ ଅଛି ପ୍ରତିହାରୀ; ଏଇ ମୁହୂର୍ତ୍ତରେ ଏଇ ନର୍ତ୍ତକୀର ମୂର୍ତ୍ତିକୁ ସ୍ଥାନାନ୍ତରିତ କର ଏଇ ମନ୍ଦିର ବେଢ଼ାରୁ । ନଷ୍ଟକରି ପାରତ ଭଲ କଥା । ପ୍ରଭୁ ଲିଙ୍ଗରାଜଙ୍କର ମନ୍ଦିର ଦେହରେ ମୂର୍ତ୍ତିମତୀ କାମନା ଏଇ ନର୍ତ୍ତକୀ ? ଏ ଔଦ୍ଧତ୍ୟ ଏତେଦିନ ଧରି ମୋର କଳ୍ପନାର ବାହାରେ ଥିଲା ଶିଳ୍ପୀ ।’’

 

ବଡ଼ପଣ୍ଡା ହଠାତ୍‌ କହି ଉଠିଲେ...‘‘ସେ ଆଦେଶ ପ୍ରତ୍ୟାହାର କରନ୍ତୁ ମହାରାଜ !’’

 

ଯଯାତିକେଶରୀ ବିସ୍ମୟର କଣ୍ଠରେ ପଚାରିଲେ...‘‘ଆପଣ କ’ଣ ହିତାହିତ ଜ୍ଞାନଶୂନ୍ୟ ହୋଇଚନ୍ତି ବଡ଼ପଣ୍ଡା ?’’

 

ବଡ଼ପଣ୍ଡା କହିଲେ...‘ପ୍ରକୃତିସ୍ଥ ଅଛି ମହାରାଜ । ଉତ୍କଳ କଳାର ଏଇ ଅମର ଗୌରବ ଏପରି ନଷ୍ଟ କରିବାରେ ସାର୍ଥକତା ନାହିଁ ! ତା’ ଛଡ଼ା ଚିର ସୁନ୍ଦର, ଚିର ଆନନ୍ଦମୟ ଯେ ଦେବତାଙ୍କର ପୂଜା ହୁଏ ଏଇ ମନ୍ଦିରରେ, ତାଙ୍କର ମୃତ୍ୟୁହୀନ ସୌନ୍ଦର୍ଯ୍ୟ ଓ ଆନନ୍ଦ ରୂପ ନେଇଚି ଏଇ ନାରୀର ଅଙ୍ଗେ ଅଙ୍ଗେ । ସୌଦର୍ଯ୍ୟ ପାପ ନୁହେଁ ମହାରାଜ ! ଆନନ୍ଦର ଯେ ଉଚ୍ଛ୍ୱାସ ଫୁଟି ଉଠିଚି ଏଇ ନର୍ତ୍ତକୀର ଭଙ୍ଗୀମାରେ, ସେ ଉଚ୍ଛ୍ୱାସ ପାପ ହୋଇ ପାରେନା ମହାରାଜ ! ଧର୍ମ, ସଂଯମ ଓ ଦେବତା ଭିତରେ ଯେ ମନୁଷ୍ୟ ସମାଜ ଭୁଲି ଯାଇଚି, ମାଟିର ଏଇ ପୃଥିବୀ, ଏହାର କୋଟୀ କୋଟୀ ନରନାରୀ, ଏହାର ଦୁଃଖ ଓ ଆନନ୍ଦ, ଏଇ ନାରୀ ମୂର୍ତ୍ତି ସେଇ ଧର୍ମାନ୍ଧ ମନୁଷ୍ୟ ସମାଜକୁ ଶିକ୍ଷା ଦେବ କେବଳ । ବଂଚିବା ପାପ ନୁହେଁ, ସ୍ରଷ୍ଟାର ଅନନ୍ତ ସୌନ୍ଦର୍ଯ୍ୟ ଓ ଅମଳିନ ଆନନ୍ଦ ରୂପ ନେଇଚି ପୃଥିବୀର ମରଣଶୀଳା ଯେଉଁ ନାରୀ ଦେହରେ ସେ ନାରୀ ନରକର ଦ୍ୱାର ନୁହେଁ, ପ୍ରକୃତି ଓ ପୁରୁଷର ଯେଉଁ ପବିତ୍ର ଆକର୍ଷଣ ଭିତରେ ଜନ୍ମ ନେଇଚି ଏ ସୃଷ୍ଟିର ଅଗଣିତ ସୌନ୍ଦର୍ଯ୍ୟ, ସେ ଆକର୍ଷଣ, ହୃଦୟର ସେ ଆଦିମ ସ୍ପନ୍ଦନ; ପାପ ହୋଇପାରେନା ! ଦେବତାଠାରୁ ଏଇ ନାରୀ ମୂର୍ତ୍ତି ଆପଣଙ୍କର କୀର୍ତ୍ତିକ କରିବ ମୃତ୍ୟୁହୀନ !’’

 

ଯଯାତିକେଶରୀ ବାକ୍ୟହୀନ ବିସ୍ମୟରେ ଶୁଣୁଥିଲେ ବଡ଼ପଣ୍ଡାଙ୍କର କଥା । ଅସ୍ତମାନ ସୂର୍ଯ୍ୟର ଦୁଇଟି ରକ୍ତିମ କିରଣ ରେଖା ପଡ଼ିଥିଲା ଆସି, ସେଇ ପାଷାଣ ନର୍ତ୍ତକୀର ମୃଗ ଆଖି ଉପରେ । ମଦଭରା ସେ ଦୁଇଆଖିରୁ ତଥାପି ଯେପରି ଲିଭି ନାହିଁ ଦେବତା ଓ ମଣିଷର ଦ୍ୱନ୍ଦ୍ୱ ! ନଟବର ସ୍ଥାଣୁପରି ଠିଆହୋଇଚି ନିଜର ସୃଷ୍ଟି ଭିତରେ ନିଜେ ଆତ୍ମହରା ହୋଇ ।

 

ଯଯାତିକେଶରୀ କହିଲେ....‘‘ଆସ ଶିଳ୍ପୀ, ଅଭିନନ୍ଦନ କରେ ତୁମକୁ । ତମେ ଧନ୍ୟ କରିଚ ମୋତେ !’’

 

ତା’ ପରେ ଗଳାରୁ ତାଙ୍କ ଗଜମୋତିର ଗୋଟାଏ ମାଳା କାଢ଼ି ଲମ୍ୱାଇ ଦେଲେ ନଟବର ଗଳାରେ !

 

ଭଗ୍ନଦୂତ

 

ଖ୍ରୀଷ୍ଟପୂର୍ବ ୨୦୦୦ ଅଦ୍ଦ.......

 

ଇଜିପ୍ଟିର ମରୁଭୂମି........

 

ବାଲିକୁଦ ପରେ ବାଲିକୁଦ । ଫାରଓ ମାନବର ପୀରାମିଡ଼ ପରେ ପୀରାମିଡ଼ ପୁଣି ପୀରାମିଡ଼ ! ଯୁଗ ଯୁଗାନ୍ତରର ଅସରନ୍ତି ଇତିହାସର ମୂକ, ନିର୍ବୋଧ ଛାତ୍ର ! ଇତିହାସର ପୃଷ୍ଠା ସରୁନାହିଁ; ଅର୍ଥ ଧରା ପଡ଼ୁନାହିଁ । ପୀରାମିଡ଼୍ ମୂକ ହତାଶାରେ ଚାହିଁ ଠିଆ ହୋଇ ରହିଛି, ଉପରର ଆକାଶକୁ....କେବେ ଶେଷ ହେବ ଏ ଅଦ୍ଭୁତ, ନିର୍ମମ ନିସ୍କରୁଣ ଇତିହାସ ଲେଖା ?

 

ମେଷ ଚର୍ମାବୃତ ଜଣେ ବୃଦ୍ଧ ଗୋଟିଏ ବାଲି ଉହାଡ଼ରୁ ବାହାରି ଧୀରେ ଧୀରେ ଆସି ଠିଆ ହେଲା ପୀରାମିଡ଼ ପାଖରେ !

 

ଉପବାଦକ୍ଳିଷ୍ଟ ଶୀର୍ଣ୍ଣ ଦେହ.....ମୁହଁ ଯାକ ଲମ୍ୱା ଲମ୍ୱା ଧଳା ଦାଢ଼ୀ ଅଣ୍ଟା ପର୍ଯ୍ୟନ୍ତ ଲମ୍ୱି ଆସିଛି । ମୁଣ୍ଡଯାକ ଧଳା ବାଳର ଜଙ୍ଗଲ । ହାତରେ ଖଣ୍ଡେ ଠେଙ୍ଗା । ପଳାତକ ହୀବ୍ରୁ–ମୋସେସ୍‌ !

 

......କହ ପୀରାମିଡ଼୍‌, ତମେ ତ’ ଦେଖିଲେଣି କେତେ ସଭ୍ୟତା, କେତେ ସାମ୍ରାଜ୍ୟର ଉତ୍‌ଥାନ ଓ ପତନ । ତମେ ବିଜ୍ଞ ! ତମେ ଅଭିଜ୍ଞ ! ତମେ ଦୂରଦର୍ଶୀ ! କହ ତେବେ ପୀରାମିଡ଼୍‌, ମଣିଷର ମଣିଷ ପ୍ରତି ଏ ଅବିଚାର କାହିଁକି ? ଜିହୋବାଙ୍କର ଏ ପୃଥିବୀରେ ସମସ୍ତେ ଜନ୍ମିଛନ୍ତି ବଞ୍ଚିବାର ସମାନ ଅଧିକାର ନେଇ । ତଥାପି ଜଣେ ମଣିଷ କାହିଁକି ଆଉ ଜଣେ ମଣିଷକୁ ବଞ୍ଚିତ କରେ ତା’ର ଜନ୍ମଗତ ଦାବୀରୁ ? କାହିଁକି ଏ ଅନ୍ୟାୟ ? ଏ ଅବିଚାର କାହିଁକି ? କାହିଁକି ? କୁହ ପିରାମିଡ଼୍‌ !

 

ଆବେଗର ଆତିଶଯ୍ୟରେ ବୃଦ୍ଧର କୋଟରଗତ ଦୁଇ ଆଖିରୁ ଦୁଇଧାର ଲୁହ ଗଡ଼ି ଆସିଲା, ଅସୁମାରୀ ଗାରଟଣା ଦୁଇ ଗାଲ ଉପରେ !

 

ନାଁ ତମେ କହିବ ନାହିଁ ପୀରାମିଡ଼୍‌, ତମେ ଫାରାଓମାନଙ୍କର ପୀରାମିଡ଼୍‌, ଲକ୍ଷ ଲକ୍ଷ ହୀବ୍ରୁ କ୍ରୀତଦାସର ପାଣିଫଟା ରକ୍ତରେ ତମର ସୃଷ୍ଟି ! ତମେ ବା କ’ଣ ବୁଝିବ ମଣିଷର ଦୁଃଖ ? ତମେ ବା କ’ଣ ଦେବ ମୋ ପ୍ରଶ୍ନର ଉତ୍ତର ।

 

ବୃଦ୍ଧ ଧୀରେ ଧୀରେ ଆଗକୁ ଆଗକୁ, କ୍ଳାନ୍ତ ପାଦ ଦୁଇଟା ଓଟାରି ଓଟାରି ଚାଲିଲେ । ବାଲି, ବାଲି ପରେ ପୁଣି ଆଉରି ବାଲି, ଆକାଶ ଆଉ ବାଲି ମିଶି ଯାଇଛି । ବୃଦ୍ଧଙ୍କର ଯାତ୍ରାର ଶେଷ ନାହିଁ ।

 

ପଶ୍ଚିମର ଦିଗ୍‌ବଳୟରେ ଲୋହିତସାଗରର ଉପକୂଳରେ, ଶିନାଇ ପାହାଡ଼ର ସେ ପଟେ ସୂର୍ଯ୍ୟ ଅସ୍ତ ଯିବ ଏଥର !...ଜ୍ୱଳନ୍ତ ଅଗ୍ନିପିଣ୍ଡୁଳା !

 

ପଶ୍ଚିମର ଆକାଶରେ ମେଘ ଆଉ ମେଘ ଭିତରେ ଲାଗି ଯାଇଛି ରକ୍ତାକ୍ତ ଯୁଦ୍ଧ । ରକ୍ତର ସମୁଦ୍ରରେ ପଶ୍ଚିମର ଆକାଶ ଉବେଇ ଟୁବେଇ ହେଉଛି । ଆକାଶର ରକ୍ତ ପଟ୍ଟଭୂମି ଉପରେ ଦିଶିଲାଣି ଧୂସର, ଗମ୍ଭୀର ଓ ବିରାଟ ଶିନାଇ ! ବୃଦ୍ଧ ପଛକୁ ଥରେ ଚାହିଁ ଗୋଟିଏ ଦୀର୍ଘ ନିଃଶ୍ୱାସ ଛାଡ଼ିଲେ । ତା’ପରେ ହାତର ଠେଙ୍ଗାରେ ଭରା ଦେଇ ଧୀରେ ଧୀରେ ଉଠିଲେ ପାହାଡ଼ ଉପରକୁ । ଶିନାଇର ଶୀର୍ଷତମ ଏକ ଶୃଙ୍ଗରେ ଗୋଟିଏ ଗୁମ୍ଫା, ବୃଦ୍ଧଙ୍କର ଆବାସ ।

 

* ଗଳ୍ପଟି ହୀବ୍ରମାନଙ୍କ ଜାତୀୟ ଇତିହାସର ଗୋଟିଏ ଅଧ୍ୟାୟ ।

 

ଦୁଇ

 

ରାତି ସେତେବେଳକୁ ପାହାନ୍ତା ପାହାନ୍ତା ହେଉଛି.....ବୃଦ୍ଧଙ୍କ ଆଖିରେ ନିଦ ନାହିଁ । ମେଣ୍ଢାଚର୍ବିର ଗୋଟିଏ ମହମବତୀ ଜଳୁଛି ଗୁମ୍ଫାର ଗୋଟିଏ କୋଣରେ । ତାରି ସ୍ୱଳ୍ପାଲୋକରେ ବୃଦ୍ଧ ଖଣ୍ଡେ ପଥର ଉପରେ ମୁନିଆଁ ଲୁହା ଖଣ୍ଡକରେ ସୁମେରୀୟ ହରଫରେ ଲେଖି ଚାଲିଛନ୍ତି, ଅଭିଶପ୍ତ ଏକ ଯାଜାବର ଜାତିର ଇତିହାସ । ବେଳେବେଳେ ଶେତା ଆଖି ଦୁଇଟା ତାଙ୍କର ରଡ଼ନିଆଁ ପରି ଦପ ଦପ ହୋଇ ଉଠୁଛି । ଆଉ କେତେବେଳେ ବା ମହମବତୀର ତରଳ ଚର୍ବି ପରି ଦୁଇଧାର ଲୁହ ବୋହି ଆସୁଛି ବୃଦ୍ଧଙ୍କର ଶେତା ଦୁଇଗାଲ ଉପରେ । ଦମକାଏ ଶିଶିରଭିଜା ପବନ ପଶି ଆସିଲା ଗୁମ୍ଫା ଭିତରକୁ । ମହମବତୀର ଶିଖା ପବନରେ ଥରି ଥରି ଉଠିଲା । ଗୁମ୍ଫାଯାକ ନାଚିଗଲା କଳା କଳା ଲମ୍ୱା ଛାଇ । ବୃଦ୍ଧ ହାତର ଲୁହାଖଣ୍ଡକ ତଳେ ରଖିଦେଇ ଚାହିଁ ରହିଲେ ନୃତ୍ୟନ୍ତ ଆଲୋକଶିଖା ଆଡ଼େ । ଦୃଷ୍ଟି ଧ୍ୟାନଗମ୍ଭୀର ।

 

ଉର୍‌ ପାର୍ବତ୍ୟ ଅଞ୍ଚଳ......ଇଉଫ୍ରେଟିସ୍‌ ବହି ଆସିଛି ସେଇଠୁ, ବାବିଲନ୍‌ର ଶସ୍ୟଶ୍ୟାମଳ, ରୁଦ୍ଧିମନ୍ତ ଉପତ୍ୟକା ଆଡ଼େ । ଲକ୍ଷ ଲକ୍ଷ କ୍ଷୁଧାର୍ତ୍ତ ଯାଜାବରଙ୍କର ଆର୍ତ୍ତ ଚିତ୍କାରରେ ଦିନେ ଉର୍‌ କମ୍ପି ଉଠିଲା । ଖାଦ୍ୟ ନାହିଁ, ଖାଦ୍ୟ ନାହିଁ, ହା–ଅନ୍ନର ବିକଟ କରୁଣ ଚିତ୍କାର । ଯେଉଁଆଡ଼େ ଆଖି ଯାଏ, ସେ ଆଡ଼େ ଖାଲି ପଥର, ପାହାଡ଼, ଢିମା ପାହାଡ଼, ବନ୍ଧୁର ପାହାଡ଼, ଦୁର୍ବାଦଳଟିଏ ସୁଦ୍ଧା ନାହିଁ । ଯାଜାବରମାନଙ୍କରେ ବିଶ୍ୱଗ୍ରାସୀ କ୍ଷୁଧାରେ ସବୁ ନିଃଶେଷ.... ଆଉ ଅବଶେଷ ନାହିଁ । ମାତ୍ର ଲୋଡ଼ା ଖାଦ୍ୟ, ଚାଷ ମାଟି,ଲୋଡ଼ା ସବୁଜ ଫସଲ ।

 

ତା’ ପରଦିନ । ସୂର୍ଯ୍ୟୋଦୟର ବହୁ ପୂର୍ବରୁ, ରାତ୍ରିର ଦୁର୍ଗମ ଅନ୍ଧାର, ଉର୍‌ର ବନ୍ଧୁର ପଥ, ସବୁ ତୁଚ୍ଛ କରି ଲକ୍ଷ ଲକ୍ଷ ଯାଜାବର ଚାଲିଲେ ଦଳ ବାନ୍ଧି, ମାଟିର ଅନ୍ୱେଷଣରେ, ଜୀବନର ସନ୍ଧାନରେ....ବଞ୍ଚିବାର ତୀର୍ଥଯାତ୍ରା !

 

ଏଇ ଦେଖୁଛ....ନାଁ ସହଜରେ ଦେଖାଯିବ ନାହିଁ । କାହିଁ ? ଆଉ କେତେ ଦୂର ? ଦିଶିଲା ? ନାଁ ! କିନ୍ତୁ ଇଉଫ୍ରେଟିସ୍‌ର ଜଳ ସେଠି ଆକାଶ ପରି ସ୍ୱଚ୍ଛ ଆଉ ନିର୍ମଳ ! ଜିହୋବାଙ୍କର ଆଶୀର୍ବାଦ ପରି ମାଟି ସେଠି କୋମଳ ! ଜୀନନୀର ମମତା ପରି ମାଟି ସେଠି ଶ୍ୟାମଳ ! ବାବିଲନ୍‌.... ଯାତ୍ରାଶେଷରେ ପରମ ତୀର୍ଥ !

 

ସୂର୍ଯ୍ୟ ଉଠିଲା, ସୂର୍ଯ୍ୟ ବୁଡ଼ିଲା, ରାତି ଆସିଲା, ସକାଳ ହେଲା, କେତେ ଉଦୟ, କେତେ ଅସ୍ତ, କେତେ ରାତି, କେତେ ସକାଳ....ସେ ଯାତ୍ରାର ଶେଷ ନାହିଁ ।

 

ଜୀବନର ପରମ ତୀର୍ଥଯାତ୍ରା ।

 

ନାଁ–ନାଁ–ପଚକୁ ଫେରି ଚାହିଁ ନାହିଁ, ଯେଉଁମାନେ ପଡ଼ିଗଲେ ପଡ଼ିଯାନ୍ତୁ । ଯେଉଁମାନେ ରହିଗଲେ ରହିଯାନ୍ତୁ । ଦଳି, ମାଡ଼ି ଯାଅ ସେମାନଙ୍କ ଉପରେ । କିନ୍ତୁ ଆଗେଇ ଚାଲ.....ତୀର୍ଥ ବହୁଦୂର.....ଓଃ ବହୁଦୂର ! ଗୋଟିଏ ଆଖିରେ କ୍ଷୁଧା, କାମନା ଅଗ୍ନି....ଆଉ ଗୋଟିଏ ଆଖିରେ ସ୍ୱପ୍ନ, କଳ୍ପନା ଓ ଶାନ୍ତି ! ବାବିଲନ୍‌....କାହିଁ ବାବିଲନ୍‌ ?

 

ଏଇ ଦିଶେ ବାବିଲନ୍‍ । କାହିଁ ବାବିଲନ୍‌ ? କେଉଁଠି ? ଦିଶିଲାଣି । ଏଇ ଦିଶେ ସୁମେରୀୟମାନଙ୍କର ଧ୍ୱଂସାବଶେଷ, ବାବେଲ୍‌ର ଚୂଡ଼ା ! କାହାନ୍ତି ସୁମେରୀୟମାନେ ! କାହିଁ ସେମାନଙ୍କର ସେ ଆକାଶ ଚୁମ୍ୱୀ ଦର୍ପ, ନିଶାଣ ଯାହାର ବାବେଲ୍‌ ମିନାର ? ପଚାର ଆକ୍‌କାଡ଼ିୟାନମାନଙ୍କୁ । ଆକ୍‌କାଡ଼ିଆନ୍‌ର କ୍ଷୁଧାରେ ଧ୍ୱଂସ ହୋଇଗଲା ସୁମେରୀୟର ଦର୍ପ । ସୁମେରୀୟର ସଭ୍ୟତା ! କିନ୍ତୁ କାହାନ୍ତି ବା ଆକ୍‌କାଡ଼ିୟାନମାନେ ? ପଚାର ଅମୋରୀତମାନଙ୍କୁ ! ଆମୋରୀତମାନଙ୍କର କ୍ଷୁଧାରେ ପୁଣି ଆକ୍‌କାଡ଼ିଆନ୍‌ମାନଙ୍କର ସବୁ ଦର୍ପ, ସବୁ ବଳ, ସବୁ ଦମ୍ଭ, ସବୁ ଶକ୍ତି, କୁଆଡ଼େ ଧୂଳି ହୋଇଗଲା ! ସେଇ ଆମୋରୀତମାନଙ୍କର ରାଜା ହାମୁରବାଇର, ଏଇ ଦେଖ ପ୍ରାସାଦର ଚୂଡ଼ା ! ଆମୋରୀତମାନେ ଯିବେ ପୁଣି ହିତାଇତମାନଙ୍କର କ୍ଷୁଧାରେ ।

 

କ୍ଷୁଧା ଚିରନ୍ତନ, କ୍ଷୁଧା ସତ୍ୟ, କ୍ଷୁଧା ବିଶ୍ୱଗ୍ରାସୀ ।

 

ଲକ୍ଷ ଲକ୍ଷ ଯାଜାବରଙ୍କର କ୍ଷୁଧା କ୍ରୂଦ୍ଧ ଗର୍ଜନ କରି ଉଠିଲା ।

 

ଏଇ ଦେଖ ସୁନେଲୀ ଗହମ କ୍ଷେତ, ଏଇ ଦେଖ ସବୁଜ ଦ୍ରାକ୍ଷାକୁଞ୍ଜ, ଏଇ ଦେଖ ସୁନୀଳ ଇଉଫ୍ରେଟିସ୍‌ ।

 

କିନ୍ତୁ ବାବିଲନ୍‌ର ସୀମା ମାଡ଼ୁଣୁ ନ ମାଡ଼ୁଣୁ ବାବିଲନର ସୈନ୍ୟବାହିନୀ ଆରମ୍ଭ କରିଦେଲେ ପ୍ରଚଣ୍ଡ ଆକ୍ରମଣ । ବାବିଲନ୍‌ ଅତୀତର ଅନୁଭୂତିରୁ ଶିଖିଛି, ଇଉଫ୍ରେଟିସ୍‌ର ଶସ୍ୟଶ୍ୟାମଳ ଉପତ୍ୟକା ଶିଖିଛି, କ୍ଷୁଧା ବଡ଼ ଭୟଙ୍କର, କ୍ଷୁଧା ବିଶ୍ୱଗ୍ରାସୀ । ତିଳେ ତିଳେ ହତ୍ୟା କର, ପାର ଯଦି ସେ ବିଷମ ଭୟଙ୍କର କ୍ଷୁଧାକୁ ।

 

ପଛକୁ ଫେରିବାର ବାଟ ନାହିଁ–ସେଠି କ୍ଷୁଧା, ଅନଶନ ଓ ମୃତ୍ୟୁ । ଆଗକୁ ଯିବାର ଶକ୍ତି ନାହିଁ–ଖାଲି ବାଲି, ଆଉ ସୀମହୀନ, ଶେଷହୀନ ପଥ ।

 

କୁଆଡ଼େ ଏଥର । ହାୟ ଜିହୋବା, ହାୟ ହୀବୁ, ହାୟ ଅଭିଶପ୍ତ । ତା’ପରେ ଇଜିପ୍ଟ...ସେଠି କୁଆଡ଼େ ନୀଳ ନଦୀ ଅତି ସୁନ୍ଦର, ଅତି ଗଭୀର ଓ ଅତି ମଧୁର । ସେଠି କୁଆଡ଼େ ଛାୟାସ୍ନିଗ୍ଧ ଖଜୁରୀକୁଞ୍ଜ....ସେଠି କୁଆଡ଼େ ଉଦାର, ସୁନ୍ଦର ଜୀବନ ।

 

ଯାତ୍ରାର ଶେଷ ହେଲା ଇଜିପ୍ଟରେ । ଇଜିପ୍ଟ ଆଶ୍ରୟ ଦେଲା ଅବଶ୍ୟ । ଇଜିପ୍ଟ ପ୍ରତିବାଦ କଲା ନାହିଁ । କାରଣ ଇଜିପ୍ଟର ଲୋଡ଼ା ଥିଲା ଲକ୍ଷ ଲକ୍ଷ କ୍ରୀତଦାସ, ଫାରାଓମାନଙ୍କର ପୀରାମିଡ଼୍‌ ଗଢ଼ିବା ପାଇଁ । ନୀଳନଦୀର ଉତ୍ତରକୁ ଦୁର୍ଗମ ପର୍ବତମାଳାରୁ ପଥର ଭାଙ୍ଗି ବୋହି ଆଣିବା ପାଇଁ ।

 

ମହମବତୀ ନିଭିଗଲା । ଗୁମ୍ଫା ଦୁଆରେ ଦେଖାଯାଏ ପାଂଶୁଳ ପ୍ରଭାତ, ବୃଦ୍ଧଙ୍କର ଭାବନାର ଅନ୍ତ ନାହିଁ । ଦୁଆରେ କାହାର ପାଦଶବ୍ଦ ଶୁଭିଲା । ବୃଦ୍ଧ ପଚାରିଲେ.... କିଏ ସୋଲୋମନ୍‌ ?

 

ବାହାରୁ ଶୁଭିଲା.......ହଁ, ଆମେ ଆସିଛୁ ।

 

ଆଉ କିଏ ?

 

ଇସିସ୍‌ !

 

ଦୁଇଜଣ ମେଷଚର୍ମାବୃତ ହୀବ୍ରୁ ଗୁମ୍ଫା ଭିତରକୁ ପଶି ଆସିଲେ ।

 

‘‘ମୁଁ ତୁମମାନଙ୍କୁ ଏତେ ଅସମୟ ଧରି ଅପେକ୍ଷା କରୁଥିଲି’’–ବୃଦ୍ଧ କହିଲେ ।

 

ତା’ପରେ କେଇଟି ମୁହୂର୍ତ୍ତଧରି ସମସ୍ତେ ନୀରବ ରହିଲେ । କେହି ଯେପରି କ’ଣ କହିବେ ଠିକ୍‌ କରି ପାରୁ ନ ଥାନ୍ତି । ଗୁମ୍ଫା ବାହାରେ ପାଂଶୁଳ ଆକାଶ କ୍ରମେ ରକ୍ତାଭ ହୋଇ ଆସୁଛି-

 

ବୃଦ୍ଧ ପଚାରିଲେ......ତା’ପରେ.....ତମେମାନେ ସବୁ ପ୍ରସ୍ତୁତ ତ ? ମୁଁ କିନ୍ତୁ ଜିହୋବାଙ୍କର ଆଦେଶ ପାଇଛି, ଏଇଥର ଆରମ୍ଭ କରିବାକୁ ହେବ ଆମର ଶେଷ ସଂଗ୍ରାମ । ଏଥର ପାଲେଷ୍ଟାଇନ୍‌ । ଜିହୋବା କହିଛନ୍ତି, ପାଲେଷ୍ଟାଇନ୍‌ ତମର ଜନ୍ମଭୂମି, ତୀର୍ଥ । ସେଠି ନରମ ମାଟି, ସେଠି ସବୁଜ ଫସଲ, ସେଠି ମୁକ୍ତି, ସେଠି ନୂତନ ଜୀବନ ।

 

ସୋଲୋମାନ୍‍ କହିଲେ....କିନ୍ତୁ ଫାରାଓମାନଙ୍କର ସୈନ୍ୟମାନେ ଯେ ବାଟ ଓଗାଳି ବସିଛନ୍ତି । ଆମେ ଚାଲିଗଲେ ସେମାନଙ୍କର ପଥର ବୋହିବ କିଏ ?

 

ବୃଦ୍ଧଙ୍କର କଣ୍ଠରେ ଝଡ଼ ଯେପରି ଗର୍ଜନ କରି ଉଠିଲା । ଜୀବନର ଉଦ୍ଦେଶ୍ୟ ଦାସତ୍ୱ ନୁହେଁ ସୋଲୋମନ୍‌ । ବଞ୍ଚିବାଠାରୁ ମୁକ୍ତି ବଡ଼ । ମୁଁ ସେହି ମୁକ୍ତିର ଡାକ ଶୁଣିଛି ।

 

ଇସିସ୍‌ କହିଲା....ବେଶ୍‌ ଆଦେଶ ଦିଅନ୍ତୁ ତାହେଲେ, କେବେ ଆରମ୍ଭ ହେବ ମୁକ୍ତିର ଏ ଅଭିଯାନ । ଯଦି ପ୍ରୟୋଜନ ପଡ଼େ ଆମେ ପ୍ରସ୍ତୁତ ଅଛୁ ଯୁଦ୍ଧ କରିବା ପାଇଁ ଫାରାଓର ସୈନ୍ୟମାନଙ୍କ ସଙ୍ଗରେ ।

 

ବୃଦ୍ଧ କହିଲେ......ଆଜି, କାଲି, ପରଦିନ, ଯେଉଁଦିନ ତମେମାନେ ସମସ୍ତେ ପ୍ରସ୍ତୁତ ହୋଇ ପାରିବ । ମୁଁ ପ୍ରସ୍ତୁତ ହୋଇ ବସିଛି ।

 

ସୋଲୋମନ୍‌ କହିଲେ... କାଲି ।

 

ଇସିସ୍‌ କହିଲେ.... ବେଶ୍‌ କାଲି ।

 

ପାଲେଷ୍ଟିନରେ କାନାଇଟ୍‌ମାନେ ଶୁଣିଲେ ପଶ୍ଚିମ ଆଡ଼ୁ ମାଡ଼ି ଆସୁଛନ୍ତି ଲକ୍ଷ ଲକ୍ଷ କ୍ଷୁଧାର୍ତ୍ତ ଯାଜାବର, ଫାରାଓମାନଙ୍କର କ୍ରୀତଦାସ, ମୁକ୍ତିର ସନ୍ଧାନରେ, ମାଟିର ସନ୍ଧାନରେ, ଖାଦ୍ୟର ସନ୍ଧାନରେ । ପାଲେଷ୍ଟିନ ଦଖଲ କରିବେ ସେମାନେ....ପାଲେଷ୍ଟିନ ସେମାନଙ୍କର ଜନ୍ମଭୂମି–ତୀର୍ଥଭୂମି ।

 

ଈଗଲ ପରି ମାଡ଼ି ଆସିଲେ ହିଂସ୍ର କାନାନାଇଟ୍‌ ସୈନ୍ୟବାହିନୀ । ରଣଭେରୀରେ ସେମାନଙ୍କର ପାଲେଷ୍ଟିନ୍‌ର ନିର୍ଜନ ଉପତ୍ୟକା ଥରି ଉଠିଲା ।

 

ମୋସେସ୍‌ କିନ୍ତୁ ନିଃଶଙ୍କ–ଭୟହୀନ । ବୃଦ୍ଧ ହାତରେ ଠେଙ୍ଗା ଖଣ୍ଡକରେ ଭାର ଦେଇ ଆତଙ୍କିତ ଯାଜାବରମାନଙ୍କ ଆଡ଼କୁ ଚାହିଁ କହିଲେ....ମୁକ୍ତିର ମୂଲ୍ୟ ଏଇଥର ଦେବାପାଇଁ ପଡ଼ିବ । ଏଇ ଦେଖ ପାଲେଷ୍ଟିନର ପର୍ବତମାଳା । ଏଇ ଯେ ଦେଖାଯାଏ ଧୂସର ଦିଗ୍‌ବଳୟ ଭେଦି ସେଇ ପାଲେଷ୍ଟାଇନ୍‌ । ଆମର ତୀର୍ଥ ସେଇଠି–ଆମର ମୁକ୍ତି ସେଇଠି, ଆମ ଯାତ୍ରାର ଶେଷ ! କିନ୍ତୁ ପୁଣି ଏଣେ ଚାହିଁ ଦେଖ, ମାଡ଼ି ଆସୁଛନ୍ତି ହିଂସ୍ର କାନାନାଇଟ ସୈନ୍ୟବାହିନୀ, ଆଦାୟ କରିବା ପାଇଁ ଆମର ମୁକ୍ତିର ମୂଲ୍ୟ । ମନେରଖ, ଜିହୋବାଙ୍କର ଏ ପୃଥିବୀରେ ପ୍ରତ୍ୟେକର ଅଛି ବଞ୍ଚିବା ପାଇଁ ଜନ୍ମଗତ ଅଧିକାର, ଆମର ମଧ୍ୟ ଅଛି !

 

ଲକ୍ଷ ଲକ୍ଷ କଣ୍ଠ ଗର୍ଜନ କରି ଉଠିଲା....ମୁକ୍ତିର ସେ ମୂଲ୍ୟ ହେଉପଛେ ଯେତେ ଦୁର୍ମୂଲ୍ୟ, ଆମେ ପ୍ରସ୍ତୁତ ଅଛୁ ସେଥିପାଇଁ ! ଆମର ଲୋଡ଼ା ମାଟି, ଆମର ଲୋଡ଼ା ଖାଦ୍ୟ, ଆମର ଲୋଡ଼ା ବନ୍ଧନମୁକ୍ତ ଜୀବନ !

 

ଲକ୍ଷଲକ୍ଷ ମାଂସପେଶୀ ଉତ୍ତେଜନାରେ ନାଚି ଉଠିଲା । ବୃଦ୍ଧ ମୋସେସ୍‌ କ୍ଳାନ୍ତ ହୋଇ ତଳର ବାଲି ଉପରେ ବସି ପଡ଼ିଲେ ।

 

ତା’ପରେ କାନାନାଇଟ୍‌ ଆଉ ହୀବ୍ରୁମାନଙ୍କ ମଧ୍ୟରେ ଲାଗିଗଲା ରକ୍ତାକ୍ତ ଯୁଦ୍ଧ । ଅତି ଭୀଷଣ ସେ ଯୁଦ୍ଧ ! କିନ୍ତୁ ବନ୍ୟାସ୍ରୋତରେ ବାଲିବନ୍ଧ ପରି କାନାନାଇଟ୍‌ ସୈନ୍ୟବାହିନୀ ଭାସିଗଲେ କୁଆଡ଼େ ।

 

ବୃଦ୍ଧ ମୋସେସ୍‌ ପୁଣିଥରେ ଠିଆ ହୋଇ, ବିଜୟୀ ହୀବ୍ରୁମାନଙ୍କୁ ସମ୍ୱୋଧନ କରି କହିଲେ...କାନ୍ଦ ନାହିଁ, ଆଖିରୁ ଲୁହ ବୁହାଇ, ମୁକ୍ତିର ଏ ପରମ ମୁହୂର୍ତ୍ତଟିକୁ କଳଙ୍କିତ କର ନାହିଁ । ଯେଉଁମାନେ ପଡ଼ି ରହିଲେ ଏଇଠି, ସେମାନେ ଦେଇଛନ୍ତି ଆମ ମୁକ୍ତିର ମୂଲ୍ୟ । ସେମାନଙ୍କ ଉଦ୍ଦେଶ୍ୟରେ ନମସ୍କାର କର । ଯେଉଁମାନଙ୍କର ରକ୍ତ ଶୀତଳ କଲା ମୁକ୍ତିର ଏ ଦୁର୍ଗମ ମରୁପଥ, ଶହୀଦ୍‌ ସେମାନେ । ସେମାନଙ୍କ ଉଦ୍ଦେଶ୍ୟରେ ନତଜାନୁ ହୁଅ । ଯେଉଁମାନଙ୍କର ହାଡ଼, ମାଂସ, ସମତଳ କରିଦେଲା ଏ ବନ୍ଧୁର ଯାତ୍ରା ପଥ, ଜିହୋବାଙ୍କର ପ୍ରିୟ ସନ୍ତାନ ସେମାନେ ! ସେମାନଙ୍କ ଆତ୍ମାର ସଦ୍‌ଗତି ହେଉ ।

 

ତା’ପରେ ପୁଣି ଆଗେଇ ଚାଲିଲେ, ମୁକ୍ତିପାଗଳ, ବିଜୟୀ ହୀବ୍ରୁ ଯାଜାବରଦଳ ! ଏଇ ଦିଶିଲାଣି ପାଲେଷ୍ଟିନର ଧୂସର ପର୍ବତମାଳା !

 

ମୋସେସ୍‌ ବସି ପଡ଼ିଲେ । ଆଗକୁ ଯିବାପାଇଁ ପାଦରେ ଆଉ ଶକ୍ତି ନାହିଁ । ଜୀବନୀ ଶକ୍ତିର ସଞ୍ଚୟ ହୁଏ ତ ଶେଷ ହେଲା ଏଥର !

 

ମୋସେସ୍‌ ତଳର ବାଲି ଉପରେ ଲୋଟି ପଡ଼ିଲେ । କ୍ଳାନ୍ତ ଦୁଇ ଆଖିରେ ତାଙ୍କର ଅଦେଖା ଆସନ୍ତା କାଲିର ସ୍ୱପ୍ନ !

 

ନା–ନା–ତମେମାନେ ଆଗେଇ ଯାଅ, ଆଗେଇ ଯାଅ, ମାଡ଼ି ଦଳି ଚାଲିଯାଅ, ତମର ପାଦ ତଳେ ଚୂର୍ଣ୍ଣ କରି ଦେଇଯାଅ ମୋତେ ! କିନ୍ତୁ ମହତ୍‌ ହୁଅ, ସୁନ୍ଦର ହୁଅ, ହୁଅ ଉଦାର, ହୁଅ ମୁକ୍ତ ! ଓଃ ଜିହୋବା, ବଡ଼ କ୍ଳାନ୍ତ ମୁଁ, ମୋତେ ଛୁଟି ମିଳୁ ଏଥର !

 

ବୃଦ୍ଧଙ୍କର ଦୁଇ ଆଖି ଶେଷ ନିଦ୍ରାରେ ମୁଦି ହୋଇ ଆସିଲା ।

 

ପାଲେଷ୍ଟାଇନ୍‌ ଆଉ ଅଳ୍ପ ଦୂର !

 

ଏଇ ଦେଖାଯାଏ ।

 

ଯାଯାବର ଓ ଜାୟା

 

‘‘ସ ଘା ବାରୋ ନ ରିଷ୍ୟତି ଯଂମିଦ୍ରୋ ବ୍ରାହ୍ମଣସ୍ପତିଃ ସୋମୋ ହିନୋତି ମର୍ତ୍ତ୍ୟଂ

ତ୍ୱଂ ତ୍ୱ ବ୍ରହ୍ମସ୍ପତେ ସୋମ ଇନ୍ଦ୍ରଶ୍ଚ ମର୍ତ୍ତଂ !’’

 

–ଜରତ୍‌ କାରୁ । ଜରତ୍‌କାରୁ ।

 

ଯାଯାବରମାନଙ୍କର କଣ୍ଠ ଆବେଦନରେ ନମ୍ର ଓ କଣ୍ଠିତ, ଅଥଚ ଦୃଢ଼ । ମାତ୍ର ଜରତ୍‌କାରୁଙ୍କର ସେଥିପ୍ରତି ଦୃଷ୍ଟି ନାହିଁ । ଧ୍ୟନମଗ୍ନ, ନିଶ୍ଚଳ, ନିରୁଦବିଗ୍ନ ଜରତକାରୁ ଇନ୍ଦ୍ରଙ୍କ ଉଦ୍ଦେଶ୍ୟରେ ସୋମ ସଂସ୍କାର କରୁଛନ୍ତି....ଯେଉଁ ମନୁଷ୍ୟକୁ ଇନ୍ଦ୍ର, ବ୍ରହ୍ମଣସ୍ପତି ଓ ସୋମ ବର୍ଦ୍ଧନ କରନ୍ତି, ତା’ର ବିନାଶ ନାହିଁ । ସେ ବ୍ରହ୍ମଣସ୍ପତି, ଆପଣ, ସୋମ, ଇନ୍ଦ୍ର ଓ ଦକ୍ଷିଣା ସେହି ମନୁଷ୍ୟକୁ ଧ୍ୱଂସର ରକ୍ଷା କରନ୍ତୁ ।

 

କିନ୍ତୁ ସେ ମନୁଷ୍ୟ କାହିଁ ? ବିପୁଳ ଯାଯାବର ବଂଶ ଯେ ଆଜି ପୃଥିବୀ ପୃଷ୍ଠରୁ ଲୋପ ପାଇବାକୁ ବସିଛି ! କାହାକୁ ରକ୍ଷା କରିବା ପାଇଁ ଯାଯାବର ଜରତ୍‌କାରୁଙ୍କର ଏ ତପସ୍ୟା ?

 

ଯାଯାବରମାନେ ପୁଣି ଡାକିଲେ....ଜରତ୍‌କାରୁ ! ଯାଯାବର ଜରତ୍‌କାରୁ ଏଇ ଦେଖ, ସମୁଦାୟ ଯାଯାବର ବଂଶ ଆଜି ତମର ଦ୍ୱାରସ୍ଥ ! ଜରତ୍‌କାରୁ....

 

ନିମୀଳିତ ଜରତ୍‌କାରୁ ଚକ୍ଷୁନ୍ମୀଳନ କଲେ । ସମ୍ମୁଖରେ ବୟୋଜ୍ୟେଷ୍ଠ, ପିତୃତୁଲ୍ୟ, ପ୍ରବୀଣ ଯାଯାବରମାନେ ଯୁକ୍ତକରରେ ଠିଆ ହୋଇଛନ୍ତି । କିନ୍ତୁ କାହିଁକି ? ପୁଣି ଏ ସମୟରେ ଜରତ୍‌କାରୁ, ଦୁର୍ବଳ କ୍ଷୀଣ କଣ୍ଠରେ ପ୍ରଶ୍ନ କଲେ......ଆପଣମାନେ, ଏ ଅସମୟରେ ଏଠାରେ କାହିଁକି ?

 

ଆଗନ୍ତୁକମାନଙ୍କ ମଧ୍ୟରେ ସର୍ବାପେକ୍ଷା ବୟୋଜ୍ୟେଷ୍ଠ, ବୃଦ୍ଧ ଯାଯାବର, ଅନୁନୟ ମିଶ୍ରିତ କଣ୍ଠରେ କହିଲେ...

 

ବିପୁଳ ଯାଯାବର ବଂଶର ଶେଷ ପ୍ରଦୀପଶିଖା ! ଜାଣତ, ଜରତ୍‌କାରୁ ଆମେ ଯାଯାବର, ବନ୍ଧନ ନାହିଁ, ଆକର୍ଷଣ ନାହିଁ., ପଥହିଁ ଆମର ପୃଥିବୀ । କିନ୍ତୁ ଏବେ ତ ଆମେ ସମସ୍ତେ ଅତି ବୃଦ୍ଧ ହୋଇ ଗଲୁଣି । ଆମ ଭିତରେ ତମେଇ କେବଳ ସର୍ବକନିଷ୍ଠ । ଭାବିପାରୁଛ ଜରତ୍‌କାରୁ, ଏ ବଂଶରେ କେହି ନ ଥିବେ ଆମର ଶ୍ରାଦ୍ଧ ଦେବାପାଇଁ । ପୁତ୍‌ ନରକର ଅଶେଷ ଯନ୍ତ୍ରଣାରୁ ତ୍ରାଣ କରିବା ପାଇଁ ! ଜରତ୍‌କାରୁ, ତୁମେଇ ଆମର ଶେଷ ଆଶ୍ରୟ ।

 

ଜରତ୍‌କାରୁ କହିଲେ....କିନ୍ତୁ କୁହନ୍ତୁ, ପିତୃଗଣ, ମୁଁ ତ ସର୍ବତ୍ୟାଗୀ ସନ୍ନ୍ୟାସୀ । ସାଧନାରେ ଆଜି ତନୁ ମୋର କ୍ଷୀଣ, ଚର୍ମ, ଲୋଳିତ, ଅସ୍ଥି ଜରାଜୀର୍ଣ୍ଣ । ମୋ ଦ୍ୱାରା ବଂଶରକ୍ଷା କିପରି ବା ସମ୍ଭବ ହୋଇ ପାରିବ ?

 

ବୃଦ୍ଧ ଯାଯାବର କହିଲେ.....ବଂଶରକ୍ଷା ପାଇଁ ତୁମକୁ ବିବାହ କରିବାକୁ ପଡ଼ିବ, ଜରତ୍‌କାରୁ ।

 

ଜରତ୍‌କାରୁ ବିଚଳିତ କଣ୍ଠରେ ପ୍ରଶ୍ନ କଲେ....ବିବାହ ?

 

ସମେତ ଯାଯାବର ମଣ୍ଡଳୀ ମିଳିତ କଣ୍ଠରେ କହିଲେ....ହଁ, ବିବାହ, ବଂଶରକ୍ଷା ପାଇଁ ।

 

ଜରତ୍‌କାରୁ କହିଲେ.....ମୋତେ କ୍ଷମା କରନ୍ତୁ ପିତୃଗଣ ! ମୁଁ ଚାହେଁ ମୁକ୍ତି, ଜନ୍ମର ବନ୍ଧନ, ବଂଶର ନାଗପାଶରୁ ମୁକ୍ତି । ଆପଣମାନେ ଏପରି ଆଦେଶ ପ୍ରତ୍ୟାହାର କରିବା ହୁଅନ୍ତୁ ।

 

ଯାଯାବରମାନେ ମିଳିତ କଣ୍ଠରେ ପୁଣି ଅନୁନୟ କଲେ....ଏ ଆମର ଆଦେଶ ନୁହେଁ ଜରତ୍‌କାରୁ, ଅନୁନୟ । ଏ ଅନୁନୟ ତମକୁ ରକ୍ଷା କରିବାକୁ ପାଇଁ ପଡ଼ିବ । ମହାରାଜା ଜନମେଜୟ ପୁଣି ପ୍ରତିଶ୍ରୁତି ଦେଇଛନ୍ତି, ଯାଯାବର ଜରତ୍‌କାରୁଙ୍କ ପୁତ୍ର ହେବ କୁରୁ ରାଜବଂଶର କୁଳଗୁରୁ । ହୃତଗୌରବ, ନିର୍ବାଣୋନ୍ମୁଖ ଯାଯାବର ବଂଶ, ନବଯୌବନରେ ପୁଣି ଜୀବନ୍ତ ହୋଇ ଉଠିବ ।

 

ଜରତ୍‌କାରୁ ଦୀର୍ଘନିଶ୍ୱାସ ପକାଇ କହିଲେ....ତଥାସ୍ତୁ । ମୁଁ ଆପଣମାନଙ୍କ ଆଦେଶ ପାଳନ କରିବି, କିନ୍ତୁ ଗୋଟିଏ ସର୍ତ୍ତରେ । ଏହି ଯଜ୍ଞପୀଠରେ ମୁଁ ତିନିଥର ‘କନ୍ୟାଂ ଦେହି, କନ୍ୟାଂ ଦେହି, କନ୍ୟାଂ ଦେହି’ ବୋଲି ଅଗ୍ନିଦେବଙ୍କୁ ଭିକ୍ଷା ମାଗିବି । ତା’ପରେ ଯଦି କୌଣସି କନ୍ୟା, ଯାଯାବର ଜନନୀ ପାଇଁ ସ୍ୱେଚ୍ଛାରେ ଆବିର୍ଭୂତା ନ ହୁଅନ୍ତି, ତାହେଲେ ମୋତେ ଆପଣମାନେ ଆଉ କନ୍ୟା ସନ୍ଧାନ ପାଇଁ ଯେପରି ବାଧ୍ୟ ନ କରନ୍ତି । ଆହୁରି ମଧ୍ୟ ଗୋଟିଏ ସର୍ତ୍ତ ଅଛି । ଯଦି ସେ କନ୍ୟା ବିବାହ ପରେ କେବେ ମୋର ଇଚ୍ଛାର ପ୍ରତିକୂଳାଚରଣ କରନ୍ତି, ତା’ହେଲେ ସେହିଦିନଠାରୁ ସେହି ମୁହୂର୍ତ୍ତରେ ତାଙ୍କ ସହିତ ମୋର ସବୁ ସମ୍ୱନ୍ଧ ଛିନ୍ନ ହୋଇଯିବ ।

 

ଯାଯାବରମାନେ, ଆନନ୍ଦୋତ୍‌ଫୁଲ୍ଲ କଣ୍ଠରେ ଚିତ୍କାର କରି ଉଠିଲେ....ସାଧୁ ! ସାଧୁ ।

 

ଦୁଇ

 

ନାଗପୁରୀ ରାଜପ୍ରାସାଦର ମନ୍ତ୍ରଣା କକ୍ଷରେ ବିନିଦ୍ର ନାଗରାଜ ବାସୁକୀ ଅସ୍ଥିର ଭାବରେ କେବଳ ଏ ପାଖରୁ ସେପାଖ ପାଦଚାରଣା କରୁଛନ୍ତି । କୋଳାହଳ ମୁଖର ନାଗପୁରୀରେ ଘୋଟି ଯାଇଛି ଯେପରି ମୃତ୍ୟୁର ଅଶୁଭ ଛାୟା ।

 

କୁରୁରାଜ ଜନମେଜୟ ପଣ କରିଛନ୍ତି, ନାଗବଂଶ ନିର୍ବଂଶ କରିବେ ।

 

ନାଗରାଜ ବାସୁକୀ, ଦୀର୍ଘକାଳ ଧରି ମହାମାତ୍ୟ ଓ ସେନାପତିଙ୍କ ସଙ୍ଗେ ମନ୍ତ୍ରଣା କରି ସୁଦ୍ଧା କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରି ନାହାନ୍ତି । କୁରୁରାଜଙ୍କ ସଙ୍ଗେ ଯୁଦ୍ଧ ଅସମ୍ଭବ । ଅଥଚ ଆତ୍ମ ସମର୍ପଣ କଲେ ମଧ୍ୟ ମୁକ୍ତି ନାହିଁ । .....ନାଗପୁରୀରେ ବ୍ୟାପି ଯାଉଛି ହା–ହା–କାର । କିନ୍ତୁ ଉପାୟ । ଗୋଟିଏ ଉପାୟ ଅଛି । ଯାଯାବର ଜରତ୍‌କାରୁର ପୁତ୍ର ହେବ, ଜନମେଜୟଙ୍କର ଧର୍ମଗୁରୁ । ଯଦି–

 

ନାଗରାଜ, ଦୁଇ ହାତରେ କପାଳ ଚିପି ଧରି, ଖଣ୍ଡେ ଆସନ ଉପରେ ବସି ପଡ଼ିଲେ । ନାଗରାଜକନ୍ୟା କାରୁଣୀ ଯଦି ଜରତ୍‌କାରୁ ସନ୍ତାନର ଜନନୀ ହୁଅନ୍ତି, ତା’ହେଲେ କେଜାଣି କାହିଁକି, ନିଶ୍ଚୟ, ନାଗବଂଶ ଏ ଧ୍ୱଂସମୁଖରୁ ରକ୍ଷା ପାଇ ପାରନ୍ତେ । ଧର୍ମଗୁରୁର ମାତୁଳବଂଶ ଧ୍ୱଂସ କରିବା ପାଇଁ ଜନମେଜୟଙ୍କର ହୁଏତ ସାହସ ହୋଇ ନପାରେ ।

 

କିନ୍ତୁ ସେ କି ସମ୍ଭବ ? ଜରାଜୀର୍ଣ୍ଣ ବୃଦ୍ଧ ଜରତ୍‌କାରୁ ସହିତ ନାଗରାଜଜେମା ଷୋଡ଼ଶୀ କାରୁଣୀର ବିବାହ ?

 

ପ୍ରବାଳ–ପ୍ରାସାଦର ବାହାରେ ସୂର୍ଯ୍ୟୋଦୟ ହେଉଛି, ତରଙ୍ଗାକୁଳ ଜଳଧି କୋଳରେ । ମନ୍ତ୍ରଣାକକ୍ଷର ପ୍ରଦୀପ ଗୁଡ଼ିକ ପ୍ରଭାତ ସମୀରଣର ସ୍ପର୍ଶରେ ଗୋଟି ଗୋଟି ହୋଇ କେତେବେଳେ ନିଭିଗଲାଣି । ହଠାତ୍‌ କାହାର ନୂପୁର–ନିକ୍ୱଣରେ ମୂର୍ଚ୍ଛିତ ମନ୍ତ୍ରଣାକକ୍ଷ ଛନ୍ଦିତ ହୋଇ ଉଠିଲା । ବାସୁକୀ ବିସ୍ମୟରେ ଚାହିଁ ଦେଖିଲେ ସମ୍ମୁଖରେ ଆଲୁଳାୟିତକୁନ୍ତଳା, ସୁତ୍‌ପୋତ୍‌ଥିତା କାରୁଣୀ । କାରୁଣୀ କହିଲେ.......ଯାଯାବର ଜରତ୍‌କାରୁର ସିଦ୍ଧାନ୍ତ ଶୁଣିଛନ୍ତି ମହାରାଜ ?

 

ବାସୁକୀ ଚମକି ପଡ଼ିଲେ । ତା’ପରେ ନିଜକୁ ସଂଯତ କରି ଉତ୍ତର ଦେଲେ.......ଶୁଣିଛି ମା !

 

କାରୁଣୀ କହିଲେ–ନାଗବଂଶକୁ ରକ୍ଷା କରିବାର ସେହିତ ଏକମାତ୍ର ଉପାୟ ମହାରାଜ ! ମୁଁ ହେବି ଜରତ୍‌କାରୁ ସନ୍ତାନର ଜନନୀ ।

 

ବାସୁକୀଙ୍କ ଭିତରେ ଅଶ୍ରୁ ଓ ଆନନ୍ଦର ଅପୂର୍ବ ଦ୍ୱନ୍ଦ୍ୱ । ବାସୁକୀ ଏ ପ୍ରସ୍ତାବ ପ୍ରଥମେ ଶୁଣି ଯେପରି ଶୁଣି ପାରିଲେ ନାହିଁ ।

 

କାରୁଣୀ ଉଦ୍‌ବିଗ୍ନ କଣ୍ଠରେ କହିଲେ–ଆଉ ବିଳମ୍ୱ କରିବା ପାଇଁ ସମୟ ନାହିଁ ମହାରାଜ-! ଜରତ୍‌କାରୁ ଆଜି ସୂର୍ଯ୍ୟାସ୍ତ ସମୟରେ ‘କନ୍ୟା ଦେହିଂ’ ବୋଲି ତିନିଥର ଶବ୍ଦ କରିବେ ।

 

ବାସୁକୀ ଉଦଗତ ଅଶ୍ରୁ କୌଣସିମତେ ଚାପି କହିଲେ.......ଯାଯାବର ଜରତ୍‌କାରୁ ସହିତ ନାଗଜେମା କାରୁଣୀର ବିବାହ । ନା–ନା–କାରୁଣୀ ଭବିତବ୍ୟ ଯେତେ ନିଷ୍ଠୁର, ଯେତେ ନିଷ୍ପ୍ରାଣ ହେଉପଛେ, ଗୋଟିଏ ବାଳିକାର ସ୍ୱପ୍ନମଧୁର ଜୀବନ ମୁଁ ଏପରି ନିଷ୍ପ୍ରାଣ ଭାବରେ ବଳି ଦେଇ ପାରିବି ନାହିଁ ।

 

କାରୁଣୀ କହିଲେ ମୁଁ ବାଳିକା ନୁହେଁ ମହାରାଜ । ମୁଁ ନାରୀ । ସୃଷ୍ଟି ମୋର ଧର୍ମ, କଲ୍ୟାଣ ମୋର ସାଧନା ।

 

ବାସୁକୀ ନୀରବ ରହିଲେ !

 

ତିନି

 

ସୂର୍ଯ୍ୟାସ୍ତ ପାଇଁ ବିଳମ୍ୱ ନାହିଁ ଆଉ । ଯାଯାବର ଜରତ୍‌କାରୁ ସନ୍ତାନ କାମନାରେ ଅଗ୍ନିକୁଣ୍ଡରେ ସୋମ ଆହୂତି ଦେଇ, ବୈଦିକ ମନ୍ତ୍ର ପାଠ କରୁଛନ୍ତି........

 

‘ଅଗ୍ନିୟା ରୟିମଶ୍ନବତ୍‌ ପୋପମେବ ଦିବେ ଦିବେ ଯଶସଂ ବୀରବତ୍ତମଂ ।’’

 

ସୋମଆହୂତି ଶେଷ ହେବା ପରେ ଜରତ୍‌କାରୁ ନୃତ୍ୟନ୍ତ ଅଗ୍ନିଶିଖା ଆଡ଼େ ଚାହିଁ କୃତାଞ୍ଜଳି ପୁଟରେ କହିଲେ.....

 

‘କନ୍ୟାଂ ଦେହି ।’

 

ଅରଣ୍ୟର ମୂର୍ଚ୍ଛିତ ବନପଥ, ସୁପ୍ତ ଶାଳ ବୀଥିକା ହଠାତ୍‌ ଯେପରି କାହାର ନୂପୁର ନିକ୍ୱଣରେ ଚମକିତ ହୋଇ ଉଠିଲା । ଜରତ୍‌କାରୁ ଶୁଣିଲେ କି ନାହିଁ, କେଜାଣେ ! ପୁଣି ଥରେ କହିଲେ.....‘କନ୍ୟାଂ ଦେହି’ ।

 

ଯାଯାବର ଜରତ୍‌କାରୁଙ୍କର ନିର୍ଜନ ଯଜ୍ଞଦେବୀ ପରିମଳ ବିଧୂର ସମୀରଣରେ ମଦିର ହୋଇ ଉଠିଲା । ଜରତ୍‌କାରୁ ଶେଷଥର ପାଇଁ କହିଲେ....‘କନ୍ୟାଂ ଦେହି ।’

 

ଜରତ୍‌କାରୁ ଚମକି ପଡ଼ିଲେ । ଏ କ’ଣ ଅଗ୍ନିଦେବଙ୍କ ପ୍ରେରିତ କୌଣସି ଦେବ କନ୍ୟା । ମାନବୀଠାରେ କ’ଣ ଏ ଅତୁଳନୀୟ ସୌନ୍ଦର୍ଯ୍ୟ ସମ୍ଭବ !

 

କାରୁଣୀ ଜରତ୍‌କାରୁଙ୍କ ପାଦତଳେ ମୁଣ୍ଡ ଲଗାଇ, ନୀରବରେ ପ୍ରଣାମ କଲେ ।

 

କିଏ ! ଏଇ ବରବର୍ଣ୍ଣିନୀ ପୁଷ୍ପାନ୍ୱିତା ବ୍ରତତୀ ପରି ବ୍ରୀଡ଼ାକୁଣ୍ଠିତା ନାରୀ ! ଜରତ୍‌କାରୁ ପ୍ରଶ୍ନ କଲେ....କିଏ ତମେ ନାରୀ ? ଜରତ୍‌କାରୁ ଠାରେ ତମର କି ପ୍ରୟୋଜନ ?

 

କାରୁଣୀ ଅବିଚଳିତ କଣ୍ଠରେ କହିଲେ....ମୁଁ ନାଗଜେମା, ବାସୁକୀ ନନ୍ଦିନୀ କାରୁଣୀ ।

 

ଯାଯାବର ଜରତ୍‌କାରୁ ବିସ୍ମିତ ବିଚଳିତ କଣ୍ଠରେ କହିଲେ....ନାଗଜେମା କାରୁଣୀ । କିନ୍ତୁ ଜରତ୍‌କାରୁ ଠାରେ ତମର କି ବା ପ୍ରୟୋଜନ ବାଳିକା ?

 

କାରୁଣୀ ଶାନ୍ତି କଣ୍ଠରେ ଉତ୍ତର ଦେଲେ......ମୁଁ ଚାହେଁ ଜରତ୍‌କାରୁ ସନ୍ତାନର ମାତୃତ୍ୱ ।

 

ଜରତ୍‌କାରୁ ଥରେ ଚାହିଁଲେ ନତନେତ୍ରା କାରୁଣୀ ଆଡ଼େ, ଥରେ ଚାହିଁଲେ ପୁଣି ଅଗ୍ନିକୁଣ୍ଡରୁ କ୍ଷୀଣ ଅଗ୍ନିଶିଖା ଆଡ଼େ; ତା’ପରେ କହିଲେ–‘ତଥାସ୍ତୁ ।’

 

ଚାରି

 

ନାଗପୁରୀର ସୀମାନ୍ତରେ କାରୁଣୀ ଓ ଜରତ୍‌କାରୁଙ୍କର ନିଭୃତ ଗୋଟିଏ ପ୍ରବାଳର ପ୍ରାସାଦ । ମହାସାଗରର ଲହରୀ ପରେ ଲହରୀ ଆସି ମଥା ପିଟିଯାଏ...ହେ ନିଷ୍ଠୁର । ହେ ମୌନ-। ଥରେ ଲୁବ୍‌ଧ ହୁଅ, ଥରେ ଚଞ୍ଚଳ ହୁଅ ।

 

କାରୁଣୀର କବରୀରେ ଆଉ ଫୁଟେ ନାହିଁ–ନବ କୁସୁମର ସ୍ତବକ । ଚିକୁରନିକୁରମ୍ୱ ହୋଇଛି ରୁକ୍ଷ ଜଟା ଭର । କମ୍ୱୁ କଣ୍ଠରେ ଆଭରଣ ଗୋଟିଏ ରୁଦ୍ରାକ୍ଷର ମାଳା । ସାଧନାର ଶାନ୍ତ, କରୁଣ ମୂର୍ତ୍ତି ।

 

ଆଉ ଚୀରଧାରୀ, ଜରାଗ୍ରସ୍ତ ଶୀର୍ଣ୍ଣ ଜରତ୍‌କାରୁ । କାରୁଣୀ ଓ ଜରତ୍‌କାରୁ ସ୍ୱାମୀ ଓ ସ୍ତ୍ରୀ-। ମାତ୍ର ଦୁହିଁଙ୍କ ଭିତରେ ଏହି ବିସ୍ତୀର୍ଣ୍ଣ ମହୋଦଧି ପରି ଯୋଜନ ଯୋଜନ, ଲକ୍ଷ୍ୟ ଯୋଜନର ବ୍ୟବଧାନ । ଜରତ୍‌କାରୁଙ୍କର ଲକ୍ଷ୍ୟ, ବଂଶରକ୍ଷା, କାରୁଣୀର ଲକ୍ଷ୍ୟ ସ୍ଥିତି ଓ ଶାନ୍ତି ।

 

ଚିରନ୍ତନ ପୁରୁଷ ଚିରନ୍ତନୀ ନାରୀ । ବାସୁକି ଦିନ ପରେ ଦିନ ଗଣି ଚାଲିଛନ୍ତି, ଉଦ୍‌ବିଗ୍ନ ହୋଇ.... କାରୁଣୀର ସନ୍ତାନ ଧାରଣ ବାର୍ତ୍ତାର ପ୍ରତୀକ୍ଷାରେ ।

 

ଲୁବ୍ଧ ହୁଅ, ପ୍ରମତ୍ତ ହୁଅ, ବିହ୍ୱଳ ହୁଅ ଜରତ୍‌କାରୁ–ନାଗକନ୍ୟା କାରୁଣୀର ଯୌବନ, ମୂର୍ଚ୍ଛିତା ବୀଣା ତାର ପରି, କେବଳ ତମରି ଆଘାତର ଅପେକ୍ଷାରେ । ମାତ୍ର ଧ୍ୟାନମଗ୍ନ ତପୋକ୍ଳିଷ୍ଟ ଜରତ୍‌କାରୁଙ୍କ ନିମିଳିତ ଚକ୍ଷୁ ଫିଟେନା ।

 

ପାଞ୍ଚ

 

ସେ ଦିନ ମଳୟ–ବିହ୍ୱଳ ବସନ୍ତର ଗୋଟିଏ ମଧୁର ସନ୍ଧ୍ୟା । କାରୁଣୀ, ଜରତ୍‌କାରୁଙ୍କର ସନ୍ଧ୍ୟାହ୍ନିକର ସଦ୍‌ଯୋଗ କରିବା ପୂର୍ବରୁ ମହୋଦଧିରେ ସ୍ନାନ କରୁଛନ୍ତି । ଲୁବ୍ଧ ଲହରୀ, ଫେନିଳ ଆଲିଙ୍ଗନରେ ଯେପରି ବାରମ୍ୱାର ଚୁମ୍ୱନ କରି ଯାଉଥିଲା ନାଗକନ୍ୟା କାରୁଣୀର ଯୌବନ–ଉଚ୍ଛଳ ଦେହଶ୍ରୀ । ମୁଗ୍ଧା କାରୁଣୀ ମୁହୂର୍ତ୍ତକ ପାଇଁ ସବୁ ଭୁଲି ଯାଇଥିଲା, ଭୁଲିଯାଇଥିଲା ଅତୀତ, ବର୍ତ୍ତମାନ ଭବିଷ୍ୟତ । ସିକ୍ତ କଷାୟବସନ ତଳେ ଦୁଇ ଉଦ୍ଭିନ୍ନ କମଳକୋରକର ବକ୍ଷୋଜ ଆଡ଼େ ଚାହିଁ, କାରୁଣୀ ନିଜ ପ୍ରତି ନିଜେ ଲୁବ୍ଧା ହୋଇ ଉଠିଥିଲେ । ଆସ ଅଶାନ୍ତ ଲହରୀ, ଆଉରି ଆଉରି, ସୁନିବିଡ଼ ଆଲିଙ୍ଗନରେ ଦଳିତ କର, ମଥିତ କର !

 

ବେଳାଭୂମିରୁ ଶୁଭିଲା ଜରତ୍‌କାରୁଙ୍କର ଶିଥିଳ କଣ୍ଠସ୍ୱର...କାରୁଣୀ, କାରୁଣୀ !

 

ଜରତ୍‌କାରୁଙ୍କର କଣ୍ଠରେ ଆଜି ନୂତନ ଏକ ବିହ୍ୱଳତା । କିନ୍ତୁ କାରୁଣୀର ଆହ୍ୱାନ ପ୍ରତି ଏ ଯେପରି ଏକ ବିଭତ୍ସ ଉପହାସ ! ଫେନଚୂଡ଼ ଲହରୀ ଦୁଇ ବ୍ୟଗ୍ର ବାହୁରେ ଫିଟାଇ ନେଉଥିଲା କାରୁଣୀର କଷାୟ ଅଙ୍ଗବାସ ! କାରୁଣୀ ଶିଥିଳ ଅଙ୍ଗବାସ ସଜାଡ଼ୁ ସଜାଡ଼ୁ ଥରେ ଚାହିଁଲେ, ବେଳାଭୂମିରେ ଚୀରଧାରୀ ଜରତ୍‌କାରୁଙ୍କ ଆଡ଼େ । ମୁହୂର୍ତ୍ତକ ଭିତରେ ମନ ତା’ର ବିଷାକ୍ତ ହୋଇ ଉଠିଲା ।

 

ଯୁଗ ଯୁଗର ତନ୍ଦ୍ରା ପରେ, ଜରତ୍‌କାରୁଙ୍କର ପିତୃତ୍ୱର କାମନା ଆଜି ଏଇ ମଳୟ ବିହ୍ୱଳ ବସନ୍ତ ସନ୍ଧ୍ୟାରେ କାହିଁକି ଯେ ଜାଗ୍ରତ ହୋଇ ଉଠିଲା, କିଏ କହିବ ?

 

ଏହିପରି କାମନା–ବିହ୍ୱଳ କଣ୍ଠର ଅଧୀର ଆହ୍ୱାନ ଶୁଣିବ ପାଇଁ କାରୁଣୀ ବହୁବାର ପ୍ରତୀକ୍ଷା କରିଛି । କିନ୍ତୁ ସବୁଥର ବ୍ୟର୍ଥତାର ଗ୍ଳାନିରେ ସରିଛି ପ୍ରତୀକ୍ଷାର ଅଭିମାନ ।

 

ସେଦିନ ଜ୍ୟୋତ୍ସ୍ନାସିକ୍ତ ଏଇ ବେଳାଭୂମି ।

 

ଜରତ୍‌କାରୁଙ୍କ ପାଖକୁ ଭୁବନମୋହିନୀବେଶରେ ଆସିଥିଲା କାରୁଣୀ, କିନ୍ତୁ ଜରତ୍‌କାରୁ କହିଲେ.... ଜୈତବିନୀ ନାରୀ, ତୁମେ ଭୁଲିଯାଉଛ ମୋର ଗୋଟିଏ ପ୍ରଧାନ ସର୍ତ୍ତ ! ପିତୃ ପୁରୁଷମାନଙ୍କୁ ଗୋଟିଏ ସର୍ତ୍ତରେ ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲି ମୁଁ । ତାହା ହେଉଛି ବିବାହ ପରେ, ଯେବେ ସେ ନାରୀ ମୋ ଇଚ୍ଛାର ପ୍ରତିକୂଳାଚରଣ କରେ, ତା’ ସହିତ ମୋର ବୈବାହିକ ସମ୍ୱନ୍ଧ ସେହିଦିନଠାରୁ ସେହି ମୁହୂର୍ତ୍ତରେ ଛିନ୍ନ ହୋଇଯିବ !’

 

ସିକ୍ତ ବସନା କାରୁଣୀ, ମହୋଦଧି ଆଲିଙ୍ଗନରୁ ନିଜକୁ ମୁକ୍ତ କରି, ଠିଆ ହେଲେ ଆସି ବେଳାଭୂମିରେ ।

 

ଜରତ୍‌କାରୁ କାରୁଣୀର କଟୀଦେଶ, ଶିଥିଳ ଲୋଳିତ ବାହୁପାଶରେ ଆଲିଙ୍ଗନ କରି କହିଲେ...କାରୁଣୀ, ଜରତ୍‌କାରୁର ସଞ୍ଜମର ସମସ୍ତ ଅଭିମାନ, ଆଜି ଭାଙ୍ଗି ଦେଇଛି ଏଇ ବସନ୍ତ ସନ୍ଧ୍ୟା ଓ ଆଉ ତମର ରୂପଶ୍ରୀ ! ଆସ କାରୁଣୀ, ଥରେ ତୁମକୁ ଆଲିଙ୍ଗନ କରେ !

 

କାରୁଣୀ ଯେପରି ବିଷାକ୍ତ ସର୍ପର ଦଂଶନରୁ ଆତ୍ମରକ୍ଷା କରିବା ପାଇଁ କେଇ ପାଦ ପଛେଇ ଆସିଲେ । କାମୋନ୍ମତ୍ତ ଜରତ୍‌କାରୁ କାରୁଣୀକୁ ଆଲିଙ୍ଗନ କରି ପୁଣି ଡାକିଲେ–କାରୁଣୀ !

 

କାରୁଣୀ ଧୀର, ଶାନ୍ତ କଣ୍ଠରେ ଉତ୍ତର ଦେଲେ–ସ୍ୱାମୀ, ସାନ୍ଧ୍ୟାହ୍ନିକର ସମୟ ତେଣେ ଉତ୍ତୀର୍ଣ୍ଣ ପ୍ରାୟ ।

 

ଜରତ୍‌କାରୁ ଆହତ ସର୍ପପରି ଗର୍ଜନ କରି ଉଠିଲେ–ନାରୀ, ଜରତ୍‌କାରୁକୁ ସାନ୍ଧ୍ୟାହ୍ନିକର ସମୟ ଶିକ୍ଷା ଦେବାର ସ୍ପର୍ଦ୍ଧା ଅକ୍ଷମଣୀୟ । ତମେ ଆଜି ମୋର ଇଚ୍ଛାର ପ୍ରତିକୁଳାଚରଣ କରିଛ । ଆଜିଠାରୁ ତମ ସହିତ ମୋର ସମ୍ୱନ୍ଧ ଛିନ୍ନ ହୋଇଗଲା । ତମେ ଫେରିଯାଅ ନାଗପୁରୀର ରାଜ ପ୍ରାସାଦକୁ !

 

କାରୁଣୀ ଆର୍ତ୍ତନାଦ କରି ଉଠିଲେ–ଏ ଅପରାଧ କ୍ଷମାକର ସ୍ୱାମୀ, କ୍ଷମାକର ଜରତ୍‌କାରୁ ।

 

କାରୁଣୀର କୋମଳ ବାହୁପାଶ ଛିନ୍ନକରି, ଆଗକୁ ଆଗକୁ ଚାଲିଲେ ଜରତ୍‌କାରୁ ।

 

କାରୁଣୀ ତାଙ୍କର ପଥରୋଧ କରି, ଦୁଇ ପାଦ ଧରି ଅନୁନୟ କହିଲେ–ମୋର ମାତୃତ୍ୱର କାମନା ବ୍ୟର୍ଥ କର ନାହିଁ, ଜରତ୍‌କାରୁ ।

 

ଫେନଚୂଡ଼ ଲହରୀ ବାରମ୍ୱାର ଚୁମ୍ୱନ କରି ଗଲା ଆସି, ବେଳାଲୁଣ୍ଠିତା କାରୁଣୀର ଆଲୁଳାୟିତ କୁନ୍ତଳ । ଜରତ୍‌କାରୁ କାରୁଣୀର ସେହି ଆଲୁଳାୟିତ କୁନ୍ତଳରାଶି ପାଦରେ ଦଳି ଚାଲିଗଲେ ଆଗକୁ ଆଗକୁ–ସନ୍ଧ୍ୟାର ଅନ୍ଧକାର ଭିତରେ ଅଦୃଶ୍ୟ ହୋଇଗଲେ ।

 

ମହୋଦଧିର ଗର୍ଜ୍ଜନରେ ଫୁଟି ଉଠିଲା ଯେପରି ମରଣୋନ୍ମୁଖ ନାଗବଂଶର ଉତ୍ତରୋଳ ଆର୍ତ୍ତନାଦ । କାରୁଣୀ ପୁଣି ଜରତ୍‌କାରୁଙ୍କର ପଛରେ ଛୁଟି ଯାଇଁ ଚିତ୍କାର କଲା–ଥରେ ଫେରି ଚାହିଁ ଜରତ୍‌କାରୁ, ମୁଁ ମାତା, ଚାହେଁ ସ୍ଥିତି, ଚାହେଁ ଶାନ୍ତି ।

 

କିନ୍ତୁ ସନ୍ଧ୍ୟାର ଅନ୍ଧକାର ଭିତରେ ଜରତ୍‌କାରୁ ସେତେବେଳକୁ ଅଦୃଶ୍ୟ ହୋଇ ଯାଇଥିଲେ ।

 

ନିର୍ଜ୍ଜନ ବେଳାଭୂମିରେ ମହୋଦଧିର ଗର୍ଜନ ବୁଡ଼ାଇ ଦେଲା, କାରୁଣୀର ଆର୍ତ୍ତକ୍ରନ୍ଦନ ।

 

Unknown

ଶ୍ରୀକୃଷ୍ଣଙ୍କ ଶେଷହସ

 

ସେଦିନ ମହାଭାରତ ବିୟୋଗାନ୍ତ ନାଟକର ଶେଷଦୃଶ୍ୟ ଦେଖି ଯିବାପାଇଁ ଯେପରି ଇନ୍ଦ୍ରପ୍ରସ୍ଥର ଗିରିମାଳା ନେପଥ୍ୟରେ ଅସ୍ତାଚଳ ପଥରେ ସର୍ବଦ୍ରଷ୍ଟା ଦିବାକର ଅରୁଣ–ବାହିତ ରଥ ଦଣ୍ଡେ ଅଟକାଇ ଦେଇଥିଲେ ।

 

ମହାଭାରତ–ମହାସମର ପରେ ପରିତ୍ୟକ୍ତ କୁରୁକ୍ଷେତ୍ର, ଧ୍ୱଜ ଓ କଳସୁଶୋଭିତ, ମୁକ୍ତା ଓ ମଣିଝରା–ବିମଣ୍ଡିତ, କୌରବପକ୍ଷର ଅସଂଖ୍ୟ ଭଗ୍ନରଥ, ପୁଣି ତୂଣ, ଧନୁ ଓ ନାରାଚଶୋଭିତ ଏକାଦଶ ଅକ୍ଷୌହିଣୀ ଯୋଦ୍ଧୃବର୍ଗଙ୍କର ଶବରାଶି, ଦ୍ୱାଦଶ ଯୋଜନ ବିସ୍ତାର କରି, ଶୋଣିତ–ପଙ୍କ ମଧ୍ୟରେ ଇତସ୍ତତଃ ବିକ୍ଷିପ୍ତ ହୋଇ ପଡ଼ିଅଛି । ସେହି ମହା–ଶ୍ମଶାନର ଶବସ୍ତୂପ ମଧ୍ୟରେ ରୋରୁଦ୍ୟମାନା, ଅସଂବୃତବସନା, ଅବିନ୍ୟସ୍ତକୁନ୍ତଳା, ଦୁର୍ଯ୍ୟୋଧନ ମହିଷୀ ଭାନୁମତୀ ଓ ଅନ୍ୟ କୌରବ–କୁଳ–ନାରୀମାନେ ନିଜ ନିଜର ପ୍ରିୟ ଓ ସ୍ୱଜନବର୍ଗଙ୍କୁ ଅନ୍ୱେଷଣ କରୁଅଛନ୍ତି । ସେମାନଙ୍କ ମର୍ମାନ୍ତକୁ କ୍ରନ୍ଦନ, ଶ୍ୱାନ ଶିବା ଓ ଶକୁନମାନଙ୍କର ନାରକୀୟ ରଡ଼ିକୁ ସୁଦ୍ଧା ବେଳେବେଳେ ନିମଜ୍ଜିତ କରି ଦେଉଅଛି ।

 

ଶତଶତ ଚିରାଳର ଦୃପ୍ତ ଚପଳତା ମୃତ୍ୟୁର ଅଚଞ୍ଚଳ ଗାମ୍ଭୀର୍ଯ୍ୟ ମଧ୍ୟରେ ପ୍ରଶମିତ ହୋଇଅଛି । ଅଶ୍ୱମାନଙ୍କର ହ୍ରେଷାରବ, କ୍ରୁଦ୍ଧ ଦନ୍ତାବଳମାନଙ୍କର ବୃଂହିତ, ଯୋଦ୍ଧୃବର୍ଗଙ୍କର ପ୍ରମତ୍ତ ଆସ୍ଫାଳନ, ମୃତ୍ୟୁର ଗଦାଘାତରେ ସବୁ ନୀରବ ହୋଇଅଛି । କ୍ରନ୍ଦନ ଓ ଶିବାରଡ଼ି ମୁଖରିତ ସେହି ମହାଶ୍ମଶାନ ଉପରେ ଚକ୍ରାକାରରେ ଉଡ଼ି ବୁଲୁଥିବା, ପର୍ଯ୍ୟୁଷିତ ମାଂସଲୋଭୀ ଅଗଣିତ ଶକୁନଙ୍କର ସଞ୍ଚାଳିତ ପକ୍ଷ, କରାଳ ଛାୟାପରି ବିସ୍ତାରିତ ହୋଇଅଛି ।

 

ଇନ୍ଦ୍ରପ୍ରସ୍ଥରେ ଧୃତରାଷ୍ଟ୍ରଙ୍କ ପ୍ରାସାଦ ନୀରବ ଓ ନିର୍ଜନ । ବେଳେବେଳେ ସଂଜୟ ଓ ବିଦୁରଙ୍କର ଶାନ୍ତ, ଧୀର ପଦଶବ୍ଦ ଧୃତରାଷ୍ଟ୍ରଙ୍କର ମର୍ମଭେଦୀ ଦୀର୍ଘଶ୍ୱାସ ଓ ଗାନ୍ଧାରୀଙ୍କର ଅସ୍ଫୁଟ କ୍ରନ୍ଦନର ଭାରାକ୍ରାନ୍ତ ନୀରବତାକୁ ଆଉରି ଘନୀଭୂତ କରି ଦେଉଅଛି ।

 

ଧୃତରାଷ୍ଟ୍ର ଜନ୍ମାନ୍ଧ । ତେଣୁ କୁରୁକ୍ଷେତ୍ରର ମହାଶ୍ମଶାନରେ, ମହାନିଦ୍ରାର ଧୂଳିଶଯ୍ୟାରେ, ମାନଗୋବିନ୍ଦ ଦୁର୍ଯ୍ୟୋଧନ ସମେତ ଶତପୁତ୍ର, ପୁଣି କର୍ଣ୍ଣ, ଶଲ୍ୟ, ଦ୍ରୋଣ ଓ ଭୂରିଶ୍ରବା ପ୍ରମୁଖ ସଖା ଓ ସୋଦରମାନଙ୍କୁ ଶେଷବାର ଦେଖି ଆସିବା ପାଇଁ ତାଙ୍କର ବ୍ୟାକୁଳତା, ଉତ୍କଣ୍ଠା, ଶୋକ ଓ ଦୀର୍ଘଶ୍ୱାସ କୌରବପ୍ରାସାଦର ଛାୟାଚ୍ଛନ୍ନ ଭିତ୍ତି–ପ୍ରସ୍ତର ଦେହରେ ବାଧା ପାଇ ବାରମ୍ୱାର ନୀରବ ହେଉଅଛି ।

 

ମାତ୍ର ଗାନ୍ଧାରୀ ନିଜର ଦୁଇ ଆକ୍ଷିରୁ ଅନ୍ଧ–ପଟ୍ଟିକାର ଆବରଣ ଫିଙ୍ଗିଦେଇ, ମହାନିଦ୍ରାରେ ଶାୟିତ ଶତପୁତ୍ରଙ୍କୁ, ପ୍ରଥମ ଓ ଶେଷବାର ଥରେ ଦେଖିବା ପାଇଁ ଉତ୍‌କଣ୍ଠିତ ହୋଇ ପଡ଼ିଅଛନ୍ତି; କିନ୍ତୁ ଅନ୍ଧ–ଧୃତରାଷ୍ଟ୍ରଙ୍କ ପାଣିଗ୍ରହଣବେଳ ସତୀତ୍ୱର ପରମ ନିଷ୍ଠାରେ ବ୍ରତଚାରିଣୀ ପରି ଗାନ୍ଧାରୀ ନିଜର ଦୁଇଆକ୍ଷିରେ ଅନ୍ଧପଟ୍ଟିକାର ଯେଉଁ ଆବରଣ ବାନ୍ଧିଥିଲେ, ତାହାର ବନ୍ଧନ ଦଶ୍ଛେଦ୍ୟ ଓ ଗ୍ରନ୍ଥି ଦୁର୍ଭେଦ୍ୟ । ତା’ ନହେଲେ ସତୀଧର୍ମର ସବୁ ଅହଙ୍କାର ଭୁଲି, ଆଜି ସେହି ଅନ୍ଧପଟ୍ଟିକାକୁ ଏକ ତୁଚ୍ଛ ପ୍ରତିବନ୍ଧକ ରୂପେ, ପଥର ଧୂଳିରେ ଫିଙ୍ଗି ଦେବାପାଇଁ ସେ ତିଳେହେଲେ କୁଣ୍ଠିତା ନୁହନ୍ତି ।

 

ଦୁର୍ଯ୍ୟୋଧନ, ଦୁଃଶାସନ, ଦୁର୍ଜୟ, ଦୂରନ୍ତ, ଦୁର୍ଗମ, ଦୁର୍ଭର, ଦୁର୍ବାଲକ ପ୍ରମୁଖ ଶତପୁତ୍ରର ଜନନୀ, ମାତୃତ୍ୱ–ଗରବିଣୀ ସୋମବଂଶର ପୂଜନୀୟା ଗାନ୍ଧାରୀ । କର୍ପୂର–ରେଣୁ–ସିଞ୍ଚିତ ତୂଳି–ତଳ୍ପରେ ସୁଦ୍ଧା ଯେଉଁମାନଙ୍କୁ ନିଦ୍ରା ସ୍ପର୍ଶ କରୁ ନ ଥିଲା, ଆଜି ସେମାନେ କୁରୁକ୍ଷେତ୍ରର ଶୋଣିତ କର୍ଦ୍ଦମରେ ମହାନିଦ୍ରାରେ ଅଚେତନ ।

 

ସେମାନଙ୍କ ଶବରାଶି ଉପରେ ଶ୍ୱାନ, ଶିବା ଓ ଶକୁନମାନଙ୍କର ଅଶ୍ଳୀଳ ଚିତ୍କାର ଦ୍ୱତୀୟ ରୌରବ ସୃଷ୍ଟି କରିଅଛି ।

 

ଗୋଟିଏ ଶକୁନପଲର ବିକଟ ରଡ଼ିରେ ଗାନ୍ଧାରୀ ଆର୍ତ୍ତନାଦ କରି ଉଠିଲେ ।

 

ଆଶ୍ରୟ ପାଇଁ ଶୂନ୍ୟରେ ଶୁଷ୍କ–ଚର୍ମାବୃତ ଦୁଇ ଶିରାଳ ବାହୁ ତୋଳି, ଅନ୍ଧପଟ୍ଟିକାବୃତା ଗାନ୍ଧାରୀ ଅସହାୟ କଣ୍ଠରେ ଚିତ୍କାର କଲେ.....‘‘ବିଦୁର, ସଞ୍ଜୟ !’’

 

ପରିତ୍ୟକ୍ତ କୌରବ–ପ୍ରାସାଦର ପୈଶାଚିକ ନୀରବତା ମଧ୍ୟରେ ଗାନ୍ଧାରୀଙ୍କ ଆକୁଳ ଆହ୍ୱାନ ପ୍ରତିଧ୍ୱନି ଉଠାଇ ପୁଣି ନୀରବ ହୋଇଗଲା ।

 

ନିଷ୍ଫଳ ଅହଙ୍କାର ଓ ଅଭିମାନରେ ଦୁଇ କମ୍ପିତ ବାହୁ ସ୍ପୀତ କରି, ଉର୍ଦ୍ଧ୍ୱକୁ ତୋଳି, ଅନ୍ଧ ଧୃତରାଷ୍ଟ୍ର ବିଦୁରଙ୍କ ସମ୍ମୁଖରେ ଆସ୍ଫାଳନ କରୁଥିଲେ....‘‘ଭୁଲିଯାଅ ନାହିଁ ବିଦୁର, ଆଜି ସୁଦ୍ଧା ଏହି ଦୁଇ ବାହୁରେ କୁରୁକୁଳହନ୍ତା ଭୀମ–ସମେତ ପାଣ୍ଡବ ପଞ୍ଚଭ୍ରାତାଙ୍କୁ ଚୂର୍ଣ୍ଣ ବିଚୂର୍ଣ୍ଣ କରିଦେବାର ଶକ୍ତି ଅକ୍ଷୁଣ୍ଣ ରହିଅଛି !’’

 

ଧୃତରାଷ୍ଟ୍ର କୌରବ–ସିଂହାସନ ଉପରେ ପ୍ରଚଣ୍ଡ ଜିଙ୍ଘାସାରେ ଶସ୍ତ୍ରାହତ ପଶୁପରି ଗର୍ଜନ କରି ଉଠିଲେ । ତାଙ୍କର କୁଞ୍ଚିତ ଓ ରେଖାଙ୍କିତ ମୁଖମଣ୍ଡଳର ଶିଥିଳ ମାଂସପେଶୀମାନେ ଏକ କାଠିନ୍ୟର ନିଷ୍ଠୁର ହୋଇଗଲା । ସୁପ୍ତ ଆଗ୍ନେୟଗିରିର ଅନ୍ଧକାର ବିବର ପରି, ତାଙ୍କର ଦୁଇ ଦୃଷ୍ଟିହୀନ ଅନ୍ଧଚକ୍ଷୁରେ ଅଗ୍ନ୍ୟୁଦ୍‌ଗାର ଯେପରି ଉଲ୍ଲମ୍ଫନ କରି ଉଠିଲା ।

ବିଦୁର ଶାନ୍ତ କଣ୍ଠରେ କହିଲେ...‘‘ମହାରାଜ, ଧୃତରାଷ୍ଟ୍ରମାନେ ଚିରକାଳ ଅନ୍ଧ । ସିଂହାସନର ସ୍ୱର୍ଣ୍ଣଦୀପ୍ତିରେ କାଳେକାଳେ ସେମାନେ ଅନ୍ଧ ହୋଇଛନ୍ତି । ଚକ୍ଷୁଷ୍କତ୍ତା ଏକମାତ୍ର ଦୃଷ୍ଟି ନୁହେଁ ମହାରାଜ । ପାଣ୍ଡବ ପଞ୍ଚଭ୍ରାତାଙ୍କୁ ସମୂଳେ ବିନାଶ କରିବା ପାଇଁ ଜତୁଗୃହଦାହର ଷଡ଼ଯନ୍ତ୍ରବେଳେ, ଭୀମସେନଙ୍କୁ ବିଷମୋଦକ ଖୁଆଇଲାବେଳେ, ବ୍ୟାସ ସରୋବରରେ ଆତ୍ମଗୋପନ କରିଥିବା ଦ୍ରୌପଦୀଙ୍କ ପାଞ୍ଚପୁତ୍ରଙ୍କୁ ମୃଗୟାବିଳାସରେ ହତ୍ୟା କଲାବେଳେ, କୁରୁସଭାତଳେ କୁଳବଧୁ ଦ୍ରୌପଦୀଙ୍କୁ ବିବସନା କଲାବେଳେ, ପୁଣି ସାମାନ୍ୟ ପାଞ୍ଚଖଣ୍ଡି ଗ୍ରାମପାଇଁ ଶ୍ରୀକୃଷ୍ଣଙ୍କ ଦୌତ୍ୟର ଉତ୍ତରରେ, ‘ସୁଚ୍ୟଗ ପରିମିତ ଭୂମି ଦେବୁନାହିଁ’ ବୋଲି ଦୁର୍ଯ୍ୟୋଧନ ଆସ୍ଫାଳନ କଲାବେଳେ, ପୁରୋଦୃଷ୍ଟିରେ ଆପଣ ଯଦି ଏ ପରିଣତି କଳନା କରିଥାନ୍ତେ, ତାହାହେଲେ ଅନୁଶୋଚନାରେ ଆଜି ଏପରି ତିଳେ ତିଳେ ଦଗ୍‌ଧୀଭୂତ ହେଉ ନଥାନ୍ତେ ! କିନ୍ତୁ କେବଳ ଆପଣ ନୁହନ୍ତି, ସବୁ ଧୃତରାଷ୍ଟ୍ର ଆପଣଙ୍କ ପରି ଜନ୍ମାନ୍ଧ !’’

ଧୃତରାଷ୍ଟ୍ର କହିଲେ....‘‘ମାତ୍ର ଭୀଷ୍ମ, କର୍ଣ୍ଣ, ଦ୍ରୋଣପରି ମହାବୀରମାନେ ପାଣ୍ଡବମାନଙ୍କଦ୍ୱାରା ଏପରି ପରାଜିତ ହେବେ, ତାହା ତ ମୁଁ ଆଶଙ୍କା କରି ନଥିଲି ବିଦୁର ।’’

ବିଦୁର କହିଲେ...‘‘ସେଥିପାଇଁ ତ ମୁଁ କହେ, ଧୃତରାଷ୍ଟ୍ରମାନେ ଚିରକାଳ ଅନ୍ଧ ! ନିର୍ଯ୍ୟାତିତ, ନିପୀଡ଼ିତ, ଆର୍ତ୍ତ ଓ ବଞ୍ଚିତର ଦାବୀ, ଆପାତଦୃଷ୍ଟିରେ ଯେତେ ଦୁର୍ବଳ ହେଲେ ସୁଦ୍ଧା, ଅକ୍ଷୌହିଣୀ ସେନାର ରଣପ୍ରସ୍ତୁତି ଓ ତ୍ରିପୁର ବିଜୟୀ ଯୋଦ୍ଧାମାନଙ୍କର ଧନୁଷ୍ଟଙ୍କାର ତାହାକୁ ବିଡ଼ମ୍ୱିତ କରିପାରିବ ନାହିଁ । କେତେ ଦର୍ପିତ ଇନ୍ଦ୍ରପ୍ରସ୍ଥ, କେତେ ମଦମତ୍ତ ହସ୍ତିନା, କେତେ ଅହଙ୍କାରୀ ବାରୁଣା, ମହାକାଳରେ ଏହିପରି ବାରମ୍ୱାର ଭୂଲୁଣ୍ଠିତ ହେବ ! ମହାରାଜ, ମହାଭାରତରେ ଐକ୍ୟ ଓ ଶାନ୍ତି କ୍ଷମତାର ଦାମ୍ଭିକତାରେ ରହିବ ନାହିଁ; ଲାଞ୍ଛିତ, ବଞ୍ଚିତ ଓ ଅପମାନିତକୁ ତା’ର ଯଥାର୍ଥ ଦାବୀରେ ପ୍ରତିଷ୍ଠିତ କରିବାରେ, ରହିବ ଔଦାର୍ଯ୍ୟରେ, କରୁଣାରେ, ଦାକ୍ଷିଣ୍ୟରେ ।’’

ଇନ୍ଦ୍ରପ୍ରସ୍ଥର ଆକାଶରେ କାଳବୈଶାଖୀର ଘୂର୍ଣ୍ଣୀ, ଧୃତରାଷ୍ଟ୍ରଙ୍କ କଣ୍ଠରେ ଯେପରି ଗର୍ଜନ କରି ଉଠିଲା । ବିଦୁରଙ୍କ ପ୍ରତି ପ୍ରଚଣ୍ଡ କ୍ରୋଧରେ ଚିତ୍କାର କରି, ଧୃତରାଷ୍ଟ୍ର କହିଲେ....‘‘ତୁମେ ନା ବିଦୁର, କୌରବର ଅନ୍ନଭୋଜୀ ! କୌରବର ଔଦାର୍ଯ୍ୟରେ, କରୁଣାରେ, ଦାକ୍ଷିଣ୍ୟରେ, ତୁମେ ନା ଲାଳିତ ପାଳିତ ଓ ବର୍ଦ୍ଧିତ ! ଆଜି ସେହି କୌରବମାନଙ୍କର ଚରମ ଦୁର୍ଦ୍ଦିନରେ ଏହି କ’ଣ ତୁମର ପ୍ରତିଦାନ ? କୌରବର ଅନ୍ନର ପ୍ରତିଦାନରେ ତୁମ କଣ୍ଠରେ ସମବେଦନାର କ୍ଷୀଣ ବାଣୀ ସୁଦ୍ଧା ନାହିଁ !’’

ବିଦୁର ଅବିଚଳିତ କଣ୍ଠରେ ଉତ୍ତର ଦେଲେ....କିନ୍ତୁ ସତ୍ୟ ଯେତେ କଠୋର ହେଲେ ସୁଦ୍ଧା ଦିନେ ତାହାର ସମ୍ମୁଖୀନ ହେବାପାଇଁ ପଡ଼ିବ, ମହାରାଜ !’’

ଧୃତରାଷ୍ଟ୍ର ଚିତ୍କାର କରି ଉଠିଲେ....‘‘କିନ୍ତୁ ସାମାନ୍ୟ ରାଜ୍ୟପାଇଁ ପାଣ୍ଡବମାନଙ୍କଦ୍ୱାରା, ସଖା–ନାଶ, ସୋଦର–ନାଶ, କୁଳନାଶ, ଏହି କ’ଣ ତୁମର ସତ୍ୟ ବିଦୁର ? ମୁଁ ବା କିପରି ଭୁଲିବି କହ, ବିଦୁର ! ଆଜି ସୋମବଂଶର ଦୀପଶିଖା ଗୋଟିକ ଗୋଟିଏ ନିର୍ବାପିତ ହୋଇଗଲା । ଅନ୍ଧ ଧୃତରାଷ୍ଟ୍ରର ଅନ୍ଧ ତମିସ୍ରାପରି, ଏହାପରେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସବୁ ନିରନ୍ଧ୍ର, ସୂଚୀଭେଦ୍ୟ, ନିଷ୍ଠୁର ଅନ୍ଧକାର !’’

 

ବିଦୁର ଶାନ୍ତ କଣ୍ଠରେ ଉତ୍ତର ଦେଲେ...‘କର୍ମଫଳର ଅଲଂଘନୀୟ ପରିଣତି ରୂପେ ଏହାକୁ ଗ୍ରହଣ କରି ଶୋକ ସମ୍ୱରଣ କରନ୍ତୁ ମହାରାଜା, ଶାନ୍ତିଲାଭ କରିବେ । ଆପଣ କୁରୁକୁଳର ଅଗସ୍ତିରୂପେ କୌରବ–ସମୁଦ୍ର ନିଃଶେଷ କରିଅଛନ୍ତି, ପାଣ୍ଡବମାନେ ତ’ ଜୀର୍ଣ୍ଣ କୂପମାତ୍ର ! ଆଉ କ୍ରୋଧାନଳରେ ପ୍ରଜ୍ଜ୍ୱଳିତ ହୋଇ ସେ କୂପକୁ ନିଃଶେଷ କରନ୍ତୁ ନାହିଁ ।’’

 

ଏହି ସମୟରେ ଅନ୍ଧପଟ୍ଟିକାବୃତ, ଶୋକାକୁଳା ଗାନ୍ଧାରୀ, ଉନ୍ମାଦିନୀ ପରି ସେଠାକୁ ଧାଇଁ ଆସି କହିଲେ...‘‘ମହାରାଜ, ଦିନେ ଆପଣଙ୍କ ପାଇଁ ମୁଁ ଆଖିରେ ସ୍ୱହସ୍ତରେ ବାନ୍ଧିଥିଲି ଏହି ଅନ୍ଧପଟ୍ଟିକା । ସେହି ବନ୍ଧନର ଦୁଶ୍ଛେଦ୍ୟ ଗ୍ରନ୍ଥି ଆଜି ସ୍ୱହସ୍ତରେ ଛିନ୍ନ କରିଦିଅନ୍ତୁ ମହାରାଜ ! ଶତପୁତ୍ରର ଜନନୀ ମୁଁ, ଜୀବିତରେ ଯେଉଁମାନଙ୍କୁ ଦେଖି ନାହିଁ, ଆଜି ଅନ୍ତତଃ ମୃତ୍ୟୁର ଶେଷ ଶଯ୍ୟାରେ ସେମାନଙ୍କୁ ଥରେ ଦେଖି ନୟନର ଜ୍ୱାଳା ଶାନ୍ତ କରେ !’’

 

ଅନ୍ଧପଟ୍ଟିକାର ଗ୍ରନ୍ଥି ଛିନ୍ନ କରିବାର ନିଷ୍ଫଳ ଉଦ୍ୟମରେ ଶିରାଳ ଅଙ୍ଗୁଳିର ଶତ ନଖାଘାତରେ, ନରକରୋଟୀ ପରି ଦିଶୁଥିବା ଗାନ୍ଧାରୀଙ୍କର ଶୁଷ୍କ ଚର୍ମାବୃତ ମୁଖ ରକ୍ତାକ୍ତ ହୋଇ ପଡ଼ିଥିଲା । ଲୋତକ ଓ ଶୋଣିତର ଧାରା, ଗାନ୍ଧାରୀଙ୍କ ମୁଖମଣ୍ଡଳକୁ ଅତ୍ୟନ୍ତ ଭୟଙ୍କର କରି ଦେଇଥିଲା ।

 

ଗାନ୍ଧାରୀ ଶୋକାପ୍ଳୁତ କଣ୍ଠରେ ପୁଣି ଚିତ୍କାର କରି ଉଠିଲେ...‘‘ମହାରାଜ, ଆପଣଙ୍କ ପାଇଁ ଅନ୍ଧପଟ୍ଟିକାର ଆବରଣ ତଳେ ଚକ୍ଷୁଥାଇ ସୁଦ୍ଧା ମୁଁ ଚିରଜୀବନ ଅନ୍ଧ ରହି ଆସିଅଛି ! ଆଜି ମୋପାଇଁ ସେ ଆବରଣ ଥରେ ଉନ୍ମୋଚନ କରନ୍ତୁ ମହାରାଜ !’’

 

ଗାନ୍ଧାରୀଙ୍କର ଅନୁରୋଧରେ ଧୃତରାଷ୍ଟ୍ରଙ୍କ ମୁଖମଣ୍ଡଳ ଏକ କୃଷ୍ଣ ମେଘ ଖଣ୍ଡରେ ଯେପରି ଆଚ୍ଛନ୍ନ ହୋଇପଡ଼ିଲା । ଗାନ୍ଧାରୀ ଜାଣନ୍ତି ନାହିଁ, ମାତ୍ର ଧୃତରାଷ୍ଟ୍ର ଜାଣନ୍ତି, ଅନ୍ଧପଟ୍ଟିକାବୃତା ଗାନ୍ଧାରୀଙ୍କର ଦୁଇ ଚକ୍ଷୁରେ ପୁଞ୍ଜିଭୂତ ହୋଇ ରହିଅଛି ବିଶ୍ୱର ଦାବାନଳ ! ସେ ଦୃଷ୍ଟି ଥରେ ଫିଟିଲେ ଧୃତରାଷ୍ଟ୍ର ସୁଦ୍ଧା ସେଥିରେ ଭସ୍ମ ହୋଇଯିବେ ।

 

ଗାନ୍ଧାରୀଙ୍କୁ ସାନ୍ତ୍ୱନା ଦେଇ ବିଦୁର କହିଲେ...‘‘ଶୋକ ସମ୍ୱରଣ କରନ୍ତୁ ମହାଦେବୀ ! କିଏ କହେ ଆପଣ ପୁତ୍ରହୀନା ? ଅଗ୍ରପାଣ୍ଡବ ଯୁଧିଷ୍ଠିରଙ୍କ ଅଭୟ ଛାୟାତଳେ, ଦୁର୍ଦ୍ଦଷ ଏବେ ସୁଦ୍ଧା ଜୀବିତ । ପୁଣି ପାଞ୍ଚପାଣ୍ଡବ ତ ଆପଣଙ୍କୁ ଜନନୀ ତୁଲ୍ୟ ଭକ୍ତି କରନ୍ତି ।’’

 

ଗାନ୍ଧାରୀ ଉନ୍ମାଦିନୀ ପରି ଚିତ୍କାର କରି ଉଠିଲେ....‘‘ମୁଁ ଜାଣେ ମହାରାଜ, ଆଉ ଏ ଅନ୍ଧପଟ୍ଟିକା ଉନ୍ମୋଚିତ ହେବ ନାହିଁ । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ, ଗାନ୍ଧାରୀର ଜୀବନ କେବଳ ଅମାବାସ୍ୟାରେ ନିରନ୍ଧ୍ର, ନିଷ୍ଠୁର ଅନ୍ଧକାର !’’

 

ଗାନ୍ଧାରୀ ଯେପରି ବାତ୍ୟାବାହିତ ଗୋଟିଏ ଶୁଷ୍କପତ୍ର ପରି ଧୃତରାଷ୍ଟ୍ରଙ୍କ ସମ୍ମୁଖକୁ ଉଡ଼ି ଆସିଥିଲେ, ସେହିପରି ସେଠାରୁ ପୁଣି ସ୍ଖଳିତ ପାଦରେ ଚାଲିଗଲେ ।

 

ରଥ ପ୍ରସ୍ତୁତ । ଯୁଧିଷ୍ଠିର ଏକାକୀ ରଥରେ ଉପବେଶନ କରିବା ପାଇଁ ଉଦ୍ୟତ ହୋଇଥିଲେ; ଏହି ସମୟରେ ଶ୍ରୀକୃଷ୍ଣ ଦୁର୍ଦ୍ଦକ୍ଷ ସହିତ ହଠାତ୍‌ ବିପରୀତ ଦିଗରୁ ଆସି ତାଙ୍କୁ ପଚାରିଲେ, ‘ହସ୍ତିନାର ସିଂହାସନରେ ଆସନ୍ନ ଅଭିଷେକର ଉତ୍ସବ ମଧ୍ୟରେ ଏକାକୀ କେଉଁଆଡ଼େ ବାହାରିଲେ ଧର୍ମରାଜ ?’’

 

ଯୁଧିଷ୍ଠିର କହିଲେ...‘‘ମାତା ଗାନ୍ଧାରୀ ମୋତେ ସ୍ମରଣ କରିଅଛନ୍ତି । ତାଙ୍କରି ଦର୍ଶନ ପାଇଁ ବାହାରିଅଛି ।’’

 

ଶ୍ରୀକୃଷ୍ଣ କହିଲେ....‘‘ବହୁକାଳ ଗାନ୍ଧାରୀଙ୍କ ସହିତ ମୋହର ମଧ୍ୟ ସାକ୍ଷାତ ହୋଇନାହିଁ । ତାହାହେଲେ ଚାଲନ୍ତୁ ଅଗ୍ରପାଣ୍ଡବ, ମୁଁ ଆପଣଙ୍କ ରଥ ଚଳାଇ ନେବି ।’’

 

ଯୁଧିଷ୍ଠିର ଏ ପ୍ରକାର ଆକସ୍ମିକତାରେ ବିସ୍ମିତ ହୋଇ ପଚାରିଲେ, ‘‘ଏ ପୁଣି କି ନୂତନ ମାୟା, ମାୟାଧର ?’’

 

ଶ୍ରୀକୃଷ୍ଣ ସାରଥିର ସ୍ଥାନରେ ବସି, ସ୍ମିତ, ହସି ଯୁଧିଷ୍ଠିରଙ୍କୁ କହିଲେ....‘‘ମହାଭାରତର ଜୈତ୍ରଯାତ୍ରା ପଥରେ ଯେ ପାଣ୍ଡବଙ୍କ ଜୟରଥ ବାହାରିଥିଲା, ତା’ର ଦିଗ୍‌ଦର୍ଶନରେ କ’ଣ ଆପଣଙ୍କର ସନ୍ଦେହ ହେଉଛି, କୌନ୍ତେୟ ?’’

 

ଯୁଧିଷ୍ଠିର ନୀରବ ରହିଲେ ।

 

ଶ୍ରୀକୃଷ୍ଣ ଚିରଦିନ ଏହିପରି ପ୍ରହେଳିକାମୟ !

 

କୁରୁକ୍ଷେତ୍ରର ମହାଶ୍ମଶାନ ମଧ୍ୟରେ, ପ୍ରତି–ଶବସ୍ତୁପ ବୁଲି ସଞୟଙ୍କ ସହିତ ଗାନ୍ଧାରୀ ଶତପୁତ୍ରଙ୍କ ଶବ ସନ୍ଧାନ କରୁଥିଲେ । ଶିବା, କୁଶନ, ଓ ଶ୍ୱାନଦଳଙ୍କୁ ଠେଲି, ଗାନ୍ଧାରୀଙ୍କ ହସ୍ତ ଧରି, ସଞ୍ଜୟ ତାହାଙ୍କୁ ଆସନ୍ନ ସନ୍ଧ୍ୟାର ବିଷର୍ଣ୍ଣ ଗୋଧୂଳି ମଧ୍ୟରେ ପଥ କଢ଼ାଇ ନେଉଥିଲେ ।

 

ସଞ୍ଜୟ କହିଲେ...‘‘ମହାଦେବୀ ! ଭୂତଳଶାୟୀ ହୋଇ ମହାନିଦ୍ରାରେ ଅଚେତନ ହୋଇ ପଡ଼ିଛନ୍ତି, ଏହି ଦେଖନ୍ତୁ ପିତାମହ ଭୀଷ୍ମ । ମୁଖ–ମଣ୍ଡଳରେ ତାଙ୍କର ଅନନ୍ତ ପ୍ରଶାନ୍ତି ।’’

 

ଗାନ୍ଧାରୀ କହିଲେ...‘‘ଜାଣେ ସଞ୍ଜୟ, ସ୍ୱଇଚ୍ଛାରେ ସେ ପ୍ରାଣ ସମ୍ୱରଣ କରିଅଛନ୍ତି । ତା’ ନହେଲେ ତ୍ରିପୁରବିଜୟୀ ଭୀଷ୍ମଙ୍କ ସମୁଖରେ ପାଣ୍ଡବମାନେ ତ ତୁଚ୍ଛାଦପି ତୁଚ୍ଛ ।’’

 

ସଞ୍ଜୟ କହିଲେ, ‘‘ଆଉ ରଥ–ଚକ୍ରତଳେ ଏଠି ନିଷ୍ପେଷିତ ହୋଇ ପଡ଼ିଛନ୍ତି, ବାହୀକ–ବୀର ସୋମଦତ୍ତ, ମତ୍ତହସ୍ତୀର ଦନ୍ତାଘାତରେ ରକ୍ତାକ୍ତ ହୋଇ ପଡ଼ିଛନ୍ତି ଭୂରିଶ୍ରବା । ମହାଦେବୀ ! ଅର୍ଜ୍ଜୁନର ଶରାଘାତରେ ଏଇ ଉତ୍ତାନଶାୟୀ ହୋଇ ପଡ଼ିଛନ୍ତି ମହାବୀର କର୍ଣ୍ଣ । ବୈଦୁର୍ଯ୍ୟଖଚିତ ତାଙ୍କ କିରୀଟରେ ଅସ୍ତସୂର୍ଯ୍ୟଙ୍କର ଶେଷ କିରଣ ରେଖା, ପୁତ୍ରର ମସ୍ତକରେ ପିତାର ଆଶୀର୍ବାଦ–ସ୍ନିଗ୍ଧ–ସ୍ପର୍ଶ ପରି ତଥାପି ଲାଗିରହିଛି । ସେହି ଦ୍ୟୁତିରେ କର୍ଣ୍ଣଙ୍କ ମୁଖମଣ୍ଡଳ ଶତଦଳର ସଦ୍ୟତାରେ ତଥାପି ଉଦ୍ଭାସିତ ।’’

 

ଗାନ୍ଧାରୀ ଶୋକାର୍ତ୍ତ କଣ୍ଠରେ କର୍ଣ୍ଣଙ୍କ ଶବକୁ ଆଲିଙ୍ଗନ କରି କହିଲେ....‘‘ଆସ ବାବୁ, ଜନନୀର ବାତ୍ସଲ୍ୟ–ବଞ୍ଚିତ କୌନ୍ତେୟ, ଅଗ୍ର ପାଣ୍ଡବ । ଦୁର୍ଯ୍ୟୋଧନର ମାନରକ୍ଷା ପାଇଁ ଅପରାଜେୟ ବୀର ତୁମେ, ଆଜି ରଣଭୂମିରେ ଶୋଣିତ–ପଙ୍କରେ ଲୋଟିଅଛ, କିନ୍ତୁ ହେ ସର୍ବଦ୍ରଷ୍ଟାଳ, ଦିବାକର, ସର୍ବଶକ୍ତିମାନ, ସହସ୍ରଶୀର୍ଣ୍ଣା ହିରଣ୍ୟଗର୍ଭ, ଅଂଶୁମାଳୀ ଯେଉଁମାନେ କ୍ଷାତ୍ରଧର୍ମର ପ୍ରତିକୂଳାଚରଣ କରି ଅନ୍ୟାୟ ଯୁଦ୍ଧରେ କର୍ଣ୍ଣଙ୍କୁ ହତ୍ୟା କରିଅଛନ୍ତି, ସେମାନଙ୍କପାଇଁ କ’ଣ କୌଣସି ଶାସ୍ତି ନାହିଁ ? ନାହିଁ ? ନାହି ?’’

 

ଆଉ କିଛି ଦୂର ଅଗ୍ରସର ହେବା ପରେ, ସଞ୍ଜୟ କହିଲେ,....‘‘ଦେବୀ ! ଭୀମର ଗଦାଘାତରେ ଏଇ ଧରାଶାୟୀ ହୋଇଛନ୍ତି–ଭଗ୍ନଜାନୁ ଦୁଃଶାସନ ! ବିବସନା ଦ୍ରୌପଦୀର ଉଲଙ୍ଗ ଜାନୁ ପ୍ରତି ଅଶ୍ଳୀଳ କଟାକ୍ଷର ପ୍ରତିଶୋଧ ନେବାପାଇଁ, ଏହାହିଁ ଥିଲା ଭୀମର ପ୍ରତିଜ୍ଞା । ନୀଳମେଘର ବିଦ୍ୟୁତର ଚମକ ପରି, ତାଙ୍କର ପ୍ରଶସ୍ତ ବକ୍ଷରେ ମଣିମୁକ୍ତାଖଚିତ ଗଳାହାର ତଥାପି ବିଲମ୍ୱିତ ରହିଅଛି ! ....ଚାଲନ୍ତୁ ଦେବି, ଜୀବନ ମୃତ୍ୟୁର ଏହାତ ଚିରନ୍ତନ ଲୀଳା, ସମସ୍ତେ କର୍ମଫଳର ଅଧୀନ !’’

 

ଗାନ୍ଧାରୀ ଉଚ୍ଛ୍ୱସିତ କ୍ରନ୍ଦନର ରୁଦ୍ଧ ଆବେଗରେ କହିଲେ....‘‘ମୋର ଅନ୍ଧ ପଟ୍ଟିକା ଥରେ ଉନ୍ମୋଚନ କରିଦିଅ ସଞ୍ଜୟ ! ଜୀବନରେ ଯାହାକୁ କେବେ ଦେଖି ନାହିଁ, ମୃତ୍ୟୁର ଧୂଳିଶଯ୍ୟାରେ ତାକୁ ଥରେ ଦେଖି ଚିରକ୍ଷୁଧିତ ନୟନର ଜ୍ୱାଳା ପ୍ରଶମିତ କରେ !’

 

ଗାନ୍ଧାରୀଙ୍କଠାରୁ ଅଳ୍ପ ଦୂରରେ ଶ୍ରୀକୃଷ୍ଣ ରଥର ଗତି ସ୍ତିମିତ କରିଦେଲେ । ଯୁଧିଷ୍ଠିର ଉଦ୍‌ବିଗ୍ନ କଣ୍ଠରେ ପଚାରିଲେ...‘‘ରଥର ଗତି କାହିଁକି ସ୍ତିମିତ କଲେ ନାରାୟଣ ?’’

 

ଶ୍ରୀକୃଷ୍ଣ ସ୍ମିତ ହସି କହିଲେ...‘‘ଯେଉଁମାନେ ଶୋକାର୍ତ୍ତ, ବେଦନାର୍ତ୍ତ, ଦୁଃଖୀ ସେମାନଙ୍କ ନିକଟକୁ କ୍ଷମତା ଓ ଦର୍ପର ଅଭିମାନରେ ରଥାରୂଢ଼ ହୋଇ ଯିବା ଶୋଭନୀୟ ନୁହେଁ, ସେଥିରେ ସେମାନଙ୍କର ଶୋକର ଗାମ୍ଭୀର୍ଯ୍ୟ ଓ ମର୍ଯ୍ୟାଦା ଲାଞ୍ଛିତ ହୁଏ । ଗାନ୍ଧାରୀ ପୁଣି ସହଜେ ତ ତମର ମାତୃତୁଲ୍ୟା ।’’

 

ଯୁଧିଷ୍ଠିର ଅପରାଧୀ ପରି ରଥରୁ ଅବତରଣ କରି କହିଲେ...‘‘ଆପଣ ଯଥାର୍ଥ କହିଅଛନ୍ତି ନାରାୟଣ; ଶୋକାର୍ତ୍ତ ଗାନ୍ଧାରୀଙ୍କ ନିକଟକୁ ପାଦରେ ଯିବାହିଁ ମୋ ପକ୍ଷରେ ସମୀଚୀନ-।’’ ଦୁର୍ଯ୍ୟୋଧନ ଶବ ନିକଟରେ ବିହ୍ୱଲିତା ଗାନ୍ଧାରୀଙ୍କ ନିକଟକୁ ଯୁଧିଷ୍ଠିର ଅଗ୍ରସର ହେଉଥିଲେ, ଶ୍ରୀକୃଷ୍ଣ ତାହାଙ୍କର ଗୋଟିଏ ବାହୁ ଟାଣିଧରି କହିଲେ...‘‘ଗାନ୍ଧାରୀ ତୁମକୁ କାହିଁକି ସ୍ମରଣ କରିଅଛନ୍ତି, ଜାଣିଛ ଯୁଧିଷ୍ଠିର ?

 

ଯୁଧିଷ୍ଠିର କହିଲେ...‘‘ନାଁ, ତାହା ଜାଣେ ନା ତ ।’’

 

ଶ୍ରୀକୃଷ୍ଣ ସ୍ମିତ ହସି କହିଲେ...‘କୁରୁ ମହାଶ୍ମଶାନର ଶବସ୍ତୂପ ମଧ୍ୟରେ ଗାନ୍ଧାରୀ ନିଜ ପୁତ୍ରମାନଙ୍କୁ ଥରେ ଦେଖିବା ପାଇଁ, ତାଙ୍କର ଅନ୍ଧପଟ୍ଟିକା ଉନ୍ମୋଚନ କରିବା ଉଦ୍ଦେଶ୍ୟରେ ତୁମକୁ ସ୍ମରଣ କରିଅଛନ୍ତି ।’’

 

ଯୁଧିଷ୍ଠିର କହିଲେ....‘‘ଏ ବା, କି କଷ୍ଟ କାର୍ଯ୍ୟ ? ଏହି ମୁହୂର୍ତ୍ତରେ ମୁଁ ସେହି ଗ୍ରନ୍ଥି ଛିନ୍ନ କରିଦେବି !’’

 

ଶ୍ରୀକୃଷ୍ଣ ସ୍ମିତ ହସି ପୁଣି କହିଲେ,...‘‘କିନ୍ତୁ ଯୁଧିଷ୍ଠିର, ତୁମେ ବିସ୍ମିତ ହେଉଛ କିପରି, ଶତପୁତ୍ରର ଜନନୀ ଗାନ୍ଧାରୀ ଆଜି ତୁମରି ହେତୁ ପୁତ୍ରହୀନା ! ଗାନ୍ଧାରୀଙ୍କ ଭାବନାରେ, ତୁଚ୍ଛ ସିଂହାସନ ପାଇଁ ତୁମର ସର୍ବଗ୍ରାସୀ ଲୋଭ ଓ ଈର୍ଷା, ଆଜି କୁରୁକୁଳକୁ ନିଷ୍ପ୍ରଦୀପ କରିଅଛି ।’’

 

ଯୁଧିଷ୍ଠିର ଅସହାୟ କଣ୍ଠରେ କହିଲେ....‘‘ସେ ବୃତ୍ତାନ୍ତ ଗାନ୍ଧାରୀ ନ ଜାଣନ୍ତୁ ପଛେ, ଆପଣ ତ ସବୁ ଜାଣନ୍ତି ଅନ୍ତର୍ଯ୍ୟାମି !’’

 

ଶ୍ରୀକୃଷ୍ଣ କହିଲେ....‘‘ଏବେ ତୁମେ ଗାନ୍ଧାରୀଙ୍କ ଅନ୍ଧପଟ୍ଟିକା ଉନ୍ମୋଚନ କରିବା ପରେ, ସେ ଯେତେବେଳେ ତୁମର ପାଦତଳେ ପ୍ରିୟ ପୁତ୍ର ଦୁଃଶାସନର ଭୂତଳଶାୟୀ ଶବ ଦେଖିବେ, ସେତେବେଳେ ଶାନ୍ତି ଓ ସାନ୍ତ୍ୱନା ପରିବର୍ତ୍ତେ, ତାଙ୍କ ପ୍ରାଣରେ ଶୋକବହ୍ନି ଶତଗୁଣରେ ପ୍ରଜ୍ଜ୍ୱଳିତ ହେବ ନାହିଁ କି ?’’

 

ଯୁଧିଷ୍ଠିର କିଂକର୍ତ୍ତବ୍ୟ ବିମୂଢ଼ ପରି କହିଲେ; ‘‘ତାହା ଯଥାର୍ଥ । କିନ୍ତୁ ଗାନ୍ଧାରୀ ଯେତେବେଳେ ଅନ୍ଧପଟ୍ଟିକାର ଆବରଣ ଉନ୍ମୋଚନ କରିବା ପାଇଁ ମୋତେ ସ୍ମରଣ କରିଅଛନ୍ତି ମୁଁ କ’ଣ କରିବି କହନ୍ତୁ ନାରାୟଣ ? ମୁଁ ନିରୂପାୟ !’’

 

ଶ୍ରୀକୃଷ୍ଣ କହିଲେ....‘‘ଗାନ୍ଧାରୀଙ୍କ ଶତପୁତ୍ର ବିନଷ୍ଟ ହୋଇ ପାରିଥାନ୍ତି; ତଥାପି ଜୀବିତ ଅଛି ଦୁର୍ଦ୍ଦକ୍ଷ । କୁରୁବଂଶର ଶେଷ ପ୍ରଦୀପ ଦୁର୍ଦ୍ଦକ୍ଷକୁ ଦେଖି, ଗାନ୍ଧାରୀଙ୍କ ଶୋକାର୍ତ୍ତ ପ୍ରାଣ ଶାନ୍ତି ଲାଭ କରିବ ।’’

 

ଯୁଧିଷ୍ଠିରଙ୍କ କଣ୍ଠସ୍ୱର ଶୁଣି ଉତ୍‌କଣ୍ଠିତା ଗାନ୍ଧାରୀ ପଚାରିଲେ....‘‘ସଞ୍ଜୟ, ଏ ତ ଯୁଧିଷ୍ଠିରଙ୍କ କଣ୍ଠସ୍ୱର ପରି ମନେ ହେଉଅଛି ।’’

 

ସଞ୍ଜୟ କହିଲେ....‘‘ଶ୍ରୀକୃଷ୍ଣଙ୍କ ସହିତ ଅଗ୍ରପାଣ୍ଡବ ଯୁଧିଷ୍ଠିର ଆପଣଙ୍କ ପଦବନ୍ଦନା ପାଇଁ ଆସୁଛନ୍ତି ।’’

 

ଉଦ୍‌ବେଳିତା ଗାନ୍ଧାରୀ ଯୁଧିଷ୍ଠିରଙ୍କୁ ଆଲିଙ୍ଗନ କରିବା ପାଇଁ, ଶୂନ୍ୟରେ ଦୁଇ କମ୍ପିତ ଶିରାଳ ବାହୁ ତୋଳି କହିଲେ....‘ଆସ, ଆସ ବାବୁ, ବିଗଳିତ କରୁଣାର ପ୍ରତିରୂପ, ଅଗ୍ରପାଣ୍ଡବ ଯୁଧିଷ୍ଠିର.... ଆଜି ତୁମେ ଅଗ୍ରକୌରବ ମଧ୍ୟ । ମୁଁ ପାପିନୀ, ମୋର କ୍ରୂରକର୍ମର ଫଳ ଭୋଗ କରିଅଛି । ଏବେ ମୋର ଦୁଶ୍ଛେଦ୍ୟ ଅନ୍ଧପଟ୍ଟିକାର ଗ୍ରନ୍ଥି ଥରେ ଉନ୍ମୋଚନ କରିଦିଅ ପୁତ୍ର; ଯେଉଁ ଶତପୁତ୍ରଙ୍କୁ ଜନ୍ମଦେଇ ସୁଦ୍ଧା, ସ୍ୱଚକ୍ଷୁରେ କେବେ ଦେଖିନାହିଁ, ଏବେ ସେମାନଙ୍କୁ ପ୍ରଥମ ଓ ଶେଷଥର ପାଇଁ ଦେଖି, ମୋର ଅତୃପ୍ତ ନୟନର ଜ୍ୱାଳା ପ୍ରଶମିତ କରେ ।’’

 

ଗାନ୍ଧାରୀଙ୍କ ବ୍ୟାକୁଳ ନିବେଦନରେ, ଯୁଧିଷ୍ଠିର ଅନ୍ଧପଟ୍ଟିକାର ଗ୍ରନ୍ଥି ଛେଦନ କରିବା ପାଇଁ ଅଗ୍ରସର ହେଉଥିଲେ,ଶ୍ରୀକୃଷ୍ଣ ହଠାତ୍‌ ତାହାଙ୍କର ଗୋଟିଏ ବାହୁ ଧରି ପକାଇ ଅସ୍ଫୁଟ କଣ୍ଠରେ ଦୁର୍ଦ୍ଦକ୍ଷକୁ କହିଲେ, ‘‘ଦୁର୍ଦ୍ଦକ୍ଷ, ଜନନୀ ଗାନ୍ଧାରୀଙ୍କ ଅନ୍ଧପଟ୍ଟିକା ଉନ୍ମୋଚିତ କର । ପୁତ୍ରହୀନା, ଶତପୁତ୍ରର ଜନନୀ ଗାନ୍ଧାରୀ, ତୁମକୁ ସଶରୀରରେ ଜୀବିତ ଦେଖିଲେ, ପୁତ୍ରଶୋକ ବିସ୍ମୃତା ହେବେ-।’’

 

ଶ୍ରୀକୃଷ୍ଣଙ୍କ ଦୁଇ ରଙ୍ଗାଧରରେ ରହସ୍ୟ ବିଜଡ଼ିତ ହସ ।

 

ଯୁଧିଷ୍ଠିର କହିଲେ, ‘‘ତାହାହିଁ କର ଦୁର୍ଦ୍ଦକ୍ଷ ।’’

 

ଯୁଧିଷ୍ଠିରଙ୍କ ନିର୍ଦ୍ଦେଶରେ ତାଙ୍କର ଚିର ଅନୁଗତ ଦୁର୍ଦ୍ଦକ୍ଷ ମୁହୂର୍ତ୍ତକ ମଧ୍ୟରେ ଗାନ୍ଧାରୀଙ୍କର ଅନ୍ଧପଟ୍ଟିକାର ଗ୍ରନ୍ଥି ଚ୍ଛିନ୍ନ କରିଦେଲା ।

 

ଗ୍ରନ୍ଥି ଉନ୍ମୋଚିତ ହେବା ମାତ୍ରେ, ଅନ୍ଧପଟ୍ଟିକାର କୃଷ୍ଣ ଆବରଣ ତଳୁ ଅଗ୍ନ୍ୟୁଦ୍‌ଗାରର ସର୍ବନାଶୀ ଶିଖା ଯେପରି ଉଲ୍ଲମ୍ଫନ କରି ଉଠିଲା । ସେହି କରାଳ ଦୃଷ୍ଟିର ପୁଞ୍ଜୀଭୂତ ତେଜରେ, ଦୁର୍ଦ୍ଦକ୍ଷ ଦୁଃଶାସନଙ୍କ ଭୁଲୁଣ୍ଠିତ ଶବ ଉପରେ ମୁହୂର୍ତ୍ତକ ମଧ୍ୟରେ ଭସ୍ମରାଶି ପରି ଝରି ପଡ଼ିଲା ।

 

ଯୁଧିଷ୍ଠିର ଆର୍ତ୍ତନାଦ କରି ଉଠିଲେ... ‘‘ଏ ପୁଣି କି ଚକ୍ର ଚାଳନା କଲେ ଚକ୍ରୀ ? ଦୁର୍ଦ୍ଦକ୍ଷ ଯେ ମୋର ଚିର ଅନୁଗତ !’’

 

ଶ୍ରୀକୃଷ୍ଣ ଅନୁଚ୍ଚ କଣ୍ଠରେ କହିଲେ–‘‘ନୀରବ ରହ ନିର୍ବୋଧ ! ଆଜି ଗାନ୍ଧାରୀର ନୟନାନଳରେ ଦଗ୍ଧ ହୋଇଥିଲେ, କାଲି ତୁମେ ହସ୍ତିନାର ସିଂହାସନରେ ଅଭିଷିକ୍ତ ହୋଇଥାନ୍ତ କିପରି ? ଏହା ରାଜନୀତି...ରାଜନୀତିର ଯଜ୍ଞକୁଣ୍ଡରେ ଏହିପରି ବହୁ ବିଶ୍ୱସ୍ତ ଓ ବଶମ୍ୱଦ ଦୁର୍ଦ୍ଦକ୍ଷର ଆହୁତି, ଏକ ଦୈନନ୍ଦିନ ଘଟଣା ! ସେଥିରେ ତୁମପରି ଧୀମାନ୍‌ ବିଚଳିତ ହେବା ଉଚିତ୍‌ ନୁହେଁ, ଯୁଧିଷ୍ଠିର !’’

 

ସଞ୍ଜୟ ବଜ୍ରାହତ ପରି ଶୋକାପ୍ଳୁତ କଣ୍ଠରେ କହିଲେ.... ‘‘ଏ କ’ଣ କଲେ ମହାଦେବୀ ! କୁରୁକୁଳର ଏକମାତ୍ର କ୍ଷୀଣ ପ୍ରଦୀପଶିଖା ଦୁର୍ଦ୍ଦକ୍ଷକୁ ସୁଦ୍ଧା ସ୍ୱହସ୍ତରେ ନିର୍ବାପିତ କରିଦେଲେ !’’

 

ଶ୍ରୀକୃଷ୍ଣ ସମବେଦନା ଅଭିନୟ କରି କହିଲେ....‘‘ଜନନୀ, କିଏ କହେ ଆପଣ ପୁତ୍ରହୀନା ? କୌରବ କିଏ, ପାଣ୍ଡବମାନେ ବା କିଏ ? ସେମାନଙ୍କୁ ଏବେ ପୁତ୍ରରୂପେ ଗ୍ରହଣ କରନ୍ତୁ ।’’

 

ଶ୍ରୀକୃଷ୍ଣଙ୍କ ଦୁଇ ରଙ୍ଗାଧରରେ ରହସ୍ୟ ବିଜଡ଼ିତ ହସ !

 

ଗାନ୍ଧାରୀ ପାଦତଳେ, ଦଗ୍ଧ ଆମ୍ରମୁକୁଳ ପରି ଝରିପଡ଼ିଥିବା, ଦୁର୍ଦ୍ଦକ୍ଷର ଭସ୍ମରାଶି ଆଡ଼େ ଚାହି, ଉନ୍ମାଦିନୀ ପରି ଅଟ୍ଟହାସ କରି କହିଲେ...‘‘ବୁଝିଛି ଚକ୍ରୀ, ବୁଝିଛି ତୁମର ଚକ୍ରାନ୍ତ, କିନ୍ତୁ ସୁଦର୍ଶନ ଚକ୍ରର ଚକ୍ରାନ୍ତ ଓ ଶକ୍ତିରେ କେବଳ କୌଣସି ସିଂହାସନ ରହିନାହିଁ; କିମ୍ୱା ରହିପାରିବନାହିଁ-। ପ୍ରତାରିତ ଓ ନିପୀଡ଼ିତ ଆତ୍ମାର ଅଭିଶାପରେ ସବୁ ଦଗ୍ଧ ହୋଇଯିବ, ସବୁ ଭସ୍ମ ହୋଇଯିବ-। ତୁମର ମଧ୍ୟ ସେଥିରୁ ନିସ୍ତାର ନାହିଁ ଶ୍ରୀକୃଷ୍ଣ ! ସ୍ୱଜନଦ୍ରୋହ ମଧ୍ୟରେ ସୋମବଂଶ ପରି, ବିରାଟ ଯଦୁବଂଶ ମଧ୍ୟ ଦିନେ ନିଷ୍ପ୍ରଦୀପ ହୋଇଯିବ ! ତୁମର ପ୍ରିୟପୁତ୍ର ପ୍ରଦ୍ୟୁମ୍ନ ସୁଦ୍ଧା ସେଥିରୁ ରକ୍ଷା ପାଇବ ନାହିଁ !’’

 

ଉଚ୍ଛ୍ୱସିତ କ୍ରନ୍ଦନର ରୁଦ୍ଧ ଆବେଗରେ ଗାନ୍ଧାରୀ ଦୁର୍ଦ୍ଦକ୍ଷର ଭସ୍ମରାଶି ଉପରେ ଲୋଟି ପଡ଼ିଲେ ।

 

ଶ୍ରୀକୃଷ୍ଣଙ୍କ ଦୁଇ ରଙ୍ଗାଧାରରେ ଚିର ରହସ୍ୟବିଜଡ଼ିତ ସ୍ମିତ ହାସ୍ୟରେଖା, ଦ୍ୱିତୀୟାର କ୍ଷୀଣ ଶଶିଲେଖା ପରି ବିକ୍ଷୁବ୍ଧ ଅନ୍ଧକାର ମଧ୍ୟରେ ଧୀରେ ଧୀରେ ମଳିନ ହୋଇ ଆସୁଥିଲା ।

 

ଅସ୍ତାଚଳରେ ଇନ୍ଦ୍ରପ୍ରସ୍ଥର ଗିରିମାଳା ନେପଥ୍ୟରେ, ସର୍ବଦ୍ରଷ୍ଟା ଦିବାକର ମଧ୍ୟ ଅସ୍ତମିତ ହେଉଥିଲେ ।

 

ସାରଳା ମହାଭାରତର ‘‘ନାରୀପର୍ବ’’ରେ ବର୍ଣ୍ଣିତ ଗୋଟିଏ ଉପାଖ୍ୟାନ ଅବଲମ୍ୱନରେ ଏହି ଗଳ୍ପଟି ଲିଖିତ ହୋଇଅଛି । ଏହା ସଂସ୍କୃତ–ମହାଭାରତରେ ନାହିଁ ଓ ସଂସ୍କୃତ ମହାଭାରତ ଠାରୁ ସାରଳା ମହାଭାରତର ଏହା ଏକ ବିଷୟଗତ ବୈଷମ୍ୟ । –ଲେଖକ

 

କାବେରୀରୁ ଗଙ୍ଗା

 

କୃଷ୍ଣା କୂଳରେ ବାହାମନି–ରାଜଧାନୀ କଳବର୍ଗର ଉପକଣ୍ଠରେ, ବୀର ଶ୍ରୀ ଗଜପତି ଗୌଡ଼େଶ୍ୱର–କର୍ଣ୍ଣାଟ–କଳ ବର୍ଗେଶ୍ୱର ଶ୍ରୀ ଶ୍ରୀ ଶ୍ରୀ କପିଳେନ୍ଦ୍ରଙ୍କ ଶିବିର । ପାତ୍ର, ମନ୍ତ୍ରୀ ପୁରୋହୀତ, ସେନାପତି ଓ ସୈନ୍ୟମାନଙ୍କ ଗହଣରେ କିଛିଦିନ ହେଲା ଏଠାରେ ଛାଉଣି ପକାଇ କପିଳେନ୍ଦ୍ର ଦେବ ଅବସ୍ଥାନ କରୁଅଛନ୍ତି । ଦିନେ ଏହି ନିର୍ଜନ କୃଷ୍ଣବେଣୀ କୂଳ କପିଳେନ୍ଦ୍ରଙ୍କ ସୈନ୍ୟବାହିନୀର ସମର କୁହାଟରେ ପ୍ରକମ୍ପିତ ହୋଇଉଠିଥିଲା । ଦାକ୍ଷିଣାତ୍ୟରେ ଦୁର୍ଦ୍ଧର୍ଷ ମୁସଲମାନ ଶକ୍ତି, ବାହାମନି ସୁଲତାନ, ନିଜାମ୍‌ ଶାହା, ଉତ୍କଳର ସୈନ୍ୟ ବାହିନୀଙ୍କ ଦ୍ୱାରା ପରାସ୍ତ ଓ ନିହତ ହୋଇଥିଲେ । ବାହାମନି ସୁଲତାନ–ଅନ୍ତଃପୁରରେ ବେଗମ୍‌ମାନଙ୍କର ସୂର୍ମାଙ୍କିତ ଆକ୍ଷିର ଉଷ୍ଣ ଲୋତକଧାର, କୃଷ୍ଣବେଣୀର ଜଳଧାରାକୁ କୃଷ୍ଣ କରିଦେଇ ଥିଲା । ଆଜି କଳବର୍ଗ ଉତ୍କଳ–ସାମ୍ରାଜ୍ୟର ଅନ୍ତର୍ଭୁକ୍ତ । କୌଣସି ସାମରିକ ଉଦ୍ଦେଶ୍ୟ ଧରି କପିଳେନ୍ଦ୍ର ଏଠାରେ ତେଣୁ ଶିବିର ସ୍ଥାପନ କରି ନାହାଁନ୍ତି । ଆଜି ଉତ୍କଳ ସାମ୍ରାଜ୍ୟ ନିଷ୍କଣ୍ଟକ । ଗୌଡ଼ ଓ ମାଳବ ଆଜି କପିଳେନ୍ଦ୍ରଙ୍କ ପଦାନତ । ‘ନବକୋଟି’ର ବଲ୍ଲମ କୋଣ୍ଡ, ବିନୁକୋଣ୍ଡ, କୋଣ୍ଡବିଡ଼ୁ, ନାଗାର୍ଜୁନ କୋଣ୍ଡ, ଗଜ ମହେନ୍ଦ୍ରି, ପେଡ଼ ପୁରମ୍‌, କଲୁଉଲପଲ୍ଲୀ, ଉଦାଡ଼ି ଓ ପତନୁରୁର ଦୁର୍ଗମାନଙ୍କ ଉପରେ ଆଜି ସୁଦର୍ଶନ ଚକ୍ର ଲାଞ୍ଛିତ ଉତ୍କଳର ବିଜୟ କେତନ, ଗୋଦାବରୀର ଜଳକଣାସିକ୍ତ ସମୀରଣରେ ଉଡ଼୍‌ଡ଼ୀନ ହେଉଅଛି । ଦକ୍ଷିଣରେ ରେଡ଼୍‌ଡ଼ି ରାଜାମାନଙ୍କର ଦର୍ପ ଉତ୍କଳୀୟ ପାଇକମାନେ କେବେଠୁ ଚୂର୍ଣ୍ଣ କରିସାରିଛନ୍ତି । କର୍ଣ୍ଣାଟର ମଲ୍ଲିକାର୍ଜ୍ଜୁନ ମଧ୍ୟ କପିଳେନ୍ଦ୍ରଙ୍କ ବଶ୍ୟତା ସ୍ୱୀକାର କରିଛନ୍ତି । ଉତ୍ତରରେ ଗଙ୍ଗାଠାରୁ ଦକ୍ଷିଣରେ କାବେରୀ ପର୍ଯ୍ୟନ୍ତ ଆଜି କପିଳେନ୍ଦ୍ରଙ୍କ ସାମ୍ରାଜ୍ୟ ବିସ୍ତୃତ ହୋଇଅଛି ।

 

ତେଣୁ ଆଉ କୌଣସି ନୂତନ ଅଭିଯାନରେ ବାହାରି କପିଳେନ୍ଦ୍ର କୃଷ୍ଣବେଣୀ କୂଳରେ ଶିବିର ସ୍ଥାପନ କରିନାହାଁନ୍ତି । କପିଳେନ୍ଦ୍ର ନିଜେ ଏହି ସୁବିପୁଳ ସାମ୍ରାଜ୍ୟର ସ୍ରଷ୍ଟା । ସମଗ୍ର ପୂର୍ବୋପକୂଳବର୍ତ୍ତୀ ଭାରତ ଖଣ୍ଡ ଏବେ ଗଜପତି ସାମ୍ରାଜ୍ୟର ଅନ୍ତର୍ଭୁକ୍ତ । କପିଳେନ୍ଦ୍ର ଆଜି କିନ୍ତୁ ବିଜୟ କ୍ଳାନ୍ତ । ସୁଦୂର ଦକ୍ଷିଣରେ କାବେରୀ କୂଳପର୍ଯ୍ୟନ୍ତ ବିସ୍ତୃତ ସାମ୍ରାଜ୍ୟ ଥରେ ପରିଭ୍ରମଣ କରି ଆସିବାପାଇଁ; ସେ କେତେ ମାସ ପୂର୍ବରୁ ବାହାରିଥିଲେ । ଏବେ ସେହିଯାତ୍ରା ପଥରେ, ସେ କୃଷ୍ଣା କୂଳରେ ଶିବିର–ସ୍ଥାପନ କରି ବିଶ୍ରାମ କରୁଅଛନ୍ତି ।

 

କୃଷ୍ଣା କୂଳରେ କପିଳେନ୍ଦ୍ରଙ୍କ ଶିବିର ଉପରେ, ସମଗ୍ର ଭାରତର ଦୃଷ୍ଟି ନିବଦ୍ଧ । କପିଳେନ୍ଦ୍ର ସାମାନ୍ୟ ଅସୁସ୍ଥ ଥିବାର ବାର୍ତ୍ତା ଗୁପ୍ତଚରମାନଙ୍କ ମୁଖରୁ ଶୁଣି, କର୍ଣ୍ଣାଟ, କଳବର୍ଗ, ଗୌଡ଼ ଓ ଦିଲ୍ଲୀର ରାଜଧାନୀମାନଙ୍କରେ ସାମାନ୍ୟ ଆଶା ଓ ଆନନ୍ଦ ସଞ୍ଚାରିତ ହୋଇଅଛି । ମାତ୍ର ଏ ସମ୍ୱାଦକୁ କପିଳେନ୍ଦ୍ରଙ୍କ ଶିବିରରେ ଅତି ଗୁପ୍ତ ରଖା ଯାଇଅଛି । କପିଳେନ୍ଦ୍ରଙ୍କ ବୃଦ୍ଧ ଅମାତ୍ୟ ଗୋପୀନାଥ, କପିଳେନ୍ଦ୍ରଙ୍କ ଅବସ୍ଥା ଆଶଙ୍କାପ୍ରଦ ଭାବି, କୁମାର ହମ୍ୱିର ଦେବ ମହାପାତ୍ର ଓ ପୁରୁଷୋତ୍ତମ ପ୍ରମୁଖ ରାଜୁକୁମାରଙ୍କ ନିକଟକୁ ବାର୍ତ୍ତା ପଠାଇ ଥିଲେ । ମାତ୍ର ସେମାନେ ତଥାପି ଏପର୍ଯ୍ୟନ୍ତ କେହି ଆସି ନାହାଁନ୍ତି । କେବଳ ହମ୍ୱିରଙ୍କ ପୁତ୍ର, ଦକ୍ଷିଣ କପିଳେଶ୍ୱର ମହାପାତ୍ର ପିତାମହଙ୍କ ଅସୁସ୍ଥତାର ସମ୍ୱାଦ ପାଇ, କୃଷ୍ଣା ତୀରରେ ଆସି ପହଞ୍ଚିଛନ୍ତି ।

 

ଶରତର ସ୍ୱର୍ଣ୍ଣାଭ ଅପରାହ୍ନ କେବେଠାରୁ ଧୂସର ହୋଇ ଆସିଲାଣି । ଶିବିରମାନଙ୍କରେ ଗୋଟି ଗୋଟି ଦୀପାବଳୀ, ଆକାଶରେ ନକ୍ଷତ୍ର ଫୁଟିଲା ପରି ଧୀରେ ଧୀରେ ଜଳି ଉଠିଲାଣି । କୃଷ୍ଣାନଦୀ ବକ୍ଷରେ କୁଜ୍‌ଝଟିକାର ଗୋଟିଏ ପ୍ରଚ୍ଛଦପଟ ସମସ୍ତଙ୍କର ଅଲକ୍ଷିତରେ କେତେବେଳେ ଲମ୍ୱି ଆସିଲାଣି ।

 

କପିଳେନ୍ଦ୍ରଙ୍କ ଶିବିର ଅଭ୍ୟନ୍ତର ନୀରବ । ଗୋଟିଏ ପଲଙ୍କ ଉପରେ ବୃଦ୍ଧ କପିଳେନ୍ଦ୍ର ଆଖିବୁଜି ପଡ଼ି ଅଛନ୍ତି । ତାଙ୍କ ମୁଣ୍ଡ ଉପରକୁ ଖଣ୍ଡେ କାଷ୍ଠାସନ ଉପରେ ଚିନ୍ତାନ୍ୱିତ ଭାବରେ ବସିଛନ୍ତି ବୃଦ୍ଧ ଅମାତ୍ୟ ଗୋପୀନାଥ । ତାଙ୍କ ଆଖି ଆଗରେ, ଅତୀତର ତିରିଶ ବର୍ଷର ଘଟଣା ବହୁଳ ଇତିହାସର ବହୁ ସ୍ମୃତି ଗୋଟିକ ପରେ ଗୋଟିଏ ଭାସି ଯାଉଛି । ଖୋର୍ଦ୍ଧାତଳି ହଳଦିଆ ଗାଁର ଅଜ୍ଞାତ କୁଳଶୀଳ କପିଳ ରାଉତ, ବିମଳାଙ୍କ ମନ୍ଦିର ପାହାଚ ଉପରେ ବସି ମହାପ୍ରସାଦ କଣିକା ଖୁଣ୍ଟି ଖାଇବାର ଦୃଶ୍ୟ, ଆଜି ସୁଦ୍ଧା ତାଙ୍କୁ ଏଇ ସେଦିନର ଘଟଣା ପରି ମନେ ହେଉଛି । କପିଳେନ୍ଦ୍ରଙ୍କ ପାଦତଳେ ଦକ୍ଷିଣ କପିଳେଶ୍ୱର ପ୍ରସ୍ତର ନିର୍ମିତ ଗୋଟିଏ ସ୍ଥାଣୁମୂର୍ତ୍ତି ପରି ବସିଛନ୍ତି । ଗୋଟିଏ ରୂପାବଇଠା ଉପରେ ପ୍ରକାଣ୍ଡ ଦୀପଟିଏ ଜଳୁଛି । କୃଷ୍ଣାର ସାନ୍ଧ୍ୟ ସମୀରଣରେ ବେଳେବେଳେ ଦୀପ ଶିଖା ପ୍ରକମ୍ପିତ ହୋଇ ଉଠୁଛି ।

 

କପିଳେନ୍ଦ୍ର ଥରେ ଆଖି ମେଲି ଚାରି ଆଡ଼କୁ ଚାହିଁ କାହାକୁ ଯେପରି ମନେ ମନେ ଖୋଜୁଥିଲେ । କିନ୍ତୁ କାହାକୁ ପାଇଲେ ନାହିଁ । କପିଳେନ୍ଦ୍ରଙ୍କ ଆସନ୍ନ ମୃତ୍ୟୁ ସମ୍ୱାଦ ପାଇ, ହମ୍ୱିର ଦେବ ଓ ପୁରୁଷୋତ୍ତମ ଦେବ ପ୍ରମୁଖ ରାଜପୁତ୍ରମାନେ ସମ୍ଭବତଃ ଗଜପତି ସିଂହାସନ ଅଧିକାର ପାଇଁ ପୁରୀ ଧାଇଁବେଣି ।

 

କପିଳେନ୍ଦ୍ର କ୍ଷୀଣ କଣ୍ଠରେ କହିଲେ.......‘‘ମନେ ପଡ଼ୁଛି ଗୋପିନାଥ, ଏହି କୃଷ୍ଣା କୂଳରୁ ଫେରି ମୁଁ ଜଗନ୍ନାଥଙ୍କୁ ‘ପୁଣ୍ଡରୀକ ଗୋପ’ ଶାଢ଼ୀ ଉପହାର ଦେଇଥିଲି !’’

 

ଗୋପୀନାଥ କହିଲେ......‘‘ସେହି ଜଗନ୍ନାଥଙ୍କ କୃପାରେ ଆପଣ ଶିଘ୍ର ଆରୋଗ୍ୟ ଲାଭ କରି ପୁଣି ଉତ୍କଳ ଫେରିଯିବେ ।’’

 

କପିଳେନ୍ଦ୍ରଙ୍କ ଶୁଷ୍କ, ରକ୍ତହୀନ ଦୁଇ ଓଠରେ ହସର ଗୋଟିଏ କ୍ଷୀଣ ରେଖା ଫୁଟି ଉଠିଲା-। ସେ କହିଲେ.......‘‘ସେ ଆଶା ଆଉ କର ନାହିଁ ଗୋପୀନାଥ । ଏହି ପୁଣ୍ୟ ତ୍ରିବେଣୀ ତଟରେ ଯଦି ମୁଁ ଦେହତ୍ୟାଗ କରିପାରେ, ତାହାଲେ ତାହା ମୋର ପରମ ସୌଭାଗ୍ୟ ।’’

 

କପିଳେନ୍ଦ୍ର କ୍ଳାନ୍ତ ହୋଇ ପଡ଼ିଲେ । କିଛି ସମୟ ପୁଣି ନୀରବରେ ଆଖି ବୁଜି ପଡ଼ିଲା ପରେ, କପିଳେନ୍ଦ୍ର କ୍ଷୀଣ କଣ୍ଠରେ କହିଲେ......‘‘ଗୋପୀନାଥ, ଏଥର ଦାକ୍ଷିଣାତ୍ୟରୁ ଯେତେ ମଣି ମୁକ୍ତା ଓ ସମ୍ପଦ ଧରି ଫେରିବି ସେ ସବୁ ଉତ୍କଳର ଇଷ୍ଟଦେବ ଜଗନ୍ନାଥଙ୍କ ଠାରେ ନିବେଦନ କରିବା ପାଇଁ ମନସ୍ଥ କରିଥିଲି । ମାତ୍ର ସେ ସୌଭାଗ୍ୟ, ହୁଏତ ସମ୍ଭବ ହେବ ନାହିଁ । ମୋର ମୃତ୍ୟୁ ପରେ ତୁମେ କିନ୍ତୁ ଗୋପୀନାଥ ଏ ସମସ୍ତ ଆହୃତ ସମ୍ପଦ ଶ୍ରୀ ଜଗନ୍ନାଥଙ୍କ ଠାରେ ସମର୍ପଣ କରି ଦେବ ।’’

 

କପିଳେନ୍ଦ୍ର ଆଉ କିଛି କହି ପାରିଲେ ନାହିଁ । ତାଙ୍କ ଦୁଇ ଆଖି କ୍ଳାନ୍ତିରେ ପୁଣି ମୁଦ୍ରିତ ହୋଇଗଲା ।

 

ଗୋପୀନାଥ ଓ ଦକ୍ଷିଣ କପିଳେଶ୍ୱର, ଗୋଟିଏ ଦୀର୍ଘଶ୍ୱାସ ପକାଇ ଶିବିର ବାହାରକୁ ଅତି ଚିନ୍ତାନ୍ୱିତ ଭାବରେ ଚାଲି ଆସିଲେ ।

 

ଦୁଇ

 

ଉତ୍କଳ ଗଜପତିଙ୍କ ଛାଉଣି ଅସ୍ୱାଭାବିକ ଭାବରେ ନୀରବ, ଜୀବନଯାତ୍ରାର ସବୁ କୋଳାହଳ, ଅତି ଆକସ୍ମିକ ଭାବରେ ନୀରବ ଓ ନିଷ୍ପନ୍ଦ ହୋଇ ଯାଇଛି । ବୃଦ୍ଧ ଗୋପୀନାଥ ଅତି ଚିନ୍ତାନ୍ୱିତ ଭାବରେ ତଳକୁ ମୁଣ୍ଡ ନୁଆଇଁ କୃଷ୍ଣାତୀର ଆଡ଼େ ବୁଲି ବାହାରି ଥିଲେ । ଦକ୍ଷିଣ କପିଳେଶ୍ୱର ତାଙ୍କ ପଛେ ପଛେ ନିଜର ଚିନ୍ତାରେ ନିଜେ ଆତ୍ମ ବିସ୍ମୃତ ହେଲାପରି ବାଟ ଚାଲୁଥିଲେ-। କେଉଁଠି ଜଣେ ଭାଟ, ଗୋଟିଏ ପ୍ରଶସ୍ତି ଅତି ସୁଲଳିତ କଣ୍ଠରେ ଗାନ କରୁଥିଲେ । ଦକ୍ଷିଣ କପିଳେଶ୍ୱର ତାହା ଉତ୍କର୍ଣ୍ଣ ହୋଇ ଶୁଣିଲେ.... ।

 

‘‘କର୍ଣ୍ଣିଟୋଜ୍ଜାସସିଂହଃ କଳବରଗ ଜୟୀ

ମାଳବ ଧ୍ୱଂସଶୀଳଃ

ଜଂଘାଳୋ ଗୌଡ଼ମର୍ଦ୍ଦୀ ଭ୍ରମରବର ନୃପୋ

ଧ୍ୱସ୍ତଡ଼ିଲ୍ଲୀନ୍ଦ୍ର ଗର୍ବଃ ।।

 

ସଂଗ୍ରାମେ ଦ୍ରଷ୍ଟୁମେନଂ ପ୍ରତିଭଟ ସୁଭଟାଃ

କେବଳନ୍ତେ ବଳନ୍ତେ

କ୍ଷେଷାଂ ସ୍ୟାନ୍ନାକନାରୀ କୁଚ କଳଶତଟୀ

କୁଙ୍କୁମା ସଙ୍ଗ ରଙ୍ଗ ।।’’

 

ଗୋପୀନାଥ କହିଲେ.....‘‘କର୍ଣ୍ଣାଟ ଧ୍ୱଂସକ କଳବର୍ଗ ଜୟୀ, ମାଳବ ବିଧ୍ୱଂସୀ, ଦିଲ୍ଲୀଶ୍ୱର ଗର୍ବ ଖର୍ବକାରୀ, ଗୌଡ଼ମର୍ଦ୍ଦୀ, ଭ୍ରମରବର ନୃପ ଗଜପତି କପିଳେନ୍ଦ୍ର ଦେବଙ୍କ ପ୍ରଶସ୍ତି କେହି ଭାଟ ଗାନ କରୁଅଛି ।’’

 

ଭାଟର ପ୍ରଶସ୍ତି ଗାନରେ ଦକ୍ଷିଣ କପିଳେଶ୍ୱର ମନ୍ତ୍ରମୁଗ୍ଧ ହେଲାପରି ହୋଇ ପଡ଼ିଥିଲେ ।

 

କେତେ ସମୟ ପରେ ଦକ୍ଷିଣ କପିଳେଶ୍ୱର ଏହି ଭାଟକୁ ଦେଖିବା ପାଇଁ ଇଚ୍ଛା ପ୍ରକାଶ କରିବାରୁ, ବୃଦ୍ଧ ଅମାତ୍ୟ ଗୋପୀନାଥ ଓ କପିଳେଶ୍ୱର ଦୁହେଁ ଭାଟର କଣ୍ଠ ବାରି ବାରି ଆସିଲେ । ସୈନ୍ୟମାନଙ୍କର ଛାଉଣୀଠାରୁ ଅଦୂରରେ ଜଣେ ଅନ୍ଧ ଭାଟ ବସି ଗାଉଥିଲେ...

 

‘‘ଚଣ୍ଡେ କୋଦଣ୍ଡ ଦଣ୍ଡେ ସକୃଦପି

ସମରେ ଯସ୍ୟ ସଂସକ୍ତ କାଣ୍ଡେ

ସଂବୃତ୍ତେ ସଂପ୍ରବୃତ୍ତେ ଗତବତିଂ ବିଜୟଂ

ବୈର କାଳେ କରାଳେ ।’’*

 

* କଟକ ଜିଲା ଗୋପୀନାଥ ପୁର ଶିଳା ଲିପିରେ ଉତ୍‌କୀର୍ଣ୍ଣ କପିଳେନ୍ଦ୍ର–ପ୍ରଶସ୍ତି ।

 

ଅନ୍ଧ ଭାଟର ସଙ୍ଗୀତରେ ବୃଦ୍ଧ ଗୋପୀନାଥଙ୍କ ଶୁଷ୍କ, ଶିରାଳ ଦେହସୁଦ୍ଧା ରୋମାଞ୍ଚିତ ହୋଇ ଉଠିଲା । ଗତ ତିରତିଶ ବର୍ଷର ଇତିହାସ ଯେପରି ଭାଟର ସେହି ସଙ୍ଗୀତରେ ପ୍ରାଣବନ୍ତ ହୋଇ ଉଠିଥିଲା । ଆତ୍ମରକ୍ଷାର ଶତ ଦୈନ୍ୟ ଓ ବୈରୀ, ନିର୍ଯ୍ୟାତନାର ଶତ ପୀଡ଼ନ ଭିତରୁ ନବ ଜାଗ୍ରତ ଉତ୍କଳର ଏ ଯେପରି ନୂତନ ଜୈତ୍ର ସଙ୍ଗୀତ ! ଉତ୍କଳ ଇତିହାସର ଦିଗ୍‌ବଳୟରେ ଏକ ଅନ୍ଧକାର ରଜନୀ ଶେଷରେ, ଦିନେ ଯେଉଁ ନବୀନ ସୂର୍ଯ୍ୟ ଉଦ୍ଭାସିତ ହୋଇ, ସମଗ୍ର ଭାରତକୁ ଝଲସାଇ ଦେଇଥିଲା, ଏ ସଙ୍ଗୀତ ଯେପରି ସେହି ଅଭ୍ୟୁଦୟର ଦୀପ୍ତିମୟ ଆବାହନ ।

 

ଗୋପୀନାଥ ନିଜ ଅଙ୍ଗୁଳିରୁ ଗୋଟିଏ ସ୍ୱର୍ଣ୍ଣ–ମୁଦ୍ରିକା କାଢ଼ି, ଅନ୍ଧର ପ୍ରସାରିତ ହାତରେ ପକାଇ ଦେଇ ଚାଲି ଆସୁଥିଲେ; ଦକ୍ଷିଣ କପିଳେଶ୍ୱର କହିଲେ......‘‘ଏମାନଙ୍କଠାରୁ ଗଜପତି କପିଳେନ୍ଦ୍ର ଦେବଙ୍କ ଜୀବନ କାହାଣୀ ଶୁଣିବା ପାଇଁ ଇଚ୍ଛା ହେଉଛି ।’’

 

ଗୋପୀନାଥ କହିଲେ......‘‘ଆସନ୍ତୁ କୁମାର, ମୋଠାରୁ ଶୁଣିବେ ସେ କାହାଣୀ । ଗଙ୍ଗବଂଶର ଶେଷ ଗଜପତି ମତ୍ତଭାନୁ, ଯେଉଁଦିନୁ ଜଗନ୍ନାଥଙ୍କ ମନ୍ଦିର ବେଢ଼ାରେ, ବିମଳାଙ୍କ ପାହାଚ ତଳୁ କପିଳେନ୍ଦ୍ରଙ୍କୁ ଉଠାଇ ତାଙ୍କ ମୁଣ୍ଡରେ ଶିରୀପା ବାନ୍ଧିଲେ, ସେହିଦିନୁ ଆଜି ପର୍ଯ୍ୟନ୍ତ ତାଙ୍କୁ ମୁଁ ଦେଖି ଆସୁଛି । ମୋ ଠାରୁ ତାଙ୍କ କାହାଣୀ ଆଉ ବେଶି ଜାଣିବ କିଏ ?’’

 

କୁମାରଙ୍କୁ ସଙ୍ଗରେ ଧରି ଗୋପୀନାଥ କୃଷ୍ଣା ନଦୀର ନିର୍ଜନ ତଟ ଭୂମି ଆଡ଼େ ଫେରି ଆସିଲେ । କୃଷ୍ଣାର ଶାନ୍ତ ଜଳରାଶି ଉପରେ, ସନ୍ଧ୍ୟାର କେତୋଟି ତାରା ଧୀରେ ଧୀରେ ପ୍ରତିଫଳିତ ହୋଇ ଉଠୁଥିଲା । ଗୋପୀନାଥ କପିଳେନ୍ଦ୍ରଙ୍କ କାହାଣୀ ଆରମ୍ଭ କଲେ....

 

ତିନି

 

ଇତିହାସର ପରିହାସ ବିଚିତ୍ର ।

 

ଉତ୍‌କଳର ଭାଗ୍ୟ ଭାବୁ ବହୁ ଶତ୍ରୁ ଆକ୍ରମଣର ଘନଘଟା ମଧ୍ୟରେ ଅସ୍ତମିତ ହେଉଥିଲା ବେଳେ ଗଜପତି ସିଂହାସନରେ, ଶେଷ ଗଙ୍ଗନରପତି ମତ୍ତଭାନୁ ଦେବ ଅଧିଷ୍ଠିତ ଥିଲେ । ସେ ଖାଲି ମତ୍ତଭାନୁ ନ ଥିଲେ–ସେଥିରେ ପୁଣି ମଧୁପଭାନୁ, ନିଃଶଙ୍କ ଭାନୁ । ଉଆସ ଭିତରେ ମାହାରୀମାନଙ୍କ ନାଚ ଦେଖି, ପଶା, ଗଞ୍ଜପା ଖେଳି, ଗୌଡ଼ରୁ ଆମଦାନୀ ହେଉଥିବା ପାରସ୍ୟ ଦେଶର ସୁରା ପିଇ ପିଇ ମତ୍ତଭାନୁଙ୍କ ଦିନଗୁଡ଼ିକ ଯଥାର୍ଥରେ ନିଃଶଙ୍କ ଭାବରେ କଟୁଥିଲା । ଉତ୍ତର ଆଡ଼ୁ ମୁସଲମାନମାନେ, ପୁଣି ଦକ୍ଷିଣ ଆଡ଼ୁ ରୋଡ଼୍‌ଡ଼ୀମାନେ, ଉତ୍କଳ ଉପରେ ବାରମ୍ୱାର ଆକ୍ରମଣ କରୁଥିଲେ । ମାତ୍ର ସେଥି ପ୍ରତି ମତ୍ତଭାନୁଙ୍କର ଚିନ୍ତା ନ ଥିଲା । ରାଜଶକ୍ତି ଏହିପରି ଦାୟିତ୍ୱ ହୀନ ଓ ଦୁର୍ବଳ ହୋଇ ପଡ଼ିଥିବା ବେଳେ, ଉତ୍କଳର ଦୁର୍ଦ୍ଧର୍ଷ ପାଇକ ମାନେହିଁ ପ୍ରାଣ ପଣ କରି ଉତ୍କଳର ସ୍ୱାଧୀନତା ଅକ୍ଷୁର୍ଣ୍ଣ ରଖି ପାରି ଥିଲେ । ମତ୍ତଭାନୁ ଅପୁତ୍ରିକ । ଘୋର ଇନ୍ଦ୍ରିୟାସକ୍ତି ଫଳରେ ସେ ପୁଣି ଅକାଳ ବାର୍ଦ୍ଧକ୍ୟଗ୍ରସ୍ତ ହୋଇ ପଡ଼ିଥିଲେ । ଜଗପତି ସିଂହାସନର ଭବିଷ୍ୟତ ସମ୍ପର୍କରେ ତେଣୁ ଅମାତ୍ୟ ଓ ସେନାପତିମାନେ ଘୋର ଚିନ୍ତିତ ହୋଇ ପଡ଼ିଥିଲେ ।

 

ଏହି ସମୟରେ ଉତ୍କଳର ଉତ୍ତର ସୀମାନ୍ତ, ମାଳବର ସୁଲତାନ୍‌ ହୁଶାଙ୍ଗ ଘୋରୀ ଦ୍ୱାରା ଆକ୍ରାନ୍ତ ହେଲା । ସେନାପତିମାନେ ଅବିଳମ୍ୱେ ଏ ଆକ୍ରମଣର ସମ୍ମୁଖୀନ ହେବା ପାଇଁ ମତ୍ତଭାନୁଙ୍କୁ ବହୁ ଅନୁରୋଧ କଲେ । ମାତ୍ର ଆଜି ଯିବେ କାଲି ଯିବେ କହି ଦିନପରେ ଦିନ ବିତିଲା ସିନା, ମତ୍ତଭାନୁଙ୍କ ଯୁଦ୍ଧ ଯାତ୍ରାର କୌଣସି ସଙ୍କେତ ମିଳିଲା ନାହିଁ । ପାଇକମାନେ କୌଣସି ମତେ ଉତ୍କଳର ଉତ୍ତର ସୀମା ଜଗି ରହିଥାନ୍ତି । ଅବଶେଷରେ ସମ୍ୱାଦ ମିଳିଲା, ମତ୍ତଭାନୁ ନିଜେ ସୈନ୍ୟ ସାମନ୍ତ ଧରି ନ ଆସିଲେ, ପାଇକମାନେ ପ୍ରତିରୋଧ ଛାଡ଼ିଦେବେ । କାହାକୁ ଚାହିଁ ବା ସେମାନେ ରାଜ୍ୟରକ୍ଷା କରିବେ ? ତେଣୁ ଅଗତ୍ୟା ମତ୍ତଭାନୁ ସଙ୍ଗରେ ବହୁ ମାହାରୀ, ନର୍ତ୍ତକୀ, ଗାୟକ, ବାଦକ ପାରିଷଦ ଧରି ସେନାପତିମାନଙ୍କ ପଛେ ପଛେ ବହୁ ଆଡ଼ମ୍ୱରରେ ଜାଜ ନଗର ଅଭିମୁଖରେ ବାହାରିଲେ ।

 

ମତ୍ତଭାନୁ ଜାଜନଗର ଅଭିମୁଖରେ ସୈନ୍ୟ ସାମନ୍ତ ଧରି ବାହାରି ଥିବା ଶୁଣି ହୁଶାଙ୍ଗ ଘୋରୀ ମନେ ମନେ ଆତଙ୍କ ଗଣିଲେ । ଖଣ୍ଡାୟତ ପାଇକମାନଙ୍କ ବୀରତ୍ୱ ସେ ଅଙ୍ଗେ ନିଭାଇଛନ୍ତି, ଖଣ୍ଡେ ଖଣ୍ଡେ ପାଞ୍ଚଣ ବାଡ଼ିରେ ସୁଦ୍ଧା ସେମାନେ ମୁସଲମାନ ବାହିନୀକୁ ନାକରେ ପାଣି ପିଆଇ ଦେଇଛନ୍ତି । ସ୍ୱୟଂ ଗଜପତି ଯଦି ସୈନ୍ୟ ସାମନ୍ତ ଧରି ଯୁଦ୍ଧ କରିବା ପାଇଁ ଆସନ୍ତି, ତା’ହେଲେ ମୁସଲମାନ୍‍ ବାହିନୀ ସମୂଳେ ଲୋପ ପାଇଯିବେ ବୋଲି ସେମାନେ ମନେ ଆତଙ୍କ ଗଣୁଥିଲେ । ରାଜ୍ୟ ଜୟ କରିବା ଅସମ୍ଭବ ମଣି ଲୁଟ ତରାଜରେ ଯାହା ମିଳିଲା ସେତକ ଧରି ସେ ବାହାରି ଯିବା ପାଇଁ ଭାବୁଥିଲେ । ମୁସଲମାନମାନେ ସମଗ୍ର ଉତ୍ତର ଭାରତ ଜୟ କରି ପାରିଥାନ୍ତି; ମାତ୍ର ଉତ୍କଳ ଜୟ କରି ଏ ବୀର ପ୍ରସବିନୀ ଭୂମିକୁ ପଦାନତ ରଖିବା ଯେ ଅସମ୍ଭବ ହୁଶାଙ୍ଗ ଘୋରୀ ତାହା ବୁଝି ସାରିଥିଲେ ।

 

ଇତି ମଧ୍ୟରେ ମତ୍ତଭାନୁ ଜାଜନଗରରେ ପହଞ୍ଚି ଶିବିର ସ୍ଥାପନ କରି ସାରିଥାଆନ୍ତି । ଗଜପତିଙ୍କ ସୈନ୍ୟବାହିନୀ ଓ ଯୁଦ୍ଧସଜ୍ଜା ଦେଖି ମୁସଲମାନ ବାହିନୀ, ଜାଜନଗର ବାହାରେ ଆତ୍ମଗୋପନ କଲେ । ମତ୍ତଭାନୁଙ୍କ ଦିନଗୁଡ଼ିକ ନିଃଶଙ୍କ ନୈଶ୍ଚିନ୍ତ୍ୟରେ ନୃତ୍ୟର ତାଳେ ତାଳେ ଶ୍ରୀ ହସ୍ତରେ ସୁରାପାତ୍ରର ବୁଦ୍‌ ବୁଦ୍ ପରି ଲୋଟି ଯାଉଥିଲା ।

 

ସନ୍ଧ୍ୟା ଉତ୍ତୀର୍ଣ୍ଣ ହୋଇଗଲାଣି ।

 

ମତ୍ତଭାନୁଙ୍କ ଶିବିରର ଅଭ୍ୟନ୍ତର ଦୀପମାଳାର ଉଜ୍ଜ୍ୱଳ ଆଲୋକରେ ଆଲୋକିତ ହୋଇଥିଲା । ସେନାପତିମାନେ ଦୁଶାଙ୍ଗ ଘୋରୀର ସୈନ୍ୟବାହିନୀ ଉପରେ ଆକ୍ରମଣ ଆରମ୍ଭ କରିବା ପାଇଁ ଏତେ ସମୟ ଧରି ମତ୍ତଭାନୁଙ୍କୁ ପ୍ରବର୍ତ୍ତାଉ ଥିଲେ । ଯଥା ସମୟରେ ତାହା ଚିନ୍ତା କରି ସ୍ଥିର କରିବା ବୋଲି କହି, ମତ୍ତଭାନୁ ସେମାନଙ୍କୁ ବିଦାୟ କରି ଦେଇଛନ୍ତି । ସେନାପତିମାନେ ବିଦାୟ ନେଇ ନିଜ ନିଜ ଶିବିରକୁ ପ୍ରତ୍ୟାବର୍ତ୍ତନ କରିବା ପରେ ମତ୍ତଭାନୁ ନିଶ୍ଚିନ୍ତ । ମାହାରୀ ନୃତ୍ୟଆରମ୍ଭ କରିବା ପାଇଁ ବୀଣାକାରମାନେ ବୀଣା ତା’ର ଉପରେ ଧୀରେ ଧୀରେ ପ୍ରାଥମିକ ଆଳାପ ଆରମ୍ଭ କରିଥିଲେ । ମତ୍ତଭାନୁଙ୍କୁ ଅନ୍ତରଙ୍ଗ ପାରିଷଦମାନେ ମଧ୍ୟ ଚାରି କଡ଼େ ଜୁଟି ଯାଇଥିଲେ । ସୁରାର ନିଶାରେ ସମସ୍ତେ ମସଗୁଲ । ସମସ୍ତଙ୍କ କଣ୍ଠରେ ମତ୍ତଭାନୁଙ୍କ ଶୌର୍ଯ୍ୟ ଓ ବୀର୍ଯ୍ୟର ଭୂରି ଭୂରି ପ୍ରଶଂସା । ମତ୍ତଭାନୁଙ୍କ ଗୌରବରେ ଗଙ୍ଗବଂଶ ଧନ୍ୟ ହୋଇଛି ବୋଲି ପ୍ରକାଶ କରିବା ପାଇଁ ପାରିଷଦମାନଙ୍କ ମଧ୍ୟରେ ପ୍ରତ୍ୟେକର ଅନ୍ୟ ସହିତ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇ ସେ କୋଳାହଳରେ ବୀଣାର ବାଦନ ଆଉ ଶୁଭୁ ନ ଥିଲା ।

 

ଏହି ସମୟରେ ଜଣେ ପାରିଷଦ ହଠାତ୍‌ ଆସି ନିବେଦନ କଲେ....‘‘ଗୌଡ଼ ଦେଶରୁ ଦଳେ ନର୍ତ୍ତକୀ ଉତ୍କଳ ଗଜପତିଙ୍କ ମନୋରଞ୍ଜନ ପାଇଁ ଜାଜନଗର ଆସିଛନ୍ତି । ଆଦେଶ ହେଲେ ସେମାନଙ୍କୁ ଏହି ମୁହୂର୍ତ୍ତରେ ଏଠାକୁ ନେଇ ଆସିବି ।’’

 

ଆଉ ଜଣେ ପାରିଷଦ କହିଲେ...‘‘ମହାରୀମାନଙ୍କ ନାଚ ସବୁ ଦିନେ ତ ଦେଖୁଛେ, ଆଜି ଗୌଡ଼ର ନର୍ତ୍ତକୀମାନଙ୍କର ନୃତ୍ୟ ଦେଖାଯାଉ ।’’

 

ମତ୍ତଭାନୁଙ୍କ ଆଦେଶରେ ନର୍ତ୍ତକୀମାନେ ମତ୍ତଭାନୁଙ୍କ ଶିବିର ଅଭ୍ୟନ୍ତରକୁ ଆସିଲେ । ନର୍ତ୍ତକୀମାନଙ୍କ ସଙ୍ଗରେ ଚାରିଜଣ ବିଭିନ୍ନ ବାଦ୍ୟକାର । ସମସ୍ତଙ୍କ ପଛରେ ଆସିଲେ ଜଣେ ଉଷ୍ଣୀଶଧାରୀ ପ୍ରୌଢ଼, ଦଳର ଓସ୍ତାଦ । ଉଚ୍ଚ ଶାଳଗଛ ପରି ଚେହେରା । ଆଖି ଦୁଇଟି ଅସ୍ୱାଭାବିକ ଭାବରେ ଉଜ୍ଜ୍ୱଳ । ପରିଧାନ ପରିପାଟି ମୁସଲମାନୀ ଢଙ୍ଗର, ଓସ୍ତାଦ୍‌ ଅଣ୍ଟା ଓ ମୁଣ୍ଡ ନୁଆଇଁ ସାତଥର ଭୂମିସ୍ପର୍ଶ କରି ମତ୍ତଭାନୁଙ୍କୁ କୁର୍ଣୀଶ ଜଣାଇ କହିଲେ...‘‘ଦକ୍ଷିଣର ବାହାମନୀଠାରୁ ଉତ୍ତରରେ ଦିଲ୍ଲୀ ପର୍ଯ୍ୟନ୍ତ ସବୁ ଦରବାରରେ ଉତ୍କଳ ଗଜପତିଙ୍କ ବହୁ ନେକ୍‌ନାମ ଆମ୍ଭେମାନେ ଶୁଣି ଆସିଥିଲୁଁ । ନୃତ୍ୟ ଓ ସଙ୍ଗୀତ ପ୍ରତି ଉତ୍କଳ ଗଜପତିଙ୍କ ଦୀଲ୍‌ଚଶ୍‌ବିର ଆମ୍ଭେମାନେ ଢେର ଢେର ପ୍ରଶଂସା ଶୁଣି ଆସୁଅଛୁ । ଗଜପତିଙ୍କ ମନୋରଞ୍ଜନ ପାଇଁ ଆଦେଶ ପାଇଲେ ଆମ୍ଭେମାନେ ନିଜକୁ ବହୁ ଧନ୍ୟ ମନେ କରିବୁଁ ।’’

 

ଓସ୍ତାଦ୍‌ଙ୍କ କଥାରେ ପାରିଷଦମାନେ ସମବେତ କଣ୍ଠରେ ‘‘ସାଧୁ ସାଧୁ’’ ବୋଲି ଚିତ୍କାର କରି ଉଠିଲେ । ଏହାପରେ ବାଦକମାନଙ୍କ ସମବେତ ବାଦ୍ୟ ସହିତ, ନର୍ତ୍ତକୀ ମାନଙ୍କର ନୃତ୍ୟ ଆରମ୍ଭ ହେଲା ।

 

ସମସ୍ତେ ନିଶା ଓ ନୃତ୍ୟ ବିଭୋର । ମତ୍ତଭାନୁ ମଧ୍ୟ ଆତ୍ମ ସମ୍ୱରଣହୀନ ହୋଇ ପଡ଼ିଥିଲେ । ଠିକ୍‌ ମୁହୂର୍ତ୍ତ ଉଣ୍ଡି, ଓସ୍ତାଦ୍‌ ଲମ୍ଫ ଦେଇ ଗୋଟିଏ ଉଲଙ୍ଗ ତରବାରୀ କାଢ଼ି ନର୍ତ୍ତକୀମାନଙ୍କ ମଝିରେ ଠିଆ ହୋଇ ପଡ଼ିଲେ ।

 

ଶିବିର ମଧ୍ୟରେ ଓସ୍ତାଦ୍‌ଙ୍କୁ ତରବାରୀ ହସ୍ତରେ ଦେଖି ମତ୍ତଭାନୁ ଓ ଅନ୍ୟ ପାରିଷଦମାନେ କିଂକର୍ତ୍ତବ୍ୟ ବିମୂଢ଼ ହୋଇ ପଡ଼ିଲେ । କେଉଁ ଐନ୍ଦଜାଲିକର ଯାଦୁ କାଠିରେ ଯେପରି ବାଦ୍ୟକାରମାନେ ମଧ୍ୟ ହଠାତ୍‌ ଖଡ଼୍‌ଗଧାରୀ ଆତତାୟୀରେ ପରିଣତ ହୋଇଗଲେ । ବାଦ୍ୟଯନ୍ତ୍ର ଫିଙ୍ଗି ସେମାନେ ତରବାରୀ ଧରି ଓସ୍ତାତଙ୍କ ପଛପଟେ ଠିଆ ହୋଇଗଲେ ।

 

ଓସ୍ତାତ୍‌ କହିଲେ...‘‘ମୋତେ ଚିହ୍ନି ପାରୁଛନ୍ତି ଗଜପତି ? ମୁଁ ହୁଶାଙ୍ଗ ଘୋରୀ, ଆପଣ ବର୍ତ୍ତମାନ ମୋର ବନ୍ଦୀ !’’

 

ମତ୍ତଭାନୁ ଅବିଚଳିତ ଭାବରେ ଆସନ ଛାଡ଼ି ଠିଆ ହେଲେ । ତାଙ୍କର ଦୁଇ ଆଖିରୁ ଯେପରି ଅଗ୍ନି ସ୍ଫୁଲିଙ୍ଗ ନିର୍ଗତ ହେଲା । ମତ୍ତଭାନୁ କିନ୍ତୁ ଆତ୍ମ ସମ୍ୱରଣ କରି ସ୍ମିତ ହସି କହିଲେ...‘‘ହୁଶାଙ୍ଗ ଘୋରୀ, ଉତ୍କଳର ଗଜପତିଙ୍କୁ ଆପଣ ବନ୍ଦୀ କରି ପାରନ୍ତି, ନୀଚ ଆତତାୟୀ ପରି ହତ୍ୟା ମଧ୍ୟ କରି ପାରନ୍ତି, ମାତ୍ର ଉତ୍କଳକୁ ଜୟ କରିବାର ଆଶା ଭୁଲି ଯାଆନ୍ତୁ । ଗଜପତି ଉତ୍କଳ ଇତିହାସର ଏକ ସଙ୍କେତ–ମାତ୍ର ଉତ୍କଳର ପ୍ରାଣ ନୁହଁନ୍ତି । ଉତ୍କଳର ଯଥାର୍ଥ ପ୍ରାଣ ଏହାର ପାଇକ କୁଳ, ସମଗ୍ର ଉତ୍ତର–ଭାରତ ଓ ଦାକ୍ଷିଣାତ୍ୟରେ ମୁସଲମାନ ଶକ୍ତି ପ୍ରତିଷ୍ଠିତ ହୋଇ ପାରିଥିଲେ ସୁଦ୍ଧା, ଉତ୍କଳକୁ ସେମାନେ ପାରି ନାହାଁନ୍ତି, ଆପଣ ମଧ୍ୟ ପାରିବେ ନାହିଁ । ପାଇକମାନଙ୍କ ଆକ୍ରମଣ ପରେ ଆପଣ ତୁଳାପରି କେଉଁଆଡ଼େ ଉଡ଼ିଯିବେ । ତେଣୁ ଉତ୍କଳ ଅଧିକାର କରିବାର ଧୃଷ୍ଟତା ଆପଣ ପରିହାର କରନ୍ତୁ ।’’

 

ସୁଲତାନ୍‌ ହୁଶାଙ୍ଗ ଘୋରୀ ବୁଦ୍ଧିମାନ । ଗଜପତି ମତ୍ତଭାନୁଙ୍କୁ ଛଳ ଓ କୌଶଳରେ ବନ୍ଦୀ କରିବା ସମ୍ଭବ ହୋଇପାରେ, ମାତ୍ର ଉତ୍କଳର ପାଇକ ବାହିନୀ ଆଗରେ ହୁଶାଙ୍ଗ ଘୋରୀ ଯଥାର୍ଥରେ ତୁଳାପରି କେଉଁଆଡ଼େ ଉଡ଼ିଯିବେ । ଏହାଠାରୁ ଘରପୋଡ଼ିରୁ ଯଥାଲାଭ ହେଲାପରି ଯଦି ଏହି ସୁଯୋଗରେ ଗଜପତିଙ୍କଠାରୁ କିଛି ଅର୍ଥ ମିଳେ, ତା’ହେଲେ ସେଥିରୁ ବରଂ କିଛି ଲାଭ ହୋଇପାରେ ।

 

ହୁଶାଙ୍ଗ ଘୋରୀ ଅର୍ଥ ବିନିମୟରେ ଗଜପତି ମତ୍ତଭାନୁଙ୍କୁ ମୁକ୍ତ କରି ଦେବାର ପ୍ରସ୍ତାବ କଲେ । ମତ୍ତଭାନୁ ସ୍ମିତ ହସି କହିଲେ...‘‘ସୁଲତାନ୍‌ ହୁଶାଙ୍ଗ ଘୋରୀ ଯେତେବେଳେ ସୁଦୂର ମାଳବରୁ ଆସି ଗଜପତିଙ୍କ ଦରବାରରେ ଖେମଟା ନାଚିଛନ୍ତି, ସେତେବେଳେ ବିନା ପାରିତୋଷିକରେ ତାଙ୍କୁ ବିହାୟ ଦେବା ତ ଉଚିତ ହୁଅନ୍ତା ନାହିଁ ।’’

 

ଗଜପତିଙ୍କ ଠାରୁ କେତେ ଘର ହାତୀ ଓ ସାମାନ୍ୟ ଅର୍ଥ ପାଇ ହୁଶାଙ୍ଗ ଘୋରୀ ସୈନ୍ୟବଳ ଧରି ଜାଜ ନଗର ଠାରୁ ଫେରିଗଲେ ।

 

ମତ୍ତଭାନୁ ‘‘ଯୁଦ୍ଧ’’ ଶେଷରେ ଶିବିର ଉଠାଇ ପୁରୀ ଫେରି ଆସିଲେ ।

 

ବୀର ଶ୍ରୀ ଗଜପତି ମତ୍ତଭାନୁ ଦେବ ଜାଜନଗର ରଣକ୍ଷେତ୍ରରେ ଦୁର୍ଦ୍ଦାନ୍ତ ସଲତାନ୍‌ ହୁଶାଙ୍ଗ ଘୋରୀକୁ ପରାସ୍ତ କରି, ଅକ୍ଷତ ଶରୀରରେ ପୁରୀ ବାହୁଡ଼ି ଆସିଥିବାରୁ ସବୁଆଡ଼େ ଜୟ ଜୟ ରବ ପଡ଼ିଗଲା ।

 

ତୋଷାମୋଦକାରୀ ପାରିଷଦ ଓ ପାଖ ଲୋକମାନେ, ମତ୍ତଭାନୁଙ୍କ ଶୌର୍ଯ୍ୟ ଓ ବୀର୍ଯ୍ୟର ଅତିରଞ୍ଜିତ କାହାଣୀମାନ ଲୋକରେ ପ୍ରଚାର କରି ଦେଲେ । ତଥାପି ସତ କଥାଟା ଲୁଚି ରହି ପାରିଲା ନାହିଁ । ଗଜପତି, ‘‘ଗଜ’’ ବିନିମୟରେ, ହୁଶାଙ୍ଗ ଘୋରୀ କବଳରୁ ମୁକ୍ତି ପାଇ ଆସିଥିବା କଥାଟା ମଧ୍ୟ ଲୁଚି ରହିଲା ନାହିଁ ।

 

ଚାରି

 

ଏବେ କେତେଦିନ ହେଲା, ଶ୍ରୀମନ୍ଦିର ବେଢ଼ା ଭିତରେ ବିମଳାଙ୍କ ପାହାଚତଳେ, ସକାଳୁ ରାତିରେ ପହଡ଼ ପଡ଼ିବା ପର୍ଯ୍ୟନ୍ତ, ଜଣେ ଲୋକ ବେଳେବେଳେ ତଳକୁ ମୁଣ୍ଡ ନୁଆଁଇ, ଆଉ କେତେବେଳେ ବା ମନ୍ଦିର ଚୂଡ଼ାରେ ସୁଦର୍ଶନ ଚକ୍ର ଲାଞ୍ଛିତ ପତାକା ଆଡ଼େ ଶୂନ୍ୟ ଦୃଷ୍ଟିରେ ଚାହିଁ ବସୁଥିବା, ଅନେକଙ୍କ ଦୃଷ୍ଟିରେ ପଡ଼ିଲାଣି । ଲୋକଟି ସବଳକାୟ ଯୁବକ । ମୁଣ୍ଡରେ ବାବୁରୀ ବାଳ, କାନ୍ଧ ଉପରକୁ ଲମ୍ୱି ଆସିଅଛି । ଦେହର ମାଂସପେଶୀ ସବୁ ଲୁହାର କନ୍ଦୁକ ପରି । ଲୋକଟି କାହାକୁ କିଛି କୁହେ ନାହିଁ । ଯାତ୍ରୀମାନେ କେହି ଦୟା ଓ ସହାନୁଭୂତି–ପରବଶ ହୋଇ ତା ହାତରେ କିଛି ଦେଲେ, ସେ ସଙ୍ଗେ ସଙ୍ଗେ ତାହା ଉଠାଇ, ଦେବା ଲୋକର ମୁହଁକୁ ଫିଙ୍ଗିଦିଏ । ଏଥିରୁ ସେ ଭିକ୍ଷୁକ ନୁହେଁ ବୋଲି ସମସ୍ତଙ୍କର ଧାରଣା । ଲୋକଟାର ଆଚରଣ ମଧ୍ୟ ମାନସିକ ରଖିଥିବା କୌଣସି ଭକ୍ତ ପରି ନୁହେଁ । ତେଣୁ ଲୋକଟା ପାଗଳ ବୋଲି ସମସ୍ତଙ୍କର ଧାରଣା ହୋଇଅଛି । କିନ୍ତୁ ତା’ର ପାଗଳାମି କେହି କେବେ ଲକ୍ଷ୍ୟ କରି ନାହାଁନ୍ତି । ମୁହଁରେ ତା’ର ସଦାବେଳେ ହସ ଲାଗି ରହିଛି । ଆଖି ଦୁଇଟିରେ ବୁଦ୍ଧିର ଦୀପ୍ତି । ଜୀବନରେ ଅଭାବ କ’ଣ, ସେ ଯେପରି ଜାଣିନାହିଁ । ବିମଳାଙ୍କ ପାହାଚ ତଳୁ ମହାପ୍ରସାଦ କଣିକା ଖୁଣ୍ଟି ଖାଏ ସିନା, କାହାକୁ ମୁହଁ ଫିଟାଇ କିଛି କେବେ ମାଗେନାହିଁ ।

 

କେତେଦିନ ପରେ ଜଣା ପଡ଼ିଲା, ଲୋକଟାର ନାଁ କପିଳା । ଘର ଖୋର୍ଦ୍ଧାତଳ ହଳଦୀଆ ଗାଁ । ମା ବାପ ଛେଉଣ୍ଡ । ଗାଁରେ ଗୋରୁ ଜଗୁଥିଲା । କେହି କେହି ବା କହିଲେ ଚୋରି କରୁଥିଲା । ଗାଁରୁ ପୁରୀ ପଳାଇ ଆସିଛି । ନାଁ ତା’ର କପିଳ ରାଉତ ।

 

ମାତ୍ର କପିଳ ରାଉତ, ପାଗଳ ନୁହେଁ, ଭିକ୍ଷୁକ ନୁହେଁ, ସାଧାରଣ ଗାଈ ଜଗୁଆଳ ନୁହେଁ ବା ଲାଉ କଖାରୁ ଚୋର ନୁହେଁ । ବେଳେବେଳେ ସେ ଯୋଉ କଥା ମାନ କରେ ତାହା ଶୁଣିଲେ ଶୁଣିବା ଲୋକର ଆଖିରୁ ଯେପରି ଯୁଗ ଯୁଗର ଗୋଟାଏ ଅନ୍ଧ ପୁଟୁଲି ଖସି ପଡ଼େ । ଦିନେ ମତ୍ତଭାନୁଙ୍କ କଥା ପଡ଼ିଗଲା । କପିଳ ରାଉତ ସବୁ ଶୁଣି କହିଲା....‘‘ଆରେ ପୋଷା ପୁଅ, ଗୁଞ୍ଜାରୁଅ । ଗଙ୍ଗମାନେ କୁଆଡ଼ୁ ଦକ୍ଷିଣରୁ ଆସି ରାଜୁତି କରୁଛନ୍ତି ସିନା, ସେମାନେ ତ ଆଉ ଏ ଦେଶର ମାଟିରୁ ଜନ୍ମ ହୋଇ ନାହାଁନ୍ତି । ତେଣୁ ଦେଶ ଯାଉ ବା ରହୁ ତାଙ୍କର କି ଚିନ୍ତା ? ଜଗନ୍ନାଥ ଇଚ୍ଛା କଲେ ଏ ମାଟିର ମଣିଷ ଦିନେ ନିଦ ଭାଙ୍ଗି ପୁଣି ଉଠିବ । ସେଦିନ ସାରା ଭାରତ ଖଣ୍ଡରେ ଚହଳ ପଡ଼ିଯିବ ।’’

 

ସେଦିନ...........

 

ଗଜପତି ମତ୍ତଭାନୁ ହୁଶାଙ୍ଗ ଘୋରୀକୁ ପରାସ୍ତ କରି ଉତ୍କଳକୁ ନିଃଶତ୍ରୁ କରିଥିବାରୁ ଗଜପତିଙ୍କ ନବରରେ ଉତ୍ସବର ଆୟୋଜନ ହୋଇଥିଲା । ସନ୍ଧ୍ୟା ଧୂପ ସରିବା ପରେ, ଶ୍ରୀମନ୍ଦିର ବେଢ଼ା ନିର୍ଜନ ହୋଇଗଲା । ସହରର ସବୁଆଡ଼ୁ ଲୋକେ ସୁଅପରି ଗଜପତିଙ୍କ ନବର ଆଡ଼େ ଛୁଟିଥିଲେ । ନିର୍ଜନ ମନ୍ଦିର ବେଢ଼ା ମଧ୍ୟରେ ବିମଳାଙ୍କ ପାହାଚ ତଳେ, ଏକା କପିଳ ରାଉତ ତଳକୁ ମୁଣ୍ଡ ନୁଆଇଁ ବସି ମନକୁ ମନ କ’ଣ ବିଡ଼ ବିଡ଼ ହେଉଥିଲା ।

 

କିଏ ଜଣେ ମନ୍ଦିର ସେବକ ସେ ବାଟେ ଅନ୍ଧାରରେ ଯାଉଁ ଯାଉଁ କପିଳକୁ ଦେଖି କହିଲା...‘‘କିରେ କପିଳା, ପୁରୀ ସହରଟା ଯାକ ସମସ୍ତେ ଗଜପତିଙ୍କ ଦର୍ଶନକୁ ଛୁଟିଛନ୍ତି, ତୁ ଏଠି ବସିଛୁ କାହିଁକି ?’’

 

କପିଳ ପଚାରିଲା....‘‘କାହିଁକି ! ଆଜି କ’ଣ ହେଉଛି କି ?’’

ସେ ଲୋକଟି କହିଲା...‘‘ଆରେ ଗଜପତି ମତ୍ତଭାନୁ ପରା ମ୍ଳେଚ୍ଛ ସୁଲତାନ୍‌ ହୁଶାଙ୍ଗ ଘୋରୀକୁ ପରାସ୍ତ କରି ଫେରିଛନ୍ତି ! ଏ କ’ଣ ସାମାନ୍ୟ କାର୍ଯ୍ୟ ? ସେଥିପାଇଁ ରାଜ ନବରରେ ଉତ୍ସବ ହେଉଛି ।’’

ଲୋକଟିର କଥା ଶୁଣି କପିଳ ପାଗଳ ପରି ହସି ଉଠିଲା । ତା’ ହସରେ ମନ୍ଦିରର ନିର୍ଜନ ବେଢ଼ା ଯେପରି ଥରି ଉଠିଲା । କପିଳ ହସି ହସି କହିଲା....‘‘ଗଜପତି ନା ଗଧପତି ହେ’’ !

ଲୋକଟି ଉଷ୍ଣ କଣ୍ଠରେ ପଚାରିଲା...‘‘କିରେ କ’ଣ କହିଲୁ ? ଛୋଟ ମୁହଁରେ ବଡ଼ କଥା-।’’

କପିଳ କହିଲା...‘‘ଯାଅ, ଯାଅ, ଉତ୍ସବ ଦେଖିବ ଯାଅ । ସେଠି ଭୂରି ଭୋଜନ ମିଳିଯିବ-। ହେଲେ ତମ ଗଜପତିଙ୍କୁ କହିଦେବ କେହି ନ ଜାଣିଲେ ବି କପିଳ ଜାଣେ ଗଜପତି ସୁଲତାନ୍‌ ହୁଶାଙ୍ଗ ଘୋରୀକୁ ହାତୀ ଦେଇ, ନିଜେ ଗଧପତି ସାଜି ଫେରିଛନ୍ତି । ସେ କି ଗଜପତି ହେ !’’

ଲୋକଟି ଚାଲିଗଲା । କପିଳା ପାଗଳ–ତା’ ମୁହଁରେ କୋଉ ବାଡ଼ବତା ଅଛି ?

ଶହ ଶହ ସ୍ତାବକ ଓ ତୋଷାମୋଦକାରୀଙ୍କ ମଧ୍ୟରେ ମତ୍ତଭାନୁ, ମତ୍ତଭାନୁ ପରି ଠିଆ ହୋଇ, ସମସ୍ତଙ୍କ ଅକୁଣ୍ଠିତ ସ୍ତୁତିଗାନ ହସି ହସି ଶୁଣୁଥିଲେ । ଜୟ ଗଜପତି ମତ୍ତଭାନୁଙ୍କ ଜୟ ନାଦରେ ନବରର ପ୍ରାଙ୍ଗଣ ଓ ଅଳିନ୍ଦମାନ ପ୍ରକମ୍ପିତ ହେଉଥିଲା ।

 

ମତ୍ତଭାନୁ ସ୍ମିତ ହସି ପଚାରିଲେ...‘‘ଆଜି ଭାରତ ଖଣ୍ଡରେ ମୋ ଠାରୁ ବଳି ବଡ଼ ଆଉ କିଏ ଅଛି ?’’

 

ତୋଷାମୋଦକାରୀମାନେ ଏକ ସଙ୍ଗରେ ଉତ୍ତରେ ଦେଲେ......‘‘କେହି ନାହିଁ ଛାମୁ, କେହି ନାହିଁ । ଗଜପତିଙ୍କୁ ବଳି ଆଉ କିଏ ବଳିଆର ଅଛି ?’’

 

କିନ୍ତୁ ସେହି ଲୋକ ଗହଳି ଭିତରେ କିଏ ଜଣେ ପାଟି କରି ଉଠିଲା.....‘‘ଜଣେ ଅଛି ଛାମୁ !’’

 

ମତ୍ତଭାନୁ ସ୍ମିତ ହସି ପଚାରିଲେ.... ‘‘କିଏ ? କେଉଁଠି ?’’

 

ପାରିଷଦମାନେ ମୁହଁରେ ଭ୍ରୂକୂଟୀ ଫୁଟାଇ କହିଲେ....‘‘ଏ କେଉଁଠିକା ମାଗିଖିଆ ଛତରାଟାଏ । ଏହା କଥା କାହିଁକି ଶୁଣୁଛନ୍ତି ଛାମୁ ?’’

 

ମତ୍ତଭାନୁ ସେମାନଙ୍କ କଥାପ୍ରତି କର୍ଣ୍ଣପାତ ନକରି କହିଲେ.....‘‘କୁହ, କିଏ ସେ, ପୁଣି କେଉଁଠି ରହନ୍ତି ?’’

 

ସେ ଲୋକଟି କହିଲା........‘‘ବିମଳାଙ୍କ ମନ୍ଦିର ପାହାଚ ତଳେ, କେଉଁଠୁ ଲୋକଟାଏ ନିତିଦିନ ଆସି ବସେ । ସେ ସମସ୍ତଙ୍କୁ କହୁଛି, ଏକା ଜଗନ୍ନାଥଙ୍କ ଛଡ଼ା, ଆଉ କେହି ତା’ଠାରୁ ବଳିଆର ନାହାଁନ୍ତି । ସେ ପୁଣି କହୁଛି, ଛାମୁ ଗଜପତି ନୁହଁନ୍ତି, ଗଧପତି !’’

 

ପାରିଷଦମାନେ ପାଟି କରି ଉଠିଲେ....‘‘ଲୋକଟାକୁ ଫାଶୀ ଦେବାକୁ ଆଜ୍ଞା ହେଉ ଛାମୁଁ । ଗଜପତିଙ୍କୁ ଗଧପତି କହିବ, ଏଡ଼େ ଆସ୍ଫର୍ଦ୍ଧା ।’’

 

ମତ୍ତଭାନୁ କହିଲେ....‘‘ତାହେଲେ ସେ ମହାପୁରୁଷଙ୍କୁ ଏଠାକୁ ଡାକିଆଣ । ଥରେ ତାକୁ ଦେଖିବା ।’’

 

ମତ୍ତଭାନୁଙ୍କ ମୁହଁରୁ ଆଦେଶ ବାହାରିଛି କି ନାହିଁ କପିଳ ରାଉତକୁ ଡାକି ଆଣିବା ପାଇଁ କେତେଜଣ ଚର ସଙ୍ଗେ ସଙ୍ଗେ ବିମଳାଙ୍କ ମନ୍ଦିର ଆଡ଼େ ଧାଇଁଗଲେ । କପିଳାକୁ ବି ଶାସ୍ତି ଦିଆଯିବ, ତାହା ଦେଖିବା ପାଇଁ ଉପସ୍ଥିତ ଜନତା ମଧ୍ୟରେ ଏକ ଚାଞ୍ଚଲ୍ୟ ସୃଷ୍ଟି ହୋଇଗଲା । ଯେଉଁମାନେ ଫେରି ଯାଉଥିଲେ ସେମାନେ ଏ ଘଟଣା ଶୁଣି, ପୁଣି ଭିଡ଼ ବାନ୍ଧି ଫେରି ଆସିଲେ ।

 

ମାତ୍ର କିଛି ସମୟ ପରେ ଚରମାନେ ଫେରିଆସି ଜଣାଇଲେ, କପିଳ ଏଠାକୁ ଆସିବା ପାଇଁ ନାସ୍ତି କରିଦେଲା । ଗଜପତିଙ୍କ ପ୍ରୟୋଜନ ଥିଲେ ସେ ନିଜେ ଆସନ୍ତୁ । ଛୋଟ ସହରେ ବଡ଼ କଥା; ଇତ୍ୟାଦି ।

 

ଏହାପରେ ? ଗଜପତି ସମ୍ଭବତଃ ପାଇକମାନଙ୍କୁ ଆଦେଶ ଦେବେ, ଲୋକଟାକୁ ଏଠାକୁ ଭିଡ଼ି ବାନ୍ଧି ଆଣିବା ପାଇଁ । ତାପରେ ସମ୍ଭବତଃ ସଙ୍ଗେ ସଙ୍ଗେ ତାକୁ ଶୂଳିଆ ପଦାକୁ ପଠାଇବା ପାଇଁ ଆଦେଶ ଦିଆଯିବ । ଏହି ନାଟକୀୟ ପରିସ୍ଥିତିରେ ସମସ୍ତେ ନୀରବ ହୋଇ ପଡ଼ିଲେ ।

 

ମାତ୍ର ମତ୍ତଭାନୁ ସ୍ମିତ ହସି କହିଲେ...‘‘ତା ହେଲେ ଆସନ୍ତୁ, ତାଙ୍କୁ ଦେଖିବା ପାଇଁ ଆମେ ଯିବା ।’’

 

ମତ୍ତଭାନୁ ଆଉ କୌଣସି କଥା ନ କହି, ବିମଳାଙ୍କ ମନ୍ଦିର ଆଡ଼େ ଚାଲିଲେ । ସୁଅ ଛୁଟିଲା ପରି ମତ୍ତଭାନୁଙ୍କ ପଛେ ପଛେ ଲୋକ ସୁଅ ଛୁଟିଲେ ।

 

ବିମଳାଙ୍କ ମନ୍ଦିର ପାହାଚ ତଳ ଅନ୍ଧାର । ସେହି ଅନ୍ଧାର ଭିତରେ, କପିଳ ରାଉତ ତଳକୁ ମୁଣ୍ଡ ନୁଆଁଇ ପୂର୍ବପରି ବସିଥିଲା । ଏତେ ଲୋକ ଭିଡ଼ରେ ଓ କୋଳାହଳରେ ସୁଦ୍ଧା ସେ ଉପରକୁ ମୁଣ୍ଡ ଟେକି ଚାହିଁଲା ନାହିଁ ।

 

ଜଣେ ପାରିଷଦ ଭର୍ତ୍ସନା ମିଶ୍ରିତ କଣ୍ଠରେ କହିଲେ...‘‘କିରେ କପିଳା, ତଳକୁ ମୁହଁମାଡ଼ି ଖୁଣ୍ଟପରି ବସିଛୁ । ସ୍ୱୟଂ ଗଜପତି ମହାରାଜା ପରା ବିଜେ ହୋଇଛନ୍ତି ।’’

 

କପିଳ ତଥାପି ଉଠିଲା ନାହିଁ କି ଚାହିଁଲା ନାହିଁ ।

 

ମତ୍ତଭାନୁ ଡାକିଲେ...‘‘କପିଳ ।’’

 

କପିଳ ତଳୁ ମୁହଁ ଉଠାଇ ମତ୍ତଭାନୁଙ୍କ ଆଡ଼େ ଚାହିଁଲା ।

 

ମତ୍ତଭାନୁ ପଚାରିଲେ...‘‘ମୋତେ ଚିହ୍ନୁଛ, ମୁଁ କିଏ ?’’

 

ମତ୍ତଭାନୁଙ୍କ ପ୍ରଶ୍ନରେ କପିଳ ପାଗଳ ପରି ଅଟ୍ଟହାସ କରି ଉଠିଲା ।

 

ମତ୍ତଭାନୁ ପଚାରିଲେ....‘‘ହସିଲ ଯେ !’’

 

କପିଳ କହିଲା......‘‘ଆପଣ ହସାଇଲେ ! ସାରା ଦେଶକୁ ତ ଆପଣ ହସାଉଛନ୍ତି ।’’

 

ମତ୍ତଭାନୁ ମୁହୂର୍ତ୍ତକ ପାଇଁ ନୀରବ ରହି କହିଲେ...‘‘ତୁମେ ଯାହା ଚାହିଁବ, ମୁଁ ଦେବାପାଇଁ ପ୍ରସ୍ତୁତ ଅଛି କପିଳ । କୁହ କ’ଣ ଲୋଡ଼ା ତମର ?’’

 

କପିଳ ଗମ୍ଭୀର କଣ୍ଠରେ କହିଲା...‘‘ମହାପ୍ରସାଦ କଣିକା ମୋ ପକ୍ଷରେ ଯଥେଷ୍ଟ, ମୋର ଆଉ କିଛି ଲୋଡ଼ା ନାହିଁ ।’’

 

ମତ୍ତଭାନୁ କହିଲେ...‘‘ଆଉ ଥରେ ଚିନ୍ତା କରି କୁହ କପିଳ । ଉତ୍କଳର ରାଜଭଣ୍ଡାର ଇଚ୍ଛା କଲେ ତୁମେ ଅକ୍ଳେଶରେ, ଏଇ ମୁହୂର୍ତ୍ତରେ ପାଇ ପାରିବ ।’’

 

କପିଳ ପୁଣି ପାଗଳ ପରି ହସି ଉଠିଲା । ମତ୍ତଭାନୁ ବିସ୍ମିତ କଣ୍ଠରେ ପଚାରିଲେ–‘‘ଏପରି ହସୁଛ କାହିଁକି ?’’

 

କପିଳ କହିଲା....‘‘ମୁଁ ତ ହୁଶାଙ୍ଗ ଘୋରୀ ନୁହେଁ, ଅର୍ଥ ଦେଇ ମୋତେ ସନ୍ତୁଷ୍ଟ କରିଦେବେ ।’’

 

ମତ୍ତଭାନୁଙ୍କ ମୁହଁ ଗମ୍ଭୀର ହୋଇଗଲା । ସେ ପଚାରିଲେ...‘‘ଆଉ ତା’ହେଲେ କ’ଣ ଲୋଡ଼ା ତମର ?’’

 

କପିଳ କହିଲା....‘‘ମୁଁ ଚାହେଁ ଉତ୍କଳର ଅଭ୍ୟୁଦୟ; ମୁଁ ଚାହେଁ ଉତ୍କଳର ସାମ୍ରାଜ୍ୟ, ମୁଁ ଚାହେଁ ଭାରତ ଖଣ୍ଡରେ ଉତ୍କଳର ପ୍ରତିଷ୍ଠା । ଆପଣ ତାହା ଦେଇ ପାରିବେ ?

 

ମତ୍ତଭାନୁ ନୀରବ ରହିଲେ । କପିଳ ପୁଣି ତଳକୁ ମୁଣ୍ଡ ନୁଆଇଁ ବସିଲା । କେତେକ କ୍ଷଣପରେ ମତ୍ତଭାନୁ କପିଳକୁ ତଳୁ ଉଠାଇ, ତା କାନ୍ଧରେ ହାତ ରଖି କହିଲେ...‘‘ଆସ କପିଳ; ତୁମର ସ୍ଥାନ ଆଉ ଏଠି ନୁହେଁ !’’

 

ତା’ପରେ ସେହିଦିନଠାରୁ ବିମଳାଙ୍କ ମନ୍ଦିର ପାହାଚ ତଳର କପିଳ ରାଉତ ହେଲେ କପିଳେନ୍ଦ୍ର ଭ୍ରମରବର ମହାପାତ୍ର । ସେହି କପିଳେନ୍ଦ୍ର ଭ୍ରମରବର ମହାପାତ୍ର ଆଜି ବୀର ଶ୍ରୀ ଗଜପତି ନବକୋଟି ଗୌଡ଼େଶ୍ୱର କର୍ଣ୍ଣାଟ କଳବର୍ଗେଶ୍ୱର ବୀରାଧିବୀରବର ଶ୍ରୀ ଶ୍ରୀ ଶ୍ରୀ କପିଳେନ୍ଦ୍ର ଦେବ !

 

ପାଞ୍ଚ

 

ରାତ୍ରି ପ୍ରଭାତ ପ୍ରାୟ ।

 

କୁମାର ପୁରୁଷୋତ୍ତମ ରାତାରାତି ଆସି କୃଷ୍ଣା କଳରେ ପହଞ୍ଚିଛନ୍ତି । କପିଳେନ୍ଦ୍ର ଦେବଙ୍କ ଶେଷ ନିଶ୍ୱାସ ବହିଯିବା ପାଇଁ ଆଉ ବେଶୀ ବିଳମ୍ୱ ନାହିଁ । ତାଙ୍କ ଶଯ୍ୟା ଚାରିପଟେ ଘେରି ଠିଆ ହୋଇଛନ୍ତି, ବିଶ୍ୱସ୍ତ ମନ୍ତ୍ରୀ ଗୋପୀନାଥ, କୁମାର ପୁରୁଷୋତ୍ତମ ଓ ଅନ୍ୟ ସେନାପତିମାନେ ।

 

କପିଳେନ୍ଦ୍ର ଗୋପୀନାଥଙ୍କ ଆଡ଼େ ଚାହିଁ କ୍ଷୀଣ କଣ୍ଠରେ କହିଲେ...‘ବିଦାୟ ଗୋପୀନାଥ, ବିଦାୟ ବନ୍ଧୁଗଣ, ପୁରୁଷୋତ୍ତମ ହେବ ଉତ୍କଳ ସିଂହାସନରେ ମୋର ଉତ୍ତରାଧିକାରୀ-। ଉତ୍କଳର ଜୟ ହେଉ, ଜଗନ୍ନାଥଙ୍କର ଇଚ୍ଛା ପୂର୍ଣ୍ଣ ହେଉ ।’’

 

ଜଗନ୍ନାଥ ନାମ ସ୍ମରଣ କରି, କପିଳେନ୍ଦ୍ରଙ୍କ ଶେଷ ପ୍ରାଣବାୟୁ କୃଷ୍ଣାକୂଳର ଅନନ୍ତ ମହାଶୂନ୍ୟରେ ମିଶିଗଲା ।

 

ସେନାପତିମାନେ ଗତପତିଙ୍କ ରାଜମୁକୁଟ, ପୁରୁଷୋତ୍ତମଦେବଙ୍କ ମସ୍ତକରେ ସ୍ଥାପନ କରି, ସମବେତ କଣ୍ଠରେ ଘୋଷଣା କଲେ...‘‘ଜୟ ଗଜପତି ବୀର ଶ୍ରୀ ଗୌଡ଼େଶ୍ୱର ନବକୋଟ କର୍ଣ୍ଣାଟ କଳବର୍ଗେଶ୍ୱର ବୀରାଧିବୀରବର ଶ୍ରୀ ଶ୍ରୀ ପୁରୁଷୋତ୍ତମଦେବଙ୍କ ଜୟ ।’

 

ପୂର୍ବ ଦିଗ୍‌ବଳୟରେ ଉଷାର ପ୍ରଥମ ପାଂଶୂଳ ଆଲୋକ ଧୀରେ ଧୀରେ ଫିଟି ଆସୁଥିଲା-। ବୃଦ୍ଧ ଗୋପୀନାଥଙ୍କ ଦୁଇ ଆଖି ଆଗରେ ଭାସି ଉଠୁଥିଲା, ଅତୀତରେ ଗତ ଚଉତ୍ରିଶ ବର୍ଷର ଇତିହାସ । ନବୋଦିତ ସୂର୍ଯ୍ୟଆଡ଼େ ଚାହିଁ ଗୋପୀନାଥ ଭାବୁଥିଲେ, ଉଦୟ, ଓ ଅସ୍ତ, ଉତ୍‌ଥାପନ ଓ ପତନର ଚିରନ୍ତନ ପଥରେ, ତୁମର ରଥ ଏହିପରି ଭାବରେ ଗଡ଼ି ଚାଲିଛି ଜଗନ୍ନାଥ ! ତୁମର ଜୟ ହେଉ ! ଉତ୍କଳର ଜୟ ହେଉ ।

 

ସନ୍ଧି ଓ ସର୍ତ୍ତ

 

ଆଜି ଏକାଦଶୀ । ସ୍ନାନ ପୂର୍ଣ୍ଣିମା ଆଉ ପାଞ୍ଚଦିନ ପରେ । ଶ୍ରୀ ଜଗନ୍ନାଥଙ୍କ ସ୍ନାନ ଯାତ୍ରା ଉପଲକ୍ଷେ ସାରା ଭାରତରୁ ଅଗଣିତ ଭକ୍ତ ଓ ଯାତ୍ରୀ ଏହି ସମୟରେ ପୁରୀ ଆସି ବଡ଼ ଦାଣ୍ଡରେ ରୁଣ୍ଡ ହୋଇଥାନ୍ତି । ଯାତ୍ରୀ ନିବାସ, ପାନ୍ଥଶାଳା ଓ ଚଟୀଘରମାନଙ୍କରେ ତିଳ ଧାରଣ ପାଇଁ ସୁଦ୍ଧା ସ୍ଥାନ ରହେନାହିଁ । ମାତ୍ର ଏ ବର୍ଷ ବଡ଼ଦାଣ୍ଡ ଶ୍ମଶାନ ପରି ନୀରବ ଓ ନିର୍ଜନ । ରାଜପୁତ ଜାୟଗିରିଦାର କେଶୋ ଦାସ ଦୁଇ ସପ୍ତାହ ପୂର୍ବେ ଜଗନ୍ନାଥଙ୍କ ମନ୍ଦିର ଆକ୍ରମଣ କରି ମନ୍ଦିରର ଅକଳିତ ସମ୍ପଦ ଲୁଣ୍ଠନ କରିବା ଉଦ୍ଦେଶ୍ୟରେ ଭିତରୁ ମନ୍ଦିରର ସିଂହଦ୍ୱାର ବନ୍ଦ କରି ଦେଇଅଛି । ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ଏକ ଦୁର୍ଗରେ ପରିଣତ ହୋଇଅଛି । ଖୋର୍ଦ୍ଧା ରାଜା ‘‘ଗଜପତି’’ ପୁରୁଷୋତ୍ତମ ଦେବ ମନ୍ଦିର ଆକ୍ରମଣର ସମ୍ୱାଦ ପାଇ ଦଶହଜାର ଅଶ୍ୱାରୋହୀ, ତିନିଲକ୍ଷ ପଦାତିକ ଓ ବହୁ ରଥ ଘେନି ଖୋର୍ଦ୍ଧାରୁ ପୁରୀ ଆସିଛନ୍ତି । ଅଠର ନଳା ଘାଟଠାରୁ ମନ୍ଦିର ପର୍ଯ୍ୟନ୍ତ ପୁରୁଷୋତ୍ତମଙ୍କ ସୈନ୍ୟମାନେ ଶିବିର ପକାଇ ରହିଛନ୍ତି । କେଶୋ ଦାସ ଭିତରୁ ମନ୍ଦିର ବନ୍ଦ କରି ରହିଅଛି । ପୁରୁଷୋତ୍ତମଙ୍କ ସୈନ୍ୟମାନେ ପାଚିରୀ ଡେଇଁ ମନ୍ଦିର ଭିତରକୁ ପଶିବା ପାଇଁ ଆପ୍ରାଣ ଚେଷ୍ଟା କରି ସୁଦ୍ଧା ପାରିନାହାନ୍ତି । ପ୍ରାଚିରୀ ଭାଙ୍ଗି ଭିତରକୁ ପଶିଗଲେ କେଶୋଦାସକୁ ଅକ୍ଳେଶରେ ପରାସ୍ତ କରି ହୁଅନ୍ତା । ମାତ୍ର ହିନ୍ଦୁ ପୁଣି ଓଡ଼ିଆ ହୋଇ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପାଚିରୀ ଭାଙ୍ଗିବା ପାଇଁ ଓଡ଼ିଆ ପାଇକମାନଙ୍କର ହାତ ଚଳୁନାହିଁ । ଆଜକୁ ଏକ ପକ୍ଷ ଧରି ଶ୍ରୀଜଗନ୍ନାଥଙ୍କ ସେବାପୂଜା ବନ୍ଦ । ଅଠର ନଳା ଘାଟ ବାହାରେ ବିଦେଶାଗତ ହଜାର ହଜାର ଯାତ୍ରୀ, ଜଗନ୍ନାଥ ଦର୍ଶନପାଇଁ ଅଟକି ପଡ଼ିଛନ୍ତି । ଅନେକ ମଧ୍ୟ ଅପେକ୍ଷା କରି କରି ନିରାଶ ହୋଇ ଫେରିଯାଉଛନ୍ତି । ପୁରୀ ଶ୍ରୀକ୍ଷେତ୍ର ଏକ ସାମରିକ ଶିବିରରେ ପରିଣତ ହୋଇଅଛି ।

 

ରାଜା ପୁରୁଷୋତ୍ତମ ଅବଶେଷରେ ବାଧ୍ୟ ହୋଇ ମୋଗଲ ଜାୟଗିରିଦାର କେଶୋ ଦାସଙ୍କ ସହିତ ସନ୍ଧି କରିବା ପାଇଁ ସନ୍ଧି ବିଗ୍ରହୀ ମୁକୁନ୍ଦ ରାୟଗୁରୁଙ୍କୁ ମନ୍ଦିର ଭିତରକୁ ପଠାଇଥିଲେ-। ଗତ ଦୁଇଦିନ ପୂର୍ବେ ମୁକୁନ୍ଦ ରାୟଗୁରୁ କେଶୋ ଦାସଙ୍କ ସହିତ ସନ୍ଧି ସର୍ତ୍ତ ଆଲୋଚନା ପାଇଁ ମନ୍ଦିର ଭିତରକୁ ଯାଇଥିଲେ ହେଁ, ଏପର୍ଯ୍ୟନ୍ତ ସେଠାରୁ ବାହାରି ନାହାନ୍ତି । ମୁକୁନ୍ଦ ରାୟଗୁରୁ ପ୍ରାଣରେ ଅଛନ୍ତି କି ନାହିଁ ସନ୍ଦେହ । ତାଙ୍କଠାରୁ କୌଣସି ସମ୍ୱାଦ ନ ପାଇ ରାଜା ପୁରୁଷୋତ୍ତମଦେବ ଘୋର ଚିନ୍ତାନ୍ୱିତ ହୋଇ ପଡ଼ିଛନ୍ତି । ହିନ୍ଦୁଧର୍ମଦ୍ରୋହୀ ମୁସଲମାନମାନେ ବାରମ୍ୱାର ଓଡ଼ିଶା ଆକ୍ରମଣ କରି ଯାହା କରି ନଥିଲେ, ରାଜପୁତ କୁଳ କଳଙ୍କ କେଶୋଦାସ ହିନ୍ଦୁ ହୋଇ ସୁଦ୍ଧା ତାହା କରିବା ପାଇଁ କୁଣ୍ଠିତ ହେଲେନାହିଁ । ଓଡ଼ିଶାର ଇଷ୍ଟଦେବ ଜଗନ୍ନାଥ ଗତ ଏକ ପକ୍ଷ ଧରି ଅପୂଜିତ ହୋଇ ପଡ଼ିଛନ୍ତି । ପୁରୁଷୋତ୍ତମ ଆହତ ବ୍ୟାଘ୍ର ପରି ଶିବିର ଭିତରେ, ଅସହାୟ ଭାବରେ କେବଳ ଏପାଖ ସେପାଖ ହେଉଛନ୍ତି । କେଶୋଦାସ ଶୁଣିଛନ୍ତି ଉତ୍କଳ–ସାମ୍ରାଜ୍ୟର ସବୁ ସମ୍ପଦ ଶ୍ରୀ ଜଗନ୍ନାଥଙ୍କ ଗନ୍ତାଘରର ଗଚ୍ଛିତ ରହିଅଛି । ସେତକ ଲୁଟ୍‌ କରିପାରିଲେ କେଶୋ ଦାସର ଅର୍ଥ ପିପାସା କେବଳ ଚରିତାର୍ଥ ହେବନାହିଁ; ଜଗନ୍ନାଥଙ୍କ ମନ୍ଦିର ଲୁଣ୍ଠନ କରିଥିବା ହେତୁ ଜାହାଙ୍ଗୀରଙ୍କ ଦରବାରରେ କେଶୋ ଦାସଙ୍କ ପାହିଆଟା ମଧ୍ୟ ବଢ଼ିଯିବ ।

 

ଜ୍ୟେଷ୍ଠ ମାସର ରୌଦ୍ର ଦଗ୍ଧ ମଧ୍ୟାହ୍ନ ପରେ ମହୋଦଧିର ଜଳକଣା ସିକ୍ତ ଶୀତଳ ସମୀରଣ ଦେହରେ ଚନ୍ଦନର ପ୍ରଲେପ ପରି ଲାଗୁଅଛି । ଅଳ୍ପକ୍ଷଣ ପୂର୍ବେ ସନ୍ଧ୍ୟା ହୋଇଅଛି । ଏହି ମୁହୂର୍ତ୍ତରେ ସନ୍ଧ୍ୟାରାତିର ଘଣ୍ଟ, ଘଣ୍ଟା, ଭେରୀ ତୁରୀ କାହାଳୀ ଓ ମାଦଳ ଧ୍ୱନିରେ ବଡ଼ଦାଣ୍ଡ ମୁଖରିତ ହୋଇପଡ଼େ । ମାତ୍ର କେଶୋ ଦାସ ମନ୍ଦିର ଅଧିକାର କଲାଦିନୁ ସନ୍ଧ୍ୟାରତି ବନ୍ଦ-। ସେଥିପାଇଁ ଏବେ ବଡ଼ ଦାଣ୍ଡରେ ଛୁଞ୍ଚିଟିଏ ତଳେ ପକାଇ ଦେଲେ ସୁଦ୍ଧା ଶୁଭିବ । ବେଳେବେଳେ ମହୋଦଧିର ଗର୍ଜ୍ଜନ ରାଜା ପୁରୁଷୋତ୍ତମ ଦେବଙ୍କ ନିଷ୍ଫଳ ଗର୍ଜ୍ଜନ ପରି ଶୁଭୁଛି । ନିର୍ମେଘ ଆକାଶରେ ଶୁକ୍ଳ ତିଥିର ଚନ୍ଦ୍ର ଧୀରେ ଧୀରେ ଉଇଁ ଆସିଲାଣି । ମୁକୁନ୍ଦ ରାୟଗୁରୁଙ୍କ ଅପେକ୍ଷାରେ ବୃଦ୍ଧ ମନ୍ତ୍ରୀ ସନାତନ ହରିଚନ୍ଦନ ମହାପାତ୍ର ସିଂହଦ୍ୱାରଠାରେ ଧାରଣା ଦେଲାପରି ବସିଛନ୍ତି । ଆଜି ଏକାଦଶୀ ବୋଲି କେତେଜଣ ବିଧବା ରମଣୀ ନିର୍ଜ୍ଜଳା ଏକାଦଶୀ ପାଳନ କରି ସକାଳୁ ସିଂହଦ୍ୱାର ତଳେ ମୁରୁଜ ପକାଇ ଅଖଣ୍ଡ ଦୀପ ଜାଳି ବସିଛନ୍ତି । ପ୍ରତି ଏକାଦଶୀରେ ଏମାନେ ସ୍ୱର୍ଗତ ସ୍ୱାମୀମାନଙ୍କ କଲ୍ୟାଣ କାମନାରେ ଏହିପରି ଅଖଣ୍ଡ ଦୀପଜାଳି ମନ୍ଦିର ବେଢ଼ା ଭିତରେ ବସନ୍ତି-। ରାତି ଅଧ ବେଳକୁ ମହାଦୀପ ଉଠିଲା ପରେ, ନିଜ ନିଜ ଘରକୁ ପୁଣି ଫେରନ୍ତି । ମାତ୍ର ମନ୍ଦିର ବନ୍ଦ ଥିବାରୁ ସେମାନେ ବାହାରେ ଅଖଣ୍ଡ ଦୀପ ଜାଳି ବସିଛନ୍ତି ।

 

ବୃଦ୍ଧ ସନାତନ ମନ୍ଦିର ପାଚେରୀ ଦେହରେ ଲାଗି, ପାଷାଣ ପ୍ରତିମୂର୍ତ୍ତି ପରି ନିଶ୍ଚଳ ପ୍ରତୀକ୍ଷାରେ ବସିଥିବା ସେହି ବିଧିବାମାନଙ୍କ ଆଡ଼େ ଚାହିଁ ଗୋଟିଏ ଦୀର୍ଘନିଶ୍ୱାସ ପକାଇଲେ ।

 

ଅଖଣ୍ଡ ଦୀପର ନିଷ୍ପନ୍ଦ ଶିଖା ଆଡ଼େ ଚାହିଁ କ’ଣ ଭାବୁଥିଲେ ସେମାନେ ? ଅତୀତର କଥା ? ...ବୃଦ୍ଧ ସନାତନ ମଧ୍ୟ ଚନ୍ଦାମୁଣ୍ଡରେ ଅସହାୟ ଭାବରେ ହାତ ବୁଲାଇ ଭାବୁଥିଲେ ଅତୀତର କଥା । ଓଡ଼ିଶା ଇତିହାସରେ ଅସହାୟ ଭାବରେ ହାତ ବୁଲାଇ ଭାବୁଥିଲେ ଅତୀତର କଥା । ଓଡ଼ିଶା ଇତିହାସରେ ଏହାପରେ, ଅତୀତର ରୋମନ୍ଥନରେ ହିଁ ବର୍ତ୍ତମାନର ଉଦରଜ୍ଜ୍ୱାଳା ନିବାରଣ କରିବା ପାଇଁ ପଡ଼ିବ । ସନାତନ ହରିଚନ୍ଦନ ମହାପାତ୍ର ସ୍ଥାଣୁ ମୂର୍ତ୍ତି ପରି ନିଶ୍ଚଳ ଭାବରେ ବସି ସେହି ଅତୀତର ରୋମନ୍ଥନ କରୁଥିଲେ ।

 

କାହାନ୍ତି ଆଜି ନବକୋଟ କର୍ଣ୍ଣାଟ, କଳବର୍ଗେଶ୍ୱର ଗୌଡ଼େଶ୍ୱର ଗଜପତିମାନେ ? ଗଜପତି ଆଜି କେବଳ ଏକ ପଦବୀ । କାବେରୀଠାରୁ ଗଙ୍ଗା ପର୍ଯ୍ୟନ୍ତ ବିସ୍ତୃତ ସାମ୍ରାଜ୍ୟର ଗଜପତି ଆଜି ମୋଗଲ ଦରବାରେ ସାମାନ୍ୟ ଦରବାରୀ, ତିନିହଜାର ପାଞ୍ଚଶହ ଅଶ୍ୱାରୋହୀଙ୍କ ମନ–ସୁବେଦାର ! ଯେଉଁ ଇଷ୍ଟଦେବ ଜଗନ୍ନାଥ ଗଜପତି କପିଳେନ୍ଦ୍ରଙ୍କ ପକ୍ଷ ଧରି ବାହାମନି ଓ ଗୋଲକୁଣ୍ଡାର ଯବନ ବାହିନୀ ବିରୁଦ୍ଧରେ ଲଢ଼ି ଦକ୍ଷିଣରେ କଳିଙ୍ଗର ବିଜୟ ଧ୍ୱଜା ଉଡ଼ାଇ, କପିଳେନ୍ଦ୍ରଙ୍କଠାରୁ ଗୋପ ପୁଣ୍ଡରୀକ ଶାଢ଼ୀ ଭେଟି ପାଇଥିଲେ; ପୁଣି ଗଜପତି ପୁରୁଷୋତ୍ତମଙ୍କ ମାନରକ୍ଷା ପାଇଁ ଯେଉଁ ପୁରୁଷୋତ୍ତମ ସାମାନ୍ୟ ସୈନିକପରି କାଞ୍ଚି ରଣକ୍ଷେତ୍ରକୁ ଧାଇଁଥିଲେ ଆଜି ସେ ସୁଦ୍ଧା ବନ୍ଦୀ । ହିନ୍ଦୁ ବିଦ୍ୱେଷୀ କଳାପାହାଡ଼ର ଉତ୍ପୀଡ଼ନରେ ଜଗନ୍ନାଥ ସିନା ପଳାତକ ହୋଇଥିଲେ; ହିନ୍ଦୁ କେଶୋଦାସର ଅତ୍ୟାଚାରରେ ଜଗନ୍ନାଥ ଆଜି ବନ୍ଦୀ ହୋଇଛନ୍ତି ।

 

କିନ୍ତୁ ଉତ୍କଳ ଭାଗ୍ୟରେ ଆଜି ଏ ଦାରୁଣ ବଜ୍ରାଘାତ କାହିଁକି ଜଗନ୍ନାଥ ? କେଉଁ ପାପ ଫଳରେ ଉତ୍କଳ ଆଜି ଏପରି ଲାଞ୍ଛିତ ଓ ନିପୀଡ଼ିତ ? ସନାତନ ବାରମ୍ୱାର ନିଜକୁ ନିଜେ ଏ ପ୍ରଶ୍ନ ପଚାରିଛନ୍ତି । କିନ୍ତୁ ପ୍ରତିଥର କେବଳ ଗୋଟିଏ ଅସହାୟତା ପୀଡ଼ିତ ଦୀର୍ଘଶ୍ୱାସ ତାଙ୍କୁ ଯେପରି ତାଙ୍କ ପ୍ରଶ୍ନର ନୀରବ ଉତ୍ତର ଦେଇଅଛି ।
 

ବୃଦ୍ଧ ସନାତନ ବସିବସି ଅତୀତର ରୋମନ୍ଥନ କରୁଥିଲେ ।

 

...ଉତ୍କଳ ସିଂହାସନରେ ଭିତ୍ତିଥିଲା ତ୍ୟାଗ ଓ ବୈରାଗ୍ୟ । ଚେଦୀ ବଂଶର ଖାରବେଳ ଉତ୍ତରା–ଖଣ୍ଡର ବହୁ ଅଞ୍ଚଳ ଜୟ କରି କଳିଙ୍ଗ ସାମ୍ରାଜ୍ୟକୁ ସୁଦୂରପ୍ରସାରୀ କରିଥିଲେ ସୁଦ୍ଧା, ସ୍ୱେଚ୍ଛାରେ ସିଂହାସନ ଛାଡ଼ି ସନ୍ନ୍ୟାସ ଗ୍ରହଣ କରିଥିଲେ । ଅନଙ୍ଗଭୀମଦେବ ରାଜାହେଲାବେଳେତ ଅଭିଷିକ୍ତ ହେବାପାଇଁ ମନାକରି ଦେଇଥିଲେ । ଯେଉଁ ଦେଶରେ ସ୍ୱୟଂ ଜଗନ୍ନାଥ ବିଦ୍ୟମାନ ସେଠାରେ ସେ ରାଜା ରୂପେ ଅଭିଷିକ୍ତ ହେବେ କିପରି ? କେଶରୀମାନେ ଭୌମମାନଙ୍କ ଠାରୁ ଉତ୍କଳର ସିଂହାସନ ଅଧିକାର କଲାବେଳେ ଉତ୍କଳ ଭୂମିରେ ଏକ ବିନ୍ଦୁ ରକ୍ତପାତ ସୁଦ୍ଧା ହୋଇ ନଥିଲା । ଭୌମମାନେ ଶ୍ରଦ୍ଧାରେ କେଶରୀମାନଙ୍କୁ ସିଂହାସନ ଅର୍ପଣ କରି ପ୍ରବଜ୍ଜ୍ୟା ଅବଲମ୍ୱନ କରିଥିଲେ । କେଶରୀମାନଙ୍କର ସ୍ୱେଚ୍ଛାକୃତ କ୍ଷମତା ପରିହାର ହେତୁ ଉତ୍କଳ ଇତିହାସରେ ଗଙ୍ଗବଂଶର ପ୍ରତିଷ୍ଠା ସମ୍ଭବ ହୋଇ ପାରିଥିଲା । ଗଙ୍ଗବଂଶର ଭାଗ୍ୟରବି ଅସ୍ତମିତ ହେବାପରେ ସୂର୍ଯ୍ୟବଂଶର ପ୍ରତିଷ୍ଠାବେଳେ ଉତ୍କଳଭୂମି କ୍ଷମତା ପାଇଁ ସଂଗ୍ରାମର ରକ୍ତପାତରେ କଳଙ୍କିତ ହୋଇ ନ ଥିଲା । ଭୌମମାନଙ୍କଠାରୁ ଗଙ୍ଗମାନଙ୍କ ପର୍ଯ୍ୟନ୍ତ ଭକ୍ତିବିନମ୍ର ଓ ତ୍ୟାଗପୂତ ଚିତ୍ତରେ, ଉତ୍କଳ ଲକ୍ଷ୍ମୀଙ୍କ ପାଦ ବନ୍ଦନା ପାଇଁ କେତେ ରାଜବଂଶ ଆସିଛନ୍ତି ପୁଣି ଇତିହାସର ଯବନିକା ଅନ୍ତରାଳରେ କେତେ ରାଜବଂଶ ଅନ୍ତର୍ହିତ ହୋଇଛନ୍ତି । ଉତ୍କଳ ଲକ୍ଷ୍ମୀଙ୍କ ଶ୍ରୀମନ୍ଦିରକୁ ସମସ୍ତେ କୀର୍ତ୍ତିରେ, କଳାରେ, ସାହିତ୍ୟରେ, ଆଧ୍ୟାତ୍ମିକ ସାଧନାରେ ସମୁଜ୍ଜ୍ୱଳ କରି ଯାଇଛନ୍ତି । ମାତ୍ର କେଶୋ ଦାସ ପରି ଉତ୍କଳକୁ କେହି ଲୁଣ୍ଠନ କରିନାହାନ୍ତି ।

 

ଉତ୍କଳ ଇତିହାସର କି କୁକ୍ଷଣରେ, ଗୋବିନ୍ଦ ବିଦ୍ୟାଧରଙ୍କର ଆବିର୍ଭାବ ହୋଇଥିଲା କେଜାଣି ! ଆତତାୟୀ ଗୋବିନ୍ଦ ବିଦ୍ୟାଧର ଯେଉଁଦିନୁ ନୀଚ ବିଶ୍ୱାସଘାତକତାରେ ସୂର୍ଯ୍ୟ ବଂଶର ଶେଷ ବଂଶଧରମାନଙ୍କୁ ହତ୍ୟା କରି, ଉତ୍କଳ ସିଂହାସନରେ ଅଭିଷିକ୍ତ ହେଲା, ସେହିଦିନୁ ଉତ୍କଳ ଇତିହାସରେ ଦୂର୍ଯ୍ୟୋଗର ଆରମ୍ଭ । ମାତ୍ର ଭୋଇବଂଶ କ’ଣ ତିଷ୍ଠିପାରିଲେ ? ବିଶ୍ୱାସଘାତକତା ଓ ବନ୍ଧୁହତ୍ୟାରେ ଯେଉଁ ସିଂହାସନ ଆହୃତ ହୋଇଥିଲା ବିଶ୍ୱାସଘାତକତା ଓ ବନ୍ଧୁହତ୍ୟାର ରକ୍ତପ୍ଳାବନ ମଧ୍ୟରେ ସେ ସିଂହାସନ କାଠିକୁଟାପରି ଭାସିଗଲା । ଯେଉଁ ସିଂହାସନ ତ୍ୟାଗ ଓ ବୈରାଗ୍ୟ ଉପରେ ପ୍ରତିଷ୍ଠିତ ହୋଇଥିଲା, ସେହି ସିଂହାସନ ପାଇଁ ପୁତ୍ର ପିତୃହତ୍ୟା ପାଇଁ ସୁଦ୍ଧା କୁଣ୍ଠିତ ହେଲା ନାହିଁ । ଚକ୍ରପ୍ରତାପଙ୍କୁ ହତ୍ୟାକରି ତାଙ୍କ ପୁତ୍ର ନରସିଂହ ସିଂହାସନରେ ବସିଲେ । ନରସିଂହ ଜେନା ପିତୃରକ୍ତରେ ଅଭିଷିକ୍ତ ହୋଇ ବା କେତକାଳ ରହିପାରିଲେ ? ଭାଇ ରଘୁନାଥ ଜେନାଙ୍କ ସହିତ ସିଂହାସନ ପାଇଁ ଲାଗିଲା ଗୃହବିବାଦ । ତେଲେଙ୍ଗା ମୁକୁନ୍ଦଦେବ ଏହି ପରିସ୍ଥିତିର ସୁଯୋଗ ନେଇ, ସେହି ବିଶ୍ୱାସଘାତକତା ଦ୍ୱାରା ପୁଣି ଉତ୍କଳ ସିଂହାସନ ଅଧିକାର କଲେ ।

 

ମୁକୁନ୍ଦଦେବ ହୁଅନ୍ତୁ ପଛେ ବିଶ୍ୱାସଘାତକ, ତାଙ୍କ ସ୍ମୃତିରେ ବୃଦ୍ଧ ସନାତନଙ୍କ ଦୁଇଚକ୍ଷୁ ଅଶ୍ରୁସିକ୍ତ ହୋଇଗଲା । ଉତ୍କଳ ଇତିହାସରେ ସେ ଶେଷ ସ୍ୱାଧୀନ ନରପତି, ଉତ୍କଳର ଶେଷ ସଂଗ୍ରାମର ସେ ଶେଷ ସେନାପତି ! ମୁକୁନ୍ଦଦେବଙ୍କ ଉଦ୍ଦେଶ୍ୟରେ ବୃଦ୍ଧ ସନାତନ କପାଳରେ ଦୁଇ ହାତଯୋଡ଼ି ନମସ୍କାର ଜଣାଇଲେ । କର୍ମଫଳର ଅଭିଶାପ କି ନିଷ୍ଠୁର ! ମୁକୁନ୍ଦଦେବ ପ୍ରାଣ ହରାଇଲେ ଘରଶତ୍ରୁ ସାରଙ୍ଗଗଡ଼ର ସେନାପତି ରାମଚନ୍ଦ୍ରଭଞ୍ଜ ହାତରେ–ବହିଃଶତ୍ରୁ ସୁଲେମାନ୍‌ କିରାଣି ହାତରେ ନୁହେଁ । ବିଶ୍ୱାସଘାତକତା, ପିତୃହତ୍ୟା, ଭାତୃହତ୍ୟା, ବନ୍ଧୁହତ୍ୟାର ନୃଶଂସ ନାରକୀୟ ଅନ୍ଧକାର ମଧ୍ୟରେ ଉତ୍କଳର ଭାଗ୍ୟ ସୂର୍ଯ୍ୟ ଏହିପରି ଭାବରେ ଅସ୍ତମିତ ହୋଇଗଲା ।

 

ରାତ୍ରି ପ୍ରଥମ ପ୍ରହାର ଉତ୍ତୀର୍ଣ୍ଣ ହୋଇଗଲାଣି । ବୃଦ୍ଧ ସନାତନ ଗୋଟିଏ ଦୀର୍ଘ ନିଶ୍ୱାସ ପକାଇ ଉଠି ଠିଆ ହେଲେ । ମନ୍ଦିରରେ ଆଜି ମହାଦୀପ ଉଠିବ ନାହିଁ । ତଥାପି ଅଶରୀରୀ ଛାୟା ପରି ଅଖଣ୍ଡଦୀପ ଜାଳି ଏ ବିଧବାମାନେ ଆଉ କେତେ ସମୟ ଏଠାରେ ବସି ରହିବେ କେଜାଣି ? ସନାତନ ଧୀରେ ଧୀରେ ରାଜା ପୁରୁଷୋତ୍ତମଙ୍କ ଶିବିର ଆଡ଼େ ଚାଲିଲେ । ମୁକୁନ୍ଦ ରାୟଗୁରୁ ତଥାପି ମନ୍ଦିରରୁ ବାହାରି ନଥିଲେ; କିମ୍ୱା ତାଙ୍କର କୌଣସି ସମ୍ୱାଦ ନଥିଲା ।

 

ଦୁଇ

 

ମନ୍ଦିରର ମେଘନାଦ ପାଚେରୀ ଉପରେ ଯମଦୂତ ପରି ନିଆଁ ହୁଳା ଓ କମାଣ ଧରି କେଶୋ ଦାସଙ୍କ ରାଜପୁତ ଦସ୍ୟୁମାନେ ଠିଆହୋଇଛନ୍ତି । ପୁରୁଷୋତ୍ତମଦେବଙ୍କ ପାଇକମାନେ ରଥମାନଙ୍କରେ ଚଢ଼ି ପାଚେରୀ ଅତିକ୍ରମ କରିବା ପାଇଁ ଚେଷ୍ଟା କରିଥିଲେ । ମାତ୍ର କେଶୋ ଦାସଙ୍କ ସୈନ୍ୟମାନେ ନିଆଁହୁଳା ଲଗାଇ ଏହି ରଥମାନଙ୍କୁ ପୋଡ଼ି ଦେଇଥିଲେ । ତୋପ ଓ କମାଣରେ କେତେ ରଥ ମଧ୍ୟ ଧ୍ୱଂସ ହୋଇଥିଲା । ବଡ଼ଦାଣ୍ଡଯାକ ସେହି ରଥର ପୋଡ଼ାକାଠମାନ ଇତଃସ୍ତତ ବିକ୍ଷିପ୍ତ ହୋଇପଡ଼ିଛି ।

 

ଗୁଣ୍ଡିଚା ଘରଠାରୁ ଅଳ୍ପ ଦୂରରେ ଗୌଡ଼ରୁ ଆସିଥିବା ଦଳେ ଯାତ୍ରୀ ଜ୍ୟୋତ୍ସ୍ନାଲୋକରେ ବସି କୀର୍ତ୍ତନ କରୁଛନ୍ତି । ମୃଦଙ୍ଗ ଓ ମନ୍ଦିରାର ଧ୍ୱନି ସହିତ ନାମକୀର୍ତ୍ତନ ସେହି ପରିବେଶରେ କିପରି କିମ୍ଭୁତ ଶୁଭୁଅଛି । ଅଠରନଳା ଘାଟ ପାଖରେ ପ୍ରହରୀମାନେ ରହି ସହର ଭିତରକୁ କୌଣସି ଯାତ୍ରୀ ଛାଡ଼ୁନଥିଲେ ହେଁ, ଏମାନେ ଚୈତନ୍ୟଙ୍କ ଲୀଳାଭୂମି ଗୌଡ଼ର ବୈଷ୍ଣବ ବୋଲି ପ୍ରହରୀମାନେ ସେମାନଙ୍କୁ ସମ୍ଭବତଃ ଛାଡ଼ି ଦେଇଛନ୍ତି । ନାମକୀର୍ତ୍ତନ ପାଖରେ ଅସମ୍ଭବ ଲୋକଭିଡ଼ । ଜଣେ ମହନ୍ତ ଶ୍ରେଣୀର ପୃଥୁଳାକାୟ ବୈଷ୍ଣବଭକ୍ତ ନାରୀ ବେଶରେ ସାଜ ହୋଇ, ସୁଲଳିତ କଣ୍ଠରେ ବୈଷ୍ଣବ ପଦାବଳୀ କୀର୍ତ୍ତନ କରୁଛନ୍ତି । କୀର୍ତ୍ତନ ଶୁଣି ବହୁ ଭକ୍ତଙ୍କର ଦୁଇ ଚକ୍ଷୁରୁ ବର୍ଷା ଧାରାପରି ଲୋତକ ଧାର ବହି ଯାଉଅଛି । ପଦାବଳୀର ଅର୍ଥ ଅନ୍ୟ ଜଣେ ଉତ୍କଳୀୟ ଭକ୍ତ ଓଡ଼ିଆରେ ବୁଝାଇ ଦେଇଛନ୍ତି । ଅଶ୍ରୁ, ଭକ୍ତି, ଓ ପୁଳକରେ ସମସ୍ତେ ଆତ୍ମଜ୍ଞାନ ଶୂନ୍ୟହୋଇ ପଡ଼ିଛନ୍ତି । ଶ୍ରୋତାମାନଙ୍କ ମଧ୍ୟରେ ଅଧିକାଂଶ ପାଇକ । କେଶୋ ଦାସକୁ ତଡ଼ିବାପାଇଁ ଏମାନେ ପୁରୁଷୋତ୍ତମଦେବଙ୍କ ସଙ୍ଗରେ ଖୋର୍ଦ୍ଧାରୁ ପୁରୀ ଆସିଥିଲେ । ଗୌଡ଼ଦେଶୀ ବୈଷ୍ଣବ ମହନ୍ତ ଅଶ୍ରୁ କମ୍ପିତ କଣ୍ଠରେ ଗାଇଲେ.....

 

‘‘କୁଟିଲ ପ୍ରେମା ଅଗେୟାନ

ନାହିଁ ଜାନେ ସ୍ଥାନାସ୍ଥାନ,

ଭାଲ–ମନ୍ଦନାରେ ବିଚାରିତେ ।

କ୍ରୂର–ଶଠେର ଗୁଣଡ଼ୋରେ

ହାଥେ–ଗଲେ ବାନ୍ଧି ମୋରେ,

ରାଖିଆଛେ ନାରି ଉକାଶିତେ

ସଖି ହେ..........’’

 

ଉତ୍କଳୀୟ ଭକ୍ତ ପଦାବଳୀର ତର୍ଜମା କରି ବୁଝାଇଲେ, ବିରହ ବିଧୂରା ରାଧା ସଖୀଙ୍କୁ କହୁଛନ୍ତି ‘‘ହେ ସଖି ! ପ୍ରେମ ସ୍ୱଭାବରେ କୁଟୀଳ ପୁଣି ଜଡ଼ବସ୍ତୁ ହେତୁ ଅଜ୍ଞାନ । ତାହାର ଭଲମନ୍ଦ ଜ୍ଞାନ ନାହିଁ । ଥିଲେ ମୋର ଏ ଦୁର୍ଦ୍ଦଶା ହୋଇ ନଥାନ୍ତା । ତୁମ୍ଭେମାନେ ଯେ ମୋତେ ଶ୍ରୀକୃଷ୍ଣଙ୍କୁ ଭୁଲିଯିବାକୁ କହୁଅଛ, ସେଥିରେ ମୋର କ’ଣ ଚାରା ଅଛି ? କାରଣ ସେହି ଶଠ ଚୂଡ଼ାମଣିଙ୍କ ରୂପ ଗୁଣ ଦଉଡ଼ିପରି ମୋହର ସର୍ବାଙ୍ଗକୁ ବାନ୍ଧି ପକାଇ ଅଛି । ମୁଁ ସେଥିରୁ ଫିଟିପାରୁନାହିଁ ।’’

 

ଗୌଡ଼ୀୟ ବୈଷ୍ଣବ ବାଁ କାନରେ ହାତରଖି ଡାହାଣ ହାତଲମ୍ୱାଇ ଆଉ ପଦେ ଗାଇବା ପାଇଁ ପୁଣି ରାହା ଧରିଲେ...‘‘ସଖିହେ...’’ ଏତିକିବେଳେ ହଠାତ୍‍ ସମବେତ ଜନତା ଭିତରୁ ‘‘ପାଣି, ପାଣି’’ ବୋଲି ଚିତ୍କାର ଓ କୋଳାହଳ ଉଠିଲା । ସେହି କୋଳାହଳ ଭିତରେ ଗୌଡ଼ୀୟ ବୈଷ୍ଣବ ଭକ୍ତଙ୍କ ପଦାବଳୀଗାନ ବନ୍ଦ ହୋଇଗଲା । ପଦାବଳୀ ଶୁଣୁ ଶୁଣୁ ଜଣେ ଭକ୍ତ ସମ୍ଭବତଃ ଶ୍ୟାମ ବିରହ ଜ୍ୱାଳାରେ ଜର୍ଜରିତ ହୋଇ ଚୈତନ୍ୟ ଶୂନ୍ୟ ହୋଇ ବସୁ ବସୁ ପଡ଼ିଗଲେ । ତାଙ୍କ ଚୈତନ୍ୟ ଫେରାଇ ଆଣିବା ପାଇଁ, ସମସ୍ତା ‘‘ପାଣି ପାଣି’’ ବୋଲି କୋଳାହଳ କରୁଥିଲେ । ସନାତନ ହରିଚନ୍ଦନ ଏତେ ସମୟ ଧରି ଅଦୂରରେ ଠିଆ ହୋଇ ବୈଷ୍ଣବ ଭକ୍ତମାନଙ୍କ ନାମକୀର୍ତ୍ତନ ଶୁଣୁଥିଲେ ଆଉ ଗଭୀର ଦୁଃଖରେ ଓ କ୍ଷୋଭରେ ଦୀର୍ଘ ନିଶ୍ୱାସ ପକାଉଥିଲେ । ଶ୍ରୀ ଚୈତନ୍ୟଙ୍କ ଭକ୍ତି ଓ ପ୍ରେମବାଦର ତାତ୍ତ୍ୱିକ ଅର୍ଥ ଯାହା ହେଉନା କାହିଁକି, ଗୋଟାଏ ଜାତି, ଗୋଟାଏ ଦେଶ ସେଥିରେ ମାତି ଏପରି ଭାବେ ତଳି ତଳାନ୍ତ ହୋଇଗଲା । ରାଧା ଓ କୃଷ୍ଣ, ଜୀବୀତ୍ମା ଓ ପରାତ୍ମାର ସଙ୍କେତ । ତର୍କରେ ନୁହେଁ, ସଂଶୟରେ ନୁହେଁ, ବିଚାରରେ ନୁହେଁ, କେବଳ ଶ୍ରଦ୍ଧା, ବିଶ୍ୱାସ ଓ ଆତ୍ମ ନିବେଦନ ମଧ୍ୟରେ ହିଁ ରାଧା ସ୍ୱରୂପିଣୀ ଜୀବାତ୍ମା କୃଷ୍ଣରୂପୀ ପରାତ୍ମାଙ୍କ ସାମୀପ୍ୟ ଓ ସାଯୁଜ୍ୟ ପ୍ରାପ୍ତ ହୁଏ । ପ୍ରେମବାଦର ଏ ନୂତନ ସହଜିଆ ଧର୍ମ ଭିତରେ ଯୁଗ ଯୁଗ ବ୍ୟାପୀ ନିଗୃହୀତ ଏକ ଉଗ୍ରକାମନା ଓ ଦୈହିକ ବାସନା ଉଦ୍‌ଗତ ହୋଇ, ମନୁଷ୍ୟର ସଂଯମ ଓ ସାଧନାରେ ସହାୟକ ହେବା ପରିବର୍ତ୍ତେ, ଅଧୋଗାମୀ ହୋଇ ଗୋଟାଏ ଜାତିକୁ ଏହିପରି ବିକାରଗ୍ରସ୍ତ କରିଅଛି । ଯେଉଁମାନଙ୍କ ସମର କୁହାଟରେ ଗଙ୍ଗାଠାରୁ କାବେରୀ ପର୍ଯ୍ୟନ୍ତ ଭୂମି ପ୍ରକମ୍ପିତ ହେଉଥିଲା, ଯେଉଁମାନଙ୍କ ପୌରୁଷ ଓ ପରାକ୍ରମ ଭାରତଭୂମିରେ ଏକା ଉତ୍କଳକୁ ଜବନମାନଙ୍କ ଆକ୍ରମଣ ଓ ଉତ୍ପୀଡ଼ନରୁ ରକ୍ଷା କରି ପାରିଥିବା ହେତୁ, ଏହାର ପ୍ରତି ଧୂଳିକଣା ପ୍ରତି ହିନ୍ଦୁ ପକ୍ଷରେ ପବିତ୍ର ତୀର୍ଥରେଣୁ ହୋଇଥିଲା, ସେ ଜାତି ଆଜି କପାଳରେ ରସକଲି ଚିତାପିନ୍ଧି, ନାମ କୀର୍ତ୍ତନ ଶୁଣୁ ଶୁଣୁ ଏହିପରି ମୂର୍ଚ୍ଛାଗ୍ରସ୍ତ ହେଉଅଛି !

 

ଭକ୍ତଙ୍କର ମୂର୍ଚ୍ଛା ତଥାପି ଭାଙ୍ଗିଲା ନାହିଁ । ଗୌଡ଼ୀୟ ବୈଷ୍ଣବ ମହନ୍ତ ମୂର୍ଚ୍ଛାଗ୍ରସ୍ତ ଭକ୍ତଙ୍କ ପାଖକୁ ଆସି ତାଙ୍କ ଦେହରେ ହାତ ବୁଲାଇ କହିଲେ...‘‘ତୁମେମାନେ ସବୁ ପାଗଳ ! ଏହାଙ୍କ ମୂର୍ଚ୍ଛା ପାଣିରେ କଟିବ ନାହିଁ । କେତେ କଳ୍ପ, କଳ୍ପାନ୍ତର ପରେ ମୁଁ ତାଙ୍କୁ ଚିହ୍ନୁଚି ଆଜି । ଏ ଥିଲେ ଅଷ୍ଟସଖୀଙ୍କ ମଧ୍ୟରୁ ଜଣେ ସଖୀ–ବୃନ୍ଦା ! ସଖୀ ତମେ ପରମ ଭାଗ୍ୟବତୀ ! ଶ୍ୟାମନାମ ଶୁଣୁ ଶୁଣୁ ମୂର୍ଚ୍ଛାଗଲ, ମାତ୍ର ଶ୍ୟାମ ନାମ ଗାଇ ଗାଇ ମୋର କଣ୍ଠ ପଡ଼ିଗଲା ! ଏହାଙ୍କର ମୂର୍ଚ୍ଛା କ’ଣ ଏପରି କଟିବ ? ଉଶୀର ବ୍ୟଜନ, ନୀଳ ଯମୁନା ନୀର, ଶ୍ୟାମ ବଂଶୀନାଦ ପୁଣି ଶ୍ରୀରାଧାଙ୍କ ଲୀଳା କମଳର ସ୍ପର୍ଶ ନ ଲାଗିଲେ ଏ ମୂର୍ଚ୍ଛା ଭାଙ୍ଗିବ ନାହିଁ !’’

 

ଉଶୀର ବ୍ୟଞ୍ଜନ କେଜାଣି କୋଉଠି ମିଳିପାରେ, ମାତ୍ର ଯମୁନା ନୀର ବା ଲୀଳା କମଳ ଏଠି ମିଳିବ କେଉଁଠୁ ? ସମସ୍ତେ କିଂକର୍ତ୍ତବ୍ୟବିମୂଢ଼ ହୋଇ ଭକ୍ତଙ୍କର ପ୍ରାଣ ବଞ୍ଚାଇବା ପାଇଁ ଗୌଡ଼ୀୟ ବୈଷ୍ଣବଙ୍କୁ ନିବେଦନ କଲେ । ଗୌଡ଼ୀୟ ବୈଷ୍ଣବ ନୀରବରେ ବସି ଭକ୍ତଙ୍କ ଦେହ ଉପରେ ହାତ ବୁଲାଉଥାନ୍ତି, ଭକ୍ତ ଧୀରେ ଧୀରେ ଆଖି ମେଲି ଉଠି ବସିଲେ । ଭକ୍ତଙ୍କ ମୂର୍ଚ୍ଛା ଏତେ ସହଜରେ ଓ ବୈଷ୍ଣବ ମହାରାଜାଙ୍କ ସ୍ପର୍ଶମାତ୍ରେ ଭାଙ୍ଗିବା ଦେଖି ସମବେତ ଭକ୍ତ ମଣ୍ଡଳୀ ‘‘ହରି ବୋଲ’’ ଧ୍ୱନିରେ ବଡ଼ ଦାଣ୍ଡ କମ୍ପାଇ ଦେଲେ । ମୂର୍ଚ୍ଛା ଗ୍ରସ୍ତ ଭକ୍ତ ଯେ ବୃନ୍ଦା, ସେଥିରେ ଆଉ କାହାରି ସନ୍ଦେହ ରହିଲା ନାହିଁ । ସେହିଦିନୁ ତାଙ୍କ ନାମ ହେଲା ବୃନ୍ଦାଦାସ ।

 

ବୃନ୍ଦାଦାସ ନିର୍ବୋଧପରି ଲୋକ କୋଳାହଳ ଓ ଠେଲାପେଲା ମଧ୍ୟରେ ଉଠି ଠିଆ ହେଲେ । ଗୌଡ଼ୀୟ ବୈଷ୍ଣବ ତାଙ୍କୁ ଆଲିଙ୍ଗନ କରି ଗଦଗଦ କଣ୍ଠରେ କହିଲେ...‘‘ସଖୀ, ବୃନ୍ଦେ ! ମୋତେ ଚିହ୍ନିପାରିଲ ନାହିଁ; ମାତ୍ର କଳ୍ପ କଳ୍ପାନ୍ତର ପରେ ମୁ ତୁମକୁ ଆଜି ଚିହ୍ନିଲି । ମୋତେ ଚିହ୍ନୁଚ ? ମୁଁ ଯେ ଲଳିତା !’’

 

ଗୌଡ଼ୀୟ ବୈଷ୍ଣବଙ୍କ ବାହୁପାଶ ମଧ୍ୟରେ ବୃନ୍ଦାଦାସଙ୍କୁ ଜ୍ୟୋତ୍ସ୍ନାର ଅସ୍ପଷ୍ଟ ଆଲୋକରେ ଦେଖିପାରି, ସନାତନ ଚମକି ପଡ଼ିଲେ । ଏ ଯେ ଖୋର୍ଦ୍ଧାର ଗୋବିନ୍ଦ ବାହୁବଳେନ୍ଦ୍ର ସିଂହ...... ଖୋର୍ଦ୍ଧା ରାଜାଙ୍କ ଜଣେ ସେନାପତି । କେଶୋ ଦାସ ବିରୁଦ୍ଧରେ ଲଢ଼େଇ କରିବା ପାଇଁ ରାଜା ପୁରୁଷୋତ୍ତମ ଦେବଙ୍କ ସଙ୍ଗରେ ଖୋର୍ଦ୍ଧାରୁ ପୁରୀ ଆସିଥିଲେ !

 

ସନାତନ ଅସ୍ଫଟ କଣ୍ଠରେ ଆର୍ତ୍ତନାଦ କରି ଉଠିଲେ । କେବଳ ଗୋବିନ୍ଦବାହୁବଳେନ୍ଦ୍ର ତ ନୁହଁନ୍ତି; ଖୋର୍ଦ୍ଧାର ଅଧିକାଂଶ ପାଇକ ଯେ ଏଠି ରୁଣ୍ଡ ହୋଇଛନ୍ତି । ଏଇ ଯେ ନିଳାମ୍ୱର ଚମ୍ପୂପତି ମହାରାଜାଙ୍କ ପାଦଧୂଳି ନେଇ ମୁଣ୍ଡରେ ମାରୁଛନ୍ତି, ସେ ଯୁଦ୍ଧ ବିଗ୍ରହରେ ଖୋର୍ଦ୍ଧା ରାଜାଙ୍କ ଦକ୍ଷିଣହସ୍ତ କହିଳେ ଚଳେ !

 

ପୁଣି ସଂକୀର୍ତ୍ତନ ଓ ଖୋଳ କରତାଳ ଧ୍ୱନିରେ ବଡ଼ଦାଣ୍ଡ ଉଚ୍ଛ୍ୱସିତ ହୋଇ ଉଠିଲା । ସନାତନ ରାଜା ପୁରୁଷୋତ୍ତମଙ୍କ ଶିବିର ଆଡ଼େ ଆସିଲେ ।

 

ତିନି

 

ସନ୍ଧି ବିଗ୍ରହୀ ମୁକୁନ୍ଦ ରାୟଗୁରୁ ସନ୍ଧିର ସର୍ତ୍ତ ଧରି ଫେରିଛନ୍ତି । ସେ ସର୍ତ୍ତ ଅତି ଭୀଷଣ ! ଓଡ଼ିଆ ଜାତି ପୁଣି ଗଜପତି ବଂଶକୁ ଯେ ସେପରି ସର୍ତ୍ତ ଦିଆଯାଇପାରେ, ତାହା ଯଥାର୍ଥରେ କେହି କଳ୍ପନା କରିପାରୁ ନାହାଁନ୍ତି । ରାଜା ପୁରୁଷୋତ୍ତମ କପାଳରେ କରନ୍ୟସ୍ତ କରି ତାହା ଚିନ୍ତା କରୁଛନ୍ତି । ଅସହାୟତା ଜର୍ଜରିତ ଦୀର୍ଘଶ୍ୱାସରେ ତାଙ୍କର ବିଶାଳ ବକ୍ଷ ବେଳେବେଳେ କମ୍ପିଉଠୁଛି । ମୁକୁନ୍ଦ ରାୟଗୁରୁ ତଳକୁ ମୁଣ୍ଡ ନୁଆଁଇ ସ୍ଥାଣୁ ମୂର୍ତ୍ତିପରି ବସିଛନ୍ତି । ସନାତନ ହରିଚନ୍ଦନ ନିଜ ଆସନରେ ଦଣ୍ଡେ ସ୍ଥିର ହୋଇ ବସି ପାରୁ ନାହାଁନ୍ତି । ଉଠୁଛନ୍ତି ପୁଣି ବସୁଛନ୍ତି । ଶିବିର ମଧ୍ୟରେ ମୂଖିଆ ମୂଖିଆ ପାଇକ ଓ ସେନା ନାୟକମାନେ ଉଦାସୀନ ନିଷ୍ପୃହ ଭାବରେ ବସିଛନ୍ତି । ସେମାନଙ୍କ ମଧ୍ୟରୁ ଅନେକଙ୍କ କପାଳରେ ରସକଳୀ ଚିତା ଓ ବାହୁରେ ନାମାବଳୀର ଛାପା । ସେମାନଙ୍କ ଲୌହ କଠିନ ବାହୁରେ ନାମାବଳୀର ଚନ୍ଦନ ଛାପ କିମ୍ଭୁତ ଦିଶୁଅଛି । ସମସ୍ତେ ନୀରବ । ରାଜା ପୁରୁଷୋତ୍ତମ ଅସହାୟ ପରି ସମସ୍ତଙ୍କ ଆଡ଼େ ଥରେ ଚାହିଲେ । ଓଡ଼ିଶା ଇତହାସର ଏହି କିଂକର୍ତ୍ତବ୍ୟବିମୂଢ଼ତା ପୀଡ଼ିତ ଦାରୁଣ ସଙ୍କଟବେଳେ ସେ ଯେପରି ନିଜେ କିଛି ସ୍ଥିର କରି ନ ପାରି ଅନ୍ୟମାନଙ୍କ ପରାମର୍ଶ ଲୋଡ଼ୁଥିଲେ ।

 

ମକୁନ୍ଦ ରାୟଗୁରୁ କହିଲେ...‘‘କେଶୋ ଦାସ ହିନ୍ଦୁ ହୋଇ ଚଳନ୍ତିବିଷ୍ଣୁ ଉତ୍କଳର ଗଜପତିଙ୍କୁ ଯେ ଏପରି ସର୍ତ୍ତ ଦେଇପାରେ, ଏହା ମୁଁ କଳ୍ପନା କରିପାରୁ ନାହିଁ । ମାତ୍ର ସେ ଯାହା ହେଉ ଆମ୍ଭେମାନେ ଏ ସର୍ତ୍ତ ସ୍ୱୀକାର କରିବା ଅସମ୍ଭବ ।

 

ପୁରୁଷୋତ୍ତମ ଅସହାୟ କଣ୍ଠରେ କହିଲେ...‘‘ତା’ହେଲେ ତ ଯୁଦ୍ଧ ଅନିବାର୍ଯ୍ୟ !’’

 

ସନାତନ ହରିଚନ୍ଦନ ଦଳିତ ସର୍ପପରି ଗର୍ଜନ କରି ଉଠି କହିଲେ....‘‘ହେଉ ପଛେ ଯୁଦ୍ଧ; ଉତ୍କଳ ହେଉପଛେ ଶ୍ମଶାନ; ଆମ୍ଭେମାନେ ଏ ସର୍ତ୍ତ ସ୍ୱୀକାର କରିବା କସ୍ମିନ୍‌ କାଳେ ଉଚିତ୍‌ ନୁହେଁ । ଛାମୁ ଆଦେଶ ଦିଅନ୍ତୁ; ଆମର ପାଇକମାନେ ମନ୍ଦିର ଭାଙ୍ଗି ଭିତରକୁ ପଶି ଯାନ୍ତୁ । ତା’ପରେ କେଶୋ ଦାସକୁ ପିମ୍ପୁଡ଼ି ଦଳିଲାପରି ଆମେ ଅକ୍ଳେଶରେ ଦଳି ଦେଇ ପାରିବା !’’

 

ମୁକୁନ୍ଦ ରାୟଗୁରୁ କହିଲେ... ‘‘ମୁଁ ଯାହା ଦେଖିଲି କେଶୋ ଦାସ ସଙ୍ଗରେ ଚାରି ପାଞ୍ଚ ହଜାରରୁ ଅଧିକ ସିପାହୀ ନାହାଁନ୍ତି । ଥରେ ଆମ୍ଭେମାନେ ମନ୍ଦିର ଭିତରକୁ ପଶିପାରିଲେ ସେମାନଙ୍କୁ ଅକ୍ଳେଶରେ ପରାସ୍ତ କରିହେବ ।’’

 

ପୁରୁଷୋତ୍ତମ ଦେବ ସେନାପତିମାନଙ୍କ ଆଡ଼େ ଚାହିଁ ପଚାରିଲେ...‘‘କ’ଣ କହୁଛନ୍ତି ଆପଣମାନେ ? ହରିଚନ୍ଦନ ଓ ରାୟଗୁରୁଙ୍କ ପରାମର୍ଶ ତ ଶୁଣିଲେ !’’

 

ସେନାପତିମାନଙ୍କଠାରୁ କୌଣସି ଉତ୍ତର ମିଳିଲା ନାହିଁ । ରାଜା ପୁରୁଷୋତ୍ତମଙ୍କ ପ୍ରଶ୍ନରେ ସେମାନେ କେବଳ ପରସ୍ପର ଆଡ଼େ ନୀରବରେ ମୁହଁ ଚାହାଁ ଚାହିଁ ହେଲେ ।

 

ମାଳୀପୁର ଗଡ଼ନାୟକ ବେଣୁଦଣ୍ଡସେନା କହିଲେ... ‘‘ସ୍ନାନଯାତ୍ରା ଆଉ ଦୁଇଦିନ ପରେ-। ପ୍ରଭୁଙ୍କ ଦର୍ଶନ ପାଇଁ ହଜାର ହଜାର ଯାତ୍ରୀ ଆସୁଛନ୍ତି । ଆମେ ଉତ୍କଳୀ ପୁଣି ହିନ୍ଦୁ ହୋଇ ପ୍ରଭୁଙ୍କ ମନ୍ଦିର ଭାଙ୍ଗିବା ! ତା’ହେଲେ କଳାପାହାଡ଼କୁ ଆଉ ଲୋକେ ନିନ୍ଦିବେ କାହିକି ? ଆମେ ଯେ କଳା ପାହାଡ଼କୁ ବଳି ପଡ଼ିବା ।’’

 

ବେଣୁଦଣ୍ଡସେନାଙ୍କ କଥା ଶେଷ ହେବାପରେ ଅନ୍ୟ ବିଶୋଇ ଗଡ଼ନାୟକ ଓ ସେନାପତିମାନେ ପ୍ରାୟ ସେହି ମତ ବ୍ୟକ୍ତ କଲେ ।

 

ରସକଳି ଚିତାଧାରୀ ଗୋବିନ୍ଦ ବାହୁବଳେନ୍ଦ୍ର ସିଂ, ଓରଫ ବୃନ୍ଦା ଦାସ କହିଲେ.... ‘‘ପ୍ରଭୁଙ୍କ ଶ୍ରୀମୁଖ ନ ଦେଖି କେତେ ଭକ୍ତ ଜଳସ୍ପର୍ଶ ନ କରି ଉପବାସ ରହିଛନ୍ତି ! କେଶୋଦାସର ସର୍ତ୍ତ ମାନି ଶୀଘ୍ର ମନ୍ଦିର ନ ଖୋଲାଇଲେ ଆମ୍ଭେମାନେ ଘୋର ପାତକ ଅର୍ଜିବା ।’’

 

ସନାତନ ହରିଚନ୍ଦନ କ୍ଷିପ୍ର କଣ୍ଠରେ ପଚାରିଲେ...‘‘ତା’ ହେଲେ କ’ଣ କେଶୋ ଦାସର ସର୍ତ୍ତ ଆମ୍ଭେମାନେ ବଞ୍ଚି ଥାଉଁ ଥାଉଁ ପାଳନ କରିବା ?’’

 

ବୃନ୍ଦା ଦାସ ନିଷ୍ପୃହ ଉଦାସୀନ କଣ୍ଠରେ କହିଲେ... ‘‘ସନ୍ଧି ବିଗ୍ରହୀ ମହାପାତ୍ରେ ସବୁ ହେଲା ଗୋବିନ୍ଦଙ୍କ ଇଚ୍ଛା ! ତାଙ୍କରି ଇଚ୍ଛାହିଁ ପୂର୍ଣ୍ଣ ହେବ । ଆମେ ତ ନିମିତ୍ତ ମାତ୍ର !’’

 

ଅବଶେଷରେ ବିନାଯୁଦ୍ଧରେ ପୁରୁଷୋତ୍ତମ ଦେବ କେଶୋ ଦାସର ସର୍ତ୍ତ ସ୍ୱୀକାର କରିବା ପାଇଁ ସମ୍ମତି ଦେଲେ ।

 

ମନ୍ଦିର ସିଂହଦ୍ୱାର ପୁଣି ଫିଟିଲା ।

 

କେଶୋ ଦାସ ମନ୍ଦିର ଭିତରୁ ବାହାରି ସର୍ତ୍ତ ପୂରଣ ପାଇଁ ସଙ୍ଗରେ ରାଜପୁତ ଦସ୍ୟୁ ବାହିନୀ ଧରି ଖୋର୍ଦ୍ଧା ଆସିଲେ ।

 

ଏହାର ଅଳ୍ପ ଦିନ ପରେ........

 

ସର୍ତ୍ତ ପୂରଣ ପରେ କେଶୋ ଦାସ ଖୋର୍ଦ୍ଧା ଗଡ଼ରୁ କଟକ ପ୍ରତ୍ୟାବର୍ତ୍ତନ କରୁଥିଲେ । ସେଠାରେ ସୁବେଦାର ହାସିମ୍‌ ଖାଁ ଓ ତାଙ୍କ ମଧ୍ୟରେ ଲୁଣ୍ଠିତ ସମ୍ପଦ ଭାଗବଣ୍ଟା ହେବ । ତା’ପରେ ଅବଶିଷ୍ଟ ସମ୍ପଦ ସଙ୍ଗରେ ଧରି ସେ ଆଗ୍ରା ଫେରିଯିବେ । ସେଠାରେ ଜାହାଙ୍ଗୀରଙ୍କ ଦରବାରରେ ତାକୁ କେତେ ହଜାର ଅଶ୍ୱାରୋହୀଙ୍କ ମନ ସୁବେଦାରୀ ମିଳିବ କେଜାଣି ? କେଶୋ ଦାସ ଉତ୍‌ଫୁଲ୍ଲ ମନରେ ସେଇୟା ଚିନ୍ତା କରି କରି ଆସୁଛନ୍ତି ।

 

କେଶୋ ଦାସଙ୍କ ବିଜୟ ବାହୁଡ଼ା ପୂରୋ ଭାଗରେ ଚାଲିଛନ୍ତି ରାଜପୁତ ପଦାତିକମାନେ-। ସେମାନଙ୍କ ପଛରେ ପୁରୁଷୋତ୍ତମଙ୍କ ଠାରୁ ବଳପ୍ରୟୋଗ ଦ୍ୱାରା ଆହୁତ ଛଅଗୋଟି ହସ୍ତୀ-। ଗୋଟିଏ ହସ୍ତୀ ପୃଷ୍ଠରେ ପୁରୁଷୋତ୍ତମଙ୍କ ଠାରୁ ଆଦାୟ ହୋଇଥିବା ଚାରିଲକ୍ଷ ଟଙ୍କା ଲଦା ହୋଇଅଛି । ଅନ୍ୟ ଏକ ହସ୍ତୀ ପୃଷ୍ଠରେ ଗୋଟିଏ ସ୍ୱର୍ଣ୍ଣ ନିର୍ମିତ ହାଉଦା ମଧ୍ୟରେ ଗୋଟିଏ ଅବଗୁଣ୍ଠନବତୀ ନାରୀ ବନ୍ଦିନୀ ପରି ଆସୁଛନ୍ତି । ସମସ୍ତଙ୍କ ପଛରେ ଅନ୍ୟ ଗୋଟିଏ ହସ୍ତୀ ପୃଷ୍ଠରେ ଆସୁଛନ୍ତି ସ୍ୱୟଂ କେଶୋ ଦାସ, ଅଶ୍ୱାରୋହୀମାନେ ହସ୍ତୀମାନଙ୍କ ଦୁଇପାଖରେ ବଲ୍ଲମ ଓ ଖଣ୍ତା ଉତ୍ତୋଳନ କରି ଆସୁଛନ୍ତି ।

 

କିନ୍ତୁ ହସ୍ତୀ ପୃଷ୍ଠରେ କିଏ ଏଇ ଅବଗୁଣ୍ଠନବତୀ ବନ୍ଦିନୀ ?

 

ଖୋର୍ଦ୍ଧା ଗଡ଼ର ସ୍ତବ୍ଧ ପୌରୁଷ କୌତୂହଳୀ ଜନତା ସେହି ପ୍ରଶ୍ନ ନିଜ ନିଜ ମଧ୍ୟରେ ଜିଜ୍ଞାସା କରୁଛନ୍ତି ।

 

କିନ୍ତୁ ସେ ନିଷ୍ଠୁର ପ୍ରଶ୍ନ ଆଉ ପଚାର ନାହିଁ !

 

ମୋଗଲ–ଐତିହାସିକ କୀଟଦଂଷ୍ଟ ଫାରସୀ ପାଣ୍ଡୁଲିପିର ପୃଷ୍ଠାତଳୁ ବାଦ୍‌ଶାହା ଜାହାଙ୍ଗୀରଙ୍କ ଅନ୍ତଃପୁର ଯାତ୍ରୀଣୀ ଏହି ବନ୍ଦିନୀଙ୍କ ପରିଚିତ ଆବିଷ୍କାର କରନ୍ତୁ ପଛେ, ଆଉ ସେ ନିଷ୍ଠୁର ପ୍ରଶ୍ନ ପଚାର ନାହିଁ ।

 

ବୃଦ୍ଧ ସନାତନ ହରିଚନ୍ଦନ ଅଶ୍ରୁପୂର୍ଣ୍ଣ ଚକ୍ଷୁରେ କେଶୋ ଦାସଙ୍କ ବିଜୟ ବାହୁଡ଼ା ଚାହିଁ ଦେଖୁଥିଲେ । ସେ ବେଳେବେଳେ ଉପରକୁ ଚାହିଁ ହୁଏତ ରୌଦ୍ରଦୀପ୍ତ ମୌନ ଆକାଶକୁ ପଚାରୁଥିଲେ...ଇତିହାସରେ ବହୁ ଉତ୍‌ଥାନ ଓ ବହୁପତନ ତମେ ଦେଖି ଆସିଛ, ମନୁଷ୍ୟର ଅମନୁଷ୍ୟତା ବହୁ ଦେଶ ଓ ବହୁ ଜାତିକୁ କିପରି ନିର୍ଯ୍ୟାତିତ, ଲାଞ୍ଛିତ ଓ ଅପମାନିତ କରେ ତା’ ମଧ୍ୟ ଦେଖିଛ, ମାତ୍ର ଉତ୍କଳର ଏପରି ପୌରୁଷ ବିଲୟ ଓ ଚରମ ଅଧଃପତନର ଉଦାହରଣ ଅନ୍ୟ କେଉଁଠି ଦେଖଛ କି ?

 

ଅଶ୍ୱମାନଙ୍କର ଦୃପ୍ତ ପଦବିକ୍ଷେପରୁ ଉତଥିତ ଧୂଳିର ଘୂର୍ଣ୍ଣି ଭିତରେ କେଶୋ ଦାସଙ୍କ ବାହିନୀ ଅଦୃଶ୍ୟ ହୋଇଗଲେ ।

 

ସେହିଧୂଳି ଘୂର୍ଣ୍ଣି ଭିତରେ, ଉତ୍କଳ ଇତିହାସର ରଙ୍ଗ ଭୂମିରେ ଯେପରି ଶେଷ ଯବନିକା ପଡ଼ିଗଲା ।

 

ଦଳେଇ ବୁଢ଼ା

 

ଯେଉଁ ଦେଶର ସାମ୍ରାଜ୍ୟ ଦିନେ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ହୋଇଥିଲା, ଆଜି ସେ ଦେଶକୁ ବଙ୍ଗ, ବିହାର ଓ ଓଡ଼ିଶାର ନବାବ ଆଲ୍ଲୀବର୍ଦ୍ଦି ଖାଁ, ନାଗପୁର ଭୋଁସଲା ଦରବାରରେ ଚଉଥ ପାଇଁ ବନ୍ଧା ପକାଇଛନ୍ତି । ମାରି ପିଟି ବର୍ଷକୁ ବାରଲକ୍ଷ ଟଙ୍କା ଚଉଥ ଆଦାୟ କରି ନାଗପୁର ଦରବାରକୁ ପଠାଇବା କଟକରେ ମରହଟ୍ଟା ଫୌଜଦାରଙ୍କ ଏକମାତ୍ର କାର୍ଯ୍ୟ । ଏହା ଉପରେ ଯେଉଁ ଫୌଜଦାର ଯେତେ ବେଶୀ ଲୁଟତରାଜରୁ ଉଠାଇ ପାରିଲା, ନାଗପୁର ଦରବାରରେ ତାହାର ସେତେ ବେଶୀ ପ୍ରତିଷ୍ଠା । ଆଫଗାନ ଓ ମୋଗଲମାନେ ହିନ୍ଦୁ ଧର୍ମ ବିଦ୍ୱେଷୀ ହୋଇ ସୁଦ୍ଧା ଓଡ଼ିଶାରେ ଯାହା କରି ନ ଥିଲେ ହିନ୍ଦୁଧର୍ମର ପରମ ରକ୍ଷକ ସାଜି ମରହଟ୍ଟାମାନେ ତାହା କରିବା ପାଇଁ କୁଣ୍ଠିତ ହେଲେ ନାହିଁ । ତୀର୍ଥଯାତ୍ରୀ ବିଶେଷରେ ଜଗନ୍ନାଥ–ପୁରୀ ଯାତ୍ରୀମାନେ ହିନ୍ଦୁ ସମାଜରେ ସର୍ବଥା ଆଦରଣୀୟ ଓ ପୂଜନୀୟ । ମୁସଲମାନ ଅମଳରେ ଏମାନଙ୍କ ଉପରେ କୌଣସି ଜୁଲମ ନଥିଲା । ନବାବ ନାଜିମ ଅମଳରେ ଜଗନ୍ନାଥ ଯାତ୍ରୀମାନଙ୍କ ଉପରେ ଟିକସ ରାଜସ୍ୱର ଆଦାୟର ଏକ ପ୍ରଧାନ ସୂତ୍ର ଥିଲା । ମୂର୍ଶୀଦ କୁଲୀ ଖାଁ ଓଡ଼ିଶାରେ ମୁସଲମାନ ଶାସନ କର୍ତ୍ତା ଥିବା ସମୟରେ ଏହି ଟିକସରୁ ବର୍ଷକୁ ନଅଲକ୍ଷ ଟଙ୍କା ରାଜସ୍ୱ ଆଦାୟ କରୁଥିଲେ । ହିନ୍ଦୁ ମରହଟ୍ଟା ଫୌଜଦାରମାନେ ସେ ଘୃଣ୍ୟ ଟିକସ ଲୋପ କରିବା ପରିବର୍ତ୍ତେ ଆଖି ବୁଜି ତାହା ବଢ଼ାଇ ଦେଲେ । କିଏ କହେ ଭାରତରେ ମୁସଲମାନମାନେ ହିନ୍ଦୁର ଶତ୍ରୁ ? ଭାରତର ଅଭିଶପ୍ତ ଇତିହାସରେ ହିନ୍ଦୁଠାରୁ ବଳି ହିନ୍ଦୁର ଅନ୍ୟ ଶତ୍ରୁ ନଥିଲା । ଯାତ୍ରୀ ଟିକସ ଦେଇ ସୁଦ୍ଧା ରକ୍ଷା ନାହିଁ । ବାଘ ଭାଲୁଙ୍କ ହାବୁଡ଼ରୁ ବରଂ ଯାତ୍ରୀମାନଙ୍କର ରକ୍ଷା ପାଇବାର ଉପାୟ ଥିଲା, ମାତ୍ରବର୍ଗୀମାନେ ବଣଜଙ୍ଗଲର ହିଂସ୍ର ପଶୁମାନଙ୍କୁ ସୁଦ୍ଧା ବଳି ପଡ଼ିଥିଲେ ।

 

ଏହିପରି ଉଲଙ୍ଗ ଅତ୍ୟାଚାର ଓ ପୀଡ଼ନରେ ଓଡ଼ିଆ ଜାତିର ମେରୁଦଣ୍ଡ ଭାଙ୍ଗିପଡ଼ିଥିଲା-। ଓଡ଼ିଆ ଜାତିର ବର୍ତ୍ତମାନ ଥିଲା ଅନିଶ୍ଚିତ, ଭବିଷ୍ୟତ ଥିଲା ଅନ୍ଧକାର, ଅତୀତ ହିଁ ଥିଲା ଏକମାତ୍ର ସାନ୍ତ୍ୱନା । ଅଧା କାହାଣୀ ଓ ଅଧା ଇତିହାସ ମଧ୍ୟରେ ସେ ଅତୀତର ଉଦ୍‌ବୋଧନ ଓ ସ୍ମରଣ ଏହି ଭଗ୍ନଜାନୁ ଜାତିକୁ ବେଳବେଳେ ବଞ୍ଚିବା ପାଇଁ ଯାହା କିଛି ପ୍ରେରଣା ଦେଉଥିଲା ।

 

ଜେନାପୁର ଓ ଢେଙ୍କାନଳ ଦୋସୀମାଳିରେ ଗଡ଼ ମାଳିପୁର ଗାଁ । ଗଜପତି ବଂଶର ଗୌରବ ସଙ୍ଗେ ସଙ୍ଗେ ଗଡ଼ମାଳିପୁର ଗାଁର ସବୁ ଗୌରବ ମଧ୍ୟ ଲୋପ ପାଇଥିଲା । ଆଗେ ଏ ଗାଁରେ ଏକ ପ୍ରସିଦ୍ଧ ଚଉପାଢ଼ୀ ଥିଲା । ଉତ୍କଳ ବାରମ୍ବାର ଯାଜପୁର ଆଡ଼ୁ ଆକ୍ରାନ୍ତ ହେଉଥିବାରୁ ଏ ଅଞ୍ଚଳମାନଙ୍କରେ ବହୁ ଚଉପାଢ଼ୀ ଓ ପାଇକାଳୀ ଗାଁ ପ୍ରତିଷ୍ଠିତ ହୋଇଥିଲା । ଗଡ଼ମାଳୀପୁର ପୂର୍ବେ ଥିଲା ଗୋଟିଏ ଖଣ୍ଡାୟତ ବହୁତ ପାଇକାଳୀ ଗାଁ । ଗାଁ’ଟି ଏକଦା ଅତି ସମୃଦ୍ଧ ଥିଲା । ଚାରିଆଡ଼େ ନଡ଼ିଆ କୁଞ୍ଜ ଓ ଆମ୍ୱତୋଟା ମଝିରେ ଏ ଗାଁ’ଟି ଖଣ୍ଡେ ଚିତ୍ରପଟ ପରି ଦିଶୁଥିଲା । ବ୍ରାହ୍ମଣୀ ବନ୍ଧ ଗଡ଼ାଣିରୁ ଯେଉଁ ‘‘ପଠାଣ ସଡ଼କ’’ ବଣ ପାହାଡ଼ ଭେଦି ସାପେଇ ସାପେଇ କଟକ ଆଡ଼େ ଚାଲି ଯାଇଛି *ସେଇ ସଡ଼କରେ ଯିବା ବାଟୋଇ, ‘‘ଗଡ଼ ମାଳୀପୁର’’ ଗାଁ’ଟିକୁ ଚାହିଁ ଦେଖିବା ପାଇଁ ଦଣ୍ଡେ ରହି ଯାଉଥିଲା । ମାତ୍ର ଏବେ ସେ ଗଛ ସବୁ କଟା ହୋଇ ଚାରିଆଡ଼େ ବାଉଁଶ ଆଉ କିଆ ଜଙ୍ଗଲ ମାନ ବଢ଼ି ଉଠିଲାଣି । ବର୍ଗୀ ଡକାୟତମାନଙ୍କ ଗୃଧ୍ର ଦୃଷ୍ଟିରୁ ଆତ୍ମରକ୍ଷା ପାଇଁ ମୋଗଲ ଅଞ୍ଚଳର ବହୁ ଜନପଦ ଏହିପରି ଅରଣ୍ୟରେ ପରିଣତ ହୋଇଥିଲା ।

 

*ବଙ୍ଗଳା ଆଡ଼ୁ ଯେଉଁ ବାଟ ଦେଇ ଆଫଗାନ ଓ ମୋଗଲମାନେ ଓଡ଼ିଶା ଆସିଥିଲେ, ତାହା ‘‘ପଠାଣ–ସଡ଼କ’’ ନାମରେ ଏକଦା ପରିଚିତ ଥିଲା ।

 

ଗଡ଼ମାଳୀପୁର ଗାଁ’ରେ ଦଳେଇ ମହାପାତ୍ରଙ୍କ ଛଉପାଢ଼ୀ ନବାବ ଆଲ୍ଲିବର୍ଦ୍ଦୀ ଖାଁଙ୍କ ଅମଳ ପର୍ଯ୍ୟନ୍ତ ସୁଦ୍ଧା ରହିଥିଲା । ଚଉପାଢ଼ୀରେ ଦଳେଇ ବଂଶ ବହୁ ବିସ୍ତୀର୍ଣ୍ଣ ‘ଭୂ’ ସମ୍ପତ୍ତି ନିଷ୍କର ଜାଗିରୀ ରୂପେ ଭୋଗ କରୁଥିଲେ । ଦଳେଇ ମହାପାତ୍ରଙ୍କ ପଥର ଚଉପାଢ଼ୀରେ ଶେଷଚିହ୍ନ ଏବେ ସୁଦ୍ଧା ଗାଁ ମୁଣ୍ଡରେ ରହିଅଛି । ମାତ୍ର ଦଳେଇ ମହାପାତ୍ରଙ୍କ ବଂଶ ନିଶ୍ଚିହ୍ନ ହୋଇ ଗଲାଣି । ଆଗକୁ କେଜାଣି ପଚାଶବର୍ଷ ତଳେ ଜାନୁକୀ ଭୋଁସଲା କଟକରେ ଫୌଜଦାର ରୂପେ ଥିବାବେଳେ କେତେଜଣ ବର୍ଗୀ ଏହି ଗାଁ’ ଠାରେ ପଠାଣ ସଡ଼କର ଗୋଟିଏ ଘାଟିରେ ବାଲେଶ୍ୱର ଆଡ଼ୁ ଆସୁଥିବା ଦଳେ ତୀର୍ଥ ଯାତ୍ରୀଙ୍କ ଉପରେ ଆକ୍ରମଣ କରି ସେମାନଙ୍କୁ ଲୁଣ୍ଠନ କରିବା ପାଇଁ ଉଦ୍ୟତ ହୋଇଥିଲେ । ସେତେବେଳେ ଚଉପାଢ଼ୀର ତତ୍କାଳୀନ ଅଧିକାରୀ ବେଣୁଧର ଦଳେଇ ମହାପାତ୍ର ବର୍ଗୀ ଆକ୍ରମଣର ପ୍ରତିରୋଧ କରିଥିବାରୁ ମରହଟ୍ଟାମାନଙ୍କର ଶନିଦୃଷ୍ଟି ଗଡ଼ମାଳୀପୁର ଚଉପାଢ଼ୀ ଉପରେ ପଡ଼ିଥିଲା । ଏ ଘଟଣାର ଅଳ୍ପଦିନ ପରେ ବେଣୁଧର ଦଳେଇ ମହାପାତ୍ରଙ୍କୁ କଟକରେ ଲାଲ ବାଗ କୋଠିକୁ ଡାକିନେଇ ସେଠାରେ ବାଉଁଶ ଚାପୁଆଣି ଦେଇ ତାଙ୍କୁ ହତ୍ୟା କରାଯାଇ ଥିଲା ଅପରାଧ–ରାଜଦ୍ରୋହ । ସେତିକିରେ ଅପରାଧ ଖଣ୍ଡିଲା ନାହିଁ । ଜୋରିମାନା ବାବଦକୁ ତାଙ୍କ ଘର ଓ ଅମାରକୁ ଲୁଟ୍‍କରି ଗୋଟିଏ ପୁରୁଣା, ବୁନିଆଦ ବଂଶକୁ ତଳି ତଳାନ୍ତ କରି ଦିଆଗଲା । ଚଉପାଢ଼ୀ ଲୋପ ପାଇବା ଦିନୁ, ଏ ଗାଁ’ର ଖଣ୍ଡାୟତମାନଙ୍କର ପୂର୍ବପୁରୁଷମାନେ ଦିନେ ବୈତରିଣୀ ଓ ବ୍ରାହ୍ମଣୀ ମଧ୍ୟରେ ବିସ୍ତୀର୍ଣ୍ଣ ଅଞ୍ଚଳକୁ ବହୁ ଆକ୍ରମଣରୁ ସୁରକ୍ଷିତ ରଖିଥିଲେ । ଏବେ ହଳ, ଲଙ୍ଗଳ ଛଡ଼ା ସେମାନଙ୍କର ଅନ୍ୟ ବୃତ୍ତି ନାହିଁ । ତିଦସ୍ତା ଯେଉଁ ଘୋର ଦୁର୍ଭିକ୍ଷ ପଡ଼ିଥିଲା, ସେଥିରେ କେତେ ଗାଁ’ ଛାଡ଼ି ପଳାଇଥିଲେ, ଆଉ ଫେରି ନାହାଁନ୍ତି । ବର୍ଗୀମାନଙ୍କର ଜୁଲୁମ ଓ ବାରମ୍ୱାର ଲୁଣ୍ଠନରୁ ରକ୍ଷା ପାଇବା ପାଇଁ ଅନେକ ସୁକିନ୍ଦା ଓ ଢେଙ୍କାନାଳ ପ୍ରଭୃତି କିଲ୍ଲାର ପାର୍ବତ୍ୟ ଅଞ୍ଚଳମାନଙ୍କୁ ପଳାଇ ସେଆଡ଼େ ବସ ବାସ କରି ରହିଲେଣି । ଯେଉଁମାନେ ତଥାପି ଗାଁ’ ମାଟିର ମାୟା କାଟି ନପାରି ରହିଛନ୍ତି ଦିନରେ ହଳ, ଆଉ ରାତିରେ ନଦିୟା କୀର୍ତ୍ତନ ସେମାନଙ୍କର ଏକମାତ୍ର ବୃତ୍ତି । ଏ ସମସ୍ତ ଦୁର୍ଯ୍ୟୋଗ ଭିତରେ ବଂଚି ରହିଛି ଗଡ଼ମାଳୀପୁର ଗାଁ’ ଆଉ ବଂଚି ରହିଛନ୍ତି ଗାଁ’ର ପେଡ଼ିବୁଢ଼ା ମାଗୁଣି ଦଳେଇ । ମାଗୁଣି ଦଳେଇ କୁଆଡ଼େ ପୂର୍ବେ ଏଇ ଚଉପାଢ଼ୀର ସେନାପତି ଥିଲେ ! ଏବେ କିନ୍ତୁ ସେ ବର୍ତ୍ତମାନ ଓ ଭବିଷ୍ୟତହୀନ, ଅତୀତ ସର୍ବସ୍ୱ ହତଭାଗ୍ୟ ଓଡ଼ିଆ ଜାତିର ଏକ ଅନ୍ତରଙ୍ଗ ପ୍ରତିରୂପ ରୂପେ ବଂଚିଛନ୍ତି ।

 

ମାଗୁଣି ଦଳେଇଙ୍କ ଆନୁମାନିକ ବୟସ ସାତକୋଡ଼ି । ତାଙ୍କ ବୟସର ଖୁବ୍‌ କମଲୋକ ସେ ଅଞ୍ଚଳରେ ବଂଚିଥିଲେ । ସତମିଛ ଜଣାନାହିଁ, ମାତ୍ର ମାଗୁଣି ଦଳେଇ କହନ୍ତି, ତାଙ୍କ ଭେଣ୍ଡା ଦିନେ ଚିଲିକା କୂଳର କାଳୁପଡ଼ା ଘାଟଠାରେ ଆଫଗାନ ସେନାପତି ଖାନ୍‌–ଇ–ଦୌରାନ୍‌ ଖାଁ ସହିତ ଖୋର୍ଦ୍ଧାରାଜା ମୁକୁନ୍ଦ ଦେବଙ୍କର ଯେଉଁ ଲଢ଼େଇ ଲାଗିଥିଲା, ସେଥିରେ ସେ ମୁକୁନ୍ଦ ଦେବଙ୍କ ପକ୍ଷରେ ଲଢ଼ିଥିଲେ । ଦଳେଇଙ୍କ କଥା ଅନୁସାରେ, ଯିଏ ତାଙ୍କ ସାଙ୍ଗରେ ଲଢ଼ିଛନ୍ତି ସେ ମାଟି କାମୁଡ଼ି ପଡ଼ିଛନ୍ତି; କେହି ବର୍ତ୍ତି ନାହାନ୍ତି । ଖାନ୍‌ ଇ–ଦୌରାନ ମଧ୍ୟ ତାଙ୍କ ଖଣ୍ଡା ଚୋଟରେ ମରିଥିଲେ-। ମାତ୍ର କଥାଟା ଖାଣ୍ଟିମିଛ । କାରଣ ଏ ଯୁଦ୍ଧରେ ଖାନ୍‌ ଇ–ଦୌରାନ ମୁକୁନ୍ଦ ଦେବଙ୍କୁ ପରାସ୍ତ କରି ଖୋର୍ଦ୍ଧା ଗଡ଼ ଅଧିକାର କରିଥିଲେ । ତଥାପି ଦଳେଇଙ୍କ ମୁହଁରେ ତାଙ୍କ କଥାଟା ମିଛ ବୋଲି କହିଦେଲେ ବା କଥାର ସତ୍ୟତାରେ ସାମାନ୍ୟ ସନ୍ଦେହ ପ୍ରକାଶ କଲେ ଆଉ ରକ୍ଷା ନାହିଁ । ନିଆଁରେ ଘିଅ ପଡ଼ିଲା ପରି ଦପ୍‌କରି ଜଳି ଉଠି, ସେ ହିନ୍ଦୁସ୍ଥାନୀ ମିଶା ଓଡ଼ିଆ ଅଥବା ଅଡ଼ିଆ ମିଶା ହିନ୍ଦୁସ୍ଥାନୀରେ ‘‘ମାରଦେଙ୍ଗା’’ ‘‘ହାଣ ଦେଙ୍ଗା’’ ପ୍ରଭୃତି ଧମକ ଦେଇ, ଗମ୍ଭିରୀ ଘରୁ ଖଣ୍ଡା ପଟକ କାଢ଼ି ଆଣିବା ପାଇଁ ଡାକ ପକାନ୍ତି ।

 

ମାଗୁଣି ଦଳେଇଙ୍କ ଆଗରେ ଦଳେଇ ବୋଲି କହିଦେଲେ ମଧ୍ୟ ରକ୍ଷା ନଥିଲା । ଚଉପାଢ଼ୀର ପୂର୍ବ ଅଧିକାରୀ ଦଳପତି ମହାପାତ୍ର ବଂଶର ଭାୟାରା ସେ । ତାଙ୍କର ଯଥାର୍ଥ ନାମ ହେଲା ଦଳପତି ମାଗୁଣି ମହାପାତ୍ର । ମୁଣ୍ଡଚନ୍ଦା, କିନ୍ତୁ ଚଉଡ଼ା ଖଣ୍ଡାଧାରପରି କପାଳ ତଳେ ଦୁଇ ଭୃଲତା ବଡ଼ ଗହଳିଆ । ଏବେ ଅବଶ୍ୟ ପାଚି ଝୋଟ ହେଲାଣି । ଭୃଲତା ବାଳରେ ତାଙ୍କ ଗହୀରିଆ ଆକ୍ଷି ଦୁଇଟି ଅଧା ଢାଙ୍କି ହୋଇ ରହିଥାଏ । ତଥାପି ଏ ବୟସରେ ସୁଦ୍ଧା ସେ ଦୀପ ଆଲୁଅରେ ପୋଥି ବୋଲି ପାରନ୍ତି । କପାଳରେ ଗୋଟିଏ ଲମ୍ୱା ସିନ୍ଦୁର କଲି, ତାଙ୍କ ଚେହେରାରେ ଯେପରି ବୀର୍ଯ୍ୟବାନ ପୌରୁଷର ଗୋଟାଏ ସୁସ୍ପଷ୍ଟ ଛାପ ରଖି ଯାଇଅଛି । ଦୁଇପଟ ଗାଲରେ ଗାଳମଛା କଲି । ନାକ ତଳର ଦୁଇ ପଟ ବାଘୁଆ ନିଶ ମୋଡ଼ା ହୋଇ ଗାଲମଛା କଲିରେ ମିଶି ଯାଇଛି । ହାତରେ ସବୁବେଳେ ଖଣ୍ଡେ କପିଳାସିଆ ଠେଙ୍ଗା । ଠେଙ୍ଗା ଦେହରେ ପିତଳ ଗୋବା, ଏଇ ଠେଙ୍ଗାରେ କୁଆଡ଼େ ଢେଙ୍କାନାଳ ଗଡ଼ରେ ସେ ମରହଟ୍ଟା ଫୌଜଦାର ଚେମଣା ନାୟକର ନାକଦଣ୍ଡୀ ଫଟାଇ ଦେଇଥିଲେ । ସତମିଛ ଭଗବାନ ଜାଣନ୍ତି ।

 

ମାଗୁଣି ଦଳେଇଙ୍କ କଣ୍ଠ ଓ ଦେହ ଅବଶ୍ୟ ସାମାନ୍ୟ ଥରିଲାଣି, ତଥାପି ଦେହ ଓ ମନରୁ ଯୌବନର ପୂର୍ବତେଜ ମରିନାହିଁ । ତାଙ୍କ ନାତିମାନେ ସୁଦ୍ଧା ବୁଢ଼ା ହୋଇ ମଶାଣିକୁ ଗଲେଣି-। କିନ୍ତୁ ମାଗୁଣି ଦଳେଇ ନିଶ୍ଚିନ୍ତରେ ଅଣନାତିମାନଙ୍କ ଅମଳ ଭୋଗୁଛନ୍ତି ।

 

ମାଗୁଣି ଦଳେଇଙ୍କ ଲୋଳିତ ଦେହରେ ବହୁକ୍ଷତ ଚିହ୍ନ ଏବେ ସୁଦ୍ଧା ଦେଖିହୁଏ । ପ୍ରତି କ୍ଷତ ଚିହ୍ନର ବହୁ ଇତିହାସ ତାଙ୍କ ଜିଭ ଅଗରେ ।

 

ପିଠିରେ ଏ ଯେଉଁ ଚିହ୍ନଟା ? ଆରେ, ହରିହରପୁରର ଭଞ୍ଜରାଜାଙ୍କ ପକ୍ଷ ହୋଇ, ସେ ଯେତେବେଳେ ମରହଟ୍ଟା ଫୌଜଦାର ଭାସ୍କରରାମ ବିରୁଦ୍ଧରେ ଲଢ଼ୁଥିଲେ, ସେହି ଲଢ଼େଇର ଏ ଚିହ୍ନ । ଗୋଟାଏ ମରହଟ୍ଟା ସିପାହୀ ତାଙ୍କ ପିଠିରେ ବର୍ଚ୍ଛା ଭୂଷି ଦେଇଥିଲା । ହେଲେ ଯାଏ କୁଆଡ଼େ-? ଖଣ୍ଡା ପଟକ, ମାଗୁଣି ଦଳେଇ ବୁଲେଇ ଆଣିଲେ ଯେ, ମରହଟ୍ଟା ବର୍ଗୀଗୁଡ଼ା କଟା କଦଳୀ ଗଛ ପରି ତଳେ ଲୋଟିଗଲେ ।

 

ଦକ୍ଷିଣ ବାହାରେ ଏ ଯେଉଁ କଟା ଚିହ୍ନଟା ? ମରହଟ୍ଟା ଫୌଜଦାର ଚେମଣା ନାଏକ ବଂଚିଛି କି ମଲାଣି କିଏ ଜାଣେ ? ଚେମେଣା ସେତେବେଳେ କଟକରେ ଫୌଜଦାର ଥିଲା । ଢେଙ୍କାନାଳ ରାଜା ତ୍ରିଲୋଚନ ମହେନ୍ଦ୍ର ବାହାଦୁର ମରହଟ୍ଟା ଫୌଜଦାରଙ୍କୁ ଷାଠିଏହଜାର କାହାଣ କଉଡ଼ୀ ପେଶକିସ ଦେବାକୁ ନାସ୍ତି କରି ଦେଲେ । ତହୁଁ ଚେମେଣା ବର୍ଗୀପଲ ଧରି ଢେଙ୍କାନାଳ ଜିଲ୍ଲାର ଦଳେଇ, ବିଶୋୟୀ, ଗଡ଼ନାୟକ, ପାଇକଙ୍କ ଭିତରେ ଗଣ୍ଠି ବୁଲିଗଲା । ସୌରୀକ ବିଶୋୟୀ ମାଗୁଣି ଦଳେଇଙ୍କ ମାମୁଲେଖା ହୁଅନ୍ତି । ବିଶୋୟୀଙ୍କ ଠାରୁ ଖବର ପାଇ ମାଗୁଣି ଦଳେଇ ଆଉ ଘରେ ରହନ୍ତି ? ସିଧା ବାହାରି ଗଲେ ଢେଙ୍କାନାଳ । ଦଳେଇ ଗଳା ଖଙ୍କାରି କବି ବ୍ରଜନାଥ ବଡ଼ଜେନାଙ୍କ ‘‘ସମର ତରଙ୍ଗ’’ ପୋଥିରୁ ପଦେ ବୋଲି ଦିଅନ୍ତି.......

 

‘‘ସାରାଫଉଜ ହେଲେ, ତିୟାର, ମୁସଦି ମୁସା

ହେଲେ ବାହାର, ପାଗା ସୁଆର କି ଜମାଦାର,

କି ସରଦାର ଯେ, ଯେ ଯାହା ମୁରାତବ

ସମ୍ଭାର, ଦୌଲତ ଘେନି ହେଲେ ହାଜର,

ମଜୁରା କର ହୁକୁମ ପାଇ ଯା’ନ୍ତି ସତ୍ୱର ଯେ ।

 

କେହୁ ଚଢ଼ିଛି ବାଜି ବାଜି ଉପର ଯେ ।

ରଙ୍ଗ ଅଙ୍ଗା ଅଙ୍ଗକୁ ଦିଶେ ସୁନ୍ଦର ଯେ ।

ଢାଲେକ ଧରି ବାମ ହାତରେ ଭାଲ କଷିଛି

ଦକ୍ଷିଣ କରେ, ଲାଳ ପଗଡ଼ି ଭଲା ମାନିଛି

ଶିରକୁ ତା’ର ଯେ..... ।’’

 

ଢେଙ୍କାନାଳ ସୌରୀକର ବିଶୋୟୀ ଦଳେଇଙ୍କ ମାମୁ ଲେଖା ହୁଅନ୍ତି ବୋଲି ଗଡ଼ମାଳୀପୁରରେ କାହାକୁ ଜଣା ନାହିଁ । ତଥାପି କଥାଟା ସତହେଉ ବା ମାଗୁଣି ଦଳେଇଙ୍କ ଗାଲୁ ଗପ ହେଉ, ଦଳେଇଙ୍କ ମୁହଁରୁ ଏ ଛାନ୍ଦ ପଦକ ଶୁଣିଲା ବେଳେ ମାଳୀପର ଗାଁର ଭେଣ୍ଡିଆମାନଙ୍କର ନିର୍ଜୀବ ଆଖି ଗୁଡ଼ାକ ମୁହୂର୍ତ୍ତକ ପାଇଁ ଉଜ୍ୱଳ ହୋଇଉଠେ । ଧମନୀରେ ପଖାଳ ଖିଆ ଥଣ୍ଡା ରକ୍ତ ଟିକିଏ ଉଷୁମ ହୋଇ ଉଠେ ।

 

ଦଳେଇଙ୍କ ମୁହଁରୁ ଏ କଥା ଆଉ ଛାନ୍ଦ ଗଡ଼ମାଳୀପୁର ଗାଁର ଲୋକେ କେତେ ବାର ଯେ ଶୁଣିଲେଣି ତା’ର ଇୟତ୍ତା ନାହିଁ । ଦଳେଇଙ୍କ ଏକମାତ୍ର କାର୍ଯ୍ୟ ତାଙ୍କ ଦାଣ୍ଡବାଟେ ଯିଏ ଯାନ୍ତି ତାଙ୍କୁ ଡାକି ଏସବୁ କାହାଣୀ ଶୁଣେଇବା । ସେଇ କଥା ଶୁଣି ଶୁଣି ଆଉ ଶୁଣିବା ପାଇଁ କାହାର ଆଗ୍ରହ ନଥିଲା । ତଥାପି ମାଗୁଣି ଦଳେଇଙ୍କ ଡାକ ଶୁଣି, ପିଣ୍ଡାତଳେ ଠିଆ ହୋଇ, ତାଙ୍କୁ ଜୁହାରଟାଏ ପକାଇ ଦଳେଇଙ୍କ କଥା ନ ଶୁଣି ଚାଲିଯିବା ଲୋକ, ଗଡ଼ମାଳୀପୁର ଗାଁରେ ଖୁବ୍‌ କମ୍‌ ଥିଲେ ।

 

ମରହଟ୍ଟା ବର୍ଗୀମାନେ ବଙ୍ଗଳା, ବିହାର ଓ ଓଡ଼ିଶାର ଘରେ ଘରେ ହୃତକମ୍ପ ଆଣି ପାରୁଥାନ୍ତି । ସେମାନଙ୍କ ହୁଂକାରରେ ଦନ୍ତା ଦନ୍ତା ନବାବ ଓ ଜମିଦାରମାନେ ସୁଦ୍ଧା ଆତଙ୍କ ଗଣୁଥାଇ ପାରନ୍ତି; ମାତ୍ର ମାଗୁଣି ଦଳେଇଙ୍କ କହିବା ଅନୁସାରେ ମରହଟ୍ଟା ଫୌଜଦାରମାନେ ଦଳେଇଙ୍କ ନାଆଁ ଶୁଣିଲେ ଛାନିଆରେ ପିନ୍ଧା ଲୁଗା ଅଶୁଦ୍ଧ କରିପକାନ୍ତି ? ସେ କ’ଣ ସାମାନ୍ୟ ବଂଶର ଲୋକ । ତାଙ୍କର ଗୋସିବାପା ଗୋହୀରା ଟିକିରୀ ଲଢ଼େଇରେ ପଠାଣ ସେନାପତିଙ୍କ ସାଙ୍ଗରେ ଏକା ଏକା ଲଢ଼ିଥିଲେ । ଆହେ ତାଙ୍କ ବାପେ ଥିଲେ ଯେ ଗଉଣିଏ ଚୂଡ଼ା ଦୁଇସେର କ୍ଷୀର ଆଉ ଦୁଇଟା ନଡ଼ିଆ ନ ହେଲେ ତାଙ୍କ ପାଣିଖିଆ ହେଉ ନଥିଲା । ନଡ଼ିଆ ଛଡ଼ାଇବା ପାଇଁ କ’ଣ କଟୁରୀ ଲାଗୁଥିଲା ? ଏକା ଏକା ମୁଥକେ ନଡ଼ିଆ ଫାଟି ଆଁ କରୁଥିଲା । ଯାଅତ, ଏବେ ଭଦ୍ରଖ ନୋହିଲେ କଟକ ଫଉଜଦାରକୁ କହିବ, ଦଳପତି ମାଗୁଶି ମହାପାତ୍ରଙ୍କ ନାଁ ଶୁଣିଲେ ସେମାନଙ୍କ କମ୍ପ ଜର ଆସିବ ।

 

ସେଦିନ ଭେଣ୍ଡାଟାଏ ଏଇ ଏକ କଥା ସବୁଦିନେ ଶୁଣି ଶୁଣି ପଚାରି ଦେଲା...‘‘ତୁମେ ତ ଅଜା ଏତେ ପରାକ୍ରମୀ ବଳୀୟାର ସିଂହ ! ବର୍ଗୀମାନେ ଯେତେବେଳେ ଆସି ଚଉପାଢ଼ୀ ଲୁଟି ନେଲେ, ତମେ ଥିଲ କେଉଁଠି ?’’

 

ମାଗୁଣି ସେତେବେଳେ ଅବଶ୍ୟ କୋଉଠି ଥିଲେ ଜଣାନାହି । କିମ୍ୱା ସେକଥା ସେ କହିଲେ ନାହିଁ । କିନ୍ତୁ ତାଙ୍କ କଥାର ସତ୍ୟତାରେ ସନ୍ଦେହ ଆରୋପ କରି ତାଙ୍କୁ ଅସମ୍ମାନ କରାଯାଉ ଅଛି ବୋଲି କହି, ସେ କାଳିଶୀ ପରି ନାଚିଗଲେ । ତା’ପରେ ଗମ୍ଭିରୀ ଘର ଭିତରକୁ ଧାଇଁ ଯାଇ ପଟେ ଖଣ୍ଡା ବୁଲେଇ ବୁଲେଇ କାଢ଼ି ଆଣି ପାଟି କରି ଉଠିଲେ, ‘‘ମାଳୀ ପୁରିଆ ଗୁଡ଼ାକ ଖଣ୍ଡାଏତ ନୁହଁନ୍ତି, ଓଡ଼ଚଷା । ହଁ ଚଷା ନୁହଁନ୍ତି ତ’ ଆଉ କ’ଣ ? ନଦୀଆ କୀର୍ତ୍ତନ କରି କରି ମାଇଚିଆ ହୋଇଛନ୍ତି । ସାରା ଦେଶଟା ମାଇଚିଆ ହୋଇ ଯାଇଛି ! ଆସନ୍ତୁତ ଗାଁ’ଯାକ ସମସ୍ତେ; ସେ ଖଣ୍ଡା ପଟକରେ ସମସ୍ତଙ୍କୁ ଯମଲୋକ ପଠାଇ ଦେବେ ।’’

 

ଏହାପରେ ଆଉ ଅନ୍ୟ କୌଣସି ପ୍ରଶ୍ନ ଅବଶ୍ୟ ଉଠିଲା ନାହିଁ । ମାଗୁଣି ଦଳେଇଙ୍କ ବୀର ଦର୍ପରେ ନାଗପୁର ଦରବାର ସୁଦ୍ଧା କମ୍ପିଉଠେ ବୋଲି ସାବ୍ୟସ୍ତ ହୋଇଗଲା । ଦଳେଇ ଗାଁରେ ସମସ୍ତଙ୍କ ମାନ୍ୟ ଲୋକ, ପୁଣି ବୟସରେ ସମସ୍ତଙ୍କଠାରୁ ବଡ଼ । ତେଣୁ ମୁହଁରେ ତାଙ୍କୁ ଭରସି କେହି ଆଉ କିଛି କହନ୍ତି ନାହିଁ । ମାତ୍ର ଲଙ୍ଗଳା ପିଲାଗୁଡ଼ାଙ୍କର ମୁହଁରେ କୋଉ ବାଡ଼ ବତା ଅଛି ? ଦଳେଇଙ୍କୁ ଦେଖିଲେ ସେମାନେ ପାଟି କରି ଉଠନ୍ତି; ‘‘ଦଳେଇ, ବର୍ଗୀଗଲେ ପଳେଇ !’’

 

ଦଳେଇଙ୍କୁ ଆଉ ସମ୍ଭାଳେ କିଏ ? ପିତଳ ଗୋବ ବସା ଠେଙ୍ଗା ଖଣ୍ଡକ ଉଞ୍ଚାଇ ସେ ପିଲାଗୁଡ଼ାଙ୍କ ଆଡ଼େ ଧାଇଁ ଆସନ୍ତି । ମାତ୍ର ଥର ଥର ପାଦରେ ମାଗୁଣି ଦଳେଇ ଲଙ୍ଗଳା ପିଲାଗୁଡ଼ାଙ୍କୁ ଦଉଡ଼ରେ ପାରନ୍ତି କେତେକେ ?

 

ବର୍ଗୀ ଜୁଲୁମ କେତେବର୍ଷ ହେବ ବନ୍ଦଥିଲା । ମାତ୍ର ପୁଣି ଚାରିଆଡ଼େ ବର୍ଗୀ ମାତିବା ଖବରଟା ମହାମାରୀର ଆତଙ୍କ ପରି ଖେଳିଗଲା । ଓଡ଼ିଶାର ସୁବେଦାର ସେତେବେଳକୁ ରାଜା ରାମ ପଣ୍ଡିତ, ଆଉ ଖୋର୍ଦ୍ଧାର ରାଜା ଦିବ୍ୟସିଂହ ଦେବ । ମରହଟ୍ଟାମାନଙ୍କ ଧମକରେ ଗଜପତିଙ୍କ ନାକଦଣ୍ଡୀରେ ପ୍ରାଣ । ରାଜାରାମ ପଣ୍ଡିତର ଡାକରେ ବସୁଥାନ୍ତି ଉଠୁଥାନ୍ତି । ଆଉ ଦେଶ ଲୋକଙ୍କ କଥା ପଚାରେ କିଏ ? ନାଗପୁର ଦରବାରରେ ସେତେବେଳେ ସୁବେଦାର, ଫୌଜଦାର ଓ କିଲ୍ଲାଦାର ପ୍ରଭୃତି ଚାକିରୀ ନିଲାମ ଡାକରେ ଉଠୁଥିଲା । ଯିଏ ବେଶୀ ଟଙ୍କା ନାଗପୁର ରାଜ କୋଷରେ ପଇଠ ଦେଇ ପାରୁଥିଲା, ତାହାର ସେତେବେଶୀ ପଦୋନ୍ନତି ହେଉଥିଲା ।

 

ମାତ୍ର ରାଜାରାମଙ୍କ ଅମଳରେ ଲାଗ ଲାଗ ହୋଇ ଦୁର୍ଭିକ୍ଷ ପଡ଼ିଲା । ଗାଁ’ ଗଣ୍ଡା ଖାଲି ହୋଇଗଲା । ତନ୍ତୀ, ବୁଣାକାର, ଥଟାରୀ, କୁମ୍ଭାର ଓ ବଢ଼େଇ ପ୍ରଭୃତି କାରିଗର ଶ୍ରେଣୀର ଲୋକେ ବର୍ଗୀ ଆତଙ୍କରେ ବାଲେଶ୍ୱର ଓ ପିପିଲି ପ୍ରଭୃତି ସ୍ଥାନରେ ଫିରିଙ୍ଗୀମାନଙ୍କ ଅଞ୍ଚଳକୁ ପଳାଉଥିଲେ । କାରଣ ସେ ଅଞ୍ଚଳମାନ ଇଂରେଜ ବଣିକମାନଙ୍କ ସାମରିକ ଶକ୍ତି ଦ୍ୱାରା ସୁରକ୍ଷିତ ଥିବାରୁ ସେଠାରେ ବର୍ଗୀ ଆକ୍ରମଣର ଆଶଙ୍କା ନ ଥିଲା । ଏହି ସୁଯୋଗରେ ଇଂରେଜ ବଣିକମାନେ ଏ କାରିଗରମାନଙ୍କଠାରୁ ଶସ୍ତାରେ ଜିନିଷ କିଣି ବାହାରକୁ ଖୁବ୍‌ ରପ୍ତାନୀ ଚଳାଇଥିଲେ । ମାଟିର ମାୟା କାଟି ନ ପାରି ଯେଉଁମାନେ ତଥାପି ମାଟି କାମୁଡ଼ି ପଡ଼ି ରହିଥିଲେ, ସେମାନଙ୍କ ଘରେ ଓଳିଏ ଚୁଲି ଜଳିଲେ ଦୁଇ ଓଳି ଚୁଲିକି ହାଣ୍ଡି ଯାଉ ନ ଥିଲା । ଏ ଅବସ୍ଥାରେ ରାଜସ୍ୱ ଆଦାୟ ହେଉଛି କିପରି ? ମୋଗଲ–ବନ୍ଦୀରୁ ଶିବରାମ ଭଟ୍ଟ ୧୦ ଲକ୍ଷ ୭୮ ହଜାର ଟଙ୍କା ରାଜସ୍ୱ ଆଦାୟ କରୁଥିଲା । ମାତ୍ର ଶମ୍ଭୋଜୀ ଗଣେଶ ତାହା ବଢ଼ାଇ ୧୫ ଲକ୍ଷ କରି ଦେଇଥିଲା । ଏବେ ରାଜାରାମଙ୍କ ଅମଳରେ ତାହା ଊଣା ପଡ଼ିବାରୁ, ନାଗପୁର ଦରବାରରୁ ତାଗଦା ଉପରେ ତାଗଦା ଆସିଲା । ଲୋକେ ଅବଶ୍ୟ ଖାଇବାକୁ ନ ପାଇ ରାଜସ୍ୱ ଦେଇ ପାରୁ ନାହାଁନ୍ତି । ମାତ୍ର ରାଜ୍ୟ ଶାସନ ତ ମରହଟ୍ଟାମାନଙ୍କ ଉଦ୍ଦେଶ୍ୟ ନ ଥିଲା, ସେମାନଙ୍କ ଉଦ୍ଦେଶ୍ୟ ଥିଲା ଲୁଣ୍ଠନ । ତେଣୁ ମରହଟ୍ଟା ସୁବାଦାର ଲୋକଙ୍କ ଅବସ୍ଥା ବିଚାରିବେ କାହିଁକି ? ସେ ବର୍ଗୀପଲଙ୍କୁ ଚାରିଆଡ଼େ ପଙ୍ଗପାଳ ଦଳପରି ପଠାଇ ଦେଲେ, ବାକୀ ରାଜସ୍ୱ ଆଦାୟ ପାଇଁ । ଦେହରେ ପ୍ରାଣଥିବା ପର୍ଯ୍ୟନ୍ତ ମରହଟ୍ଟାମାନଙ୍କ ରାଜସ୍ୱ ନ ଦେଇ ଲୋକେ ଯିବେ କୁଆଡ଼େ ?

 

କ୍ରମାଗତ ଦୁଇବର୍ଷ ବ୍ୟାପି ମରୁଡ଼ି ପରେ, ଏ ବର୍ଷ ସୁପାଳକ ହୋଇ ଥିବାରୁ ଲୋକେ ଚାରିଆଡ଼େ ଶ୍ୱସ୍ତିର ନିଶ୍ୱାସ ମାରୁଥିଲେ । ମାତ୍ର ବର୍ଗୀ ଆକ୍ରମଣର ଆତଙ୍କ ସେ ଆଶ୍ୱସ୍ତିକୁ ଦୀର୍ଘାକାଳ ସ୍ଥାୟୀ କଲା ନାହିଁ ।

 

ମାର୍ଗଶୀର ମାସ । ଗ୍ରାମେ ଗ୍ରାମେ ଶସ୍ୟ ଲକ୍ଷ୍ମୀଙ୍କ ଆବାହନ ପାଇଁ ଘରେ ଘରେ ହସ ଉକୁଟି ଉଠୁଛି । ଘରକାନ୍ଥ ଲିପି ଚିତା ଲେଖୁ ଲେଖୁ ଝିଅ ବୋହୂମାନଙ୍କୁ ବେଳ ଅଣ୍ଟୁନାହିଁ । ଖଳାମାନ ଲିପା ପୋଛା ସରିଲାଣି । ବହୁ ଦିନପରେ ଲକ୍ଷ୍ମୀ ଆସୁଛନ୍ତି । ପିଠୋଉରେ ତାଙ୍କ ପାଦଚିହ୍ନ ସବୁଆଡ଼େ ପଡ଼ି ଗଲାଣି । ଧାନ ପାଚି ଆସୁଛି । ଏତେବେଳେ ଯଦି ବର୍ଗୀ ଆସନ୍ତି ତା’ହାଲେ......ଲୋକେ ଆଉ ଭାବିପାରୁ ନାହାଁନ୍ତି ।

 

ସକାଳ । ଘାସପତ୍ରରୁ କାକର ବିନ୍ଦୁ ଶୁଖି ନାହିଁ । ମାଗୁଣି ଦଳେଇ ତାଙ୍କ ପଥର ବସା ଛାତିଏ ଉଞ୍ଚା ଦାଣ୍ଡ ପିଣ୍ଡାରେ ଖରାକୁ ପିଠିକରି ବସି, ଢୁଳେଇ ଢୁଳେଇ ହୁଏତ ତାଙ୍କ ଅତୀତ ଦିନର ବହୁବିଜୟ କାହାଣୀ ମନେ ମନେ ସ୍ମରଣ କରୁଥିଲେ । ଏତିକିବେଳେ ଗଡ଼ମାଳୀପୁର ଗାଁ’ ଲୋକେ ଦଳବାନ୍ଧି ଦଳେଇଙ୍କ ପିଣ୍ଡାତଳେ ଆସି ଠିଆ ହେଲେ । ଦଳେଇଙ୍କ ଢୁଳ ଭାଙ୍ଗିଗଲା । ସେମାନଙ୍କ ଆଡ଼େ ଚାହିଁ ଅଳ୍ପ ହସି ଦଳେଇ ପଚାରିଲେ....‘‘କିରେ ପିଲେ ଖବର କ’ଣ ?’’

 

ଦଳେଇ ଆଉ କେଉଁ ନୂଆ ଲଢ଼େଇର କାହାଣୀ ସେମାନଙ୍କୁ ଶୁଣାଇବା ପାଇଁ ମନେ ମନେ ହୁଏତ ପ୍ରସ୍ତୁତ ହେଉଥିଲେ । ମାତ୍ର ଗାଁ’ଲୋକେ ସେଥିପାଇଁ ଉପଯୁକ୍ତ ମାନସିକ ଅବସ୍ଥାରେ ନଥିଲେ । ବର୍ଗୀମାନେ ରଥୀପୁର, ନଛିପୁର, ହରିପୁର ପ୍ରଭୃତି ଗାଁ’ମାନ ଲୁଟି ସାରିଲେଣି, ନଛିପୁର ଗାଁ’ଟା ପଅର ଦିନ ରାତିରେ ଜଳି କୁଆଡ଼େ ପାଉଁଶ ହୋଇ ଯାଇଛି । ଏହାପରେ ତ’ ଗଡ଼ମାଳୀପୁରର ପାଳି ପଡ଼ିବ । ଉପାୟ କ’ଣ ? ପାଖ ବଣ ଜଙ୍ଗଲକୁ ନ ପଳାଇଲେ ଧନ, ଜୀବନ ରହିବ ନାହିଁ ।

 

ଦଳେଇ ସମସ୍ତଙ୍କ କଥା ଶୁଣଶି ମୁହୂର୍ତ୍ତକ ପାଇଁ ମନେ ମନେ ଆତଙ୍କିତ ହୋଇ ପଡ଼ିଲେ-। ମାତ୍ର ଏତେଦିନ ଧରି ଯେଉଁମାନଙ୍କୁ ବର୍ଗୀଦଳରେ ଏତେ ବୀରତ୍ୱ ପୂର୍ଣ୍ଣ କାହାଣୀ ସେ ଶୁଣାଇ ଆସିଛନ୍ତି, ସେମାନଙ୍କୁ ଏବେ ଛତ୍ର ଭଙ୍ଗ ଦେଇ ପଳାଇବା ପାଇଁ ସେ ପରାମର୍ଶ ଦେବେ କିପରି-? ଦଳେଇ କହିଲେ.....‘‘କିରେ ତମେ ଗୁଡ଼ା ଖଣ୍ଡେଇତ ପାଇକ ହୋଇ ପଳାଇବ କ’ଣ-? ଏଇ ଠେଙ୍ଗା ଦେଖୁଛ; ଏଥିରେ ଢେଙ୍କାନାଳ ଷାଠିଏ ବାଟିଆ ବିଲରେ ଚେମଣା ନାୟକର ନାକଦଣ୍ଡା ଫଟାଇ ଥିଲି । ମରହଟ୍ଟା ବର୍ଗୀମାନେ ସବୁ ଆଡ଼େ ଲୁଟିବେ ସିନା, ଏ ଗାଁ ମାଡ଼ିବେ ନାହିଁ-।’’

 

ମାଗୁଣି ଦଳେଇ ଚେମଣା ନାଏକ ବିରୁଦ୍ଧରେ ଯୁଦ୍ଧ ଯାତ୍ରାର ବର୍ଣ୍ଣନା ‘ସମର ତରଙ୍ଗ’’ ପୋଥିରୁ ବୋଲିବା ପାଇଁ ଗଳା ଖଙ୍କାରୁ ଥିଲେ; ମାତ୍ର ଅନ୍ୟଦିନ ପରି ଆଜି ତାହା ଶୁଣିବା ପାଇଁ ଗାଁ’ଲୋକଙ୍କର ଧୈର୍ଯ୍ୟ ନ ଥିଲା । ସନ୍ଧ୍ୟା ଆଗରୁ ଯେ ଯୁଆଡ଼େ ପଳାଇବା ପାଇଁ ସେମାନେ ଆଉ କାଳ ବିଳମ୍ୱ ନକରି ଚାଲିଗଲେ ।

 

ଅପରାହ୍ନର ଶୀତଳ ଛାୟା ବୁଲି ଆସିଲା ବେଳକୁ ଗଡ଼ମାଳୀପୁର ଗାଁ ଏକାବେଳକେ ନିଶୂନ ହୋଇ ସାରିଥିଲା । ବ୍ରାହ୍ମଣୀ ନଈ ମଝିରେ ଗୋଟାଏ ଜଙ୍ଗଲୀ କୁଦ ଅଛି । ବର୍ଗୀ ଆକ୍ରମଣର ସଙ୍କେତ ପାଇଲେ ଗଡ଼ମାଳୀପୁର ଗାଁ’ଲୋକେ ସେହିଠାରେ ଆତ୍ମଗୋପନ କରନ୍ତି । ଆବାଳବୃଦ୍ଧବନିତା ଏବେ ସେହି କୁଦକୁ ପଳାଇ ସାରିଥିଲେ । ଏକା ଗଲେନାହିଁ ମାଗୁଣି ଦଳେଇ, ଅନ୍ୟମାନଙ୍କ ପରି ସେ ବର୍ଗୀମାନଙ୍କ ଭୟରେ ଆତ୍ମରକ୍ଷା ପାଇଁ ଗାଁ’ଛାଡ଼ି ପଳାଇଲେ, ଆଉ କେଉଁ ମୁହଁରେ ପୁଣି ସେମାନଙ୍କୁ ଶୁଣାଇବେ ନିଜ ଅତୀତ ଗୌରବର କାହାଣୀ ? ଗାଁ ଲୋକେ ଯିଏ ଯେତେ ବୁଝାଇଲେ, ନାତି ଓ ନାତୁଣୀ ବୋହୂମାନେ ଯେତେ ବାଧ୍ୟ କଲେ ସୁଦ୍ଧା ମାଗୁଣୀ ଦଳେଇ କୌଣସି ମତେ ଟଳିଲେ ନାହିଁ । ଶେଷକୁ ପ୍ରାଣ ରଖିବା ପାଇଁ ଦଳେଇ ବୁଢ଼ାଙ୍କୁ ଛାଡ଼ି ତାଙ୍କ ଘରଲୋକମାନେ ସୁଦ୍ଧା, ଅନ୍ୟ ଗାଁ ଲୋକମାନଙ୍କ ସଙ୍ଗରେ ମିଶି ଗାଁ ଛାଡ଼ି ପଳାଇଲେ ।

 

ସତକୁ ସତ ରାତି ପହରେ ନ ହେଉଣୁ ବର୍ଗୀମାନେ ମଶାଲ ଜାଳି,ଘୋଡ଼ା ଉପରେ ଚଢ଼ି ଗଡ଼ମାଳୀପୁର ଗାଁ ଉପରେ ଆସି ପଡ଼ିଲେ ।

 

ସବୁ ରାତି ପାହି ପୁଣି ସକାଳ ହୁଏ । ବ୍ରାହ୍ମଣୀ ନଈ ମଝିରେ ବାଲିକୁଦର ବେଣା ଜଙ୍ଗଲ ଭିତରେ, ଶୀତ କାକରରେ ଗୋଟିଏ ଦୀର୍ଘ ଶୀତରାତି ପାହିଗଲା । ବର୍ଗୀପଲ କୌଣସି ସ୍ଥାନରେ ଗୋଟିଏ ସ୍ଥାନରେ ଗୋଟିଏ ରାତିରୁ ଅଧିକ ରହନ୍ତି ନାହିଁ । ରାତି ରାତି ଲୁଟ ତରାଜ ସାରି ସେମାନେ ପୁଣି ଅନ୍ୟ ଗାଁ ଆଡ଼େ ମୁହାଁନ୍ତି ।

 

ଭଲ କରି ସକାଳ ହେବା ପରେ ବେଣା ଜଙ୍ଗଲ ଭିତରୁ ବାହାରି କେତେ ଜଣ ଗାଁ’ର ଅବସ୍ଥା ଦେଖି ଆସିବା ପାଇଁ ଜଙ୍ଗଲେ ଜଙ୍ଗଲେ ଗାଁ ଭିତରକୁ ଆସିଲେ । ବହୁ ଘରେ କବାଟ ତଡ଼ା ହୋଇ ଭଙ୍ଗା ଯାଇଛି । କେତେ ଆଟୁଘରେ ନିଆଁ ତଥାପି ଜଳୁଛି, ବର୍ଗୀମାନେ ଗୁହାଳରୁ ଗାଈ ଗୋରୁମାନଙ୍କୁ ସୁଦ୍ଧା ଫିଟାଇ ନେଇ ଯାଇଛନ୍ତି । ଗାଁ’ର ଦୃଶ୍ୟ ସେମାନେ ଯାହା ଦେଖିଲେ ସେଥିରେ ଫେରିଯାଇ ଅନ୍ୟମାନଙ୍କୁ ଖବର ଦେବାପାଇଁ ସେମାନଙ୍କର ସବୁ ସାହସ ହଜିଗଲା ।

 

ମାଗୁଣି ଦଳେଇ କାହାନ୍ତି ?

 

ଦଳେଇଙ୍କୁ ଖୋଜି ଖୋଜି ସେମାନେ ଗାଁ ମୁଣ୍ଡକୁ ଆସିଲେ ।

 

ଏଇ ଯେ ! ସାମନାରେ ମାଗୁଣି ଦଳେଇ ମାଲ କଛାମାରି, ଅଣ୍ଟାରେ କଟୁରୀ, ବାଙ୍କଛୁରୀ, କଟିତାଲ, ବାଘନଖୀ ଓ ଶିଂଘା ପୁଣି ଛାତିରେ ଢାଲ ଝୁଲାଇ, ହାତରେ ପଟେ ଖଣ୍ତା ଧରି, ମାଗୁଣି ଦଳେଇ ପଥରର ଗୋଟିଏ ମୂର୍ତ୍ତିପରି ଆମ୍ୱ ଗଛ ଜଳେ ଠିଆ ହୋଇଛନ୍ତି । ଗଛ ଛାଇ ଅନ୍ଧାରରେ ତାଙ୍କ ମୁହଁ ଭଲ କରି ଦିଶୁନାହିଁ । ଦଳେଇ ଏସବୁ କେଉଁକାଳର ସାଇତା ଅସ୍ତ୍ର ଶସ୍ତ୍ର ମାନଙ୍କରେ ସାଜି ହୋଇ ସମ୍ଭବତଃ ଏକା ଏକା ବର୍ଗୀମାନଙ୍କ ପ୍ରତିରୋଧ ପାଇଁ ବାହାରିଥିଲେ । ଏତେ ବିପଦରେ ସୁଦ୍ଧା ଗାଁ ଲୋକଙ୍କ ମୁହଁରେ ହସର ଗୋଟିଏ କ୍ଷୀଣ ରେଖା ଖେଳିଗଲା । ସେମାନେ ଗଛ ପାଖକୁ ଆସିଲେ । ମାତ୍ର ଯାହା ଦେଖିଲେ ସେଥିରେ ସେମାନଙ୍କର ଓଠର ହସ ନିଭିଗଲା । ବର୍ଗୀମାନଙ୍କ ପ୍ରତିରୋଧ ପାଇଁ ହେଉ ଅଥବା କିଆବଣ ଭିତରେ ଆତ୍ମରକ୍ଷା ପାଇଁ ହେଉ, ମାଗୁଣି ଦଳେଇ ପାଇକମାନଙ୍କ ଅସ୍ତ୍ର ଶସ୍ତ୍ରରେ ସାଜି ହୋଇ ଗାଁ ମୁଣ୍ଡ ଗୋହିରୀ ପର୍ଯ୍ୟନ୍ତ ଆସିଥିଲେ । ସକାଳେ ଗଡ଼ମାଳୀପୁରିଆ ଗାଁକୁ ଫେରିଲା ପରେ, ଦଳେଇ ସେମାନଙ୍କୁ ଚଉପାଢ଼ୀର ଭୂତପୂର୍ବ ସେନାପତି–ଅବତାର ଦେଖାଇ ବର୍ଗୀମାନେ କିପରି ତାଙ୍କୁ ଦେଖିବା ମାତ୍ରେ ଗାଁ ଛାଡ଼ି ପଳାଇଥିଲେ ତାହା ହୁଏତ ବର୍ଣ୍ଣନା କରିଥାନ୍ତେ । ମାତ୍ର ବର୍ଗୀମାନେ ତାଙ୍କୁ ଧରି, ଆମ୍ବ ଗଛ ଗଣ୍ଡି ଦେହରେ ବାନ୍ଧି ରଖି ଯାଇଛନ୍ତି । କିନ୍ତୁ ମାଗୁଣି ଦଳେଇଙ୍କ ପିଣ୍ଡରେ ପ୍ରାଣ ନାହିଁ । ସଁ ବାଳୁଆ ପରି ମୋଟା ମୋଟା ଦୁଇ ଭ୍ରୂଲତା ତଳେ ତାଙ୍କର ଦୁଇ ଆଖି ପଥରର ଆଖି ପରି ମେଲା ହୋଇ ରହିଛି-। ଡାହାଣ ହାତରେ ଖଣ୍ଡା ବେଣ୍ଟରେ ହାତ ମୁଠା ଯାବ ପଡ଼ି ଯାଇଛି ।

 

ସାତକୋଡ଼ି ବର୍ଷର ପୋକଲଗା ଇତିହାସ, ଗଡ଼ମାଳୀପୁର ଗାଁ’ମୁଣ୍ଡ କିଆ ଗୋହିରୀରେ ପାଳଭୂତ ପରି ଠିଆ ହୋଇଛି !

Image